Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଆତ୍ମ ଜୀଵନୀ
ଆତ୍ମ ଜୀଵନୀ
★★★★★

© Narayan chandra Senapati

Others

9 Minutes   456    15


Content Ranking

ସେଦିନ ଅନନ୍ୟା କଲେଜରୁ ଫେରି ଜଲଦି ଜଲଦି ବସି ଖୋଲି ପକାଇଲା ତା ବହି ଗୁଡାକ।ମୋତେ କହିଲା,ବାପା; ମୋ ପାଖରେ ବସ, ଆଉ ଏସବୁର ସଂଜ୍ଞା ଭଲ ରୂପେ ବୁଝାଇଲ ମୋତେ।ତାର ଉତ୍କଣ୍ଠାକୁ ସ୍ୱାଗତ କରି ବସି ବୁଝାଇଲି ପଦାର୍ଥ ବିଜ୍ଞାନ,ରସାୟନ ବିଜ୍ଞାନ,ଜୀବ ବିଜ୍ଞାନ ଓ ଗଣିତର ଅଭିନବ ସଂଜ୍ଞା।ଏସବୁ ନ ସରୁଣୁ ସେ କହି ଉଠିଲା,ରୁହ ବାପା, ମନେ ପଡ଼ିଲା,ଆଗେ ତୁମ ଆତ୍ମ ଜୀବନୀ କହିଲ, ମୁଁ ଶୁଣେ।

ହଠାତ୍ ଏପରି କହିବାର ଅଭିପ୍ରାୟ ବୁଝିଲି,ଯେ ତାଙ୍କ କଲେଜରେ ଜଣେ ଅଧ୍ୟାପକ ପଚାରିଛନ୍ତି,ତୁମର ଆଦର୍ଶ କିଏ?ସମସ୍ତେ ଗାନ୍ଧୀ,ଗୋପବନ୍ଧୁ,ବିବେକାନନ୍ଦ...ଏମିତି କହିଛନ୍ତି, ଅଧ୍ୟାପକ କିନ୍ତୁ କହିଲେ,ତୁମେ କାହିଁ ତୁମ ବାପା ମା'କୁ ଆଦର୍ଶ ବୋଲି କେହି କହୁନ ।

ଅନନ୍ୟା କହିଲା ବାପା, ଆମ ପଦାର୍ଥ ବିଜ୍ଞାନ ଅଧ୍ୟାପକ ମୋତେ କହିଲେ; ତୁମ ବାପା ବିଷୟରେ ତୁମେ କଣ ଜାଣିଛ? ମୁଁ କହିଲି ହଁ ମୋ ବାପା- ନାରାୟଣ ସେନାପତି,ସେ ଜଣେ ଶିକ୍ଷକ,ଏହାଛଡା ଲେଖାଲେଖି,ଗୀତ ଗାଇବା ଓ ଅନ୍ୟାନ୍ୟ ସାଂସ୍କୃତିକ କ୍ରିୟାକଳାପରେ ଅଭିଜ୍ଞତା ତାଙ୍କର ଅଛି।ସେ ଟିକେ ହସିଲେ,କହିଲେ ତୁମ ବାପା ମୋ ବାଲ୍ୟ ବନ୍ଧୁ,ତାଙ୍କ ଆତ୍ମ ଜୀବନୀ ଜାଣ,ଅନେକ କଥା ଜାଣିବ। ସାମ୍ପ୍ରତିକ ଯୁଗରେ ପିଲାମାନେ ନିଜ ବାପା,ମା,ଜେଜେ,ଜେଜେମାଙ୍କ ଜୀବନୀ ନ ଜାଣି ଦେଶ ବିଦେଶର ମହାପୁରୁଷ,କ୍ରୀଡ଼ାବିତ, ଚଳଚ୍ଚିତ୍ର ନାୟକ ନାୟିକାଙ୍କ ଜୀବନୀ ମୁଖସ୍ଥ କରିଛନ୍ତି ଏଥିରେ ଆମ ସଂସ୍କୃତି ଅବକ୍ଷୟ ହେଉଛି।

ବଡ଼ ଅଡ଼ୁଆରେ ପଡିଲି ମୁଁ।କଥାରେ ଅଛି, ନିଜ ବ୍ୟାଖ୍ୟା, ନିଜ ପ୍ରଶଂସା ହିଁ ଆତ୍ମବଡିମା।କହିଲି ତୋ ମାମାଠୁ ଶୁଣିଦେବୁ।ସେ ନ ଛୋଡ ବନ୍ଧା,କହିଲା ବାପା,ମାମା କଣ ତୁମକୁ ଜନ୍ମରୁ ଜାଣିଛନ୍ତି ଯେ? ସେ କହିବେ।ପ୍ଲିଜ୍ ଏବେ କୁହନା।

ଜୀବନର "ହସ- କାନ୍ଦ, ସଫଳ- ବିଫଳ,ଭଲ- ମନ୍ଦ" ମିଶା ପେଡିକୁ କେମିତି କେଉଁଠୁ ଖୋଲିବି ଜାଣିପାରିଳି ନାହିଁ। ଭାବିଲି ଶୁନ୍ୟ ବ୍ରହ୍ମାଣ୍ଡରୁ ଆରମ୍ଭ କରେ।

ତୋ ଜେଜେ ଜେଜେମା ଏମାନେ ଥିଲେ ସମ୍ଭ୍ରାନ୍ତ ପରିବାରର ମଣିଷ।ସବୁଥିରେ ଥିଲା ଭାଵ କିନ୍ତୁ ଗୋଟିଏ ଅଭାବ..ସନ୍ତାନ ସନ୍ତତି ଜନ୍ମ ହୋଇ କିଛି ଦିନ ପରେ ମରି ଯାଉଥିଲେ।ଲକ୍ଷ୍ମୀ ନାରାୟଣଙ୍କୁ ବହୁତ ଡାକି ସେମାନେ ମୋତେ ପାଇଲେ।ମୋ ଆଈ ସ୍ବପ୍ନ ଦେଖିଲେ, କିଏ ଜଣେ କହୁଛନ୍ତି ତାକୁ ଜନ୍ମ ପରେ ନିକିତିରେ ଟେକି ଦେବୁ।ଯାହେଉ ମୁଁ ଜନ୍ମ ହେଲାପରେ ମୋତେ ନିକିତିରେ ତଉଳି ଗାଁ ସରପଞ୍ଚର ମା'ଙ୍କୁ ୧୨ପଇସାରେ ଟେକି ଦେଇଥିଲେଲେ।ସେ ଦିନ ଠୁ ମୋର ଗୋଟିଏ ନାଁ ରହିଲା ତଉଲା।

