Sujata Behera

Others

2  

Sujata Behera

Others

ସୁଲୋଚନା

ସୁଲୋଚନା

3 mins
107


          ୧.


ସେତେବେଳେ ସବୁ ବାଧାବନ୍ଧ ଏଡେଇ ଦେଇ ଏରୁଣ୍ଡିବନ୍ଧ ଡେଇଁବାର ସାହସ ନଥିଲା । ନଥିଲା କିଛି କହିବାର ସାହସ । ନଥିଲା ମନ ଖୋଲି ହସିବାର ସାହସ । ସେତେବେଳର ସମୟ ଏବେର ସମୟ ଭିତରେ କାହିଁ କେତେ ଫରକ । ତଥାପି ଆଜି ବି ସେ ଚୁପ ଚାପ ନିଜ ଲୁହକୁ ନିଜେ ପିଇ ଦିଏ । 

ଯେମିତି ଗାଆଁର ସୁଲେଇ ଆଜି ହଜେଇ ଦେଇଚି ନିଜକୁ । ଗାଆଁର ଝାଟିମାଟିର କିଶୋରି ସହରି କନିଆଁ ସାଜିଥିଲା! ହେଲେ ଆଜି ଯାହା ବି ଘଟିଛି ତା ଜୀବନରେ ସେଥିପାଇଁ କଣ କେବଳ ସେ ହିଁ ଦାୟୀ ବା ଗୋଟିଏ ନାରୀ ଜୀବନର ଅନେକ ଘଟଣା ପଛରେ କେବଳ ନାରୀଟିଏ ଦାୟି?


ନିରୁ! ନିରୁ!....ତୋର କାମ ସରିଲା କି ନାହିଁ? ଗଲୁ ଟିକେ ଶୁଣି ଦେଇଆସିବୁ ତୋ ବାପା କାଇଂ ଡାକୁଛନ୍ତି! - ମାଆ ରୁମ ଭିତରକୁ ଆସି ମୋ ପାଖରେ ବସି ପଡି କହିଲେ । 

 

ହଁ ମାଆ! ହେଲେ ତା ଆଗରୁ ମୋତେ ଗୋଟେ କଥା କହିଲ - ତମେ ରାଗିଲେ ବାପା କେମିତି ତାଙ୍କ ଧର୍ମପତ୍ନୀଙ୍କୁ ମନେଇ ଦିଅନ୍ତି? ବାପାଙ୍କ ସାଙ୍ଗେ ତୁମର କେବେ ଝଗଡା ହେଲେ - ଜୋରରେ ଝଗଡା, ତାହେଲେ ଆଗ କିଏ ତା ଭୁଲ ମାନିଯାଏ? - ମାଆଙ୍କୁ ମଜା ମଜାରେ ଗେଲ କରି ପଚାରିଲି । 


ତୁ ଆଉ ହବୁନି ଜମା ବି!! ଗାଲେଇଟା ପୁରା । ହେଲେ ଆଜି କାହିକି ଏମିତି ପଚାରୁଚୁ!- ମାଆ ହସି ଦେଇ କହିଲେ । 


ସେଦିନ ବସରେ ଜଣେ ମାଉସୀ ଦେଖାହୋଇଥିଲେ । ମୁଁ ତାଙ୍କୁ ପଚାରିଲି- ମାଉସୀ କୁଆଡେ ଯିବ ତୁମେ?


ଆକାଶର ସ୍ୱଚ୍ଛ ରଙ୍ଗରେ ସୂର୍ଯ୍ୟଙ୍କ ‌ରୁକ୍ଷତା । ହେଲେ ବି ସହରର ସବୁ ଗଳି କନ୍ଦି କାର୍ଯ୍ୟ ତତ୍ପର । ମୁଁ ବି ତାଙ୍କମାନଙ୍କ ଭିତରୁ ଜଣେ । ମାଉସୀଙ୍କ ସାଙ୍ଗେ ସେଇ ପ୍ରଥମ ଦେଖା । ନିଳ ରଙ୍ଗର ସୁତା ଶାଢି, ହାତରେ ନାଲି ରଙ୍ଗର ପାଣି ଚୁଡି ସାଙ୍ଗକୁ ନାଲି ଶଙ୍ଖା । ମଥାରେ ସିନ୍ଦୂର ଟୋପାଟିଏ । ଗୋଟିଏ ହାତରେ ମୁଣିଟିଏ ଧରିଥାନ୍ତି, ଆର ହାତ ମୁଣ୍ଡରେ ଦେଇ ଭାବନାରେ ବୁଡି ଯାଇଛନ୍ତି । 


