ନାରୀ ମୁଁ ନାରାୟଣୀ
ନାରୀ ମୁଁ ନାରାୟଣୀ
ମୁଁ ଘରର ଘରଣୀ ତଥାପି ନିଜ ଘରେ ମୁଁ ବନ୍ଦିନୀ।
ସଭିଙ୍କ ଇଚ୍ଛାକୁ ପୂରଣ କରିକି ନିଜ ଇଚ୍ଛାରେ କେବେ ବଞ୍ଚିନି।
ଘରେ ଥାଇ ମୁଁ ଦୁନିଆକୁ ଦେଖେ ଦୁନିଆ ମତେ ଦେଖିନି।
ଏକା ବଞ୍ଚିକି ବି ନିଜ ପାଇଁ ସାଥୀଟିଏ କେବେ ଖୋଜିନି।
ଘର ପାଇଁ ମୁଁ କୁଆଡ଼େ ଲକ୍ଷ୍ମୀ ନାରାୟଣି।
ହେଲେ ପଇସାଟିଏ ନିଜ ଇଚ୍ଛାରେ ଖର୍ଚ୍ଚ କରିପାରିନି।
ସମାଜ ଆଗରେ ମୁଁ ସମ୍ମାନର ଅଧିକାରିଣୀ।
ହେଲେ ନିଜ ଘରେ ବି କେବେ ସମ୍ମାନ ପାଇନି।
ଝିଅ ବେଳେ ମୁଁ ବାପାଙ୍କର ଥିଲି ବାହା ପରେ ସ୍ୱାମୀ ସଙ୍ଗିନୀ।
ପୁଅର ବି ହେବି ଝିଅର ବି ହେବି ନିଜର ମୁଁ କିଏ ଜାଣିନି।
ଅନ୍ୟ ପରିଚୟେ ପରିଚୟ ମୋର ନିଜ ପରିଚୟ ଜାଣିନି।
ନିଜ ପରିଚୟ ନିଜେ ତିଆରିଲେ ହେଇଯିବି ନିସଙ୍ଗିନି।
ନାହିଁ ମୋର ସାଙ୍ଗ ନାହିଁ ମୋର ସାଥୀ ସେଥିପାଇଁ ମୁଁ ବନ୍ଦୟିନି।
ସାଙ୍ଗ ସାଥି ଯଦି ଜୀବନେ ରଖିବି ନିନ୍ଦାରେ ହେବି ଭାଗିନି।
ଟିକେ ଟିକେ କଥାରେ ରାଗି ରୁଷି ଗଲେ ନାଁ ମୋର ଅଭିମାନୀ।
ସେଇ ଅଭିମାନ ରାଗ ଋଷାକୁ କେହି କେବେ ବୁଝନ୍ତିନି।
ମନର କଥା ମନରେ ମରେ କାହାକୁ କେବେ କହିନି ।
ବୁଝିପାରୁଥିଲେ ସବୁ ମନ କଥା କହିବାକୁ ପଡେନି।
ଅସରନ୍ତି ବ୍ୟଥା ସାଜିଛି ବାଧକ ଦୁଃଖକୁ ରୋକି ହୁଏନି।
ଚାଲୁଛି ସେ ପଥେ ଚାଲିଥିବି ମଧ୍ୟ ତଥାପି ଥକି ଯାଇନି।
ନିଜ ପାଇଁ ନିଜେ ଶବ୍ଦରେ ଲଢ଼ିବି ପଛକୁ ମୁଁ ଫେରିବିନି।
ଧୈର୍ଯ୍ୟର ପଥରେ ଆଗେଇ ଚାଲିଲେ ସବୁ ନାରୀ ବିଜୟିନୀ
