ଶ୍ରାପିତ ନଗର
ଶ୍ରାପିତ ନଗର
ବହୁଦିନ ତଳର କଥା ସେତେବେଳେ ଓଡ଼ିଶାରେ କାରୁଣ୍ଡ ମଣ୍ଡଳ ନାମକ ଏକ ଛୋଟ ନଗର ଟେ ଥିଲା। ନଗରରେ ଆଗରୁ ଯେତେ ବି ଶାସକ ଥିଲେ ସମସ୍ତଙ୍କ ସୁଶାସନ ଦ୍ଵାରା ନଗର ବାସୀ ବେଶ୍ ଆନନ୍ଦରେ ରହୁଥିଲେ। ଚାଷ ବାସ କରି ନିଜ ଉଦର ପୋଷଣ କରୁଥିଲେ। କେତେକ ବ୍ୟାପାର ବଣିଜ କରି ଜୀବିକା ନିର୍ବାହ କରୁଥିଲେ। ଏମିତି ନଗରଟି ବେଶ୍ ଉନ୍ନତି ର ପଥକୁ ଧୀରେ ଧୀରେ ଆଗେଇ ଯାଉଥିଲା। ହଠାତ୍ କେଉଁ ବୁଢ଼ୀ ଅସୁରୁଣୀ ର ନଜର ପଡ଼ିଗଲା ପରି ନଗର ଉପରେ କଳା ବାଦଳର ଛାୟା ଘେରି ଗଲା। ନଗର ଉପରେ ବିପଦ ର ଘନଘୋଟା ମାଡ଼ି ଆସିଲା। ବିପଦ ଟି କେଉଁ ପ୍ରାକୃତିକ ବିପର୍ଯ୍ୟୟ ନୁହେଁ ବରଂ ସେ ନଗରର ତତ୍କାଳୀନ ଶାସକ ଉଦିତ ପ୍ରତାପ ଦେଓ। ପିତୃ ପୁରୁଷ ମନେ ଯେଉଁ ଖ୍ୟାତି ଯଶ ଅର୍ଜନ କରିଯାଇଥିଲେ ସେଥିରେ ଉଦିତ ପ୍ରତାପ ଦେଓ ନିର୍ଯାତନା ଓ ଦୁର୍ନୀତି ରେ ପଶି ପାଣି ପକେଇ ଦେଲେ।
କଥା ଟି ଆରମ୍ଭ ହୁଏ ରାଜା ଙ୍କ ନଗର ପରିକ୍ରମା ରୁ, ଦିନେ ରାଜା ନଗର ପରିକ୍ରମାରେ ବାହାରିଥାନ୍ତି ସାଙ୍ଗରେ ଥାନ୍ତି ମନ୍ତ୍ରୀ ସେନାପତି ଓ ଅନ୍ୟାନ୍ୟ ରାଜ କର୍ମଚାରୀ। ଏମିତି ଅନେକ ସମୟ ରାଜା ନଗର ପରିକ୍ରମା କରି କରୁ ଗୋଟିଏ ଘର ପାଖରେ ଯାଇ ପହଞ୍ଚିଲେ ଦେଖିଲେ ଘରଟି ମଧୁ ମଖମଲି ରେ ସଜ୍ଜିତ ହୋଇଛି , ରାଜା ଯାଇ ସେ ଘର ବାରଣ୍ଡାରେ ଠିଆ ହେଲେ । ଯେତେବେଳେ ରାଜାଙ୍କ ଆଗମନର ଖବର ପାଇ ଘରର ସମସ୍ତ ଲୋକ ବାହାରକୁ ଆସିଲେ ସେତେବେଳେ ସେ ଘରର ନବବିବାହିତା ବଧୂ ଟିଏ ମଧ୍ୟ ଆନନ୍ଦରେ ବାହାରକୁ ଧାଇଁ ଆସିଲା। ସେତେବେଳେ ତ ନଗର ର ସମସ୍ତ ଅଧିବାସୀ ରାଜାଙ୍କୁ ଭଗବାନଙ୍କ ଠାରୁ ମଧ୍ୟ ଅଧିକ ସମ୍ମାନ ଦେଉଥିଲେ ଓ ଭଗବାନ ଙ୍କ ସରି ମଣୁଥିଲେ କିନ୍ତୁ ସେ ନିରୀହ ନଗର କେମିତି ଜାଣିବେ ଯାହାକୁ ସେମାନେ ଭଗବାନ ବୋଲି ଭାବୁଛନ୍ତି ସେ ଭଗବାନ ନୁହେଁ ବରଂ ଜଣେ ଦେହ ପିପାସୁ ରାକ୍ଷସ। ଯେତେବେଳେ ସେ ନବବଧୂ ଟି