*ସ୍ମୃତି*
*ସ୍ମୃତି*
୨୦୧୩ ମସିହା ର କଥା, ସେତେବେଳେ ମୁଁ ୪ ବର୍ଷର ଥିଲି। ମାଆଙ୍କ ଶାରୀରିକ ଅସୁସ୍ଥତା ପାଇଁ ଆଈ,ବାପା ଓ ମୁଁ ଓଡ଼ିଶାର ପ୍ରସିଦ୍ଧ ଚିକିତ୍ସାଳୟ ଓଲଟପୁରରେ ଚିକିତ୍ସା ପାଇଁ ନେଇଥିଲୁ। ଚିକିତ୍ସାଳୟରେ ଗୋଟିଏ ଛୋଟ କ୍ୟାବିନ୍ ଭଡାକୁ ନେଲୁ,ସେଠାରେ ଖାଇବା ପାଇଁ ଜଣେ ଭିନ୍ନକ୍ଷମ ସହୃଦୟ ବ୍ୟକ୍ତି ଗାଡ଼ିରେ ନେଇ ସମସ୍ତଙ୍କୁ ଖାଇବାପାଇଁ ଦିଅନ୍ତି। ଯେତେବେଳେ ସେ ଆମର କ୍ୟାବିନ୍ ପାଖକୁ ଆସନ୍ତି ମୁଁ ସେହି ମଉସାଙ୍କ ସହିତ ବହୁତ କଥା ହୁଏ,ଯଦି କିଛି ଭଲ ଖାଦ୍ୟ ଆଣନ୍ତି ସେ ଆମର କ୍ୟାବିନ୍ ପାଖରେ ମତେ ଡାକି ଦିଅନ୍ତି। ସେଠାରେ ରହିବା ଓ ଭଲ ଚିକିତ୍ସା ସୁବିଧା ସୁଯୋଗ ହୋଇପାରିଥିଲା। ଏହି ସମୟରେ ମୋ ମାଆ ପାଖକୁ କିଛି ଦିନ ପାଇଁ ଆଈ ଓ କିଛି ଦିନ ପାଇଁ ସାନ ମାଉସୀ ଆସି ରହୁଥିଲେ। ମାଆଙ୍କର ଚିକିତ୍ସା ପାଇଁ ବ୍ୟାୟାମ ବିଭାଗକୁ ଆଈ ନେଇଯାଉଥିଲେ, ଏ ଆଶାରେ ଯେ - ମାଆ ସମ୍ପୂର୍ଣ୍ଣ ଠିକ୍ ହୋଇ ଚାଲିବାକୁ ଲାଗିବେ। ସେ ଦିନ ତିନି ଟାରୁ ପାଞ୍ଚଟା ପର୍ଯ୍ୟନ୍ତ କ୍ୟାବିନ୍ ରେ ତାଲା ଦେଇ ଯାଆନ୍ତି। ସେ ଭିତରେ ମୁଁ ଶୋଇଥାଏ, ମୋ ପାଖରେ ଗୋଟେ ଛୋଟ ନୋକିଆ ମୋବାଇଲ ଛାଡି ଯାଆନ୍ତି। ମୁଁ ଉଠିଲେ କଲ କରି ଆଈଙ୍କୁ ଡାକିଲେ ସେ ଆସି ମତେ ପୋଷାକ ପିନ୍ଧାଇ ମାଆଙ୍କ ପାଖକୁ ନେଇଯାଆନ୍ତି। ୨ ସପ୍ତାହ ପରେ ଆଈ ଗ୍ରାମକୁ ଚାଲିଗଲେ।ସେ ଦିନ ସନ୍ଧ୍ୟାରେ ସାନ ମାଉସୀ ଆସିଲେ ସେ ମଧ୍ୟ ମାଆଙ୍କର ଆଈ ଭଳି ଯତ୍ନ ନେଉଥିଲେ, ମତେ ବୁଲେଇବାକୁ ନେଉଥିଲେ।ସାନ ମାଉସୀ ମଧ୍ୟ ୪ ଦିନ ପରେ ଚାଲିଗଲେ। ବାପା ଆସି ଦୁଇ ଦିନ ପାଇଁ ଚିକିତ୍ସାଳୟରେ କାଗଜ କାମ କରି ଅଫିସ ଡ୍ୟୁଟି ପାଇଁ କଟକ ଚାଲିଗଲେ।