ନନ୍ଦ ଯଶୋଦାଙ୍କ ବାତ୍ସଲ୍ୟ ପ୍ରେମ ପରି ମୋ ଉପରେ ମୋ ମା' ବାପା ସଂସାରର ସବୁ ଖୁସି ଅଜାଡି ଦେଲେ।ବଡ଼ ଚଗଲା ଥିଲି ମୁଁ, ହେଲେ କାହାର ଅନିଷ୍ଟ କରୁ ନ ଥିଲି,କିନ୍ତୁ ବହୁତ ଜିଦ୍ ଖୋର ଥିଲି।ବଡ଼ କୌତୁହଳି ବି ଥିଲି, ଏମିତିକି କ'ଣ ? କାହିଁକି ? କିପରି ? ଏଭଳି ପୃଥିବୀର ପ୍ରତ୍ୟେକ ବିଷୟରେ ସବୁ ପଚାରି ସମସ୍ତଙ୍କୁ କାଳେ ବିରକ୍ତ କରି ଦେଉ ଥିଲି।ପରେ ଜାଣିଲି କୌତୁହଳି ହିଁ ବିଚକ୍ଷଣ ବୁଦ୍ଧିମତାର ପ୍ରାରମ୍ଭିକ ଅବସ୍ଥା,ବଡ଼ମାସୀ ନୁହଁ।

ତୋ ଜେଜେ ଥିଲେ ଜଣେ ଜ୍ଞାନୀ,ଗୁଣୀ,ଉଦାର ଚେତା,ସଚ୍ଚୋଟ, ଜଣେ ସଙ୍ଗୀତଜ୍ଞ,ଶାସ୍ତ୍ରଜ୍ଞ ଓ ଆଧ୍ୟାତ୍ମିକ ବାଦୀ ବ୍ୟକ୍ତି।ସେ କହୁଥିଲେ, କାହାର ଅନିଷ୍ଟ କର ନାହିଁ,କିନ୍ତୁ ଅନ୍ୟାୟ ସହ ନାହିଁ।ଘାସ କାଟ କି ଘୋଡାଚଢ଼ ସର୍ବଦା ପ୍ରଥମ ହେବାକୁ ଚେଷ୍ଟାକର।ଜୀବନରେ ସେ ପିଲାଙ୍କୁ କେବେ ରାଗିବାର ମୁଁ ଦେଖିନାହିଁ।କିନ୍ତୁ ତୋ ଜେଜି ଥିଲେ ନୀତି ପରାୟଣା,ଧର୍ମପ୍ରାଣା,ମମତାମୟୀ ବ୍ୟକ୍ତି।ତାଙ୍କ ବ୍ୟକ୍ତିତ୍ୱକୁ ତଉଲିବାକୁ ମୋ ମତରେ ସଂସାରରେ ନିକିତି କି ବତକରା ନାହିଁ।ସେ କିନ୍ତୁ କହୁଥିଲେ, ଖାଇବୁ ପିବୁ ରହିବୁ ଘରେ,କାହିଁକି ବୁଲିବୁ କାକର ଟାରେ।କାହା ଦୁଆରକୁ ଯିବୁନି,କାହା ଜିନିଷରେ ଲାଗିବୁନି।କାହା ସହ ଝଗଡା କରିବୁନି।

ଦୌଡାଦୌଡ଼ି,ଖେଳକୁଦରେ ଥିଲି ମୁଁ ବହୁତ ଆଗରେ।ସାଥୀମାନେ ନ ପାରିଲେ ଗୋଳମାଳିଆ କରନ୍ତି ମୁଁ ଅନ୍ୟାୟ ସହି ନ ପାରି ବହୁତ ମାଡ଼ ଦିଏ,ହେଲେ ଘରକୁ ଅଭିଯୋଗ ଆସେ ଓ ମା' ଠାରୁ ବହୁତ ମାଡ଼ ଖାଏ।ମୋର ଭୁଲ ନ ଥିଲେ ବି ମୋ ମା' ମୋତେ ମାରି ଅଭିଯୋଗକାରୀଙ୍କ ମୁହଁ ବନ୍ଦ କରିଦିଅନ୍ତି।

ମୋ ମା' ମାନେ ତୋ ଜେଜି, ବିଭିନ୍ନ ବହି ପଢେ।ମୌଳିକ ଜ୍ଞାନ ବହୁତ,ଏମିତିକି ମୋତେ ମଧୁସୂଦନ ରାଓ ବର୍ଣ୍ଣବୋଧ ଓ ପଚିଶ କଁ ପଣିକିଆ ଶିଖାଇଦେଇଥିଲା, ଯେଉଁଥିପାଇଁ ଏକାଥରେ ମୁ ଜିଦ କରି ତୃତୀୟରେ ନାମ ଲେଖାଇଲି।

