ଭକ୍ତିପୁଷ୍ପ-୧୭
ଭକ୍ତିପୁଷ୍ପ-୧୭
ଚଉଦିଗ ସଖି
ପାରୁନ କି ଦେଖି
ପାହି ପାହି ରାତି ଗଲାଣି
କାହ୍ନୁରେ ଦର୍ଶନ
ନକରି ଏ ମନ
ଝୁରି ଝୁରି ଶୁଖି ଗଲାଣି ।
ଦିନ ସରି ଗଲେ
ମନ ମରି ଯାଏ
ସାରା ରାତି ଛଟପଟ
ଆସେ ନାହିଁ ନିଦ
ପାଏ ନାହିଁ ଭେଦ
ଖୋଲୁଛି କିଳୁଛି କବାଟ ।
ଫାଟିବ ସିନ୍ଦୂରା
ହସିବ ଏ ଧରା
ହସିବ ସୁନେଲି ସକାଳ
ଗୋଧନ ଚରେଇ
ଯିବେଟି କହ୍ନେଇ
ଗୋପ ଦାଣ୍ଡ ହେବ ଚଞ୍ଚଳ ।
ଆସ ଗୋ ଚଞ୍ଚଳା
କର ନାହିଁ ହେଳା
ମନ ଲାଗୁ ନାହିଁ କାମରେ
ଆଖି ତ ଖୋଜୁଛି
କାହ୍ନୁ ପାଦ ଚିହ୍ନ
ମନ ତ କଦମ୍ବ ବନରେ ।
ଦେଖିବାକୁ କାହ୍ନା
ପାଣି ତ ବାହାନା
ତୁଚ୍ଛ ଲାଗେ ଲୋକନିନ୍ଦା ତ
ମିଛ ନଦୀ ସ୍ନାନ
ମିଛ ସବୁ ପୂଣ୍ୟ
ପଛେ ଥାଉ ସବୁ ଧନ୍ଦା ତ ।
ଆଗୋ ମିତଣି
ପାହି ପାହି ରାତି ଗଲାଣି ।
