ମା' ତୁମେ ଆସ
ମା' ତୁମେ ଆସ
1 min
27.5K
ମା' ତୁମେ ଆସ
'ତିତିଲି' ତାଣ୍ଡବରେ,
ଅବା ଶୁଭ୍ର, ସୁଶୀତଳ
କମନୀୟ କାମିନୀ ବେଳାରେ।
ଫେଡିନିଅ ସବୁ ପ୍ରଶ୍ନବାଚୀ
ପାପ, ପ୍ରଳୟ
କଳଙ୍କିତ କଳା ଓ କାଳିମା।
ପଣତରେ ପୋଛିଦିଅ
ଆଖିଏ ଅଶ୍ରୁରେ ଭିଜା
ଜରାଜୀର୍ଣ୍ଣେ ଶୋଷିତ
ଯେତେ ସବୁ ଜୀବନ ଯାତନା।
ବୁଣିଦିଅ ହୃଦୟର କୋଣେ କୋଣେ
ସୌହାର୍ଦ୍ଦ୍ୟର ସବୁଜିମା
ଗଢିଦିଅ ମନର ଭୂଗୋଳେ
ସୁନ୍ଦର ସୁସ୍ଥ ପରିସୀମା।
ଅବିଶ୍ୱାସ ବିଷ ଏଠି ବଡ଼ ମାରାତ୍ମକ
ପାଶବିକ ପ୍ରକୃତି ତ ଆଉ ଭୟଙ୍କର
ପାରିବତ ଶୋଷିନିଅ
ଦାନବୀ ମାନବର ବିଷାକ୍ତ ରକ୍ତକୁ
ଖୋଲିଦିଅ ମୁଖାପିନ୍ଧା ମଣିଷର
ଚିତ୍ର ଓ ଚରିତ୍ର।
ଦୂରକର
ଅନ୍ୟାୟ, ଅନୀତି ଦୁର୍ନୀତି।
ମା’ ଦଶଭୁଜା ଭରିଦିଅ
ଶାନ୍ତି, ପ୍ରୀତି, ମୈତ୍ରୀ,ସାହାସ,ଶକତି
ଗଢିଦିଅ ଆଉ ଏକ
ସଜଫୁଟା ସବୁଜ ପୃଥିବୀ ।
ଯେଉଁଠି ଥିବ କେବଳ
ପ୍ରେମ ଆଉ ପ୍ରେମ
ଏଇ ପାର୍ବଣରେ.....।