ମୋର ଅନ୍ତରଙ୍ଗ ସାଥି ନୃସିଂହ ଯିଏ ଆମ ପଡୋଶୀ ତାଙ୍କ ବାପା ଭାଗିରଥୀ ହାତୀ, ଗାଁ ସ୍କୁଲର ଥିଲେ ପ୍ରଧାନ ଶିକ୍ଷକ, ସେ ଜଣେ ମଣିଷ ପରି ମଣିଷ ତାଙ୍କୁ ବି ମୁଁ ଭାବୁଥିଲି ସର୍ବସ୍ୱ, ସେ ମୋତେ ତାଙ୍କ ଘରକୁ ଡାକି ତୃତୀୟ ଶ୍ରେଣୀରେ ସାରିଦେଇଥିଲେ ଇଂରାଜୀ ଟେନ୍ସ।କାନ୍ଧରେ ବସାଇ ନଦୀବଢ଼ିରେ ପାର କରୁଥିଲେ ପିଲା।ତାଙ୍କ ଆଶା ଥିଲା ନୃସିଂହ ଓ ମୁଁ ବାହାରେ ପାଠ ପଢ଼ି ନାଁ ରଖିବୁ ମାତ୍ର ପଞ୍ଚମ ବେଳେ ଆଷାଧ୍ୟ ରୋଗର ଶିକାର ହୋଇ ଇହଧାମ ତ୍ୟାଗ କରି ଚାଳିଗଲେ।ମାତ୍ର ଏବେ ବି ଏକ ସ୍ମୃତି ମୋ ପାଖେ ଛାଡ଼ିଦେଇଗଲେ।

ମୁଁ ପଢୁଥାଏ ଚତୁର୍ଥ, ଗାଁ ଲୋକ ସବୁ ଗଲେ ଗାଁ ପୋଖରୀରୁ ମାଛ ଧରି,ମୁଁ ଜିଦ କଲି।ବ୍ରାହ୍ମଣ ଲୋକ ପୂଜା ପାଠ କରନ୍ତି ତେଣୁ ବାପା ମନା କଲେ ମାଛ ଧରିବାକୁ।ମା' ଠାରୁ ଟଙ୍କା ଆଣି ତିଆରିଲି ବନିଶୀ ଛଡ଼।ଧରିବାକୁ ଗଲି ଅପରାହ୍ନରେ ମାଛ ଯେଉଁଠି ନଦୀବଢ଼ିପାଣି ନାଳରେ ଆସୁଥାଏ।ଧରିଲି ଦଶ ରୁ ଉର୍ଦ୍ଧ୍ବ ମାଛ।ଦେଖିଲି ସେ ସାର୍ ଆସୁଛନ୍ତି ତାଙ୍କ ବାଡିରୁ ଜହ୍ନି ଓ ପୋଟଳ ଧରି।ମୁଁ ଛାନିଆ କାଳେ ରାଗିବେ।ସେ ଆସି ଦେଖିଲେ,ସାବାସି ଦେଲେ,କହିଲେ ମୋ ଠୁ ତୁ ବଳିଗଲୁ ,ଚାରି ପୋଟଳ ଓ ଚାରି ଜହ୍ନି ଦେଇ କହିଲେ ଏଇ ଦେଲି ତୋତେ ପୁରସ୍କାର।

ଠିକ୍ ମନେପଡୁଛି ସେଇ ସମୟର ଏକ ମର୍ମନ୍ତୁଦ ଘଟଣା,ଟିକେଟ ହୋଇଥାଏ ସାହାଣୀ ଅପେରା ର ଯାତ୍ରା ଦେଖିବାକୁ।ମୁଁ ଯାଇଥାଏ ଆଣିବାକୁ ଖାସୀ ମାଂସ।ଏଇ ସମୟରେ ଜନୈକ ଭଉଣୀ ଲାଇନ୍ ନ ଥିବାରୁ ଶୁଖୁଥିବା ଶାଢ଼ୀ ଆଣିବାକୁ ଡିବି ନେଇ ଗଲେ ।ଅସାଵଧାନତାରେ ଲାଗିଗଲା ଆମ ଘରେ ନିଆଁ।ସମସ୍ତେ ବାହାରି ଆସିଲେ।ଟାଇଲି ଘର, ହେଲେ ମୁଖବନ୍ଧ ଥଣ୍ଡାପାଇଁ ଛପର ହୋଇଥିଲା।ସମସ୍ତେ ଚିତ୍କାର କରୁଥାନ୍ତି।ଭିତରେ ପୋଡି ଯାଉଥାଏ ଜିନିଷ।ମୁଁ ଦେଖିଲି,ମନେ ପଡ଼ିଲା ମୋ ବହି ବ୍ୟାଗ ଯାହାକୁ ମୁଁ ମୋ ଜୀବନ, ମୋ ଠାକୁର ବୋଲି ଭାବେ ସେ ଜଳିଯିବ।ସମସ୍ତଙ୍କ ବାରଣ ସତ୍ତ୍ୱେ ଡେଇଁପଡି ମୋ ବ୍ୟାଗ ଧରି ଚାଲି ଆସିଥିଲି।ଅବଶ୍ୟ ଗୋଡ଼ରୁ ଟିକେ ନିଆଁ ଲାଗିଯାଇଥିଲା।ସମସ୍ତେ ସାବାସି କରି କହିଥିଲେ ମା ବାଗ୍ଦେବୀ ନିଶ୍ଚୟ ସହାୟ ହେବେ।

ପଢ଼ୁଥିଲି ଷଷ୍ଠ, ହୋଇଥିଲା ନଦୀବଢ଼ି,ତୋ ଜେଜି ଗଲା ପାଣି ଆଣି,ମୁଁ ପଛେ ପଛେ।ତିନିଜଣ କଥା ହେଉଥିଲେ ଆସିବ ଲଞ୍ଚ,ପହଁରି ଯିବେ,ଲଞ୍ଚ ଦେଖିବେ ଓ ପୋଡପିଠା ଖାଇବା।ତାଙ୍କ ପଛେ ପଛେ ମୁଁ।ସେମାନେ ପହଁରି ଗଲେ,ମାତ୍ର ମୁଁ ବୁଡିଯାଉଥାଏ ମଝିରେ।ଗାଁରେ ଚହଳ,କାନ୍ଦ ବୋବାଳି,ଏ ସୁଅରୁ କ'ଣ ଏ ବଞ୍ଚିବ।ସେପଟେ ସାହସ ଦେଉଥାନ୍ତି ତିନିଜଣ।ଯାହେଉ ପହଁରି ଚାଲିଗଲି ଓ ଲଞ୍ଚରୁ ପୋଡପିଠା ଖାଇଲି।ସେ ଦୁଃସାହସ ପରବର୍ତ୍ତୀ ସମୟରେ ବଡ଼ ନଦୀକୁ ବି ଅକ୍ଳେଶରେ ପହଁରିଗଲି।

