ଭକ୍ତିପୁଷ୍ପ-୧୯
ଭକ୍ତିପୁଷ୍ପ-୧୯
ଛଇ ଛଟକୀ
ନଯା' ଅଟକି
ପାହିଲା ରଜନି ଯିବା ଯମୁନା
ଛନ୍ଦା ଚରଣ
ବଂଶୀ ବଦନ
ଦେଖିବାକୁ ନେତ୍ର ଆନମନା ।
ତ୍ରିଭଙ୍ଗୀ ଠାଣି
ବାଙ୍କ ଚାହାଣୀ
ଅଧରେ ମୂରଲୀ କି ମନଲୋଭା
ବାଙ୍କ ଚୂଳିଆ
ବନମାଳୀଆ
ମୟୂର ଚନ୍ଦ୍ରିକା ଆହା କି ଶୋଭା ।
ପୀତ ବସନ
ବଂଶୀ ବଦନ
ମଦନ ମୋହନ ଆହା ରୂପ କାନ୍ତି
ଶୁଣଲୋ ସଖି
ଫେରେନି ଆଖି
ଦେଖି ଦେଲେ ଥରେ ମିଳେ ଲୋ ଶାନ୍ତି ।
ନକରି ଡେରି
ଆସ ବାହାରି
ମାଠିଆ କଳସୀ କାଖରେ ଧରି
ପାରୁନ କି ଶୁଣି
ବଇଁଶୀର ଧ୍ୱନି
ରାଧା ରାଧା ବୋଲି ପକାଏ ହୁରି ।
ପାରୁନାହିଁ ସହି
ଏକା ଯିବି ଧାଇଁ
ଆସିଲେ ଆସ ନଆସିଲେ ନାହିଁ
ଲୋଡ଼ା ନାହିଁ ପାଣି
ଲୋଡ଼ା ବେଣୁପାଣି
ନୟନ ଅଥୟ ଦର୍ଶନ ପାଇଁ ।
