ମୁଁ ଓଡ଼ିଆ
ମୁଁ ଓଡ଼ିଆ
ବାରମାସରେ ତେରପରବ
ଶାଗପଖାଳ ଆମ ଗରବ
ମାଣବସା ରଜଦୋଳି ଆଉ ଖୁଦୁରୁକୁଣୀ
ବଉଳ ଖାଇ ମିତ ବସନ୍ତି ଆମ ଭୁଆଷୁଣୀ
ମାଟିଘରେ ଝୋଟିଚିତା
ଭାରି ମିଠା ଆମ କଥା
ଜେଜେଙ୍କର ବଙ୍କା ବାଡ଼ି ଆଈମାଆର ଗପପେଡି
ବେଳବୁଡ଼େ ଧୂଳିଉଡେ ଶୁଣୁଯେବେ ହଁମା ରଡି
ଲୁଚାଲୁଚି ପୁଣି ପୁଚି ସାଥେ ବୋହୂଚୋରି
ଖରାବେଳେ ମାଛ ମାରୁ ବନିଶୀଟେ ଧରି
ଦୋଳ ଯାନିଯାତରାରେ କ୍ଷୀରିପୁରି ଭାସେ
ବୋଉ ହାତ ଆରିସାଟା ମହମହ ବାସେ
ଢ଼ିଙ୍କିକୁଟା ଚାଉଳକୁ ମାଣ୍ଡିଆର ଯାଉ
ବଡ଼ିଚୁରା ପଖାଳରେ ଭାରି ଶାନ୍ତି ପାଉ
ଚକାଚକା ଭଉଁରୀ ଗୀତର ତାଳେ ତାଳେ
ଗାଁ ଦାଣ୍ଡେ ଟାୟାରଟା ଭୁଁ ଭୁଁ ଚାଲେ
ଖଞ୍ଜଣୀର ବାଜା ଶୁଭେ ଭାଗବତଟୁଙ୍ଗି ଘରେ
ଭାଇ ଭାଇ ସମ୍ପର୍କରେ ଆମ ଦିନ ସରେ
ରେବତୀ ଯେ ଆମ ଗପ ଯେବେ ମନେ ପଡେ
ଲୋ ନିଆଁ ଲୋ ଚୁଲି କିଏ ଭୁଲିପାରେ
ବର୍ଣ୍ଣବୋଧ ବହି ଠାରୁ ଭାଗବତ ଯାଏ
ଓଡ଼ିଆଙ୍କ ତ୍ୟାଗ କଥା ପ୍ରତି ଶବ୍ଦ କହେ
ଓଡିଶାର ବୀରପୁଅ ଛାତି ଦମ୍ଭେ ଗାଆ
ଓଡ଼ିଆ ବଢିଆ ବୋଲି ଗର୍ବ କରୁ ତୋ ମାଟି ମାଆ..