ଥିଲି ସପ୍ତମ ଶ୍ରେଣୀର ଛାତ୍ର,ଗାଁର ଉଠା ସିନେମାର ଗୋଟେ ସିନ୍ ରେ ଦେଖିଲି ହିରୋ ବଡ଼ ପାହାଡ଼ରୁ ପାଣିକୁ ଡେଉଁଛି।ସାଥିମାନଙ୍କୁ କଲି ଏକଜୁଟ,ଆଗଭର ହୋଇ ବରଗଛକୁ ଚଢି ଡେଇଁଲି ପୋଖରୀକୁ।ପାଣିମାଡ଼ରେ ଅଚେତ ହୋଇ ପାଣିରେ ଭାସିଲି,ସାତ ଦିନ କଥା କହି ପାରିଲିନି। ହେଲେ ଜାଣିଲି ପାଣି ଉପରସ୍ତର ପଥରଠୁ ବି ଅଧିକ କଠିନ ମାଡ଼ କଲା,ଆଉ ନିଉଟନଙ୍କ ତୃତୀୟ ନିୟମ ଓ ଆର୍କିମେଡିସଙ୍କ ସୂତ୍ର କେମିତି କାମ କଲା।

ବାପାଙ୍କ ପୂଜାପାଠ, ଗୀତ ଗାଇବା,ମା'ର ବହିପଢ଼ା ମୋତେ କେତେ ଯେ କଣ ଶିଖାଇଛି।ତୃତୀୟ ଶ୍ରେଣୀରେ ଗାଁ ଯାତ୍ରା ପେଣ୍ଡାଲରେ ନିଜେ କୃଷ୍ଣ ହୋଇ ନିଜ ଭୂମିକାରେ ଗୀତ ନିଜେ ଗାଇଥିଲି।ଯାହା କି ମୋତେ ପ୍ରେରଣା ଯୋଗାଇଥିଲା।ମୋର ସାହିତ୍ୟ ସାର୍ ଲମ୍ବୋଦର ସାର୍ ଓ ଏମ୍ ଇ ର ସବୁ ସାର୍ ମାନେ ମୋତେ ବିଦ୍ୟାଳୟ କେନ୍ଦ୍ର ବୈଠକରେ ଗୀତ ଗାଇବାକୁ ସୁଯୋଗ ଦେଇଥାନ୍ତି।ପରବର୍ତ୍ତୀ ସମୟରେ ମୁଁ ଗୀତ ଗାଇବାର ଧାରା ବି ପାଇଥିଲି।

ଘାରଠାରୁ ୫କିମି ଦୂରର ହାଇସ୍କୁଲ।ବହୁତ ଛୋଟ ଥିଲି,ଏମିତିକି ସାଇକେଲରେ ପାଏନା ଗୋଡ଼,ଚାଲି ଚାଲି ଏକ ଜଙ୍ଗଲ ଓ କେନାଲ ପାର ହୋଇ ନିୟମିତ ଯାଏ ପଢିବାକୁ।ବେଳେବେଳେ ବି ବର୍ଷାଦିନେ ପହଁରି ଯିବାକୁ ହୋଇଥାଏ।ଛୁଟିଦିନରେ ବି ସାର୍ ଙ୍କ ପାଇଁ ଗାଁରୁ କ୍ଷୀର ନେଇ ଯାଏ।ବାପା ମା କୁହନ୍ତି ସାର୍ ଙ୍କ ସେବା କରି ଆଶୀଷ ଅର୍ଜ୍ଜନ କର।

ଭୁଲିପାରୁନି ମୋ ଗଣିତ ସାର୍ ଗଙ୍ଗାଧର ସାରଙ୍କୁ ଯେତେବେଳେ କହିଲି ଗଣିତରେ ୯୭/୯୮ରହିବ,ରାଗରେ କହିଲେ କାହିଁକି ୧୦୦ ନ ରହିବ।ଗିରିଧାରୀ ସାର୍ ଙ୍କ ସେଦିନର କଥା,ଆରେ ସେନାପତି,ତୁ ଯେମିତି ସ୍କୁଲ ର ନାଁ ରଖିବୁ।

ତୃତୀୟ,ପଞ୍ଚମରେ ବୃତ୍ତି,ସପ୍ତମରେ ଏନ୍ ଆର ଟି ଏସ,ହାଇସ୍କୁଲ ରେ ଫାଷ୍ଟକ୍ଳାସ ପରେ ଗଲି ଧରଣୀଧର ମହାବିଦ୍ୟାଳୟକୁ ବିଜ୍ଞାନ ପଢିବାକୁ।ଏହା ପୂର୍ବରୁ ଗାଁ ଡ୍ରାମାରେ ଗୀତ ଗାଇବା,ଅଭିନୟ କରିବା,ନାଚ କରିବା ସଭାସମିତିରେ ଅନର୍ଗଳ ଭାଷଣ ଦେବା,ଗାଁ ଫୁଟବଲ ଟୁର୍ଣ୍ଣାମେଂଟରେ ସେଣ୍ଟର ଫରୱାର୍ଡ ଖେଳି ଗୋଲ ଦେବା ଥିଲା ମୋର ଏକ ସାଧାରଣ ଗୁଣାବଳୀ।

