ପ୍ରିୟ ପକ୍ଷୀ
ପ୍ରିୟ ପକ୍ଷୀ
ଅନିତା ନାମକ ୧୩ ବର୍ଷୀୟା ଝିଅଟିଏ ପକ୍ଷୀକୁ ଭାରି ଭଲ ପାଏ। ସେ ସବୁବେଳେ ଛାତ ଉପରକୁ ଯାଇ ପକ୍ଷୀମାନଙ୍କୁ ଦାନା-ପାଣି ଦେଇ ସେମାନଙ୍କ ସହିତ ଖେଳେ। ଦିନେ ଅନିତା ତାହାର ଘର ମାଲିକ ଘରୁକୁ ଯାଇଥିଲା,ସେଠାରେ ତାଙ୍କ ଘରେ ଟିକି ଚଢେଇ ଦୁଇଟି ଥିଲେ। ସେମାନଙ୍କୁ ଦେଖି ଅନିତା ବହୁତ ଖୁସି ହେଲା: କିଛି ସମୟ ପକ୍ଷୀମାନଙ୍କ ସହିତ ଖେଳି ନିଜ ଘରକୁ ଫେରିଲା। ବାପାଙ୍କୁ କହିଲା,-"ମତେ ମଧ୍ୟ ପକ୍ଷୀ ଦରକାର"।
ଏହିପରି ୧୦ ରୁ ୧୫ ଦିନ କହିଲା ପରେ, ଦିନେ ସେ ତା ବାପାଙ୍କ ସହିତ ବୁଲିବାକୁ ଯିବା ସମୟରେ ସେ ପକ୍ଷୀ ଦୋକାନ ଦେଖି ବାପାଙ୍କୁ କହିଲା - "ଆଗକୁ ମୋର ଜନ୍ମ ଦିନ ଆସୁଛି ମୁଁ ପକ୍ଷୀ ନେବି"। ବାପା ତାକୁ ଦୁଇଟି ପକ୍ଷୀ କିଣି ଦେଲେ।ସେ ଖୁସି ହୋଇ ସେମାନଙ୍କ ନାମ କେଣ୍ଡି ଓ ବଡ଼ି ରଖିଲା। ସେମାନଙ୍କୁ ଠିକ୍ ସମୟରେ ଖାଇବା, ଗାଧେଇବା, ପିଞ୍ଜରା ପରିଷ୍କାର କରିବା, ସକାଳ ହେଲେ ସୂର୍ଯ୍ୟ କିରଣ ପଡିବାପାଇଁ ବାହାରେ ରଖିବା, ସନ୍ଧ୍ୟା ସମୟରେ ଛାତ ଉପରକୁ ବୁଲେଇବା ଆଦି ପକ୍ଷୀ ମାନଙ୍କର ଅନେକ କିଛି କାମ କରୁଥିଲା। ସମୟ ହେଲେ ଛୋଟ ପିଲାଙ୍କୁ ଶିଖେଇଲା ଭଳି କଥା ହେବା, ପିଞ୍ଜରାରୁ ବାହାରକୁ ଆସିବା ଭିତରକୁ ଯିବା ଏହି ସବୁ ଶିଖାଉଥିଲା। ବାହାର ଲୋକ ଅନିତାର ପକ୍ଷୀ ପ୍ରତି ଆହେତୁକ ସ୍ନେହ ଓ ପ୍ରେମ ସମ୍ପର୍କ ଦେଖି ବହୁତ ଖୁସି ହେଉଥିଲେ।
ସେଦିନ ରବିବାର ଛୁଟି ଦିନ ଥାଏ। ଅନିତା ସକାଳୁ ଉଠି ପକ୍ଷୀ ମାନଙ୍କ ସହିତ ଖେଳୁଥିଲା, ଭୁଲରେ ସେ ପିଞ୍ଜରା ଖୋଲିଦେଇ ଚାଲିଗଲା।ତାପରେ ଗାଧୋଇ ଆସିଲା ପରେ ସେ ପଙ୍ଖା ଚଲେଇଦେଲା।ପକ୍ଷୀ ମାନେ ଅନିତା ସହିତ ଖେଳିବା ପାଇଁ ବାହାରି ଆସି ପଙ୍ଖାରେ ବସି କଟିଗଲେ। ଗୋଟିଏ ମୁହୂର୍ତ୍ତରେ ଅନିତାର ଆଖି ପିଛୁଳାକେ ଦୁଇଟି ପକ୍ଷୀର ଜୀବନ ଚାଲିଗଲା।ସେ ପକ୍ଷୀ ମାନଙ୍କୁ ଧରି ବହୁତ କାନ୍ଦିଲା ।ତା'ର ବାପା ପକ୍ଷୀମାନଙ୍କୁ ନେଇ ବାହାରେ ପୋତିଦେଲେ।
ଝିଅର ଏହିଭଳି ଅବସ୍ଥା ଦେଖି ବାପା ତା'ପରଦିନ ଅନିତା ପାଇଁ ଆଉ ଦୁଇଟି ସମାନ ପକ୍ଷୀ ଆଣିଦେଲେ। ଅନିତାର ଖୁସିରେ ପାଦ ତଳେ ଲାଗୁନଥିଲା। ଏହି ପକ୍ଷୀ ମାନଙ୍କୁ ଦେଖି ପୂର୍ବ ପକ୍ଷୀମାନଙ୍କୁ ଭୁଲି ଯାଇଥିଲା ଅନିତା। ଧୀରେ ଧୀରେ ଏହି ପକ୍ଷୀମାନଙ୍କୁ ଆପଣାର କରିନେଲା। ନିଜର ଭୁଲକୁ ସୁଧାରୀ ନେଇଥିଲା, ପକ୍ଷୀମାନଙ୍କ ସହିତ ଖେଳିଲା ସମୟରେ ବାରମ୍ବାର ପିଞ୍ଜରାକୁ ନଜର କରୁଥିଲା ଓ ବନ୍ଦ କରୁଥିଲା। ନୂଆ ପକ୍ଷୀମାନଙ୍କୁ ଅନିତା ଗେଲରେ "ଲେମ୍ୱୁ" ଆଉ" ଭେଣ୍ଡି ଡାକୁଥିଲା।
