"ସ୍ୱାଭିମାନ" ଗୋଟେ ନାରୀର
"ସ୍ୱାଭିମାନ" ଗୋଟେ ନାରୀର
ସବୁବେଳେ ନୂଆ ଅଭିଜ୍ଞତା ମିଳେ
ଜୀବନର ପ୍ରତ୍ୟେକ ମୋଡରେ,
କିଛି ସମୟ ପାଇଁ ଯନ୍ତ୍ରଣା ଅବଶ୍ୟ ହୁଏ
କଣ୍ଟା ଫୁଟିଗଲେ ପାଦରେ....
ଯେବେ ଯେବେ ଯେଉଁଠି
ଏକ ନୂଆ ସଂପର୍କର ପ୍ରାରମ୍ଭ ହୁଏ,
ଆବଶ୍ୟକ ପଡ଼େ ସାକ୍ଷୀ, ପ୍ରମାଣର
ଆଉ ସେଠାରେ ଜନ୍ମନିଏ ଆଶା!
ଏକଥା କାହାକୁ ବା ଅଜଣା...
ହେଲେ ବି କେତେ ଲୋକ
ମାନିବାକୁ ପ୍ରସ୍ତୁତ ନୁହଁନ୍ତି..
ନାରୀ ହିଁ ସୃଷ୍ଟି ବୋଲି!
ଏବେ ତୁମେ ହିଁ କୁହ ପ୍ରିୟ...
କ'ଣ ପାଇଁ ଆବଶ୍ୟକ ତୁମକୁ
ସାକ୍ଷୀ ସମର୍ପଣର?
କାରଣ କ'ଣ...
ତୁମ ଆଖିରେ
ଏ ଅଗଣିତ ପ୍ରଶ୍ନବାଚୀ ଚିହ୍ନର?
ହସରେ ହେଉ କି ଲୁହରେ
ଦୁଃଖରେ ହେଉ କି ସୁଖରେ...
ଶତ୍ରୁର ସାମ୍ନାରେ ନାଁ
ଦୁନିଆଁର ପ୍ରତିବାଦରେ,
କୃତଜ୍ଞତାରେ ନାଁ ଧନ୍ୟବାଦରେ!
ବିଦାୟ ମୁହୂର୍ତ୍ତେ ଅବା ସ୍ୱାଗତ ସଭାରେ,
ସଫଳତାରେ ହେଉ ଅବା ବିଫଳତାରେ...
ନାଁ ପୁଣି ମନର ବିକଳତାରେ!
ଚପଳତାରେ ନାଁ ଚଞ୍ଚଳତାରେ..
କରୁଣାରେ ନାଁ କ୍ରନ୍ଦନରେ,
ବନ୍ଦନରେ ହେଉ ଅବା..
ନିଜ ଲୋକଙ୍କ ଅଭିନନ୍ଦନରେ!
କୀର୍ତ୍ତନରେ, ନର୍ତ୍ତନରେ ଆଉ
ଏଇ ଯୁଗର ପରିବର୍ତ୍ତନରେ...
ମାତା ପିତାଙ୍କ ସେବାରେ
ପୁଣି ପିତୃ ତର୍ପଣରେ!
କେବେ ପ୍ରଶ୍ନ କରିବାକୁ
ଉଚିତ୍ ମନେ କରିନି..
କି କ'ଣ ପାଇଁ
ମୋ ଇଚ୍ଛା ମୂଲ୍ୟହୀନ?
ତୁମ ଇଚ୍ଛାର ମୂଲ୍ୟ ଆଗରେ??
ତୁମ ସାଥେ ଖୁସି ମନରେ
ବାମା ସାଜିଛି ସବୁ ଯଜ୍ଞରେ,
ଭକ୍ତି ଥାଉ ନଥାଉ
ଆରାଧନା ଅର୍ଚ୍ଚନାରେ!
ଅଦିନିଆ ଝଡ଼ ଘେରରେ ନାଁ
ବୈଶାଖର ଝାଞ୍ଜି ଖରାରେ,
କେବେ ଛାଡ଼ି ଦେଇଥିଲି ତୁମ ହାତ
ଜୀବନର ଦୋ ଛକିରେ?
ଦୁଃଖ ଶୋକର ସହଭାଗୀ ହୋଇ
କେବେ ଛିଡ଼ା ହୋଇ ନଥିଲି ତୁମ ସାଥିରେ???
ଅସତ୍ୟର ପ୍ରତିଛବି
ଦିଶିଗଲା କି ଆଜି..
ସେ ସତ୍ୟର ଦର୍ପଣରେ?
କ'ଣ ଊଣା ରହିଗଲା...
ମୋ ପ୍ରେମର ସମର୍ପଣ ଭାବରେ??
ଆରେ ନାରୀ ବି ଆକାଂକ୍ଷିତ
ଟିକିଏ ସମ୍ମାନ ଆଉ...
ଟିକିଏ ନିଃସ୍ୱାର୍ଥ ପ୍ରିତୀର..
ସଂପର୍କରେ
କିଛି ସର୍ତ୍ତ ସହ୍ୟ କରିନିଏ
କିନ୍ତୁ ସେ ସହିପାରେନି
ଯେବେ ଆଞ୍ଚ ଆସେ ତା' ସ୍ୱାଭିମାନରେ....!!
