STORYMIRROR

SAMEER KUMAR KALAS

Others

4  

SAMEER KUMAR KALAS

Others

ନଈ-ଗୋଟେ ଜୀବନର ନାଁ

ନଈ-ଗୋଟେ ଜୀବନର ନାଁ

1 min
392

ଗୋଟେ ବିଭୋର ପଣରେ ବୋହୁ ଥିବା

ଜଳ କି ଝାଳ , ଲୁହ କି କୋହ

ନଈ ତିଆରି କରନ୍ତି ।


ତୁମେ ପଚାରୁଛ -ନଈ ଗୋଟେ କଣ ?

ନଈ ଗୋଟେ ହସ ,ଗୋଟେ ନହୁଲି ବୟସ ,

ଜୀବନର ଧାରା ଟିଏ ବା ଧାରା ର ଜୀବନ ଟିଏ

କାନ୍ଦୁ କାନ୍ଦୁ ହଠାତ ହସି ଉଠୁଥିବା କଅଁଳ କିଶୋରୀ ଟିଏ ।


ନଈ ରେ କଣ ସୂର୍ଯ ଶୋଇଥାଏ?

ଜହ୍ନ ରାତିରେ କେଉଁଠୁ ଆସନ୍ତି ଚିକମିକ ପରୀମାନେ?

ଶାଳବଣ ଧାର ରେ ଗାର ଟିଏ ପରି

ବୋହୁ ଥିବା ନଈ , କେମିତି ଲାଜରେ

ନଇଁ ନଇଁ ଚାଲେ ନୂଆ ବୋହୂ ପରି ?


ଥର ଟେ ଅନୁଭବି ନିଅ ତ ନଈ କୁ .......

ନିଆଁ କୁ ....... କେତେ ମୁଣ୍ଡେଇଲେ ଯାଇ ନଇଁ ହୁଏ ,

ବହି ହୁଏ ସମୟ ତାଳରେ .........

ମରୀଚିକା ପରି ନଈ ନୁହଁ ,

ନଈ ହେବା ବି ଏତେ ସହଜ ନୁହଁ ଜମା ।


ହଁ , ନଈ ର ବି ମନ ଥାଏ , ମୋହ ବି ........ଆଶା ଅସୁମାରି ....

ସେଇଥିପାଇଁ ତ ଜହ୍ନ ରାତିରେ ମଥାପିଟେ, ଲୁହରେ ବା ଲହଡି ରେ.....

ଶ୍ରାବଣରେ ଫୁଲୁ ଫୁଲୁ ଡୁବେଇ ଦିଏ ....

କ୍ଷେତ ,କ୍ଷତ ....ମାଟି ଆଉ ମନ .......

ଧଇଁ ସଇଁ ଧାଉଁ ଥିବା ନଈ ଟା କେବେ ବନ୍ଦୀ ହୁଏ ଚନ୍ଦନ ବନ ରେ ,

ଅବା କୁହୁଳୁ କୁହୁଳୁ ରଚି ପାରେ ତାଳ ବଣରେ ତାଣ୍ଡବ।.......।


ଏଇ ନଈକୁ ନେଇ ତ ଚାଲିଛନ୍ତି ଋତୁ ମାନେ ,

ତୁମେ ବି ଚାଲ, ଆହତ ରୁ ଅନାହତ ..... ସ୍ଥିତିରୁ ଶୂନ୍ୟତା ଯାଏଁ ........

ମରୁଥିବା ମୁହୂର୍ତ୍ତମାନଙ୍କୁ

କାଗଜ ଡଙ୍ଗାରେ ଭସାଇ .........


ପୁଣି କହିବିକି - ନଈ ଗୋଟେ କଣ ?

ଟିକେ ଦେହ ରୁ ବାହାରି ଦେଖ.........

କେମିତି ଜୀବନର ଚିତ୍ର ଗୁଡା ଜଳ ଜଳ ଦିଶି ଯାଉଛନ୍ତି ,

ନଈ ର ଛଳ ଛଳ ପାଣିରେ ........... ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