STORYMIRROR

Swagatika Pani

Others

4  

Swagatika Pani

Others

ହୋ ଭକତେ !

ହୋ ଭକତେ !

1 min
503

ହୋ ଭକତେ ! ହୋ !

ଆସିଛି ରଥଯାତରା

ଲୋକ ବଡଦାଣ୍ଡ ସାରା

କାଳିଆ ବଳିଆ ଆସିବେ ଦାଣ୍ଡକୁ

ଭଉଣୀ ସାଥିରେ ପରା l


ହୋ ଭକତେ ! ହୋ !

ବାଜିବ ଘଣ୍ଟ ମହୁରୀ 

ବଢିବ ଶ୍ରୀକ୍ଷେତ୍ର ଶିରୀ

ଝୁଲି ଝୁଲି ପ୍ରଭୁ ଆସିବେ ବାହାରି 

ଭକ୍ତ ଇଛା ପୂର୍ଣ୍ଣ କରି l


ହୋ ଭକତେ ! ହୋ !

ଆଗେ ଆଗେ ବଡଭାଇ 

ପଛେ ଯିବେ ସାନ ଭାଇ

ମଝିରେ ଯିବେଟି ସୁଭଦ୍ରା ଭଉଣୀ 

ଦୁଇଭାଇଙ୍କୁ ଯେ ଚାହିଁ l


ହୋ ଭକତେ ! ହୋ !

ହରିବୋଲ ହୁଳହୁଳି 

ବାଜିବ ଶଙ୍ଖ କାହାଳୀ

ଦୁଇଭାଇ ସଙ୍ଗେ ବୁଲି ବାହାରିବେ 

ଭଉଣୀ ସେ ଅଲିଅଳୀ l


ହୋ ଭକତେ ! ହୋ !

ଡାହୁକ ଗାଇବ ଗୀତ

ନନ୍ଦିଘୋଷ ରଥ ପୀତ

ତାଳଧ୍ବଜ ଦର୍ପଦଳନ ରଥକୁ 

ଚାଲ ଦେଖିଯିବା ମିତ l


ହୋ ଭକତେ ! ହୋ !

ସ୍ନେହରେ ଗୁଣ୍ଡିଚା ରାଣୀ

ପ୍ରଭୁଙ୍କର ମନ ଜାଣି

କେତେ ଯେ ବ୍ୟଞ୍ଜନ ଖଞ୍ଜିବେ ଯତନେ

ଘରେ ପାଇ ଘରମଣି l


ହୋ ଭକତେ ! ହୋ !

ମା' ମହାଲକ୍ଷ୍ମୀ ଋଷି

ବିମଳାଙ୍କ ପାଖେ ବସି 

ଅଭିମାନେ ବ୍ୟଥା ବଖାଣି ବସିବେ 

ଛାଡ଼ିଗଲେ କ୍ଷେତ୍ରବାସୀ l


ହୋ ଭକତେ ! ହୋ !

ଧନ୍ୟ ଧନ୍ୟ ଏହି ଲୀଳା 

ପ୍ରଭୁ ଯେ କରନ୍ତି ଖେଳା

ପତିତପାବନ ଲୀଳାରେ ବାନ୍ଧନ୍ତି 

ଭକ୍ତ ଜପେ ନାମମାଳା l


ଜୟ ଶ୍ରୀ ଜଗନ୍ନାଥ


(ଏହି ଗୀତଟି ରଥଯାତ୍ରା ଉପଲକ୍ଷେ ଡାହୁକର ଗୀତ ଶୈଳୀରେ ଲେଖିଅଛି l)


Rate this content
Log in