ଚିହ୍ନା ଛାଇ ......ଅଚିହ୍ନା ମଣିଷ
ଚିହ୍ନା ଛାଇ ......ଅଚିହ୍ନା ମଣିଷ
ମୁଁ ସମର୍ପି ଦେଇଥିବା ଅସରନ୍ତି ଅପରାହ୍ନ ସବୁ
ଛପିଗଲା ଅବିଶ୍ଵାସର ଅନ୍ଧାରରେ ,
ଦେଇଗଲା ପୁଳାଏ ପ୍ରବଞ୍ଚନା ।
ମୋ ଆଖିର ଅକୁହା ଅକ୍ଷରମାନେ
ଶ୍ରଦ୍ଧାର ଶବ୍ଦ ପାଲଟୁ ପାଲଟୁ
ପାଲଟି ଥିଲେ ସ୍ଵାର୍ଥର ସ୍ଵାକ୍ଷର ।
ମୁଁ ମାଗି ଆଣିଥିବା ମୁହୂର୍ତ୍ତମାନଙ୍କୁ
ତୁମେ ବାଣ୍ଟିଦେଲ ଯନ୍ତ୍ରଣାକୁ
ଅବଶିଷ୍ଟ ଜୀବନ ଜଳିବାକୁ ।
ମୋ ନିଗିଡ଼ା ଲୁହର ଲେଖା ଲଫାଫାରେ
ତୁମ ପ୍ରତିଶ୍ରୁତି ପାଲଟି ଥିଲା ଅନ୍ତହୀନ ଅପେକ୍ଷା
ସରି ଆସୁଥିବା ମୋ ଆୟୁଷ ମାନଙ୍କ ପାଇଁ ।
ସୁନ୍ଦର ଦେଖାଯାଉଥିବା ସନ୍ଦେହ ମାନେ
ଜାଲୁଥିଲେ ତୁମକୁ ଓ ମୋତେ
ସମ୍ପର୍କଟା କାନ୍ଦୁଥିଲା ସମୟର ହାଟେ ।
ଦେଖ
ଆଜି ମୁ ଅନୁଭବି ନେଇଛି .....
ଚକମକ କରୁଥିବା ଆଲୁଅ ପଛର ଅନ୍ଧାରକୁ
ପାହାଡର ଛାତି ଫାଡି ବୋହୁଥିବା ମୋ ଲୁହ ଟୋପାମାନଙ୍କ ପାଇଁ
ନ ତଳେ ଅଛି ମାଟି .... ନା ଉପରେ ଆକାଶ ,
ସୂର୍ଯ୍ୟମାନେ ସ୍ଵାର୍ଥପର,
ଛାଇ ସବୁ ଚିହ୍ନା ...... ଅଚିହ୍ନା ମଣିଷ ।