ରାଜାଙ୍କ ସମ୍ମୁଖକୁ ଧାଇଁ ଆସିଲା ରାଜା ତା ରୂପ ଓ ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇଗଲେ ଓ ନଗରକୁ ଫେରି ଆସି ରାଜା ସେ ନବବଧୂ ର ସ୍ବାମୀ କୁ ରାଜ ଦରବାର କୁ ଡକେଇ ପଠେଇଲେ । ବଧୂ ଟିର ସ୍ବାମୀ ଜଣେ ସରଳ ନିରୀହ ଚାଷୀ ଟେ ସେ କେମିତି ବା ରାଜାଙ୍କ ଛଳ ବୁଝି ପାରିଥାନ୍ତା ! ରାଜା ତାକୁ ଅର୍ଥ ର ଲୋଭ ଦେଖାଇ ନିଜ ଅଧୀନରେ ରଖିଲେ। ଏମିତି ଅନେକ ଦିନ ଚାଲିଲା ଦିନେ ରାଜା ଏକାନ୍ତ ରେ ସେ ଚାଷୀ ଟିର ଘରକୁ ଗଲେ। ସମୟ ହୋଇଥାଏ ମଧ୍ୟ ରାତ୍ରି ର ସେତେବେଳେ ସମସ୍ତେ ନିଘୋଡ଼ ନିଦ୍ରାରେ ଶୋଇଥାନ୍ତି ରାଜା ଧୀରେ ଧୀରେ ନବବଧୂ ପାଖକୁ ଯାଇ ଖରାପ ଆଚରଣ କରି ବଧୂ ଟି ସାଙ୍ଗରେ ଦୁଷ୍କର୍ମ କରି ଥିଲେ।ନବବଧୂ ଟି ସବୁ ଜାଣିପାରିଲା ଓ ଚୁପ୍ ରହିଥିଲା ପର ଦିନ ଯେତେବେଳେ ରାଜାଙ୍କ ନଗର ପରିକ୍ରମା ର ସମୟ ଆସିଲା ଓ ରାଜା ତା ଦୁଆର ମୁହଁରୁ ହାତୀ ପିଠିରେ ବସି ଯାଉଥାନ୍ତି ସେତେବେଳ ନବବଧୂ ଟି ଚିଲ୍ଲେଇ କହିଲା " ଇଏ ରାଜା ନୁହଁ , ନୁହେଁ ଇଏ ଭଗବାନ ! ଇଏ ଜଣେ ନାରୀ ପିପାସୁ ରାକ୍ଷସ।
ଏଇ ପଦ ଟି କଥା ଶୁଣି ରାଜା ରକ୍ତ ଚାଉଳ ଚୋବାଇଲେ। ନଗର ବାସୀ ଚୁପ୍ ହେଇ ସବୁ ଦେଖୁଥାନ୍ତି ହେଲେ କାହା ମୁହଁରୁ ପଦୁ ଟେ କଥା ବାହାରୁ ନଥାଏ କାରଣ ସେମାନେ ଘଟଣାଟି ଜାଣି ନଥିଲେ। ଏପଟେ ରାଜା ରାଗରେ ଲାଲ୍ ହୋଇ ଯାଇଥିଲେ କିଛି ସମୟ ନିରବ ରହିବା ପରେ ବଧୂ ଟିକୁ ଦଣ୍ଡାଧିନ ର ଆଦେଶ ଦେଲେ। ଦଣ୍ଡ ଟି ମଧ୍ୟ କଠୋରରୁ କଠୋର ଦଣ୍ଡ ଥିଲା। ବଧୂ ଟି କୁ ଏକ ଧାରୁଆ ଲୁହା ର କଣ୍ଟା ଉପରେ ବସାଇ ଦିଆ ଯାଇଥିଲା। ନଗର ବାସୀ ଏହା ଦେଖି ଭୟରେ ଆତଙ୍କିତ ହୋଇ ଯାଇଥିଲେ। ଏକ ଶାନ୍ତ ଶିଷ୍ଟ ନଗରର ଏପରି ଏକ ଅବସ୍ଥା ଆଗରୁ କେବେ ନଗର ବାସୀ ଙ୍କ ଦୃଷ୍ଟି ଗୋଚର ହୋଇନଥିଲା । ସେହି ଦିନ ଠୁଁ ନଗର ଛାଡ଼ି ଲୋକମାନେ ଅନ୍ୟତ୍ର ସ୍ଥାନାନ୍ତର ହୋଇଗଲେ ଧିରେଧିରେ ନଗର ଟି ଜନ ଶୂନ୍ୟ ହୋଇ ଯାଇଥିଲା ।