ପରୀ କାହାଣୀ.
ପରୀ କାହାଣୀ.
ପିତୃ ମାତୃହୀନା ମାନିନୀ ଝିଅଟି ଥିଲା
କକା, ଖୁଡି ପାଶେ
ଦିନ କାଟୁଥାଏ ସବୁକାମ କରେ
ରହେ ଦୁଃଖ ଅବଶୋଷେ l
କାହାକୁ କହିବ ଦାରୁଣ ବେଦନା
ଶୁଣିବା ଲୋକ ତ ନାହିଁ
କାନ୍ଦି, କାନ୍ଦି ଯଦି ରାତି ପାହେ ଲୁହ
ପୋଛିବାକୁ କେହି ନାହିଁ l
କକା, ଖୁଡି ଙ୍କର ଏକ ଝିଅ ଥିଲା
କାମିନୀ ଅଟେ ତା ନାମ
ଦିନରାତି ବସି ଖାଇ ପିଇ କରି
କରଇ ଭାରି ଆରାମ l
ମାନିନୀ ଟି ଥିଲା ବହୁତ ସୁନ୍ଦରୀ
କାମ କରି ବେଳ ଯାଏ
ନିଜ କଥା ଚିନ୍ତା କରି କରି ସିଏ
ମନ ଦୁଃଖ କରିରହେ l
ଦିନେ ସେ ବାସନ ମାଜୁଥିଲା ବେଳେ
କାଚ ଗ୍ଲାସ ଭାଙ୍ଗିଗଲା
ତାହା ଦେଖି ତାର ଖୁଡି ରାଗିଯାଇ
ବହୁତ ତାକୁ ମାରିଲା l
ମାଡ଼ ଖାଇ ସିଏ ଘରୁ ଚାଲିଆସି
ନଦୀକୂଳେ ପହଞ୍ଚିଲା
ପାଣିରେ ବୁଡି ସେ ଜୀବନ ହାରିବା
ପାଇଁ ଚାଲି ଯାଉଥିଲା l
ଜଳପରୀ ଟିଏ ପାଣିର ଭିତରୁ
ଛାଣି ଆଣିଲେ ତାହାକୁ
ସବୁକଥା ସିଏ କାନ୍ଦି, କାନ୍ଦି କରି
କହିଲା ଜଳ ପରୀକୁ l
ଜଳ ପରୀ ତାକୁ ସାନ୍ତ୍ୱନା ଦେଇଣ
ଦେଲା ଗୋଟିଏ ପଥର
କହିଲା ଯାହା ତୁ ମାଗିବୁ ଏହାକୁ
ଅଛି ତୋର ଦରକାର l
ଯଦି କିଛି ତୋତେ ବିପଦ ପଡିବ
ଏହାକୁ ରଖି ହାତରେ
ମନେ ମନେ ମୋତେ ସ୍ମରଣ କରିବୁ
ଆସିବି ମୁଁ ତୋ ପାଶରେ l
ମଜା କରି କେବେ ଡାକିବୁନି ମୋତେ
ଏ କଥା ରଖିଥା ମନେ
ପଥର କୁ ନେଇ ମାନିନୀ ସେଠାରେ
ରଖିଲା ଅତି ଯତନେ l
ନିଜ ପାଇଁ ତାର ଯାହା ଦରକାର
ସବୁକିଛି ମାଗିନେଲା
ଘର ଦ୍ୱାର ଗାଡି, କରି ସେହିଠାରେ
ଆନନ୍ଦରେ ଚଳୁଥିଲା l
ଦିନେ ସେ ରାଜ୍ୟର ରାଜା ପୁଅ ଆସି
ଦେଖିଦେଲା ମାନିନୀକୁ
ଖବର ବୁଝି ସେ ବାହା ହୋଇ ତାକୁ
ନେଲା ରାଜ ଉଆସକୁ l
ଜଳପରୀ ପାଇଁ ଆନନ୍ଦେ ରହିଲା
ଅନାଥ ମାନିନୀ ତହିଁ
ଏହାଦେଖି କକା, ଖୁଡି ଦୁଇଜଣ
ଖୁସିରେ ଆସିଲେ ଧାଇଁ l
କାନ୍ଦି କାନ୍ଦି ନିଜ କଲା କର୍ମ ପାଇଁ
ଅନୁତାପ କଲେ ବସି
ଯାହାପାଇଁ ଏତେ କପଟ କରିଲେ
ସେ ଏବେ ବହୁତ ଖୁସି l
ଧନ୍ୟ ଜଳପରୀ ତୋ କରୁଣା ପାଇ
ମାନିନୀ ହୋଇଲା ରାଣୀ
ଏଇଠି ସରିଲା କପୋଳ କଳ୍ପିତ
ଜଳ ପରୀର କାହାଣୀ l