ନୀରବ ନୀଡ
ନୀରବ ନୀଡ
ଏଇ କିଛି ବର୍ଷ ହେବ
ଆଶୁତୋଷ ମଲ୍ଲିକ ଆଉ ମୁଁ
କେବେ ଚହଟା ଛକରେ ତ କେବେ
ନରାଜ୍ ର ବରଗଛ ମୂଳେ ଜୀବନ ଦରାଣ୍ଡି ବଲୁ
ସନ୍ଧ୍ୟା ସମୟରେ......।
ଆମକୁ କି ଜଣା
କୋଡିଏ ଲକ୍ଷ ଲୋକ ଭିତରେ
ବି ଥିବ ଚାଳ ଘରଟିଏ
ଆଉ ସେ ଘରେ ରହୁଥିବେ
ସ୍ୱାମୀଟେ ସ୍ତ୍ରୀଟେ ଆଉ ତାଙ୍କରି
ଛୁଆଟିଏ......।
ଜାଣତରେ ହେଉ ଅବା ଅଜାଣତରେ
କେବେ କେମିତି ଦେଖା ଯା'ନ୍ତି
ସେ ପରିବାର ବାଟେ ଘାଟରେ
ଅବା ସେକ୍ଟର ସିକ୍ସର ପାର୍କରେ,
ଛୁଆଟି ବେଦମ୍ ଖେଳୁଥାଇ,
ତୃପ୍ତି ଭରା ମନରେ ବାପା ମାଆ ବି.... ।
ଛୁଆଙ୍କୁ ଦେଖିଲେ ଖୁସି ଲାଗେ ବୋଲି
କେବେ କେମିତି ଆମେ ବି କୋଳେଇ ନେଉ
ଛୁଆ ଟିକୁ ଆମ ଛାତିରେ... ।
ଏଇ କିଛି ଦିନ ତଳେ
ଛୁଆଟିକୁ ଖୋଜି ଖୋଜି
ପାଇଥିଲୁ ପାର୍କର ଲାଷ୍ଟ୍ ସିମେଣ୍ଟ ପିଣ୍ଡାରେ
ମନେ ହେଲା ବୁଝି ନେବାକୁ କାରଣ ଟି'କୁ,
ଦିନେ ଅଧେ ଯାଇଛି କି ନାହିଁ
ଛୁଆ ମୁହଁରେ ମାଷ୍କ୍ ଦେଖି
ଅନ୍ୟ ମନସ୍କ ହେଲୁ, ଧାଇଁ ଯାଇ
ବୁଝିନେଲୁ ଖବର ତା'ର..... ।
ତିନି ବର୍ଷର ଛୁଆ
ଖେଳୁ ଖେଳୁ ମୂର୍ଛା ହୋଇଥିଲା
ପରେ ଜଣା ପଡିଲା ଯେ
ବ୍ଲଡ୍ କ୍ୟାନ୍ସରରେ ପିଡୀତ ଥିଲା
ଜୀବିତ ବି ରହିବ ମାତ୍ର ଦୁଇ ଚାରି ମାସ....।
ଗଲା ଦିନ ଛୁଆ ଜିଦ୍ କଲା ମୃଦଙ୍ଗଟେ ପାଇଁ
ବାପା ଖୋଜି ଖୋଜି ଆଣିଦେଇଥିଲା
ଯାହା ବି ଜିଦ୍ କଲେ
ପାରୁ ନ ପାରୁ ଖୋଜି ଆଣୁଥିଲା
କେଉଁଠୁ ନା' କେଉଁଠୁ.... ।
ଏବେ କିନ୍ତୁ ଛୁଆ ଟି'ର
ଆସିଛି ଶେଷ ସମୟ
ବାପା କୁ ନୀରହ ଆଖିରେ
ପଲକ ନପକାଇ ମାଗୁଛି
ଜୀବନ ଟିଏ....... ।
ଠିକ୍ ସେତେବେଳେ ମହାନଦୀ
ଗର୍ଭରେ ଲୁଚୁଥିଲା ନାଲି ରଙ୍ଗର ସୂର୍ଯ୍ୟ ଟିଏ
ଆଉ ଶୁଖିଲା କାଠଯୋଡ଼ି ରେ ପାଣି କେହି
ଛାଡିଥିଲା ବୋଲି, ମନକୁ ଅନ୍ୟମନସ୍କ
କରୁଥିଲା ତା ପାଣିର ଖଳ୍ ଖଳ୍ ଶବଦ୍....।।
କଟକ.