କଲେଜରେ ଏକ ସ୍ମରଣୀୟ ଘଟଣା ଆଜି ବି ମନେ ପଡୁଛି।ମୁଁ ଥିଲି କଲେଜ ରେ ବହୁତ ଛୋଟ,୫୦୦୦ ମିଟର ଦୌଡ଼ରେ ଟ୍ରାକ ରେ ଛିଡାହେଲାବେଳେ ସବୁ ହସୁଥାନ୍ତି।ଏ ମୁଷା ର କି ସାହସ।ବାଧୁଥିଲେ ବି ପ୍ରତ୍ୟହ ସକାଳ ଅଭ୍ୟାସ ଓ ଆତ୍ମବିଶ୍ୱାସ କହୁଥିଲା ମୋତେ ଯେମିତି,ତୁ ଜିତିବୁ।ହୁଇସିଲ ପରେ ତିନି ରାଉଣ୍ଡ ପରେ ବି ମୁଁ ପଛରେ,ଗ୍ୟାଲେରୀରେ ଉପହାସ,ମାତ୍ର ତାପରେ ପଛକୁ ଫେରିନି।ଶେଷ ବେଳକୁ ଥିଲେ ମୋତେ ଲଗାଇ ତିନି ଜଣ ,ମୁଁ ଚମ୍ପିଆନ।ସେମିନାର,ସଂଗୀତ,ଅଭିନୟରେ ତ ଆଗୁଆ।ଓଡ଼ିଆ ମିଡିୟମ ପିଲା ବୋଲି ଇଂଲିଶ ମିଡିୟମଙ୍କ ଅଣଦେଖା ଟିକେ ବଢୁଥାଏ।ଜଣେ ଭାଇ ଇଂଲିଶ ଡିବେଟ୍ ରେ ଦେଇଥିଲେ ମୋ ନାଁ,ମୋତେ ନ ଜଣାଇ।ରାତି ଶୋଇନି,ହେଲେ ପ୍ରତିଯୋଗୀତାରେ ହେଲି ଦ୍ଵିତୀୟ,ବଢିଗଲା ମନୋବଳ।ଜଣେ ଆଟ୍ସ(କଳା) ପିଲା ଯୁକ୍ତି କଲା,ବିଜ୍ଞାନ ପିଲାମାନେ ସାହିତ୍ୟରେ ଦୁର୍ବଳ।କଲି ପ୍ରତିଜ୍ଞା,ହେବି ପ୍ରଥମ।ଲେଖିଲି କବିତା,ପ୍ରବନ୍ଧ,ଗଳ୍ପ,ପ୍ରତିଯୋଗୀତାରେ ଚାହିଁଥାଏ ଫଳାଫଳ ଘୋଷଣାର ସ୍ୱର।ସେନାପତି ହିଁ ସେନାପତି।ପୁଣି ଚମ୍ପିୟାନ।ଭୁଲିନି ମୋ ବିଷ୍ଣ୍ଣୁ ସାରଙ୍କୁ ଯେ ମୋତେ ଅଭିନୟରେ ହଜାଇ ମଜାଇ ପ୍ରାଦେଶିକ ପର୍ଯ୍ୟନ୍ତ ନେଇଥିଲେ।ଲେଖିଲି ନାଟକ।ବାର୍ଷିକ ଉତ୍ସବରେ ନା ପରେ ନା ଡାକ।

ଅଲ ଇଣ୍ଡିଆ ମେରାଇନ ଇଂଜିନିୟରିଂ ଓଡ଼ିଶାରୁ ତିନି ଜଣରୁ ହେଲି ଜଣେ ଓ ପ୍ରଥମେ ଗଲି ମାଡ୍ରାସ,ପ୍ରଥମ ବର୍ଷରେ ଓଡ଼ିଆ ପିଲା ହିସାବରେ ସର୍ବାଧିକ ରଖିଲି ୯୧ପ୍ରତିଶତ ନମ୍ବର।ମାତ୍ର ଭୀଷଣ ଅସୁସ୍ଥ ଯୋଗୁ ପ୍ରତ୍ୟାବର୍ତ୍ତନ କଲି ଘରକୁ।ତୋ ଜେଜିର କାନ୍ଦ ଓ ବାରଣ ଯୋଗୁଁ ଛାଡ଼ିଲି ସେ ପାଠ।

କଲି ଡି.ଆଇ.ଇ.ଟି. ବାପା ମା'ଙ୍କ ଅଗୋଚରରେ।ସାହିତ୍ୟରେ ପାଇଲି ଦିଗ୍ ଦର୍ଶକ ଗୁରୁ,ମୀନକେତନ ଦାସ ଓ ଅକ୍ଷୟ ରଣା ସାର୍।ତାଙ୍କ ପରାମର୍ଶରେ ଲେଖି କବିତା,ଗଳ୍ପ,ନାଟକ,ପ୍ରବନ୍ଧ,ସବୁଥିରେ ହେଲି ପାରଦର୍ଶୀ।ଜିଲ୍ଲା,ରାଜ୍ୟ ସ୍ତରୀୟ ବକ୍ତୃତା ଓ ପ୍ରବନ୍ଧରେ ନମ୍ବର ୱନ।ପାଇଲି ସର୍ବ ସର୍ବୋତ୍ତମ ସମ୍ମାନ ସନନ୍ଦ।ତା ସହ ଶିକ୍ଷା କ୍ଷେତ୍ରରେ ମଧ୍ୟ।

ଆସିଲା ଡାକରା ମୋ ସଂସ୍କୃତିର ପୀଠ ଶିଶୁ ମନ୍ଦିରରୁ ଆଚାର୍ଯ୍ୟ ପାଇଁ।ଛୁଆ ଥିଲେ ମୋର ଜୀବନ। ତାଙ୍କୁ ଶ୍ରେଷ୍ଠ କରିବାର ବଜ୍ର ଶପଥ।ହେଲା ବି ଜିତ୍।ପ୍ରସିଦ୍ଧ ହେଲି ସେନାପତି ଗୁରୁଜୀ ନାମରେ।ଓଡ଼ିଆ,ଇଂରାଜୀ,ହିନ୍ଦୀ,ସଂସ୍କୃତ,ବିଜ୍ଞାନ,ଶାରୀରିକ,ଘୋଷ,ସଂଗୀତ,ଯୋଗ ସବୁଥିରେ ଗଲି ପ୍ରଶିକ୍ଷଣ।ମିଳିଲା ପ୍ରଶିକ୍ଷାର୍ଥୀ ଆସନ।ଓଡ଼ିଶାର ଶ୍ରେଷ୍ଠ ଦଶ ଆଚାର୍ଯ୍ୟ ମଧ୍ୟରେ ରହିଲା ନାମ।ନ ଥିଲା ଗର୍ବ।ପୁଣି ବୈଭବିଶାଳୀ ଭାରତ ଗଠନର ପରିକଳ୍ପନା,ସ୍ବପ୍ନ।

