ବାପା
ବାପା
ଅଭାଗା ଅଜ୍ଞାନୀ ଥିଲି ମୁଁ ନାଦାନୀ
ଡେରିରେ ଜାଣିଲି ପାରି
ବାପା ଗଲା ପରେ ଝୁରୁଛି ମୁଁ ନିତି
ବୋକା ଅକିଞ୍ଚନ ପରି |୧ |
ବାଦଲ ଫାଙ୍କରୁ ତୋଫା ଜହ୍ନରାତି
ତୋଳି ପାରନ୍ତି ମୋ ବାପା
ଉପରକୁ ସିନା ଗରମ ଦିଶନ୍ତି
ହୃଦୟଟା ଭାରି ସଫା |୨ |
ବାତାୟନ ପରି ଚଉଡା ଛାତିରେ
ନାଲି ଗାମୁଛାଟି ଥିଲେ
କଥାରେ ଜ୍ଞାନରେ କି’ଏ ପାରିବକି
ସାହିର ପଢୁଆ ପିଲେ |୩ |
ତାଙ୍କ ହାତଛୁଆଁ ଆଉଁସା ଟିକକ
ଭଙ୍ଗା ଡେଣାରେ ମୋ ବଳ
ତିନି ତାଲା ସିଢି ଛତଘର ସବୁ
ତାଙ୍କ ଆଗେ ଦୁରୁବଳ |୪ |
ଆମ ସମସ୍ୟାର ସମାଧାନ ମୁଣୀ
ଫଟକରି କହିଦିଅନ୍ତି
ଭୋର ସମୟଟା ଆସୁକି ନ ଆସୁ
“ଆହେ ଦୟାମୟ “ ଗାଇଥାନ୍ତି |୫ |
ନିଜ ପାଇଁ ସ୍ଵପ୍ନ ଦେଖନ୍ତିନି ଜମା
ନିଦକୁ ହଜେଇଦେଇ
ମଧୁର ବିନୟ ବଚନ ମୁଦ୍ରାରେ
ଜଗତ ଜିଣିବା ପାଇଁ | ୬ |
ସମୟ ସହିତ ପାହୁଣ୍ଡ ମିଶେଇ
କର୍ତ୍ତବ୍ୟରେ ନାହିଁ ହେଳା
ଆମ ଜନ୍ମଦିନ ଆମ୍ଭ ପାଠପଢା
ସବୁପାଇଁ ହାତ ଖୋଲା |୭ |
ତାଙ୍କରି ପରଶ ତାଙ୍କରି ଆଶିଷ
ଅଲୋକବର୍ତ୍ତିକା ପରି
ମୋ ଜୀବନ ପଥ ମୋର ମନୋରଥ
ଦେଖାଏ ଅନ୍ଧାର ଚିରି |୮ |
ତାଙ୍କ ଶ୍ରୀପୟରେ ଏ ଛନ୍ଦା ଚରଣ
ରହୁ ସଦା ଦଣ୍ଡବତ
ତାଙ୍କ ଜ୍ଞାନଗଙ୍ଗା ଆପଦେ ବିପଦେ
ତ୍ରାହି କରୁ ଅବିରତ |୯ |