Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!
Unmask a web of secrets & mystery with our new release, "The Heel" which stands at 7th place on Amazon's Hot new Releases! Grab your copy NOW!

Asutosh Jena

Others

3.8  

Asutosh Jena

Others

ରାକ୍ଷୀର ଦୁଇଟି ସ୍କେଚ୍

ରାକ୍ଷୀର ଦୁଇଟି ସ୍କେଚ୍

2 mins
109



(ଏକ)

ଚାରି ଭାଇରେ ଗୋଟିଏ ବୋଲି ଭଉଣୀ। ଝିଅଟି ଦଶମ ପଢୁଥିଲା ଆଉ ଦେଖିବାକୁ ଥିଲା ଅନିନ୍ଦ୍ୟ ସୁନ୍ଦରୀ। ସେଥିପାଇଁ ତା ମା' ମନରେ ଭାରି ଗର୍ବ। ସେ ଝିଅକୁ ବୋହୂ କରିବାକୁ ଏବେଠୁ ତା ମା' ପାଖରେ କେହି କେହି ପ୍ରସ୍ତାବଟା ପକାଉଥିଲେ। ହେଲେ ତା ମା' ଦାଣ୍ଡଘାଟ, ସାହିପଡିଶା, ପୋଖରୀ ତୁଠ ତଥା ସବୁଆଡେ ଛାତି ଫୁଲେଇ, ଫଟେଇ ହେଇ କହୁଥିଲା, - "ଏଇ ମାଷ୍ଟର, କମ୍ପାଉଣ୍ଡର, କିରାଣୀ, ପୁଲିସ୍, ଏମାନେ କ'ଣ ମୋ ଝିଅ ପାଇଁ ଯୋଗ୍ୟ ? କେତେ ଡାକ୍ତର ଆଉ ଇଞ୍ଜିନିୟର ମୋ ଦୁଆରେ ଲାଇନ୍ ଲଗେଇବେ ଦେଖିବ।"

ସେହିବର୍ଷ ରାକ୍ଷୀପୂର୍ଣ୍ଣିମାକୁ ଝିଅଟି ତା ଭାଇମାନଙ୍କ ହାତରେ ରାକ୍ଷୀ ବାନ୍ଧୁଥାଏ, ଆଉ ସେଇଠି ତା ମା' କହୁଥାଏ, "ଦେଖିବ ଇଏ ବାହାହେଲା ପରେ ପ୍ରଥମ ରାକ୍ଷୀପୂର୍ଣ୍ଣିମାରେ ସମସ୍ତଙ୍କ ହାତରେ ଗୋଟିଏ ଗୋଟିଏ ସୁନାରାକ୍ଷୀ ବାନ୍ଧିବ।"

ବର୍ଷ କେଇଟା ଭିତରେ ଗୋଟିଏ ବାଳୁଙ୍ଗା ଟୋକା ସହିତ ଘରୁ ଲୁଚି ଚାଲିଗଲା ଝିଅ। ସରିଗଲା ମା'ର ଫୁଟାଣି। ସେ ଯାହାବି ହେଉ ଉଭୟ ପକ୍ଷର ସମ୍ମତିରେ ବାହାଘରଟା ସରିଲା। ଯୌତୁକ, ଭାରବୋଝ ସବୁ ନେଲା ଝିଅ। ହେଲେ ବେରୋଜଗାରିଆ ବାଳୁଙ୍ଗାକୁ ସେ ସବୁ ଅଣ୍ଟିଲାନି, ସେଇଠୁ ଆରମ୍ଭ ହୋଇଗଲା ଅତ୍ୟାଚାର। ସେଥିପାଇଁ ଝିଅ ମଝିରେ ମଝିରେ ମାଡ ଖାଇ ବାପଘରକୁ ଆସି କିଛି ନା କିଛି ଜିନିଷ କି ଟଙ୍କା ନ ଧରିଲେ ନ ଯାଏ।

ଏଥର ପୁଣି ମାଡ ଖାଇ ଘରକୁ ଆସିଛି; କ'ଣ ନା ଏଇ ରାକ୍ଷୀପୂର୍ଣ୍ଣିମାକୁ ତା ଅବିହାଡୀ ନଣନ୍ଦ, ତା ଭାଇ ଅର୍ଥାତ୍ ସେହି ବାଳୁଙ୍ଗା ହାତରେ ପୁରା ଭରିକର ସୁନାରାକ୍ଷୀ ବାନ୍ଧିବ। ତେଣୁ ବାହାଘର ପରେ ଏହି ପ୍ରଥମ ରାକ୍ଷୀପୂର୍ଣ୍ଣିମା ପାଇଁ ଭଉଣୀଠୁ ସୁନାରାକ୍ଷୀ ପାଇବାକୁ ନୁହେଁ ବରଂ ତାକୁ ଦେବାକୁ ଚାରି ଭାଇଙ୍କ ମଧ୍ୟରେ କେତେ ଟଙ୍କା ଲେଖାଏଁ ପଡିବ ତାହା ହିସାବ କରାଯାଉଥିଲା।


(ଦୁଇ)