ସେ ସମୟର ଏକ ଦୁର୍ବିସହ ଘଟଣା ଯାହାକି ମୋ ଜୀବନର ହସକୁ ଛଡେଇ ନେଲା।ମୋ ଅତି ଅନ୍ତରଙ୍ଗ ସାଥି ଥିଲା ପ୍ରଫୁଲ୍ଲ ଭାଇ।ଦଣ୍ଡେ ନ ଦେଖିଲେ ହେଉଥିଲୁ ବାଇଆ।ମୋର ସବୁ ହଁ- ତାର ହଁ,ତାର ସବୁ ନା- ବି ମୋ ନାଁ।ଜିଦ କଲେ ବିଦ୍ୟାଳୟରେ ପାଳିବାକୁ ମୋ ଜନ୍ମଦିବସ।୧୯୯୫ମସିହା ଜାନୁଆରୀ୧୬।ସବୁ ସାଜସଜ୍ଜା,ଭୋଜିର ଆୟୋଜନ କରୁଥାନ୍ତି ସାଥି ପୀତ,ଗୁରୁ,ଟୁନା ଓ ଅନ୍ୟମାନେ।ସାଥିରେ ଆନନ୍ଦ ଉପଭୋଗ କରୁଥାନ୍ତି ମୋର ଆଦର୍ଶ ଛାତ୍ରଛାତ୍ରୀଗଣ।ମୋପାଇ ଘରୁ ପିଠା ନୂଆ ବସ୍ତ୍ର ଆଣି ଆସିବା ବାଟରେ ଟ୍ରକ୍ ଧକ୍କାରେ ଚାଲିଗଲେ ଆମକୁ କନ୍ଦାଇ।ସେ ଦିନରୁ ଏ ଯାଏ ମୁଁ କେବେ ମୁହଁ ଖୋଲି ହସେ ନାହିଁ କି ଏଯାଏ ବି ଜନ୍ମଦିନ ପାଳୁନାହିଁ।

ସେଇଥିପାଇଁ ବୋଧେ ତୁମେ ଜନ୍ମଦିନ ପାଳୁନଥିଲ ବାପା,ମୁଁ ଏବେ ଜାଣିଲି,ଝିଅ ମୋର କହିଲା।

ତା ଭିତରେ ସରିଗଲା ଓକିଲାତି।ଆରମ୍ଭ କଲି ସ୍ନାତ୍ତକୋତ୍ତର ଭୁତତ୍ତ୍ୱ ବିଜ୍ଞାନ ପଢିବା।ଜନୈକ ସିନିୟର ଭାଇ ରେଜଲ୍ଟ ସିଟ ରେ ଦେଖିଲି ୭୫ରୁ ଅଛି ୩୭।ଟିକେ ହସିଦେଲି,ଅବଶ୍ୟ ଭୁଲ କଲି,ସେ ରାଗି କହିଥିଲେ ବିଶ୍ୱବିଦ୍ୟାଳୟରେ ଏଥିରେ ହାଇଏଷ୍ଟ ୪୫, ତୁ କ'ଣ ଅଧିକ ରଖିଦେବୁ।କଲି ବଜ୍ର ଶପଥ ଭାଙ୍ଗିବି ରେକର୍ଡ।ଦିନ ରାତି ସେ ପେପର ପଢି ରଖିଲି ୬୭।ଆଜି ପର୍ଯ୍ୟନ୍ତ ତାହା ଅଛି ହାଇଏଷ୍ଟ ରେକର୍ଡ ।ଏ ଭିତରେ ଦେଲି ଓ.ଏ.ଏସ।ରିଟିନ୍ ସିନା ପାଇଗଲି ଭାଇଭାରେ କଟିଗଲି।ଆତ୍ମାକୁ ବହୁତ ବାଢିଲା।ସ୍ନାତକତ୍ତୋରରେ ହେଲି ଫାଷ୍ଟ କ୍ଳାସ ଫାଷ୍ଟ।

ପାଇଲି ସରକାରୀ ଶିକ୍ଷକତା।ଛାଡ଼ିଲି ବେସରକାରୀ ମହାବିଦ୍ୟାଳୟର ଅଧ୍ୟାପକ ପଦବୀ।ୟା ଭିତରେ କ୍ରିକେଟ ଖେଳ ବି ହୋଇଥିଲା ଘନିଷ୍ଠ।ଆଞ୍ଚଳିକ ତଟୁର୍ଣ୍ଣାମେଂଟରେ ଦ୍ରୁତ ବୋଲିଂ ତାଲିକାରେ ରହି ସାଜିଥିଲି ଦୁର୍ଦ୍ଧଶ ବୋଲର।କ୍ୟାପଟେନ ଓ ଜିତ ଥିଲା ଲକ୍ଷ୍ୟ। ଖୁବ୍ ଶୀଗ୍ର କରାଗଲା ଜିଲ୍ଲା ଓ ରାଜ୍ୟ ପ୍ରଶିକ୍ଷକ।ଭୁଲିଗଲି ବଡ଼ ଚାକିରୀ ନିଶା।ଶିକ୍ଷକତାକୁ ଭାବିଲି ସ୍ୱର୍ଗ। ତା ଭିତରେ ତୋ ପାଠପଢା।ତୋତେ ପଢାଇସାରି ରାତି ୧୧ରୁ ତିନିଟା ଯାଏ ପଢ଼ିଲି ବି. ଏଡ଼. ପାଠ।ଉତ୍ତୀର୍ଣ୍ଣ ହେଲି ବି ଫାଷ୍ଟକ୍ଳାସ ରେ।

