ପ୍ରିତୀ ପଥ
ପ୍ରିତୀ ପଥ


ପ୍ରୀତିର ବର୍ଣ୍ଣାଳୀ ପ୍ରାନ୍ତେ ମିଶିଲାଣି
ଗିରି ଗୋବର୍ଦ୍ଧନ ବନେ
ବନେ ବନରାଜି ମୋହନରେ ହଜି
ଉନ୍ମାଦ ହେଲେଣି ଜନେ ।। ୦
ଜନ ମନ ନେଲ ମୋହନ ବଜାଇ
ବୋଲାଇଣ ଚିତ୍ତ ଚୋର
ଚୋର ହୋଇ ତୁମ୍ଭେ ଗୋବର୍ଦ୍ଧନ ହର
ଛଳେଇ କହିଣ ମୋର ।। ୦୧
ମୋର ମନ ନିଅ ବୋଲଇ ଅରଣ୍ଯ
ସ୍ନିଗ୍ଧ ଶୃଙ୍ଗାରର ବେଶେ
ବେଶରେ ଭଙ୍ଗୁର କରେ ପାରିଜାତ
ମଲ୍ଲାର ମାଳତୀ ରଶେ ।। ୦୨
ରଶେ ହଜି ଅଛି ପ୍ରୀତି କଲ୍ଲୋଳ ସେ
ଶ୍ୟାମ ଚାହାଣୀର ଠାର
ଠାର ଗାର କାଟି ଖାଇଥିଲ ମାଟି
ବୋଲାଇଣ ନଟବର ।। ୦୩
ନଟବର ତୁମେ ମୁଁ ମାନିନୀ ରାଧା
ପିରତି ପାଗଳି ପରା
ପରାଣ ମୋ ତୁମେ ଜାଣଇ ସଂସାର
ସ୍ବର୍ଗରସାତଳ ଧରା ।। ୦୪
ଧରା କୁଞ୍ଜବନେ ମାଳତୀ ଦୋଲିରେ
କ୍ରୀଡ଼ାରତ ଅନ୍ତର୍ଯ୍ୟାମୀ
ଅନ୍ତର୍ଯ୍ୟାମୀ କୁହ ଏଇ ରାଧା ବିନା
ଦୋଳି କି ଝୁଲିବ ସ୍ୱାମୀ ।। ୦୫
ସ୍ୱାମୀ ସଂସାର କୁହଇ ରାଧା ବିନା ଅଧା
ନନ୍ଦର ନନ୍ଦନ କାହ୍ନା
କାହ୍ନା କହୁଅଛି ଏ ପ୍ରୀତି ପାଗଳି
ତୁମ ବିନା କାହିଁ ରାଧା ।। ୦୬
ଜନ ମାନସରେ ଦୁନ୍ଦୁଭି ବଜାଇ
ବୋଲାଉଛ ନ୍ଯାୟବନ୍ତ
ନ୍ୟାୟବନ୍ତ ହେଇ ଏ ଦୁଃଖିନୀ ପାଇଁ
ନ୍ୟାୟ କାହିଁ ଗଲା ସତ ।। ୦୭
ସତ କୁହ ଆଉ ଏ ପୂଜାରିଣି କୁ
ପାସରି ଗଲ କି ନାଥ
ନାଥ ହୋଇ ଯଦି ଅନ୍ତର ନବୁଝ
ବୃଥା ମୋର ପ୍ରୀତି ପଥ ।। ୦୮
ପଥ କାହିଁ କୁହ ତୁମ ବିନା ଶ୍ୟାମ
ମୋ ପରିଚୟ ଯେ ତୁମେ
ତୁମେ ସର୍ବ ପରା ଏ ମନ ବନର
ବୋଲି ଶ୍ୟାମ ଶ୍ୟାମ ରମେ ।। ୦୯