ଗୋଟିଏ ନିଃସଙ୍ଗ ଶାୟାହ୍ନ
ଗୋଟିଏ ନିଃସଙ୍ଗ ଶାୟାହ୍ନ
ଅଟ୍ଟାଳିକା ଖୁବ୍ ବଡ଼
କିନ୍ତୁ କବାଟ ବହୁତ ଛୋଟ ।
ଖରା-ବର୍ଷା-ଶୀତ ସାଙ୍ଗରେ
ଦଲକାଏ ପବନକୁ ବି ମନା
ପଶିବାକୁ ତା' ଭିତରକୁ ।
ଯେଉଁଠି ବସବାସ କରୁଥିଲେ
କିଛି ଅପରିଚିତ ପ୍ରାଣୀ
ଟ୍ରେନ୍ ଭିତରେ
ଅଚିହ୍ନା ଅଜଣା ଯାତ୍ରୀମାନେ ଯେପରି ।
ବାଡେଇଲା ସେ ବହୁବାର
ଯିଏ ହୋଇ ସାରିଥିଲା ନାଲିନଡ଼ା
ଅସହନ୍ତି ଭୋକରେ ଶୋଷରେ
ଦାରିଦ୍ର୍ୟର ବୁଲ୍ଡୋଜର୍ ଚାପରେ ।
ଆଭାସ ମିଳିଲା କିଛି ବେଳ ପରେ
ହନି ସିଂ ର ଯୌବନ ଜଣାଣ ତାଳରେ
ଝୁମିବାରେ ମସଗୁଲ
ଭିତରର ଜନ୍ତୁ ସମ୍ପ୍ରଦାୟ
ରମ୍ ହ୍ବିଷ୍କିର ମହନୀରେ
ଆପଣା ବିଳୁପ୍ତ ଳାଙ୍ଗୁଡ଼ର ସନ୍ଧାନରେ ।
ଯେବେ ସେ ଜୋର ଜୋର କବାଟ ବାଡ଼େଇଲା
ଧଡ଼ାସ କି'ନା କବାଟ ଖୋଲିଲା
ସେ ଖାଲି ମଟ ମଟ ଅନେଇ ରହିଲା
ତଟସ୍ତ ହୋଇ ।
ଯେଉଁ ବନ୍ଦ କବାଟ ଖୋଲିଥିଲା
ତାହା ପୁଣି ବନ୍ଦ ହୋଇଗଲା
ଜଣକୁ, ତା'ର କ୍ରୁରତାରେ ଭାଙ୍ଗି ରୁଜି ଚୁରମାର କରି
ତା'ର ପ୍ରତ୍ୟାଶା ସମୂହର ଅବସାନ କରି ।
ଆଉ ପ୍ରଭାତରୁ କିଛି ଗୋଟେ ଖୋଜୁଥିବା-
ଶାୟାହ୍ନଟା ହୋଇଗଲା ନିଃସଙ୍ଗ
ପୁରାପୁରି ନିଃସଙ୍ଗ ।
ରାଜେଶ ପୂଜାରୀ
କୁଶମେଲ,ଝାରସୁଗୁଡ଼ା