ତାପରେ ମିଳିଲା ସାହିତ୍ୟ ସମ୍ମାନ,କେଂନ୍ଦୁଝର ଜିଲ୍ଲାରୁ ସଂସ୍କୃତି ସୁଧାମୃତ ସମ୍ମାନ,ଶିକ୍ଷକତା ପାଇଁ ଶଙ୍କରାଚାର୍ଯ୍ୟ ସମ୍ମାନ।ଦୁଃଖର ବିଷୟ ଯେଉଁଟି ଶିକ୍ଷକତା କରେ ଆଞ୍ଚଳିକ ଫିଲିଙ୍ଗସ ପୁରି ଥିଲା। କି ।ସହି ପାରିଲେନି ମୋ ସଫଳତା ପରେ ସଫଳତା।ଆବେଦନ କଲି ରାଜ୍ୟପାଳ ସମ୍ମାନ।ସବୁଠୁ ଥିଲି ଆଗରେ।ମାତ୍ର ଚୁଗୁଲିଆ ମାନେ ମୋର ସହ ପ୍ରମାଣପତ୍ର ଗୁଡିକୁ ଡି. ଇ. ଓ. ଅଫିସରୁ ହାତ କରି କାଢି ଆଣି ଫିଙ୍ଗି ଦେଇଥିଲେ।୨୦୧୪ ଶିକ୍ଷକ ସମ୍ମାନ ବେଳେ ମୋ ନାମ ନ ଥିବାରୁ ଆଖିରୁ ଅଶ୍ରୁ ବାହାରି ପଡିଥିଲା। ହେଲେ ମୋ ସାହିତ୍ୟ ମୋତେ ପଛକୁ ଟାଣି ଙ ଥିଲା।ବରଂ ଧୈର୍ଯ୍ୟ ଓ ଉଦ୍ଦୀପନା ଯୋଗାଇଲା। ।ଆହୁରି ଦୁଃଖ ସମୟ ପହଁଚିଲା।କପଟୀ ସାଥିଙ୍କ ଚକ୍ରାନ୍ତରେ ହେଲି ଶିକାର।ନିଜ ପକେଟରୁ ପିଲାଙ୍କ ପାଇଁ ଖର୍ଚ୍ଚ କରି,ଦିନ ରାତି ଲାଗି ଆଦର୍ଶ ବିଦ୍ୟାଳୟ କରିବାର ସ୍ବପ୍ନକୁ ଭାଙ୍ଗିଦେଲେ କେତେକ ଚୁଗୁଲିଆ ନେତା।ଓ କୁଟୀଳ ଶିକ୍ଷକ।ତଥାପି ହାରିନାହିଁ କେବେ। ମୋ ହିତାକାଂକ୍ଷୀଙ୍କ ସାହସରେ ଲେଖିଲି ଲେଖାପରେ ଲେଖା।5ଟି ....ନାଟକ ଵି।।।ଲେଖା ମଞ୍ଚସ୍ଥ୍ୱ,ଅଭିନୟ।ତାପରେ ମିଳିଲା ଶିକ୍ଷାକ ଗୌରବ ସମ୍ମାନ,ବାଣୀପୀଠ ସମ୍ମାନ,ଶ୍ରେଷ୍ଠ ଲେଖକ,ଶ୍ରେଷ୍ଠ କବି,ଦରଦୀ କବି,ଗଣକଵି ଵୈଷ୍ଣବ ପାଣି ସ୍ମୃତି ସମ୍ମାନ ,ବନମଲ୍ଲୀ ଗଳ୍ପ ସମ୍ମାନ, ଉଦୟଭାନୁ ଶ୍ରେଷ୍ଠ ପ୍ରାବନ୍ଧିକ ସମ୍ମାନ,ଜ୍ଞାନ ପ୍ରକାଶ ଶ୍ରେଷ୍ଠ ନାଟ୍ୟକାର ସମ୍ମାନ ଓ ଶେଷରେ କବିରତ୍ନ ସମ୍ମାନ।ସମାଜର ଦର୍ପଣ ତରଫରୁ ସର୍ବଭାରତୀୟ ଇ. ସାହିତ୍ୟର କର୍ଣ୍ଣେଲ(ସେନାଧ୍ୟକ୍ଷ)ପଦବୀ। ପ୍ରତ୍ୟହ ପତ୍ରିକାରେ ଲେଖା।

ଅନନ୍ୟା କହିଲା, ବାପା ଏସବୁ ମିଳିଲାବେଳେ ତୁମକୁ ଛୋଟ ବେଳ କଥା କଣ ମନେ ପଡେନାହିଁ?

କିଏ କହିଲା ମନେ ପଡେନାହିଁ ବୋଲି, ଆଜି ଏ ସମ୍ମାନ ଯେବେ ମୁଁ ପାଏ ମନେପଡେ ମୋ ବାପାଙ୍କ ଗୀତ ଶିଖାଇବା,ନାଚ ପାଲା ଜାଗାକୁ ନେଇ ଦେଖେଇବା କଥା।ମୋ ମା'ର, ମୁଁ ପାଠ ପଢ଼ିଲା ବେଳେ ରାତି ଉଜାଗର ହୋଇ ରହିବା କଥା।ମୋ ଶିକ୍ଷକ ମାନେ ଯେବେ ବିଦ୍ୟାଳୟର ଅନ୍ୟ ପିଲାଙ୍କୁ ମୋ ଉଦାହରଣ ଦିଅନ୍ତି ସେ କଥା।ମୋ ସାଙ୍ଗସାଥୀଙ୍କ ଉତ୍ସାହ ଓ ଭଲପାଇବାର କଥା।

