ଆକାଶରୁ ମେଘ ଆସି..
ଆକାଶରୁ ମେଘ ଆସି..
ଆକାଶରୁ ମେଘ ଆସି
ବରଷା ହୁଏ
ହେମାଳ ପବନ ମିଠା
ପରଶ ଦିଏ।
ଶୁଖିଲା ମାଟି ଓଠରେ
ହସ ଫୁଟଇ
ମହକଇ ଭିଜା ମାଟି
ଭାରି ବାସଇ ।
ବିଜୁଳିର ଚମକରେ
ଚମକେ ମାଟି
ଘଡଘଡି ଘୋର ରଡି
ଥରଇ ଛାତି ।
ଶୋଇଥାଏ ମଲା ନଈ
ଉଠଇ ଚେଇଁ
କୂଳ ଛୁଇଁ ଉଛୁଳଇ
ଛାତି ଫୁଲେଇ ।
କେଉଁଠି ତୁ ଲୁଚିଥାଉ
ସାଧବ ବୋହୂ
ବରଷା ସାଥିରେ ଆସି
କୁଆଡେ ଯାଉ !
ବେଙ୍ଗୁଲି ଗାତରେ ପାଣି
ପାରେନି ଶୋଇ
ରାତି ସାରା ଗୀତ ଗାଏ
ସୁର ଲମ୍ବେଇ ।
ଉଛୁଳନ୍ତି ମାଛ ମାନେ
ବରଷା ସୁରେ
ଗଛ ଚଢେ କଉ ମାଛ
ପାଣିର ଧାରେ ।
କଅଁଳିଆ ଦୁବ ଘାସ
ଛନ ଛନିଆ
ଗୋରୁଗାଈ ମନ ଖୁସି
ନୂଆ ଦୁନିଆ ।
ଝରି ହେଲେ ଝର ଫିଟେ
ବାଟ ଘାଟରେ
ଗାଁଆ ଦାଣ୍ଡେ ପାଣି ଚାଲେ
ସୁଅ କାଟିରେ ।
ସବୁଆଡେ ପଚପଚ
ପାଣି କାଦୁଅ
ଶ୍ରାବଣରୁ ମେଘ ନେଇ
ଭାଷେ ଭୋଦୁଅ ।
ବରଷାକୁ ବଖାଣିଲେ
ହୋଇବ ପୋଥି
ବରଷା ଭରସା ଆମ
ଜୀବନ ସାଥୀ ।