ବିଶ୍ଳେଷଣ
ବିଶ୍ଳେଷଣ
1 min
375
ଯଦି ପ୍ରମାଣିତ ହେଇ ପାରେ
ବୀଜଗଣିତରେ
ଚାରି ସମାନ ପାଞ୍ଚ
ତେବେ ଆଖି ଦେଖୁଥିବା
ସମସ୍ତ ଦୃଶ୍ୟ ସତ ନୁହେଁ
କିଛି କିଛି ମିଛ ।
ଯେମିତି,ଶୀତ ଦିନେ ଅପରାହ୍ନେ
ଦିଗ୍ବଳୟେ ଦିଶୁ ଥିବା
ଧୂଆଁ ଆସ୍ତରଣ
ଧୂଆଁ ନୁହେଁ, କୁହେଳିକା
ସେଠି ନଥାଏ ନିଆଁ,ନଥାଏ ଧୂଆଁ
ଏଇମିତି ସତ ମିଛ ମାୟାର ଦୁନିଆଁ ।
ବାମ ଆଖି ଯାହା ଦେଖେ
ଦେଖେନି ଦକ୍ଷିଣ,
ସତ ମିଛ ଜାଣି ପାରେ
ତୃତୀୟ ନୟନ ।
ଭାଇରେ ଏ ଆଖିକୁ
କରନି ବିଶ୍ବାସ,
ବିବେକ ଖଟାଇ ଦେଖ
ତୃତୀୟ ନୟନେ
ସୁନା କଳସୀର ପାଣି
ଅମୃତ ନା ବିଷ ।
