ମୋ ମାଆ
ମୋ ମାଆ
ଦୁଃଖ ଦରିଆରେ ଯେ ଘର କରିଛି
ସିଏ ମୋର ପ୍ରିୟ ମାଆ
ପୁଅଝିଅ ଲାଗି କାତର ଏକା ସେ
ସବୁବେଳେ ହୁଏ ସାହା ।
ଦଶମାସ ଦଶଦିନ ଗର୍ଭେ ଧରି
ଜନମ ଦେଇଛି ସିଏ
ତାହାଠାରୁ ବଳି ଏଇ ସଂସାରରେ
କୁହ ବଡ ଅଛି କିଏ ।
' ମାଆ ' ବୋଲି ଯେବେ ଡାକିଦିଏ ମୁହିଁ
ବୁକୁ ଫୁଲଇଳ ତାହାର
ମାଆ ସେନେହ ଟିକେ ପାଇବା ପାଇଁ
ସର୍ବେ ହୁଅନ୍ତି ଅଧୀର ।
ଯେତେ ଦୁଃଖ କଷ୍ଟ ହେଉ ପଛେ ମାଆ
ସହିଯାଏ ଅନ୍ତରରେ
ଆଖିର ଲୁହକୁ ଲୁଚାଇଣ ମାଆ
ଖୁସି ବିତରଣ କରେ ।
ମୋ ଆଖିରେ ଲୁହ ଦେଖି ପକାଇଲେ
ପୋଛିଦିଏ ପଣତରେ
ନିଜର ଲୁହକୁ ଓଠେ ପିଇଯାଏ
ସବୁରି ଅଜାଣତରେ ।
ତୋ ଡାକ ଶୁଣିବା ପରେ ମୁଁ ବୁଝୁଛି
କେତେ ମଧୁର ତୋ ସ୍ବର
ଯା' ଭିତରେ ଅଛି ଅଶେଷ ମମତା
ସୁଖ - ଶାନ୍ତି - ଆଦର ।
ତୋ ବିନା ଜିଈଁବା , ମରିବା ସମାନ
ମୂଲ୍ଯହୀନ ଏ ସଂସାର
ତୋ କଥା ଲେଖିବା ପରେ ମୁଁ ଜାଣୁଛି
ଶବ୍ଦ ସରିଗଲା ମୋହର ।
ତୋ ଋଣ ଶୁଝିବା ଏଇ ଜୀବନରେ
ସବୁଠାରୁ ଅସମ୍ଭବ
ଗଳାମାଳି ହୋଇ ତୋ ହୃଦେ ମମତା
କରୁଥିବି ଅନୁଭବ ।
ମାଆ , ' ମାଟି ' ପରି ସହନଶୀଳା
ଜିଇଁଥାଏ ଦୁଃଖ ସହି
ଓଠଧାରେ ତା'ର ହସ ଫୁଟିଥାଏ
' ମାଆ ' ବୋଲି ଦେଲେ କହି ।
ମାଆ ଠାରୁ ବଡ ଅଛି କେ ଜଗତେ
ମା' ଶ୍ରେଷ୍ଠ ଆରାଧ୍ଯା ଦେବୀ
ମାଆ ଦୁଃଖ ସୁଖ ମୋର ଦୁଃଖ ସୁଖ
ମା' ପାଇଁ ଜୀବନ ଦେବି ।