ଘୋଷଯାତ୍ରା
ଘୋଷଯାତ୍ରା
ହେ ବିଶ୍ୱନିୟନ୍ତା ଦାରୁ ମୂରତି ହେ
କାଳିଆ ଠାକୁର ହରି,
କେ ବର୍ଣ୍ଣିବ ତୁମ ଲୀଳାକୁ ପ୍ରଭୁ ହେ
ଲୀଳାମୟ ଦଇତାରି।
ପୁଣ୍ୟ ଶୀରିକ୍ଷେତ୍ର ଉଛୁଳି ଉଠୁଛି
ଭକତଙ୍କ କୋଳାହଳେ,
ଭାବ ଭକତିରେ ପ୍ରଣତି ବାଢନ୍ତି
ହୁଳହୁଳି ହରି ବୋଲେ।
ଶଙ୍ଖ ଭରି ତୁରୀ ଘଣ୍ଟ କାହାଳୀରେ
ଜୟ ଜଗନ୍ନାଥ ଧ୍ବନି,
ପ୍ରକମ୍ପିତ ହୁଏ ଗଗନ ପବନ
ସ୍ଵର୍ଗ ନର୍କ ମର୍ତ୍ତ୍ୟଭୂମି।
କଳା ବଦନ ମୋ କାଳିଆ ସାଆନ୍ତ
ଭାଇ ଭଉଣୀଙ୍କ ସାଥେ,
ଆଲଟ ଚାମରେ ଝୁଲି ଝୁଲି ପ୍ରଭୁ
ବିରାଜିବେ ଆଜି ରଥେ।
ଭାବ ବିନୋଦିଆ ଭାବର ଠାକୁର
ଭକତ ଭାବରେ ବନ୍ଧା,
ଭକତଙ୍କ ପାଇଁ ରତ୍ନ ବେଦୀ ଛାଡ଼ି
ବଡଦାଣ୍ଡେ ହେବେ ଉଭା।
ପବିତ୍ର ହୋଇବ ନୟନ ଯୁଗଳ
ଚକାଆଖି ଦରଶନେ,
କାହିଁ କେତେ ଦୂରୁ ଧାଇଁ ଆସିଛନ୍ତି
ଆଶା ନେଇ ଭକ୍ତ ଜନେ।
ମହା ଆନନ୍ଦରେ ବଡ଼ଦାଣ୍ଡ ପରେ
ରଥ ଯିବ ଗଡ଼ି ଗଡ଼ି,
ଗୁଣ୍ଡିଚା ମନ୍ଦିରେ ପହଞ୍ଚିବ ଯାଇ
ଭକ୍ତ ନେବେ ଭିଡ଼ି ଭିଡ଼ି।
ନୀଳାଦ୍ରିଶ ପ୍ରଭୁ ଶଙ୍ଖ ଚକ୍ର ଧାରୀ
ବନ୍ଦେ ପୁରୁଷୋତ୍ତମ,
ଭରିଦିଅ ନାଥ ସାରା ସଂସାରରେ
କ୍ଷମା, ଶାନ୍ତି,ଦୟା, ଧର୍ମ।
କାର୍ତ୍ତିକେଶ୍ୱର ସାହୁ
ଚଣ୍ଡିଆପଲା ,ଖୋର୍ଦ୍ଧା-୭୫୨୦୬୧
ମୋ-୯୯୩୮୮୩୪୨୪୦
