Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!
Unveiling the Enchanting Journey of a 14-Year-Old & Discover Life's Secrets Through 'My Slice of Life'. Grab it NOW!!

Asutosh Jena

Others

2.6  

Asutosh Jena

Others

ବନ୍ଦେ..... ବୁନ୍ଦିଆ ଦେ

ବନ୍ଦେ..... ବୁନ୍ଦିଆ ଦେ

2 mins
291


ସ୍ୱାଧୀନତା ଦିବସରେ ପ୍ରଭାତଫେରି କରୁଥିବା ହରିପୁର ଶାସନ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗଠିତ ଦୁଇଟି ଲମ୍ବା ଧାଡ଼ିରୁ ଗୋଟିଏ ଅଟକି ରହିଲା ଶାସନ ଗାଁ ଆସିବା ଆଗରୁ। ଏ ଧାଡ଼ିରେ ଥିଲେ ନିକଟ ହରିଜନ ସାହିର ପିଲାମାନେ, ଯେଉଁମାନଙ୍କ ବାପା, ଗୋସାଇଁ ବାପା, ପଣଗୋସାଇଁ ବାପାଙ୍କ ଅମଳରୁ ବି କାହା ପାଦ ପଡିନି ଏ ଶାସନ ଗାଁ ଭିତରେ। ଆର ଧାଡ଼ିର ଗାଁ ବୁଲା ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଏମାନେ। ପତାକା ଉତ୍ତୋଳନ ବେଳେ ବିଶେଷ କରି ଏହି ପିଲାଙ୍କ କରତାଳିରେ ଫାଟି ପଡୁଥିଲା ବିଦ୍ୟାଳୟ ହତା ଆଉ ଏମାନେ ଆନନ୍ଦ ମନରେ ଉଚ୍ଚ ସ୍ୱରରେ ଗାଇ ଚାଲିଥିଲେ ଜାତୀୟ ସଙ୍ଗୀତ ଓ ଝଣ୍ଡା ସଙ୍ଗୀତ।

ବିଦ୍ୟାଳୟରେ ବିଭିନ୍ନ ପ୍ରତିଯୋଗିତା ଆରମ୍ଭ ହେବା ଆଗରୁ ଛାତ୍ରଛାତ୍ରୀମାନେ ଦୌଡ଼ି ଯାଆନ୍ତି ସାମ୍ନାରେ ଥିବା ଠାକୁରାଣୀ ମନ୍ଦିରକୁ, ହେଲେ ଏମାନଙ୍କର କେବଳ ଏ ମନ୍ଦିର କାହିଁକି ପଞ୍ଚାୟତର ସବୁ ମନ୍ଦିର ଭିତରକୁ ପ୍ରବେଶ ନିଷେଧ; ତା'ସାଙ୍ଗକୁ ଏମାନେ କେହି ବି ତ ପ୍ରତିଯୋଗୀ ନୁହନ୍ତି। କାରଣ ଏମାନଙ୍କ ପୂର୍ବପୁରୁଷରୁ ଏ ଶାସନ ବ୍ରାହ୍ମଣଙ୍କ ସହ ତାଳ ଦେଇ ଚାଲିବାକୁ କେହି ବି ସାହସ କରିନାହାନ୍ତି ଏଯାଏଁ, ଆଉ ତାଙ୍କ ସହ ପ୍ରତିଯୋଗିତା ତ ସାତସପନ।

ଚଟ ହାଡି ପୁଅ କୁଳିଆ ନିତି ସଞ୍ଜ ନଇଁବା ଆଗରୁ ତାଙ୍କ ସାହିରେ କାହାର ଧରା ଦେଉନଥିବା ଗଞ୍ଜା, କୁକୁଡ଼ା, ଛେଳି ଓ ଘୁଷୁରିମାନଙ୍କୁ ଗୋଡାଇ ଗୋଡାଇ କାବୁ କରେ, ରାତିରେ ଗୃହପାଳିତ ପଶୁପକ୍ଷୀଙ୍କୁ ଖାଇବା ପାଇଁ ଆସୁଥିବା ବିଲୁଆ, ବଣଭୁଆ, ଶାଳିଆପତନିକୁ ଅଢେଇ କିଆରି ଯାଏ ଘଉଡାଇ ନିଏ; ହେଲେ ତାକୁ ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାର ସୁଯୋଗ ମିଳେନି। ପୋଖରୀରେ ପହଁରି ପହଁରି ବତକ ଓ ପାଣିକୁଆକୁ ହଇରାଣ କରୁଥିବା ଶାମ ନାହକ ଝିଅ ନିତୁକୁ ବି ମିଳେନି ସନ୍ତରଣରେ ପ୍ରତିଯୋଗୀ ହେବାର ସୌଭାଗ୍ୟ। ସେଥିପାଇଁ ଦୌଡ଼ରେ ପ୍ରଥମ ହୁଏ ଦଶ ମୌଜାରେ ଦି'ନାଁ ଥିବା କରବାବୁଙ୍କ ପୋର୍ଟେବୁଲ୍ ହାତୀ ପରି ଦିଶୁଥିବା ପୁଅ। ନିକଟ ଅତୀତରେ ପୋଖରୀରେ ଗାଧୋଇଲା ବେଳେ ଅସାବଧାନତା ଯୋଗୁଁ ପୋଖରୀପାଣି ପିଇ ଅଳ୍ପକେ ବର୍ତ୍ତିଯାଇଥିବା ଓକିଲ ମିଶ୍ରବାବୁଙ୍କ ପୁଅ ପ୍ରଥମ ହୁଏ ସନ୍ତରଣରେ । ଅଣ୍ଟା ବୁଲୁ ନଥିବା ପଣ୍ଡିତ ସାରଙ୍କ ଝିଅ ନୃତ୍ୟରେ ଅଧିକାର କରେ ପ୍ରଥମ ସ୍ଥାନ । ବକୃତାରେ ପ୍ରଥମ ହୁଏ ଇଂରାଜୀ ଅଧ୍ୟାପକ ଦାଶସାରଙ୍କ ଖନା ପୁଅ ଆଉ ରାଜନୀତିଆ ପୂର୍ଣ୍ଣ ପଣ୍ଡା ଝିଅର କର୍କଶ କଣ୍ଠସ୍ୱରକୁ ମିଳେ ସଙ୍ଗୀତର ପ୍ରଥମ ପୁରସ୍କାର । ମାଙ୍କଡ କଣ୍ଠରେ ପଡେ ମୁକ୍ତାମାଳ । ସ୍ୱାଧୀନତା ଦିବସରେ ହିଁ ପରାଧିନତାର କରାଳ ଗର୍ଭରେ ବିଲୀନ ହୋଇଯାଏ ଏହି ପଛୁଆବର୍ଗ ପିଲାମାନଙ୍କ ଈଶ୍ୱରଦତ୍ତ ସ୍ୱତନ୍ତ୍ର ପ୍ରତିଭା।

