କାଳିଆ ବଡ଼ଠାକୁର
କାଳିଆ ବଡ଼ଠାକୁର
ଜଗନ୍ନାଥ ଯିବେ ଗୁଣ୍ଡିଚା ନଅର
ଦୁନିଆ ପଡୁଛି ହୁରି
ବରଷକେ ଥରେ ରଥ ଯାତରା ଲୋ
ଆସ କିଏ ଯିବ ପୁରୀ |
ରତ୍ନସିଂହାସନ ଛାଡି ଦୀନନାଥ
ଭାଇ ଭଉଣୀଙ୍କ ମେଳେ
ନନ୍ଦିଘୋଷ ରଥେ ଉଭା ହୋଇଥିବେ
ଦେଖିବା ଲୋ ବେନିଡୋଳେ |
ଆଲଟ ଚାମର ପଡୁଥିବ ତାର
ଥିବେ ପଣ୍ଡା ପଢ଼ିହାରୀ
କାଳିଆ ର ମୁହେଁ ମୁଚୁ ମୁଚୁ ହସ
କରିବ ଲୋ ମନଚୋରି |
ଆରତଜନ କୁ ଆଶ୍ୱାସନା ଦେଇ
ଟେକି ଦେବେ ଦୁଇହାତ
ଲହରୀ ପରାଏ ଭାସିଯାଉଥିବ
ଭଜନ ଜଣାଣ ଗୀତ |
ବଡ଼ଦାଣ୍ଡ ସିଏ ତା ବଡ଼ଦାଣ୍ଡ ରେ
ତିନି ରଥଯିବ ଗଡି
ସବୁଠୁଁ ସୁଆଦ ତା ମହାପ୍ରସାଦ
ପାଇବାକୁ ଛଡାଛଡି |
ତା ବଡ଼ଦେଉଳ ବାର ହାତ ନେତ
ଆକାଶ କୁ ଛୁଇଁ ଉଡେ
ପାଚେରୀ ତାହାର ମେଘନାଦ ପରା
ଗୁରୁ ଗରଜନ ଏଡ଼େ |
ମହୋଦଧି ଯାର ଚରଣ ଧୁଅଇ
ହରଷ ରେ ନିରନ୍ତର
ଅଣାକାର ଏହି ବିଶ୍ୱ ବ୍ରହ୍ମାଣ୍ଡ ର
ସିଏ ତ ବଡ଼ ଠାକୁର |
ସେଇ ମହାବାହୁ ଚରଣରେ ମୋର
କୋଟି କୋଟି ଦଣ୍ଡବତ
ବରଷକେ ଥରେ ରଥଯାତରା ଲୋ
ଯିବା ଚାଲ ଶିରୀକ୍ଷେତ୍ର ll