ବାପା,ଏ ସବୁ ସମ୍ମାନ ପାଇଲା ବେଳେ ତୁମେ ନିଶ୍ଚୟ ଖୁସି ହେଉଥିବ ନା?ଅନନ୍ୟା ପଚାରିଲା।

ତୁ ଜାଣିଛୁ ମୁଁ କେତେବେଳେ ବହୁତ ଖୁସି ହୁଏ,ତୁ ଯେବେ ମେଧାବୃତ୍ତି,ପଠାଣି ସାମନ୍ତ,ଏନ. ଆର. ଟି. ଏସ. ପାଉ,ଗୀତ ନାଚ ବକ୍ତୃତାରେ ପ୍ରଥମ ହେଉ ସେତେବେଳେ ମନେ ପଡେ ମୋ ବାପା କେମିତି ଗାଁ ସାରା ମୋ ପ୍ରଶଂସା କରୁଥିଲେ।ତୁ ଯେବେ ଜିଲ୍ଲା ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ବିଶେଷ କରି ସୁରଭିରେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଠୁ ମାନପତ୍ର ଓ ମେଡାଲ ପାଉ ସେତେବେଳେ ମୁଁ ମୋ ପିଲାଦିନ କଥା ମନେ ପକାଇ ବହୁତ ଖୁସି ହୁଏ।ଏ ସମ୍ମାନ ପାଇବା ବେଳେ ଅବଶ୍ୟ ଖୁସି ହୁଏ,ମାତ୍ର ଯେଉଁ ମାନେ ଏସବୁ ସଫଳତାର ପ୍ରେରଣା ଯୋଗାଇଛନ୍ତି ତାଙ୍କୁ ସ୍ମରଣ କରି ମୁଁ ଖୁସି ହୁଏ।

ଆଛା କହିଲ ବାପା, ତୁମର ଆଦର୍ଶ କିଏ ଥିଲେ,ଅନନ୍ୟା ର ଏ ପ୍ରଶ୍ନରେ ଉତ୍ତର ଦେଲି, ରାମାୟଣ ସାରିଦେଲି ତୁ ପଚାରୁଛୁ ସୀତା କିଏ?

ସତରେ ବାପା ତୁମ ଆତ୍ମଜୀବନୀ ଶୁଣି ମୁଁ କେବଳ ତୁମ ବିଷୟରେ ଜାଣିଲି ନାହିଁ, ଜାଣିଲି ଜୀବନରେ ବଡ଼ ଓ ଭଲ ହେବାପାଇଁ ହେଲେ ଜଣେ ପିଲାର କର୍ତ୍ତବ୍ୟ କ'ଣ,ଏଥିରେ ମା, ବାପା,ଗୁରୁ,ସାଥି,ଗ୍ରାମବାସୀ ଙ୍କର ତ୍ୟାଗ ଭଲ ପାଇବା କେତେ ଯେ ଅଛି!ଜଣେ ଶିକ୍ଷାଗତ ଯୋଗ୍ୟତା ବଢ଼ାଇ ଦେଲେ,ମହାପୁରୁଷଙ୍କୁ ଆଦର୍ଶ କରିଦେଲେ ଆଦର୍ଶ ହୋଇପାରେନା,ନିଜ ପିତା ମାତା ଗୁରୁଙ୍କୁ ଆଦର୍ଶ ରୂପେ ବରଣ କଲେ ସଂସ୍କୃତି,ସଭ୍ୟତା ଓ ପରମ୍ପରା ଉଜ୍ଜୀବିତ ହେବ।ବାପା ମା' ଗୁରୁଙ୍କ ଠାରୁ ଶ୍ରେଷ୍ଠ ଆଦର୍ଶ ଏ ଦୁନିଆରେ କଣ କିଏ ଅଛି???

ବାପା ଏସବୁ ପାଇଲା ପରେ ତୁମ ଜୀବନର କିଛି ବିଶେଷ ଲକ୍ଷ୍ୟ ଥିବ?ଝିଅର ଉତ୍ତରରେ କହିଥିଲି,ଯେଉଁଦିନ ତୋତେ ମୁଁ ସଫଳତାର ଚୁଡାରେ ଦେଖିବି ସେଦିନ ମୋ ଲକ୍ଷ୍ୟ ପୂର୍ଣ୍ଣ ନିଶ୍ଚୟ ହେବ।ଯେଉଁଦିନ ତୋ ପରିଚୟରେ ମୋତେ ଲୋକେ ଚିହ୍ନିବେ ଓ ସମ୍ମାନ ଦେବେ ଜାଣିବି ମୋ ଜୀବନ ସାର୍ଥକ ହେଲା।ଆଉ ଓଡ଼ିଆ ମାଟି,ଓଡ଼ିଆ ଭାଷାର ଗୌରବ ରକ୍ଷା,ଦେଶର ସଂସ୍କୃତି ସୁରକ୍ଷା ମୋର ଅନ୍ୟତମ ଲକ୍ଷ୍ୟ।

ସତରେ ବାପା ତୁମେ ମହାନ।ତୁମ ପାଇଁ ମୁଁ ଗର୍ବ ଅନୁଭଵ କରୁଛି,ଅନନ୍ୟା ଆବେଗର କହିଲା।

ମୋର ଶେଷ ଉତ୍ତର ଥିଲା ଯେଉଁ ଦିନ ତୁ ମହାନ ହେବୁ,ତୋ ମହାନତା ଖୁସିରେ ମୁଁ ମହାନ ହୋଇଯିବି।

ହସି ହସି ମୋ ଜୀବନୀକୁ ଲେଖିପକାଉଥିଲା ଅନନ୍ୟା ସାଇତି ରଖିବ ସ୍ମୃତି ପୃଷ୍ଠାରେ ଯେମିତି।

✍🏻 *ନାରାୟଣ ଚନ୍ଦ୍ର ସେନାପତି,ଜମ୍ଭରା, କେନ୍ଦୁଝର*✍🏻

ସଂଜ୍ଞା ଅଧ୍ୟାପକ ଆଦର୍ଶ

Rate the content


Originality
Flow
Language
Cover design

Comments

Post

Some text some message..