ଢ଼ିଙ୍କି
ଢ଼ିଙ୍କି
ଲମ୍ବା ଦେହ ତାର ସଳଖ ପରିକା
ପଡିଥାଏ ଶୋଇରହି,
ତା'ଦାନ୍ତ ତୁମ୍ବିରେ ଭରିଦେଲେ ଧାନ
କୁଟି ଚାଉଳ ହୁଅଇ |
ଗୋଡ଼ରେ ମାଡି ତା ପାଦୁକ ଅଙ୍ଗକୁ
ଛାଡିଦେଲେ ଜୋର କରି,
କାଚି ହେଇଯାଏ ଅଗ୍ରଭାଗ ତାର
କାମ ତା ମେସିନି ପରି |
ତଳ ନୁଇଁଗଲେ ଉପର ଉଠଇ
ଉପର ନୁଇଁଲେ ତଳ,
ଘେଟେଚେ ଘେଁ ସେ ଶବଦ କରଇ
ଧାନ କୁଟିବାର ବେଳ |
ଧାନରୁ ପୁଲ ତା ଅଲଗା ହୁଅଇ
ଚାଉଳରୁ ହୁଏ କୁଣ୍ଡା,
ନଭାଙ୍ଗେ ଚାଉଳ ଗୋଟିଏ ଧାନର
ଭାତ କରି ହୁଏ ଗୁଣ୍ଡା |
ଘର ପିଣ୍ଡାରେ ତା ଯାଗାଟି ସୁନ୍ଦର
ଶୋଇଥାଏ ଅହରହ,
ମାଡିଦେଲେ ଗୋଡ଼େ ଉଠିବସେ ସିଏ
ଚଞ୍ଚଳ ହୁଏ ତା ଦିହ |
ନାଆଁ ଟି ତାହାର ଢ଼ିଙ୍କି ବୋଲି ଜାଣ
ଚାଉଳ ପେସା ଯନ୍ତର,
ଏବେ ସିନା ହେଲା ମେସିନି ହଲର
ସିଏ ପୁରାତନ ଚିତ୍ର |
ହଜି ଗଲାଣି ସେ ଆଧୁନିକ ଯୁଗୁ
ନାହିଁ ତା ଆଉ ଚାହିଦା,
ଏବେକାର ଯେଉଁ ଧାନ ପେସା ଯନ୍ତ୍ର
କରୁଅଛି ତାକୁ ବିଦା |
ମନେ ପଡେ ସେଇ ପିଲାଦିନ କଥା
ଖେଳେ ଯେଉଁ ଢ଼ିଙ୍କିଶାଳେ,
ଉଠେ ନାହିଁ ଜମା ମୁଁହ ତା ତୁମ୍ବିରୁ
ଡେଇଁ ଯେତେ ନାଚୁଥିଲେ |
ଲୁଚିଯାଏ ସବୁ ପୁରାତନ ଯନ୍ତ୍ର
ସଭ୍ୟ ଆଉ ପରମ୍ପରା,
ଆଧୁନିକ ଆସି ହେଲା ଅତ୍ୟାଧୁନିକ
(ଆଉ )ନାହିଁ ତା ସରାଗ ପରା |