STORYMIRROR

Santosh Kumar Ojha

Others

4  

Santosh Kumar Ojha

Others

ବାସି ପଖାଳର ବାସ୍ନା

ବାସି ପଖାଳର ବାସ୍ନା

1 min
310

ଫକୀର ମୋହନ କରୁ ନିବେଦନ

ଦେଖି ଯାଅ ନିଜେ ଆସି

କେମିତି ଜୀଉଁଛି ଏ ଜାତି ମଣିଷ

  ତୁମେ ,ଗଲା ପରେ ହସି ହସି ।


ସାରିଆ ଭଗିଆ ଏବେ ବି ପୀଡ଼ିତା

       ମଙ୍ଗରାଜ ନୂଆ ରୂପେ,

ଲଛମାନିଆ ତ ଦିଶୁ ନାହିଁ କାହିଁ

       ମାମୁଁ ମରେ ଅଭିଶାପେ ।


ଛଅ ମାଣ ଆଉ ନାହିଁ ହେ ଫକୀରେ

       ଆଠ ଗୁଣ୍ଠ ବାକି ରହିଛି ,

ସେଇ ଆଠ ଗୁଣ୍ଠ ଜାଗାରେ ମୁନୀସ୍

     ନିଘୋଡ଼ ନିଦରେ ଶୋଇଛି ।


ରେବତୀ ଯାଉନି ପାଠ ପଢ଼ି ଆଉ

     ବଳତ୍କାରୀ ବାଟ ଜଗିଛି ,

ଏକାଟା ପାଇଲେ ଟେକାଟା ମାରୁଛି

      ଟେକି ନେଇ ଝୁଣି ଖାଉଛି ।


ବାସୁ ମାଷ୍ଟର ତ ମାଷ୍ଟର କୁ ବାସି

        ଯୌନ ପିପାସୁ ସାଜିଛି,

ରେବତୀର ରାବ ଶୁଭୁନି କାହାରେ

       ମଙ୍ଗରାଜ ମଙ୍ଗ ଧରିଛି ।


ଧୂଳିଆ ବାବା ତ ଲମ୍ପଟ ଲାଞ୍ଚୁଆ

        ଝାଡ଼ି ଝୁଡ଼ି ଧୂଳି ବସିଛି ,

କଣା ମାମୁଁ ତୁମ ଗାଡ଼ିରେ ବୁଲୁଛି

       ବାଡ଼ିରେ ଦାଢ଼ିକୁ ଚାଞ୍ଛୁଛି ।


ରାଣ୍ଡି ପୁଅ ରାଣ୍ଡି ପିଣ୍ଡିରେ ବସିକି

        ରାଣ୍ଡିକୁ ଦରାଣ୍ଡି ଆଣୁଛି ,

ଦଣ୍ଡି ମିଳୁ ନାହିଁ ମଣ୍ଡିରେ ଫକୀର

      ତୁଣ୍ଡି ଦେଇ ଚାଷୀ ବୁଲୁଛି ।


ଶହେ ବର୍ଷ ତଳୁ ନାରୀ ଶିକ୍ଷା ହେଉ

        ଜାଗି ଥିଲା ତୁମ ମନେ ,

ନାରୀ ଆଗେଇଲେ ଦେଶ ଆଗେଇବ

       ଫୁଙ୍କିଲ ଏ ଜାତି କାନେ ।


ନାରୀ ସେବେ ଥିଲା ଅବଳା ଦୁର୍ବଳା

     ଏବେ ବି ଲୁଣ୍ଠିତା ହେଉଛି,

ଡେଇଁଲେ ଏରୁଣ୍ତି ହୁଏ ଖଣ୍ଡି ଖଣ୍ଡି

      କେରାଣ୍ଡି ର ସମ ମରୁଛି ।


ଶାରିଆ କିଣିକି ସରକାରୀ ସାର

      ବାଡ଼ି ପଟେ ମଦ ରାନ୍ଧୁଛି ,

ଭଗିଆର ଭାଗ୍ୟ 'କାଳିଆ ଯୋଜନା'

     'ଆହାର' କେନ୍ଦ୍ରକୁ ଧାଉଁଛି ।


ଆଖୁ କିଆରିରେ ମାଡ଼ୁ ନାହିଁ ପାଣି

      ମାହାରିଆ ଶୁଖା ପଡ଼ିଛି ,

ଶହେ ପାନ ଆଉ ଦୁଇଶ' ଗୁଆରେ

      ଅଭାବୀ ସଂସାର ଚଳୁଛି ।


ମଲ୍ଲିକାଶପୁର ମଲ୍ଲି ଏବେ ଯାଇ

      ମଲ୍ଲିକା, ମାଳତି ସାଜୁଛି ,

ରଙ୍ଗବତୀ ରଙ୍ଗ ଫିକା ପଡ଼ିଲାଣି

      ବଙ୍ଗ ରୁ ବାରଙ୍ଗ ଧାଉଁଛି ।


ନେତି ବୋଉ ନେତା ପଛରେ ଧାଉଁଛି

      ଛତା ଧରି ଚାଲେ ଗେରସ୍ତ,

ତଥାପି ତ ନାରୀ ପାଉନି ସୁରକ୍ଷା

    ନାରୀ ଠାରେ ନାରୀ ପରାସ୍ତ ।


କେତେ କଥା ଆଉ କହିବି ଫକୀର

         ନିଜକୁ ଧିକ୍କାର ଲାଗୁଛି,

ଏ ଦେଶର ନର ଏବେବି ଫକୀର

       ଅଇଁଠା ପତର ଚାଟୁଛି ।


ବାସି ପଖାଳର ବାସନା ବଢ଼ିଆ

       ବାସ ହରା ସିନା ବୁଝୁଛି ,

ଟଙ୍କ ତୋରାଣିକୁ କାଞ୍ଜି କରି ଖାଏ

       ବାସୁ ମାଷ୍ଟର ତ ହସୁଛି ।


Rate this content
Log in