ପ୍ରତିବର୍ଷ ଆକାଶବାବୁଙ୍କ ଦୁଇ ପୁଅ ସନ୍ ଓ ମୁନ୍ ଙ୍କ ହାତରେ ରାକ୍ଷୀ ବାନ୍ଧେ ସେମାନଙ୍କ ଦାଦାଙ୍କ ଝିଅ ଟୁଇଙ୍କିଲ୍। ଏ ବର୍ଷ ରାକ୍ଷୀରେ ଟୁଇଙ୍କିଲ୍ ତା ମାମୁଁଘରେ, ସେଥିପାଇଁ ସେ ଦୁହିଁଙ୍କ ମନ ଭାରି ଦୁଃଖ। ଟୁଇଙ୍କିଲ୍ ବ୍ୟତୀତ ସେମାନଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ଏଠାରେ ସେମିତି କେହି ନାହାନ୍ତି। ଟୁଇଙ୍କିଲ୍ ରହିପାରିବନି ବୋଲି ଯଦିଓ ଆଗତୁରା ରାକ୍ଷୀ ଦୁଇଟି ଦେଇ ଯାଇଥିଲା, ସେ ଦୁହେଁ ରାକ୍ଷୀପୂର୍ଣ୍ଣିମା ଦିନ ପିନ୍ଧିପାରିବେ ବୋଲି, ହେଲେ ବି ସେମାନଙ୍କର ମନ ବୁଝୁନଥିଲା। ସେ ଦୁହେଁ ବାପାମାଆଙ୍କ ପାଖେ ଅଳି କରି କହୁଥିଲେ, -"ଏବେ ଆମ ହାତରେ କିଏ ରାକ୍ଷୀ ବାନ୍ଧିବ ? ଆମର କାହିଁକି ଭଉଣୀ ନାହିଁ ? ଆମକୁ ଏବେ ଟୁଇଙ୍କିଲ୍ ପାଖକୁ ନେଇ ଚାଲ।"

ପତ୍ନୀ ପୂର୍ଣ୍ଣିମା କହୁଥିଲେ, - "ସେମାନଙ୍କୁ ବୁଝାଅ, ନ ହେଲେ ଏଠୁ ଦୁଇଶହ କିଲୋମିଟର ଟୁଇଙ୍କିଲ୍ ମାମୁଁଘରକୁ ନେଇଯାଅ। ଆରେ ତମର ତ ଖାଲି ପୁଅ ଦରକାର ଥିଲା ନା ! ଏଇ ଦେଖୁନ, ସାହୁବାବୁଙ୍କର ଦି' ଝିଅ। ଜଣେ ଝିଅ ଓ ଜ୍ବାଇଁ ସାହୁବାବୁଙ୍କ ସହିତ ରହୁଛନ୍ତି, ଆଉଜଣେ ଝିଅ, ଜ୍ବାଇଁଙ୍କ ସହିତ ପ୍ରାୟତଃ ଆସି ତାଙ୍କୁ ଦେଖାଶୁଣା କରୁଛି। ଆଉ ରାମବାବୁଙ୍କ ତିନି ପୁଅ ! ଏବେ ଯେଝା ସ୍ତ୍ରୀ ପିଲା ନେଇ ବାହାରେ, ନା ଆସିବାର ନାଁ ଧରୁଛନ୍ତି ନା ପଚାରୁଛନ୍ତି ବୁଢ଼ାବୁଢ଼ୀ ଦି'ଟାକୁ।"

ଆକାଶବାବୁଙ୍କ ଆଖି ଲୁହରେ ବତୁରୁଥିଲା। ସାନପୁଅ ମୁନ୍ ପେଟରେ ଥିଲା ବେଳେ ଶହେ ମନ୍ଦିର ଯାଇଛନ୍ତି ହଜାରେ ପୂଜା, ଲକ୍ଷେ ମାନସିକ କରି ଭଗବାନଙ୍କୁ ଏଇ ଗର୍ଭରେ ଝିଅଟିଏ ମାଗିଛନ୍ତି; ହେଲେ ପୁଣି ପୁଅଟିଏ ଦେଇଛନ୍ତି ଭଗବାନ। କ'ଣ ଆଉ କରିଥାନ୍ତେ ! ‌ଯାଚିଥିବା ଜିନିଷକୁ ଯଦି ଗୋଇଠା ମିଳେ ତେବେ ! ଠିକ୍ ସେୟା ତ କଲେ ଭଗବାନ।‌ ପୂର୍ଣ୍ଣିମାର ପ୍ରଥମ ଗର୍ଭରେ ଆକାଶବାବୁଙ୍କୁ ଝିଅଟିଏ ଯାଚିଥିଲେ ଭଗବାନ।‌ ହେଲେ ଆକାଶବାବୁ........!‌ (ପୂର୍ଣ୍ଣିମାର ଅନିଚ୍ଛା ସତ୍ତ୍ବେ ପରିଚିତ ଏକ ନର୍ସିଂହୋମରେ‌ ମୋଟା ଅର୍ଥ ଦେଇ ବେଆଇନ ଭାବେ ଗର୍ଭସ୍ଥ ଶିଶୁର ଲିଙ୍ଗ ନିରୂପଣ କରି କନ୍ୟାଭ୍ରୂଣ ହତ୍ୟା ପରି ଏକ ଜଘନ୍ୟ ଅପରାଧ ହିଁ କଲେ।) 



Rate this content
Log in