Prangyalin Sahoo

Children Stories Tragedy

2  

Prangyalin Sahoo

Children Stories Tragedy

ପ୍ରଥମ ଚିଠି

ପ୍ରଥମ ଚିଠି

3 mins
6



   ଚିଠି କାଗଜର ଏକ ଟୁକୁଡା ଯିଏ କି ନିର୍ଜୀବ, କିନ୍ତୁ ଯେତେବେଳେ ସିଏ କାହାର ପରଶେ ଆସେ ସତେ ଯେପରି ଚିଠି ସର୍ଜୀବ ବା ଜୀବନ୍ତ ହୋଇଉଠେ, ଯେମିତି କି ଚିଠି ସାଙ୍ଗେ ସାଙ୍ଗେ ଜନ୍ମ ନେଇଛି ଆଉ ତାର ଚାରିପାଖରେ ନିଜସ୍ୱର ଲୋକ ତାକୁ ଘେରି ହୋଇ ରହିଛନ୍ତି ।ସେଇ ଚାରିପାଖର ଲୋକଙ୍କ ଖୁସି ଦେଖି ଚିଠି ଜିଦି ଧରୁଛି ତାକୁ ରାଣୀ କରି ଗଢ଼ଣରେ (ଫ୍ରେମ )ସଜେଇ ଘରେ ରଖି ବାକୁ ।ନ ହେଲେ ବେଳେ ବେଳେ ଚାରିପାଖର ଲୋକଙ୍କ ଦୁଃଖ ଦେଖି ଚିଠି ସେମାନଙ୍କ ଲୁହରେ ନିଜସ୍ୱକୁ ଖଣ୍ଡ ବିଖଣ୍ଡିତ କରି ଯନ୍ତ୍ରଣାରେ ଛଟପଟ ହୋଇ ନିଜକୁ ଶେଷ କରିନିଏ ।


ସେମିତି ଏକ ଚିଠି ଆଣି ଡାକଵାଲା ଡାକ ଛାଡ଼ିଛି ହଇଓ ଗୋଲେଖ ବାବୁ ଘରେ ଅଛ କି ଚିଠି ଆସିଛି ତୁମର? ସୋନି ମାନେ ଗୋଲେଖ ବାବୁଙ୍କ ଝିଅ ଘର ଭିତରେ ଥିଲା ଯେମିତି ଶୁଣିଛି ଡାକଵାଲା ର ଘଣ୍ଟି ଆଉ ପାଟି ଶବ୍ଦ.. ସେମିତି ସାଙ୍ଗେ ସାଙ୍ଗେ ଦୌଡ଼ି ଆସିଲା ଦାଣ୍ଡକୁ, ଆଉ ଡାକଵାଲା କୁ ପଚାରିଲା ଡାକ ମଉସା ଚିଠି କିଏ ମୋ ବୋଉ ପଠାଇଛି? ଡାକ ମଉସାକୁ ତ ସବୁବେଳେ ସେ ଏମିତି ପଚାରେ ଏବଂ ଡାକ ମଉସା ବି ସବୁ ତା ବିଷୟରେ ଜାଣନ୍ତି, କହିଲେ ନା ରେ ସୋନି ଏ ଚିଠିଟା ତୋ ବାପାଙ୍କର ।ସୋନି ମନ ଦୁଃଖ କରି ଚିଠି ନେଇ ଘର ଭିତରକୁ ଗଲା ।ଆଉ ବାପାଙ୍କୁ ଚିଠି ଦେଇ ନିଜ କୋଠରୀ ଭିତରକୁ ପ୍ରବେଶ କଲା।


କୋଠରୀ ଭିତରେ ବୋଉ ଛବି ପାଖରେ ବସି ଗୋଟେ କାଗଜ ଆଉ କଲମ ଧରି ପ୍ରଥମ ଥର ଲାଗି ନିଜେ ଚିଠି ଲେଖିବସିଲା , ବୋଉ ମୁଁ ଦେଖିଛି କେତେ ଚିଠି ଜେଜେ ମାଆ ଲେଖି ଡାକ ମଉସାଙ୍କ ହାତରେ ତୋ ପାଖକୁ ପଠେଇଛନ୍ତି , କିନ୍ତୁ ତୋ ଉତ୍ତର ଚିଠି ଡାକ ମଉସା କେବେ ଜେଜେ ମାଆ ଙ୍କୁ ଦେଇ ନାହଁନ୍ତି।ବୋଉ ତୋର କଣ ମୋ କଥା ମନେ ପଡୁନି, ତୁ କାହିଁ ଚିଠି ପଠାଉନାଂହୁ ।ସେଥିଲାଗି ମୁଁ ଅଭିମାନରେ ଜେଜେ ମାଆକୁ କହିଲି ଜେଜେ ମାଆ ତୁ ଆଉ ଚିଠି ଲେଖେନି, ଏତେ ଚିଠି ପରେ ଯଦି ବୋଉର ମୋ କଥା ମନେପଡ଼ୁନି, ତା ହେଲେ ମୁଁ କାହିଁକି ତାକୁ ମନେ ପକାଇବି । ହେଲେ ବୋଉ ଆଜି ଯେତେବେଳେ ଡାକମଉସାଙ୍କ ଡାକ ଶୁଣିଲି, ଭାବିଲି ବୋଧ ହୁଏ ତୁ ଚିଠି ପଠାଇଛୁ , କିନ୍ତୁ ଦେଖିଲା ବେଳକୁ ବାପାଙ୍କ ଅଫିସ ଚିଠି ।ମୁଁ ବି କେଡେ ବୋକୀ କହୁନୁ ବୋଉ, ମୁଁ ତ ହିଁ ମନା କରିଛି ଜେଜେ ମାଆ କୁ ଚିଠି ଲେଖିବାକୁ , ତୁ କେମିତି ଜାଣିବୁ ଯେ ମୋର ବିବାଘର ଠିକ ହୋଇଛି ବୋଲି.. ଆଉ ବିବାହ ଲାଗି ବି ସାତ ଦିନ ଅଛି ବୋଲି ।


