ଶାମୁକା
ଶାମୁକା


ଶାମୁକା ଭିତରେ ମୁକ୍ତା ,
ଶୋଇରହି ସ୍ବପ୍ନ ଦେଖେ
ଅଳସ ଭାଙ୍ଗେ ।
କିଏ ଚୁମି ଯାଏ ତାର ସିଲକେନ ଦେହକୁ
କିଏ ବିଜନ ରେ ବାନ୍ଧିଦିଏ ଅଦେଖା ବନ୍ଧନ
ଫିଟି ପଡ଼େ ସୁନେଲି କିରଣ, ବହିଯାଏ ଅନୁରାଗ
ନଈ ର ଦେହ ନେଇ, ଝରଣାର ପ୍ରଗଳ୍ଭ ଛନ୍ଦ ।
ଅଦେଖା ରାସ୍ତାରେ ଦେହର ପ୍ରତିଟି କଣିକା
ଉର୍ମି ର ପାରାଵାରା, ତୋଳି ଲାଳିତ୍ୟ ର ଛନ୍ଦ,
ଝୁମିଯାଏ ସାଗରର ବକ୍ଷ ।
ଚୁମି ଚୁମି ମୌସୁମୀ ର ବତାସି ପବନ
ଆନମନା ହୁଏ ପୁଣି କେଉଁ ଅଜଣା ସ୍ୱପ୍ନରେ ।
କିଯେ ଏହି ଉଦ୍ବେଳନ, ଏ ଶିହରଣ, କାହାର ଏ ସ୍ପର୍ଶ?
ସୀମିତ ଏ ଖୋଳପା ଭିତରେ ବିଞ୍ଚି ଦିଏ କିଏ
ଏତେ ମଧୁରତା, ଦରଦ ଛୁଇଁ ଯାଏ ହୃଦୟ ।
ଦେହର କୋଣ ଅନୁକୋଣ, ପାଦର ନୁପୁର ।
ବାହାରର ବିଶାଳ ବିଶ୍ୱ,
କେତେ ସବୁ ଦିବ୍ୟତ୍ୱ ର ଆବାହନ,
ଅବାରିତ ଆସ୍ପୃହାର ପ୍ଲାବନ ।
ଅଶାର ଆଲୋକ ବନ୍ଦ ଡେଇଁ ବାକୁ ତତ୍ପର
ଆଲୁଅ ଦେଖିବାକୁ, ନାହିଁ ଯେ ଗବାକ୍ଷ ।
ଛୋଟ ଏକ ସ୍ପନ୍ଦନ ରେ ମୁକ୍ତା,
ଶୋଇରହି ସେଇ ଛୋଟ ଖୋଳପାଟିରେ,
ସ୍ବପ୍ନ ଦେଖୁଥାଏ, ଅହରହ ।
ଏମିତି ଥାଉ ସେ, ସ୍ବପ୍ନ ଦେଖୁ ଆକାଶ ର ତାରା ହେବାକୁ ।
ସେ ସ୍ବପ୍ନ ଦେଖୁଥାଉ...... ସେ ପର୍ଯ୍ୟନ୍ତ, ଯେବେ,
ନିଜେହିଁ ସେ ସ୍ବପ୍ନ ହୋଇ ଯାଏ ।