ମୋ ସୁନା କାଳିଆ
ମୋ ସୁନା କାଳିଆ
ହେଇତ ! ଆଉ କିଛି ସମୟ ପରେ ମୋ କାଳିଆ ର ରଥ ଯାତରା ଆରମ୍ଭ ହେଇଯିବ। ପହଣ୍ଡି ବିଜେ ରୁ ଆରମ୍ଭ କରି ଛେରା ପହଁରା କେତେ କଣ ବିଧି ବିଧାନରେ ମୋ କାଳିଆଟା ପରା ମାଉସୀ ଘର ଯିବ।
ହଁ! ସେ, ମୋ କାଳିଆ। ଶୁଣିଛି କୁଆଡେ ସେ କୋଟି ଅନାଥ ର ନାଥ। କିଏ ତାକୁ ଜଗନ୍ନାଥ କହେତ ପୁଣି କିଏ କଳାଠକୁର ବୋଲି କହେ। କେଜାଣି କେତେ ଲୋକ ତାକୁ ନାନା ପ୍ରକାରେ ଡାକ ପକାନ୍ତି। କେତେ ଭକତ ଗୁହାରି କରନ୍ତି। ଯାଇନି ତ କେବେ କିନ୍ତୁ ଶୁଣିଛି ଯେ ତା ଗରୁଡ ସ୍ତମ୍ଭ ନିକଟକୁ ଚାଲିଗଲେ ପରା ଆପେ ଆପେ ଆଖିରୁ ଲୋତକ ଦି ଟୋପା ଝରିପଡେ। ତା ଚକା ମୁହଁ କୁ ଦେଖିଦେଲେ ସବୁ ଦୁଃଖ କୁଆଡେ ଉଭେଇ ଯାଏ ବୋଲି ଲୋକେ କହନ୍ତି। କିନ୍ତୁ ସେ ଯେ ଭାରି କପଟିଆ ତାହା କେହି ଜାଣନ୍ତି ନାହିଁ। ତାର ସେଇ ଚକା ଆଖିରେ ବୋଧେ ସେ ମୋହିନୀ ଲଗେଇ ଥାଏ ତେଣୁ ସମସ୍ତଙ୍କ ନଜର ତାର ସେଇ ଚକା ଆଖିରେ ଲାଖି ରହିଥାଏ। କିନ୍ତୁ ସେ ଯେତେ କପଟିଆ ହେଲେ ବି ଭକତ ଜନଙ୍କ କାତର ଶୁଣେ ବୋଲି ମୁଁ ପ୍ରବୀଣ ଜନଙ୍କ ଠାରୁ ଶୁଣିଥିଲି। ସାଠିଏ ପଉଟି ଛପନ ଭୋଗ ତାର ନିତ୍ୟ ଭୋଜନ। ସେ ଛପନ ଭୋଗ ନିତି ପାଇଲେ ତୃପ୍ତ ହୁଏ। କିନ୍ତୁ ତା ସେଇ ବଡ଼ ଧାମ ରେ ପରା ଅନେକ ଭୋକିଲା ଭୋକରେ ଆଉଟୁ ପାଉଟୁ ହୁଅନ୍ତି କିନ୍ତୁ ସେ ଯେ ରଜା ପୁଅ ନା ତେଣୁ ଆନନ୍ଦରେ ଛପନ ଭୋଗ ଭୋଗ କରେ। କେହି କେହି ତାକୁ କାଳିଆ ଟା ଭାରି ଦୟାଳୁ ବୋଲି କହନ୍ତି କିନ୍ତୁ ସେ ଯେ କେତେ ନିର୍ଦ୍ଦୟ ତାହା ତାର ସେଇ ଭକତ ଜନଙ୍କୁ ପଚାରିଲେ ଜାଣିହେବ। ହଁ ଭକତ ଜନ,ପୂଜା ପାଠ ମନ୍ତ୍ର ଗୀତ ଉଚ୍ଚାରଣ କରୁଥିବା ବ୍ୟକ୍ତି କେବେ ସଚ୍ଚା ଭକତ ହୋଇନପାରେ। କାରଣ ଭକତ ଟେ ନିଜ ପ୍ରଭୁ ଙ୍କ ଉପରେ ଅଭିମାନ ନକରି ରହି ପାରେନା। କାଳିଆ ଟା ବା ଭାରି ଅଭିମାନୀ ତା ଉପରେ ଅଭିମାନ ରଖିଲେ ସେ ପୁଣି ଅଭିମାନ ରଖି ଦାଉ ସାଧେ। ସେ ତାର ସେଇ ଭକତ ମାନଙ୍କ ଉପରେ ଦାଉ ସାଧେ ଯିଏ ନିଜଠୁଁ ତା ଉପରେ ଅଧିକ ବିଶ୍ୱାସ ରଖି କର୍ମ କରୁଥାଏ। ସେଇ ଭକତ ଉପରେ ହିଁ କାଳିଆ ଟା ଅମୃତ ବଦଳରେ ବିଷ ଭରି ଦିଏ।
ଆଜି ପରା ମୋ କାଳିଆର ରଥ ଯାତରା। ଭାଇ ଭଉଣୀ ସଙ୍ଗେ ମାଉସୀ ଘରକୁ ସାତ ଦିନ ପାଇଁ ବୁଲିବାକୁ ଯିବ ପରା। କେତେ ଦରବ ଛ ଭଜା ନଅ ତିଅଣ କରି ମାଉସୀ ମାଁ ପୁଅ ଅପେକ୍ଷା ରେ ଚାହିଁ ରହିଥିବ। କେତେ ରତନେ ସଜା ହୋଇ ରଥ ଉପରେ ବିଜେ କରିଥିବ ମୋ କାଳିଆ। ଆଃ କି ମନଲୋଭା ଦୃଶ୍ୟ। ମୋର ସେଇ ଭାଗ୍ୟ ଥାଆନ୍ତା କି ମୁଁ ତା ପହଣ୍ଡି ବିଜେ ଦେଖି ପାରନ୍ତି। କାଳିଆ ରେ ଡୋରି ଟା ଲଗେଇ ଦେ ତୋ ବଡ଼ଦାଣ୍ଡ ଧୂଳି କୁ ପ୍ରତି ମୁହୁର୍ତ୍ତ ରେ ଖୋଜୁଛି। କେଜାଣି କେବେ ତାର ଡୋରି ଲାଗିବ ଆଉ ମୁଁ ପୁରୀ ଯିବି ସେଇ ଦିନ ଅପେକ୍ଷା ରେ ମୁଁ ଅପେକ୍ଷାରତ।