ମୋତେ ଶୁଣି ପାରିଲେନି ବୋଧହୁଏ ସେ । ମୁଁ ଆଉଥରେ ପଚାରିଲି- ମାଉସୀ ! ତମେ ନିଶ୍ଚେ ତମ ଘରକୁ କେତେ ଦିନ ପରେ ଫେରୁଥିବ,ତ ସେଇଥି ପାଇ ମନଟା ବ୍ୟସ୍ତ ଲାଗୁଥିବ । ଦେଖୁନ! ମୋ ମାଆ ବି ଏ ସକାଳୁ ଯାଇଛି ତାର କୋଉ ଗୋଟେ ସାଂଗ ପାଖକୁ । ଦଶ ଥର ଫୋନ କରି ପଚାରିସାଲିଲାଣି ଖାଇଲୁଣି କି ନାହିଁ, ବଜାରରୁ ଏଇ ଜିନିଷଟା ଆଣିଲୁ କି ନାହିଁ ?

ଆରେ ବାବା! ସାଂଗ ପାଖକୁ ଏତେ ଦିନରେ ଯାଇଛୁ! କଥା ସାରିକି ଫୋନ କଲେ ହବନି?!ସବୁ ମାଆ ସେମିତି ବୋଧୁଏ । ଗୋଟେ ମିନିଟରେ ଦଶ ଥର ଫୋନ କରି ସାରିଥିବେ । ସେମିତିରେ ତ ମୁଁ ମୋ ମାଆକୁ ସବୁଠୁ ବେଶି ଭଲ ପାଏ । 

ତୁମ ଘରେ ସବୁ କିଏ କିଏ ଅଛନ୍ତି, ମାଉସୀ ?


କିଛି ଉତ୍ତର ଦେଲେନି ମାଉସୀ ।  


- ମୁଁ ବି କଣ ଛାଡିବା ଜନ୍ତୁ କି! କମ୍ ସେ କମ୍ ନାଆଁଟା ତ କୁହ ! ଆଉ କିଛି ନ କହିଲେ ନାହିଁ । 


- ମୋର ପରିଚୟ ତ ମୋତେ ଅଜଣା! ଜୀବନରେ ଏତେ ବରଷ ପରେ ନିଜ ଗୋଡ କାଢିଛି ପଦାକୁ । କେଜାଣି! ଏ ପାଦ କୁଆଡେ ଟାଣିନବ ମୋତେ? ମୋ ଠିକଣା କୋଉଠି ବି ଜାଣିନି । ତୋତେ ବା କଣ ପରିଚୟ ଦେବି ?ଯାହାର ପରିଚୟରେ ମୋତେ ସବୁ ଜାଣନ୍ତି ସେ ତ କେବଳ ନିଜ କଥା ବୁଝେ । ମୋ କଥା ବୁଝିବାକୁ ତାକୁ ବା ସମୟ କୋଉଠି ! ବିବାହ ବନ୍ଧନର ତିରିଶ ବରଷର ପୂର୍ତ୍ତି !ହେଲେ ସେ ମୋ କଥା କେବେ ଶୁଣିଛି ନା ମୋ ପାଇ କେବେ କିଛି ନିଜ ମନରୁ କିଣିକି ଦେଇଛି! ତା ପରିଚୟରେ ବଞ୍ଚିବାକୁ ଚାହୁଁନି । ହେଲେ ବାଟ ବି କ'ଣ ଅଛି ଆଉ??- ମାଉସୀ ନିଜକୁ ସମ୍ଭାଳି କି କଠୋର କଣ୍ଠରେ କହିପକେଇଲେ । 


