STORYMIRROR

Santosh Kumar Ojha

Others

3  

Santosh Kumar Ojha

Others

ନୂଆ ବରଷ

ନୂଆ ବରଷ

1 min
190

କିଛି ନୂଆ ନୁହଁ

ସବୁ ତ ପୁରୁଣା

ତଥାପି ଲାଗୁଛି ନୂଆ  

ଶୀତର ଲହରୀ

ପ୍ରୀତିର ଭଉଁରୀ

ମିଠା ମିଠା ତୁମ ଛୁଆଁ ।


ବରଷ ଆସିଲା

ହରଷ ଆଣିଲା

ନେଇ ଗଲା ଦୁଃଖ କ୍ଳେଶ  

ଦେଇ ଗଲା ଆଣି

ସୁଖର ଗଉଣି

ଆନନ୍ଦ ନୂଆ ଉଲ୍ଲାସ ।


ଧାନ କ୍ଷେତ ଦେଖି

ଚାଷୀ ଯାଏ ଲାଖି

ଲକ୍ଷ୍ମୀଙ୍କୁ ଆଣିବ ବାସ  

ବାଇ ଚଢ଼େଇର

ବସା ଦୋହଲୁଛି

ଆସିଛି ନୂଆ ବରଷ ।


ତନ୍ତିଆଣୀ ହସେ

ତନ୍ତି ମୁହଁ ଚାହିଁ

ଆସିଲା ନୂଆ ବରଷ  

ନୂଆ ଲୁଗା ଯେତେ

ଖୋଜନ୍ତି ସାଆନ୍ତେ

ସାଆନ୍ତାଣୀ ହେବେ ବେଶ ।


ମିଠେଇ ପୁଡ଼ିଆ

ବନାଏ ଗୁଡ଼ିଆ

ମନରେ ରଖି ଉଲ୍ଲାସ  

ନୂଆ ବର୍ଷ ଜାଣି

ଛାଣେ ଗୁଡ଼ିଆଣୀ

ନୂଆ ମିଠା ଦେଇ ରସ ।


ବିଧିର ବିଧାନ

କେ କରିବ ଆନ

ବୁଢ଼ା ବୁଣୁ ଥାଇ ହେଁସ  

ବୁଢ଼ୀ ତାର ଥରେ

ଅଜାଡ଼ ଶୀତରେ

ହେଁସ ଆଣି ଦବ ହସ ।


କେଉଟ ବାପୁଡ଼ା

ଜାଲ ବୁଣି ବସେ

ଆସିଲେ ନୂତନ ବର୍ଷ  

ଆଇଁଷ ଟିକିଏ

ପାଟିରେ ବାଜିବ

ଅଦର ଦର ତ ମାଂସ ।


ଟୁଇଁ କହେ ଟୁଆଁ

ଧରି ଧନୁ ମୁଆଁ

ଆସିଲାଣି ନୂଆ ବର୍ଷ  

ହେଇ ଯାଅା ରାଜି

ଯିବା ବଣଭୋଜି

ଆଣିଦେବ ମନେ ହର୍ଷ ।


କାମବାଲି ଚାଲି

ସତେକି ମାତାଲି

ବାଣ୍ଟି ବାଣ୍ଟି ଯାଏ ହସ  

ବାବୁ ଦେବେ ଶାଢ଼ୀ

ବାବୁଆଣୀ ଚୂଡ଼ି

ଆସିଲାଣି ନୂଆ ବର୍ଷ ।


ନୂଆ ଭୁଆସୁଣୀ 

ଓଢ଼ଣାକୁ ଟାଣି

ମୁରୁକି ମୁରୁକି ହସେ  

ପରଦେଶୀ ସାଥି

ଘେନି ନୂଆ ପ୍ରୀତି

ନୂଆ ବରଷକୁ ଆସେ ।


ବରଷକୁ ଥରେ

ନୂଆ ବର୍ଷ ଫେରେ

ଆଣଇ ନୂଆ ଉଲ୍ଲାସ 

ଅଦିନ କୁଣିଆ

କରନ୍ତି କିମିଆଁ 

ନିଆରା ନୂଆ ବରଷ ।



இந்த உள்ளடக்கத்தை மதிப்பிடவும்
உள்நுழை