ମୁଁ କଣ ଜାଣିଥିଲି ଯେ!
ମୁଁ କଣ ଜାଣିଥିଲି ଯେ!
ମୁଁ କ'ଣ ଜାଣିଥିଲି ଯେ?
ହତାଶ ଓ ନୈରାଶ୍ୟର ଇତିହାସର ଚିରା ପୃଷ୍ଟାପରେ
ସଫା ଅଲେଖା କାଗଜର ଅବସ୍ଥିତି
ମୁଁ କଣ କେବେ ଦେଖି ପାରିଥିଲି।
ମୁଁ କଣ କେବେ ଜାଣିଥିଲି
ମୋର ଦୁଇ ସୀମାହୀନ ପ୍ରସାରିତ ବାହୁ ମଧ୍ୟମିତେ
ଏକ ଉଦଗ୍ରୀବ ଶୂନ୍ୟସ୍ଥାନର ଅବସ୍ଥାନକୁ।
ମୁଁ କଣ କେବେ ଅନୁଭବ କରିଥିଲି
ନଇପଠାର ଶୂନ୍ୟସ୍ଥାନକୁ
ନା
କେବେ ମୋ ନିଜଭିତର ଶୂନ୍ୟସ୍ଥାନକୁ।
ନାଇପଠା ପରି ମୋ ନିଜ ମଧ୍ୟରେ ବି ଏତେ ଜାଗା ଥିଲା!
ସବୁ ଅତୀତର ନିରାଶ ଗତକାଲିମାନେ
ଏମିତି ଆପଣାଛାଏଁ ବିତି ଯାଇଛନ୍ତି।
ଅନ୍ୟମନସ୍କତାର ଆନମନାରେ
ଲିଖିତ ଶବ୍ଦରାଜି ସବୁ
ଅନାବନା ଅବନାକ୍ଷର ପାଲଟିଯିବେ ବୋଲି
କିଏ ଜାଣିଥିଲା?
କିଏ ଭାବିଥିଲା ଏମିତି
ନିସ୍ତବ୍ଧତାର ନିସ୍ତେଜ ସକାଳମାନେ ଯେ
ଅକ୍ଷୁର୍ଣ୍ଣ ଅନ୍ଧକାରମୟ ଅର୍ଦ୍ଧରାତ୍ରରେ ଅଧିକ ଆଲୋଡନ ହେବେ ବୋଲି।
ମୁଁ କଣ କେବେ ନିଜ ମଧ୍ୟରେ
କୋଳାହଳର କାରଣ ଯୁଝିପାରିଥିଲି?
ଅବିଶ୍ରାନ୍ତ କୋଳାହଳର ରମ୍ୟରଚନାକୁ
ପ୍ରଶ୍ନ କରିବା ମାତ୍ରେ
କାରଣମାନେ ତ ଛଦ୍ମବେଶୀ ହୋଇ
ଅନ୍ୟକୁ ଇଙ୍ଗିତ କରନ୍ତି।
ମାତ୍ର,
ଏ ଆଶା-ହତାଶ ଇତିହାସର ଶେଷ ପୃଷ୍ଟା ପ୍ରରୋଚନାକୁ,
ଅଦିନେ ନଇପଠାର ବିସ୍ତାର ମାପିବାକୁ,
ସୁନ୍ଦର ସକାଳର ଆଲୋଡନକୁ
ନିଜ ଭିତରର କୋଳାହଳ ଆକଳନ କରିବାର
ସୂଚନା ପ୍ରାୟତଃ ତୁମ ଆସିବାର।
ଲାଗୁଛି ତୁମେ ଯେମିତି ଆସିସାରିଛ
ଆଉ ଏଇଠି କଉଠି ଲୁଚିଅଛ ଯେ
ତୁମ ଆସିବାର ସ୍ୱାଗତ ବନ୍ଦୋବସ୍ତର
ଅଭିମାନଭରା ଅଭିମତ ନେଇ।
ମୁଁ କେମିତି ଜାଣିପାରିଥାନ୍ତି ଯେ
ତୁମେ ମୋ ଶରୀରର
ବୈଚିତ୍ର୍ୟ ବିଚଳତାକୁ ନେଇ ଆସିବ।
ତୁମେ କଣ ଜାଣିନଥିଲ
ମୋ ଭିତରେ ଶୁନ୍ୟସ୍ଥାନର କାରଣ ବୋଧେ
ମୁଁ ମୋ ଭିତରେ ନୁହଁ
ତୁମ ଠାରେ ରହେ,
ତୁମ ଶରୀରର ଅନୁଭୂତ
ଶେଷସ୍ପର୍ଶର ଶିଥିଳ ଶୀହରଣ ହୋଇ।
ତୁମେ କଣ ସତରେ ଜାଣିନଥିଲ?
.................!!
#ଅଜାଣତ ଆଗମନ
