ଅଭିମାନ
ଅଭିମାନ
ଅଶାନ୍ତ ମୋ ପଦମାଳା,
ଅସଂଯତ ଶବ୍ଦମେଳା,
ଦେଖି ତୁମେ ରୁଷିଲେ ରୁଷିବ;
କେବେହେଲେ କିନ୍ତୁ ଥରେ
ମୌନେ ବିଜନେ ଅନ୍ତରେ
ଦିନେ ଏ ମୋ' ପଦ ତ ଦିଶିବ।।
ପ୍ରତି ଥର ଦୃଷ୍ଟିପାତ
ପ୍ରତି ପଦମାଳା ସାଥେ
ଶୁପ୍ତ ଭାବ ଉଠୁଥିବ ଫୁଟି;
ଘେନି ନବରବି ଜ୍ୟୋତି,
ନବ ଯଉବନେ ତାତି
ପୁଲକ ତୁମର ଯିବ ଲୋଟି ।।
ନିଶ୍ଚେ ଦିନେ ବିଚରିବ
ବିଶାଳ ଶବ୍ଦବିଭବ
ପରେ ଚକ୍ଷୁ ରଖି ନିବଦ୍ଧିତ;
ଖୋଜି ପ୍ରତି ଛନ୍ଦ ଅର୍ଥ
ଘାଣ୍ଟିବ ମୋର ସାହିତ୍ୟ
ନେତ୍ର ତୁମ ଥିବ ଉନ୍ମିଳିତ।।
ଅର୍ଥ ମତେ ଶବ୍ଦ ଖୋଜି
ଆଙ୍କିବି ଶକ୍ତି ନିୟୋଜି
ପ୍ରାଚୀ ନଭେ ନବ ସୂର୍ଯ୍ୟୋଦୟ;
ପ୍ରତୀଚୀରେ ଧୀରେ ଧୀରେ
ଆଙ୍କିବି କଲମ ଗାରେ
ଘନ ରାତ୍ରି ଅନ୍ଧକାରମୟ।।
ଭରା ଅଜଣା ଔତ୍ସୁକ୍ୟ
ମନେ ମୋ କରିବ ନୃତ୍ୟ
ଭରିଥିବ କେତେ ମାଦକତା;
ତୁମ ଚକ୍ଷୁ ତଳେ ତଳେ
ନୟନର ଉଷ୍ମ ଜଳେ
ଥିବ ତୁମ ପ୍ରୟାସ ବ୍ୟର୍ଥତା।।
ଦିନେ ତ ଆସିବ ଫେରି,
ଅତୀତକୁ ଝୁରି ଝୁରି
ଦେବ ପ୍ରାଣସଙ୍ଗିନୀଠି ମନ;
ମୋ ସାଥୀରେ ମିଶିବ ତ,
କରି ନେବ କୋଳାଗ୍ରତ,
ନ ରଖିବ ରାଗ ଅଭିମାନ ।।
ପ୍ରିୟଙ୍କା ପ୍ରିୟଦର୍ଶନୀ ଦାସ୍।
ସହଦେବଖୁଣ୍ଟା,ବାଲେଶ୍ଵର
7788977276