ମାଆ ପରି ହେବ କିଏ
ମାଆ ପରି ହେବ କିଏ
ଦେଏ କହିଲେ ମୁଁ ଆକାଶ ଛାତିରୁ
ଚାନ୍ଦ ତୋଳି ଆଣି ଦିଏ
ନେଏ କହିଲେ ମୁଁ ହସି ଦେଇ କହେ
ଧନ ତୁ ଖାଇ ଦେଏ
ମୋ' ମାଆ........ମୋ' ମାଆ.......
ମୋ' ମାଆ ପରି ହେବ କିଏ ? ।୧।
ସାଗର ଛାତିରୁ ଶାମୁକା ସାଉଁଟି
ହାତେ ମୋ ଧରେଇ ଦିଏ
ଝରି ପଡ଼େ ଯେବେ ମୋ ଆଖିରୁ ଲୁହ
ପଣତ ତା' ଚିରି ଯାଏ
ମୋ' ମାଆ...........ମୋ' ମାଆ.......
ମୋ' ମାଆ ପରି ହେବ କିଏ ? ।୨।
ମୋ' ଓଠର ହସ ତା'ପାଇଁ ପିୟୁଷ
ଦୁଃଖ ଯେତେ ଭୁଲି ଯାଏ
ପାଦ ଲାଗେ ନାହିଁ ବସୁଧାରେ ଆଉ
ସରଗ ଦି'ହାତ ଥାଏ
ମୋ' ମାଆ........ମୋ' ମାଆ..........
ମୋ' ମାଆ ପରି ହେବ କିଏ ? ।୩।
ଦୁଃଖକୁ ସାଉଁଟି ସୁଖ ଦିଏ ବାଣ୍ଟି
କରିବାକୁ ସୁଖି ଟିଏ
ଦୁଃଖ ଦେଖି ଦେଲେ କୋହ ତା' ସଂଚରେ
ପାଦରୁ ମଗଜ ଯାଏଁ
ମୋ' ମାଆ.............ମୋ' ମାଆ.........
ମୋ' ମାଆ ପରି ହେବ କିଏ ? ।୪।
ପେଟ ପାଇଁ ଦାନା ପିଠି ପାଇଁ କନା
ତା'ର କିବା ଆସେ ଯାଏ
ଊଣା କରେ ନାହିଁ କାହିଁରେ ମୋ ପାଇଁ
ଅଛି ନାହିଁ ଭାବୁ ଥାଏ
ମୋ' ମାଆ........ମୋ' ମାଆ........
ମୋ' ମାଆ ପରି ହେବ କିଏ ? ।୫।
ସାରା ଦିନ ଦୁଃଖ ପଡ଼େନି ଫରକ
କୋଳେ ଯେବେ ବସି ଯାଏ
ମମତାର ମହୁ ଚଟେଇ ଦେଇକି
ମନେ ମନେ ହସୁ ଥାଏ
ମୋ' ମାଆ..........ମୋ' ମାଆ..........
ମୋ' ମାଆ ପରି ହେବ କିଏ ? ।୬।
ରୁଷି ଯାଇ ଯେବେ ଘର କୋଣେ କେବେ
ମୁହଁ ମାଡ଼ି ଶୋଇ ଯାଏ
ତା' ଛାତି କଲିଜା ମୋ' ହାତେ ଧରେଇ
ଫଟା ଓଠେ ହସି ଦିଏ
ମୋ' ମାଆ.........ମୋ' ମାଆ..........
ମୋ' ମାଆ ପରି ହେବ କିଏ ? ।୭।
ବାପ ନାଲି ଆଖି ମୋ' ଉପରେ ଦେଖି
ଦାନ୍ତେ ଦାନ୍ତ କାଟୁ ଥାଏ
ଶାନ୍ତ , ସରଳ ସ୍ନିଗ୍ଧ , ଶୀତଳ
ରକ୍ତ ଚାଉଳ ଖାଏ
ମୋ' ମାଆ .........ମୋ' ମାଆ........
ମୋ' ମାଆ ପରି ହେବ କିଏ ? ।୮।
ଅଝଟ କରିଲେ କୁଜ୍ଝଟ ଢାଙ୍କଇ
ଯଦି କେବେ ମାରି ଥାଏ
ବାଉଳି ଚାଉଳି ହୁଅଇ ପାଗଳୀ
ସୁଖା କାନି ଭିଜି ଯାଏ
ମୋ' ମାଆ.........ମୋ' ମାଆ ........
ମୋ' ମାଆ ପରି ହେବ କିଏ ? ।୯।
ରୋଗେ ପଡ଼ିଗଲେ ଭୋଗ ବାଢ଼ି ବସେ
କେତେ ଦିଅଁ ପୂଜୁ ଥାଏ
ଦରଦୀ ହୃଦୟୁ ଦରଦ ନିଗାଡ଼ି
ଦରଜରେ ଲେପି ଦିଏ
ମୋ' ମାଆ.........ମୋ' ମାଆ.........
ମୋ' ମାଆ ପରି ହେବ କିଏ ? ।୧୦।
ଆସିଲେ ପ୍ରମାଦ ହଜାଏ ସଂପଦ
ବିପଦ ମୁଣ୍ଡେଇ ନିଏ
ସ୍ବାମୀ ଠାରୁ ବଡ଼ ସୁଖର ପାହାଡ଼
ସନ୍ତାନକୁ ଭାବୁ ଥାଏ
ମୋ' ମାଆ...........ମୋ' ମାଆ.......
ମୋ' ମାଆ ପରି ହେବ କିଏ ? ।୧୧।
ମାଆର ମମତା ନିଅଣ୍ଟେ କବିତା
କବି ଲେଖି ଥକି ଯାଏ
ପାଏ ନାହିଁ ବେଦ ଯା' ପ୍ରେମର ଭେଦ
ବିଜ୍ଞାନୀ ଅଜ୍ଞାନ ହୁଏ
ମୋ' ମାଆ..........ମୋ' ମାଆ..........
ମୋ' ମାଆ ପରି ହେବ କିଏ ? ।୧୨।
