ଗ୍ରୀଷ୍ମ ତାତି
ଗ୍ରୀଷ୍ମ ତାତି
ମୁଁ ଗ୍ରୀଷ୍ମ ଋତୁ ଯେ ଟାଣ ଖରା ଆଣେ
ପ୍ରଥମରେ ଆସେ ଯେବେ
ସାଥେ ମୁଁ ଆଣଇ ଝାଞ୍ଜି ବାଆ ନେଇ
ଧରଣୀ ରେ ନିଆଁ ଲାଗେ।।
ଛଅ ଋତୁ ଠାରୁ କଠୋର ଅଟେ ମୁଁ
ସୂର୍ଯ୍ୟ ଦେବ ମୋର ସାଥୀ
ନିଜ କିରଣକୁ ପ୍ରଖର କରି ସେ
ବଢାଇଥାଆନ୍ତି ତାତି।।
ଶୁଷ୍କ କରିଦିଏ ସମୁଦ୍ର ପୋଖରୀ
ଜଳ ପାଇଁ ସୁଖେ ତଣ୍ଟି
ମୋ ଆଗମନେ ସଭିଏଁ ବୁଝନ୍ତି
ଜଳ ଦିଏ କେତେ ଶାନ୍ତି ।।
ହାହାକାର ଶୁଭେ ଚଉଦିଗେ ପୁଣି
ଖୋଜୁଥାନ୍ତି ଶୀତଳତା
ମଣିଷ ଠୁ ପଶୁ କେହି ବର୍ତ୍ତନ୍ତିନି
ଏହା ମୋର କଠୋରତା।।
ତାପମାତ୍ରା ମୋର ବଢି ଚାଲିଅଛି
ହେଉଛି ଅସହ୍ୟ ଗରମ
ଗୁଳୁ ଗୁଳି ମଧ୍ୟ ଯୋଡ଼ି ରହିଅଛି
ବୈଶାଖର ଇଏ ମରମ।।
ଗଛ କାଟି ଯେବେ ଜଙ୍ଗଲ ହଟାଓ
ବୁଝନି ଗଛର ଦାନ
ଛାଇ ଠୁ ଆରମ୍ଭ ଶୀତଳତା ଯାଏଁ
ଗଛର ଏ ଅବଦାନ ।।
ଯେମିତି କରୁଛ ସେମିତି ଭୁଞ୍ଜିବ
କଲା କରମର ଫଳ
ଗଛ କାଟୁଥିବ ଖରା ସହୁଥିବ
ମହି ହେବ କଲବଲ।।
ବେଳ ଥାଉ ଥାଉ ହୁଅ ସାବଧାନ
ସୁଧୁର ମଣିଷ ଜାତି
ଏମିତି ନ ହେଉ ତୁମ ଭୁଲ୍ ଯୋଗୁଁ
ଲୋପ ହେବ ଏ ଧରିତ୍ରୀ।