ବର୍ଷା
ବର୍ଷା
ଚମକ ସହ ବର୍ଷା ବିନ୍ଦୁ ସବୁ ଭୂଇଁକୁ ଝରିପଡ଼େ,
ମେଘୁଆ ଆକାଶେ ମଧ୍ୟାହ୍ନର ସୂର୍ଯ୍ୟ ଯତନେ ଆପଣା କିରଣ ଢାଳେ।
ଦିଗବଳୟ ପାରେ ନିଜ ସୌନ୍ଦର୍ଯ୍ୟ ଢାଳି ସାଜେ ରଙ୍ଗୀନ ଇନ୍ଦ୍ରଧନୁ,
ତା' ବର୍ଣ୍ଣାଳୀର ମନୋହର ରୂପ ମୋହିନିଏ ଦର୍ଶକଙ୍କ ତନୁ ମନୁ।
ଛାତ ଉପରେ କଡ଼ମଡ଼ ଶବ୍ଦ କରି କୁଆ ପଥର ସବୁ ବରଷି ଯାଏ,
ଚାଖିବା ଆଶାରେ ସେ ବିନ୍ଦୁ ସାଉଁଟି ଶିଶୁଙ୍କ ମନ ଖୁସି ହୋଇଯାଏ।
ସଞ୍ଜ ହେବାର ସଙ୍କେତ ଦେଇ ସନ୍ଧ୍ୟା ଆସେ ଘନେଇ,
ଠାକୁରଙ୍କ ଆଗେ ଦୀପ ଜାଳିବାକୁ ଘରଣୀ ସତର୍କ ହୋଇ।
ଜେଜେ ଆଉ ଜେଜେମା’ ଗପି ଗପି ମଜାରେ ମୁଢ଼ି-ବାରମଜା ବସି ଖାଆନ୍ତି,
ପ୍ରେମପୂର୍ଣ୍ଣ ମନେ ଗୃହ ପ୍ରାଙ୍ଗଣେ ବେଙ୍ଗମାନେ ଡେଇଁ ଡେଇଁ ମାତନ୍ତି।
ଝିଁଝିଁର ଶବ୍ଦ ଆଉ ବେଙ୍ଗର ରଡ଼ି ରାତିରେ ସୃଜେ ସୁର,
ସେହି ସଙ୍ଗୀତମୟ ତାନେ ରାତିର ଶାନ୍ତି ହୁଏ ଆହୁରି ମଧୁର।
ଛୋଟ ଛୋଟ ବିନ୍ଦୁରେ ବରଷେ ବର୍ଷା, ମେଘ ଫାଙ୍କରୁ ବଙ୍କୁଲି ଜହ୍ନର ଚାହାଣି ,
ଗହନ ରାତିରେ ଜେଜେ, ଜେଜେମା’ ଓ ନାତିନାତୁଣୀ ଶୋଇଛନ୍ତି ସୁଖ ନିଦ୍ରା ମଶାରୀ ଟାଣି।
ସକାଳ ହେଉ ହେଉ ବର୍ଷା କମିଯାଏ,
ନିର୍ମଳ ଆକାଶେ ଉଦେ ସୂର୍ଯ୍ୟ ଦେଖି ମନ ହସିଉଠେ ଆହା ଚିତ୍ତ ମଜ୍ଜାଏ ।
ପୁଣି ଥରେ ହୁଏ ଆରମ୍ଭ ଜୀବନର ସେହି ଚହଳ ଓ କୋଳାହଳ ସବୁ,
ବରଷାର ତାଳେ ତାଳେ କର୍ମୀ ନର ନାରୀ ଆବାଳବୃଦ୍ଧବନିତା ମଗନ କରମେ ନହୋଇ କାବୁ l
( ରଚନା: © ଅବଧୂତ ପଣ୍ଡା, କଟକ, ଭାରତ )