ସ୍ୱାଧୀନତା ଦିବସର ଇତିହାସ, ବର୍ତ୍ତମାନ ଓ ଭବିଷ୍ୟତକୁ ନେଇ ଅତିଥିମାନେ ଦିଅନ୍ତି ନିଜ ନିଜର ଚିନ୍ତାଗର୍ଭକ ଲମ୍ବା ଲମ୍ବା ଭାଷଣ ହେଲେ ଦୀର୍ଘ ସତୁରୀରୁ ଊର୍ଦ୍ଧ୍ୱ ବର୍ଷ ଧରି ସ୍ୱାଧୀନତାର ଡେଙ୍ଗୁରା ପିଟୁଥିବା ହରିପୁର ଶାସନ ବାସିନ୍ଦା ରୂପୀ ଇଂରେଜମାନଙ୍କ ଅଧୀନରେ ନିଜର (ଅତୀତ), ବର୍ତ୍ତମାନ ଓ ଭବିଷ୍ୟତ ବନ୍ଧା ପଡ଼ିଥିବା ଏ ହରିଜନ ସାହିର କୁନି କୁନି ପିଲାମାନେ ମାରନ୍ତି ଲମ୍ବା କରତାଳି। ଶେଷରେ ପୁରସ୍କାର ବିତରଣ ଉତ୍ସବ। ପ୍ରତିଭାବିହୀନ ଗୋରା ଗୋରା ପିଲାମାନଙ୍କୁ ମଞ୍ଚ ଉପରେ ମିଳେ ନିମନ୍ତ୍ରିତ ଅତିଥିମାନଙ୍କ ଠାରୁ ଆକର୍ଷଣୀୟ ପୁରସ୍କାର ହେଲେ ମଞ୍ଚ ତଳେ ଅଲଗା ବସିରହି ପୁରସ୍କୃତ ସହପାଠୀଙ୍କୁ ତାଳି ମାରି ସ୍ୱାଗତ ଜଣାନ୍ତି ପ୍ରତିଭାଧାରୀ ଏହି କୁନି କୁନି ନୁଖୁରୀମୁଣ୍ଡି, ଝାମ୍ପୁରାମୁଣ୍ଡିଆ କଳା ସାବନା ବର୍ଣ୍ଣର ପିଲାଗୁଡାକ।

ଅତଏବ ଏମାନଙ୍କ ପାଇଁ ସ୍ୱାଧୀନତା ଦିବସର ମାନେ, ବଡ଼ି ଭୋରରୁ ଉଠି, ପୋଖରୀ ପାଣିରେ ବୁଡି, ଚିରା ଫଟା ମଇଳିଆ ସର୍ବଶିକ୍ଷା ଅଭିଯାନ ପୋଷାକ ପିନ୍ଧି, କାଲିଠୁ ନିଟୁଆ ଦୋକାନରୁ କିଣି ରଖିଥିବା ତ୍ରିରଙ୍ଗା ପତାକା ନେଇ, ରାସ୍ତାସାରା ସ୍ୱାଧୀନତାର ସ୍ଳୋଗାନ ରଡି ଛାଡ଼ି ଛାଡ଼ି, ଶିକ୍ଷକ ଓ ଅତିଥିମାନଙ୍କ ପାଇଁ ଚେୟାର ଟେବୁଲ୍ ବୋହି ବୋହି, ପର ପାଇଁ ତାଳି ମାରି ମାରି ଶେଷରେ ନିଜକୁ ବା ମିଳେ କ'ଣ ! କୁନି କୁନି ହାତ ପାପୁଲିରେ ମୁଠାଏ ବୁନ୍ଦିଆ। ତେଣୁ ସ୍ୱାଧୀନତାର ମାନେ ଏମାନଙ୍କ ପାଇଁ ତ "ବନ୍ଦେ.... ବୁନ୍ଦିଆ ଦେ।"



Rate this content
Log in