- କାହା କଥା କହୁଛ ଯେ! । ଓହୋ ମାଉସୀ !ଏତେ ବୁଲେଇ ବଙ୍କେଇ କେତେ କଣ କହି ଯାଉଛ ମୁଁ କିଛି ବି ବୁଝି ପାରୁନି । ମୋର ସେମିତିରେ ବି ସାହିତ୍ୟକୁ ପ୍ରାଣେ ଡର । ସିଧାରେ ଖାଲି ନାଆଁଟା କହିଥିଲେ ହେଇନଥାନ୍ତା! ହେଲେ ଏତିକି ବୁଝିପାରୁଛି ତମେ ମନରେ ବହୁତ ଦୁଃଖି ଅଛ । 


- ସୁଖ ଦୁଃଖ ସବୁ ତ ସମାନ ମୋ ପାଇଁ । ସୁଖ ମିଳିବ କି ଦୁଆଖ ମିଳିବ ଆଗକୁ ଜାଣିନି! ଭଗବାନ ବିଚାର କରିବେ ସେ କଣ ଲେଖିଛନ୍ତି ମୋ ଭାଗ୍ୟରେ । ମୋ ନାଆଁଟା ଜାଣିକି କ'ଣଟା ବା କରିବୁ ତୁ!


ମାଉସୀଙ୍କ କଥା ଶୁଣି ମନଟା ବିଚଳିତ ହୋଇଗଲା । ଶୁଖିଲା ମୁହଁଟା ଦେଖିଦେଲେଏମିତି ଲାଗେ ଯେମିତି ସାଙ୍ଗେ ସାଙ୍ଗେ ଯାଇ ତାଙ୍କ ଘରେ କହି ଦେଇଆସନ୍ତ କି ତାଙ୍କର ଦେଖାଶୁଣା ଠିକସେ କର ବୋଲି ! ସହାନୁଭୂତିର ହାତ ବଢେଇ ଦେଇ ମାଉସୀ ଙ୍କୁ କହିଲି - ଜମା ବି ମନ ଦୁଖ କରନି! ଜାଣିଛି ତମେ ମୋ ଠୁ ଦୁନିଆକୁ ବେଶି ଦେଖିଥିବ! ତମର ଦୁଖ କେତେ ,ତାକୁ ଫିତା ଧରିକି ହୁଏ ତ ମାପି ପାରିବିନି ! ହେଲେ ଏତିକି କହିବି ଭଗବାନ ଉପରୁ ସବୁ ଦେଖୁଛନ୍ତି! ସମୟ ସବୁବେଳେ ସମାନ ରୁହେନି! ତୁମ ସମୟ ବି ନିଶ୍ଚେ ପରିବର୍ତ୍ତନ ହେବ । ତମେ ଘରକୁ ଯାଅ ଆରାମରେ । 


ଘରକୁ?

ମାଉସୀ ଅଚାନକ ଭାବରେ ଆଖି ଦୁଇକୁ ଛଳଛଳ କରି ମନରେ ଅନେକ କଥାକୁ ଚାପି ରଖି ଆଉ କିଛି କହିଲେ ନାହିଁ । 


ଏତିକିରେ କଣ୍ଡକ୍ଟର ଭାଇ ପୋଲକୋଇ ...ପୋଲକୋଇ...ବୋଲି ଡାକ ଛାଡିଲେ । 

ମୁଁ ଏବେ ଆସୁଛି ମାଉସୀ । ମୋ ଠିକଣା ରାସ୍ତା ଆସିଗଲା । - ହସି ଦେଇ ନିରୁ କାଗଜ ଖଣ୍ଡଟେ ବଢେଇ ଦେଇ କହିଲା -

ମୁଁ ଏଇ କାଗଜରେ ମୋ ଫୋନ ନମ୍ବରଟା ଲେଖିଦେଇଛି । ଯଦି ଠିକ ଭାଵିବ ମୋତେ ଫୋନ କଲେ ଅନେକ କଥା ହେବା, ତୁମ ମନର ଉଠିଥିବା ସବୁ ଜୁଆରର ଉତ୍ତର ମିଳିଯିବ କାଳେ!


        କ୍ରମଶଃ.......!!



Rate this content
Log in