ପୁଣି ଥରେ ଆଈ ଆସି ଆମ ସହିତ ରହିଲେ। ଆଈ ମାଆଙ୍କ ଚିକିତ୍ସା କାର୍ଯ୍ୟରେ ବ୍ୟସ୍ତ ଥିଲେ। ମୁଁ ସେମାନଙ୍କୁ ଦେଖିବାକୁ ନପାଇ ଭାବିଲି ଯେ - ସେମାନେ ବାହାରକୁ ବୁଲିବା ପାଇଁ ଯାଇଛନ୍ତି। ମୁଁ ମଧ୍ୟ ବାହାରକୁ ଚାଲିଗଲି। ରାସ୍ତା ନଜାଣି ଭିନ୍ନକ୍ଷମ ମାନଙ୍କ ଜୋତା ତିଆରି ସ୍ଥାନରେ ପହଞ୍ଚିଗଲି, ସେଠାରେ ଜୋତା କେମିତି ତିଆରି କରାଯାଏ ଦେଖିବାରେ ବ୍ୟସ୍ତ ରହିଗଲି। ମାଆ ଓ ଆଈ ମତେ ନଦେଖି ବ୍ୟସ୍ତ ହୋଇଗଲେ। ଆଈ ଓ ମାଆଙ୍କ ସହିତ ରହୁଥିବା କିଛି ବ୍ୟକ୍ତି ମତେ ଖୋଜିବା ପାଇଁ ଲାଗିଲେ, କିନ୍ତୁ ମତେ କୌଣସି ସ୍ଥାନରେ କେହି ଦେଖିପାରିଲେ ନାହିଁ।
ଦୀର୍ଘ ଦୁଇ ଘଣ୍ଟା ପରେ କ୍ୟାବିନ୍ କୁ ଖାଦ୍ୟ ଦେବାକୁ ଆସୁଥିବା ସହୃଦୟ ମଉସା ଜଣଙ୍କ ଆଈଙ୍କୁ ଦେଖି କହିଲେ ଆପଣଙ୍କର ନାତୁଣୀ ଭିନ୍ନକ୍ଷମ ମାନଙ୍କ ଜୋତା ତିଆରି ସ୍ଥାନରେ ଅଛି। ସେହି ସହୃଦୟ ବ୍ୟକ୍ତିଙ୍କ ଏହି ଦୁଇପଦ କଥା ଆଈଙ୍କୁ ଆଶ୍ୱାସନା ଦେଲା। ଆଈ ଗୋଟେ ନିଶ୍ୱାସରେ ମୋ ପାଖରେ ଯାଇ ପହଁଞ୍ଚିଲେ ସେତେବେଳେ ସେଠାରେ ଥିବା ଡାକ୍ତର ଛାତ୍ରଛାତ୍ରୀ ମାନେ ଜୋତା ତିଆରି କରୁଛନ୍ତି। ମୁଁ ଗୋଟେ ଚୌକିରେ ବସି ତାହା ଦେଖୁଥିଲି ଓ ମଝିରେ ମଝିରେ ସେମାନଙ୍କ ସହିତ କଥା ହେଉଥିଲା। ଆଈ ମତେ ଦେଖି ବହୁତ ଖୁସି ହୋଇଯାଇଥିଲେ। ଭଗବାନଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଜଣାଉଥିଲେ।
ତା'ପରେ ଆଈ ମତେ ଚିକିତ୍ସାଳୟର କ୍ୟାବିନ୍ କୁ ନେଇଆସିଲେ। ଅନେକ କିଛି ଶିଖେଇଲେ,"ଯେମିତିକୌଣସି ସ୍ଥାନରେ ପିଲାଙ୍କୁ ଏକା ଦେଖିଲେ ପିଲା ଚୋର ମାନେ ନେଇଯାଆନ୍ତି"। ଘର ଲୋକଙ୍କୁ ନକହି କୌଣସି ସ୍ଥାନକୁ ଯିବା ଉଚିତ ନୁହେଁ। ମୁଁ ଆଜି ବହୁତ ବଡ଼ ହୋଇଯାଇଛି, ତଥାପି! ଆଈର ଏହି ଦୁଇ ପଦ କଥା ଆଜି ପର୍ଯ୍ୟନ୍ତ ମୋର ସ୍ମୃତି ହୋଇ ରହିଯାଇଛି। କୌଣସି ସ୍ଥାନକୁ ଗଲେ ମାଆଙ୍କୁ କହିଯାଏ ଓ ସମାନ ସମୟରେ ଘରକୁ ଫେରି ଆସେ।
