ରକ୍ଷା କବଚ ରାକ୍ଷୀ
ରକ୍ଷା କବଚ ରାକ୍ଷୀ
ରକ୍ଷା କବଚ ରାକ୍ଷୀ
ଅଟଇ ସେ ଯେ ରାକ୍ଷୀ ସୂର୍ଯ୍ୟ ଚନ୍ଦ୍ରଙ୍କୁ ରଖେ ସାକ୍ଷୀ,
ବାନ୍ଧେ ଭଉଣୀଟି ଭାଇ ହାତରେ ନିଜକୁ ସଜାଇ ନୀରୀମାଖି ଭାଇକୁ କରି ଦେହରକ୍ଷୀ l
ବରଷକେ ଥରେ ଆସଇ ବୁଲି ମର୍ତ୍ତ୍ୟକୁ ସେଇ ଆଦର୍ଶମୟ ରାକ୍ଷୀ ପୁର୍ଣିମା,
ଚେତେଇ ଦିଏ ଜନ ମାନସପଟ୍ଟକୁ ରଖିବାକୁ ଟେକ ଭଗ୍ନୀର ଗାରିମା l
ଭାଇ ଭଉଣୀ ସମ୍ପର୍କ ଅଜନ୍ମୁ ଅଟଇ ତ ଅତି ମଧୁର,
ତା' ହାତ ମିଷ୍ଟାର୍ଣ୍ଣ ରଙ୍ଗେଇ ଦିଏ
ଭାଇର ମିଷ୍ଟ ବଚନ ଯୁକ୍ତ ଅଧର l
ନଥାଏ ଯହିଁ ଆବିଳତା ଜମା ଖାଲି ଥାଏ ସେଠି ଭାଇର ସାନ୍ତ୍ୱନା ଦାୟକ ହାର୍ଦ୍ଦିକ ସ୍ନେହ,
ଭଉଣୀର ଦମ୍ଭ ଯାଏ ବଢ଼ି ଘରେ ବନେ ରାଜ ପଥେ ଆଖିରୁ ତା ନଗଡ଼ଇ ଲୁହ l
ଶାଶ୍ୱତ ଆନନ୍ଦ ଲଭଇ ଭଗିନୀ ସତତ ଯେବେ ବାନ୍ଧଇ ଭାଇ ମଣିବନ୍ଧେ ରାକ୍ଷୀ,
ଦଶ ଦିଗ ପାଳ ଅଷ୍ଟବସୁଗଣ କରନ୍ତି ପୁଷ୍ପ ବୃଷ୍ଟି ଶୁଭଦୃଷ୍ଟି ରଖି l
ବଡ଼ ଠାକୁର ଜଗନ୍ନାଥ ବଡ଼ ଭାଇ ବଳଭଦ୍ରଙ୍କ ଛାତି ହୁଏ କୁଣ୍ଢେ ମୋଟ,
ଗେଲ୍ଲୀ ଭଉଣୀ ଶୁଭଦ୍ରା ଯେବେ ପିନ୍ଧାଏ ରାକ୍ଷୀ ଶ୍ରୀହସ୍ତେ ମାରି ବାହୁସ୍ଫୋଟ l
କରୁଛି ମୁହିଁ ଗୁହାରି ଜଗତର ସାଇଁ ଆଗେ ଆଜି ନୁଆଁଇ ମୋ ମଥା,
ଯୁଗାନ୍ତ ଯାଏଁ ରହି ଥାଉ ତିଷ୍ଠି ପବିତ୍ର ସ୍ନେହ ବୋଳା ରକ୍ଷା ବନ୍ଧନର ଅମୃତପୂର୍ଣ୍ଣ ଗାଥା l
( ରଚନା : ©ଅବଧୂତ ପଣ୍ଡା, ଚାଉଳିଆଗଞ୍ଜ, କଟକ,ତା. ୨୮. ୦୮. ୨୦୨୬ )
