ମାଆ ଚଢ଼େଇ
ମାଆ ଚଢ଼େଇ
1 min
298
ଦୂର ଦିଗ୍ବଳୟେ
ସବୁ କିଛି ଯହିଁ
ଅଚିହ୍ନା ଅଚିହ୍ନା ଲାଗେ।
ଗୋଧୂଳି ଗଗନେ
ଦଳ ଦଳ ପକ୍ଷୀ
ଯାଉଥିଲେ ସେହିଦିଗେ।
ମୁକ୍ତ ଆକାଶରେ
କଳରବ କରି
ଡେଣା ହଲେଇ ହଲେଇ।
ନିଜ ନିଜ ନୀଡ଼େ
ଉଡ଼ି ଯାଉଥିଲେ
ଆନନ୍ଦେ ମଗନ ହୋଇ।
ମାଆ ଚଢ଼େଇଟି
ଆହାର ନେଉଛି
ତା'ର ଶାବକଙ୍କ ପାଇଁ।
ଅନ୍ଧାର ହେଲାଣି
ଭୋକ ପେଟେ ଶିଶୁ
ଥିବେ ତା ବାଟକୁ ଚାହିଁ।
ଆହାର ଆଣିଣ
ସଅଳ ଫେରିବ
ଭାବି ଆସିଥିଲା ଛାଡ଼ି।
ବେଳ ବୁଡିଲାଣି
ଛୁଆ କଥା ଭାବି
ତରତରେ ଯାଏ ଉଡ଼ି।
ପର କଅଁଳିନି
ଉଡ଼ି ପାରିବେନି
ରହିଛନ୍ତି ନୀଡ଼େ ଏକା।
କାଳେ କେହି ଶତ୍ରୁ
କ୍ଷତି କଲେ ବୋଲି
ମନେ ତାର ଆସେ ଶଙ୍କା।
'ପିଲାମାନେ ମୋର
ଭଲରେ ଥାଆନ୍ତୁ'
ମନେ ମନାସଇ ଶୁଭ।
ଭାବେ 'ମୋ ପିଲାଙ୍କୁ
ସାହା ହୋଇଥିବେ
ସେହି ପ୍ରଭୁ ପଦ୍ମନାଭ'।