ବୋଉ ତୁ ତ ଜାଣୁ ମାଆ ଯିଏ ସନ୍ତାନ ମୁହଁ ଦେଖିଲେ ବୁଝିଯିବ ତା ହୃଦୟର ସବୁ ଦ୍ଵନ୍ଦ,କଷ୍ଟ, ସେମିତି ଆଉ କେହି ବୁଝି ପାରିବେନି ।ହଁ ମନା କରୁନି ବାପା ମୋତେ କୌଣସି କ୍ଷେତ୍ରରେ ଅଭାବ କରିଛନ୍ତି, କିନ୍ତୁ ତୁ ତ ସିଏ ଯିଏ ମୁଁ ପୃଥିବୀ ପୃଷ୍ଠକୁ ଆସିବା ପୂର୍ବରୁ ମୋର ନ କହିବା କଥାକୁ ବୁଝି ଯାଉଥିଲୁ ।ବୋଉ ଜାଣିଛୁ ଯେବେ ଛୋଟ ବେଳେ ମୁଁ ତୋ କଥା ବାପାଙ୍କୁ ପଚାରେ , ତେବେ ବାପା କୁହନ୍ତି ବୋଉ ଜହ୍ନ ମାମୁଁ ଘରକୁ ଯାଇଛି...ଏଇ ଦେଖ ତୋ ବୋଉ ସେ ତାରା ମାନଙ୍କ ସହ ଗପର ପସରା ଖୋଲି ବସିଛି ।ମୁଁ ତୋତେ ବହୁତ ଡାକେ ତୁ କିନ୍ତୁ କିଛି ଉତ୍ତର ଦିଅଉନାହିଁ, ମୁଁ ଯେମିତି କାନ୍ଦେ ବାପା କୁହନ୍ତି ଜହ୍ନ ମାମୁଁ ଘର ଏଠୁ ବହୁତ ଦୂର.. ତେଣୁ ତୋ ଡାକ ବୋଉକୁ ଶୁଭାଯାଉନି । ଯେମିତି ଶୁଣିଲି ଦୂର ଜାଗା, ସେବେଠୁ ବୋଉ ତୋ ପାଖକୁ ମୁଁ ଜିଦି ଧରିଲି ଜେଜେ ମାଆ ପାଖରେ ତୋତେ ଚିଠି ଲେଖିବାକୁ.. କାରଣ ମୁଁ ଦେଖିଛି ଜେଜେ ବାପା ଦୂରରେ ରୁହନ୍ତି ବୋଲି ଜେଜେ ମାଆ ଚିଠିରେ ସବୁ କଥା ଲେଖି ଡାକଵାଲା ହାତରେ ପଠାନ୍ତି ଆଉ ଜେଜେ ବାପା ବି ଜେଜେ ମାଆ ଚିଠିର ଉତ୍ତର ଚିଠି ମାଧ୍ୟମରେ ଦିଅନ୍ତି , କିନ୍ତୁ ତୋର କିଛି ଉତ୍ତର ଆସେନି ଚିଠିରେ ଥିବା ପ୍ରଶ୍ନର ।


    ବୋଉ ଏବେ କିନ୍ତୁ ମୁଁ ବଡ ହୋଇଗଲେଣି .. ଜହ୍ନ ମାମୁଁ ଘର କୋଉଠି.. ସେ ଠିକଣା ବିଷୟରେ ବି ଅବଗତ ହେଲେଣି, ତେଣୁ ତୋ ଚିଠି ଉତ୍ତର ନ ଆସିଲେ ମୁଁ ଆଉ କାନ୍ଦୁନି ।ବୋଉ ଛୋଟ ବେଳୁ ଶୁଣିଛି ଜେଜେ ମାଆ କୁହନ୍ତି ମାଆ ତା ସନ୍ତାନ ଲାଗି ସବୁବେଳେ ଜୀବନ୍ତ... ସିଏ ଚିର ଅମର... ଯଦି ସନ୍ତାନର କେବେ ବିପଦ ଦେଖେ ସେ ମୃତ୍ୟୁକୁ ବି ପରାଜିତ କରି ତା ସନ୍ତାନକୁ ରକ୍ଷା କରେ ।


  ତେଣୁ ମୋ ଅମାନିଆ ମନର ବି ଜେଜେ ମାଆ କଥାକୁ ବିଶ୍ୱାସ, ସେଥିଲାଗି ସେଇ ମୋ ଅମାନିଆ ମନର ବି ଗୋଟେ ଆଶା ଏବଂ ବିଶ୍ୱାସ ତୁ ମୋ ଲାଗି ଆଜି ବି ଜୀବନ୍ତ ଅଛୁ ଆଉ ମୋ ହାତ ଲେଖା ପ୍ରଥମ ଚିଠିର ଉତ୍ତର ବି ତୁ ନିଶ୍ଚୟ ପଠାଇବୁ ।ବୋଉ ସାତ ଦିନ ପରେ ମୋର ବିବାଘର, ବିବାଘର ପରେ ମୁଁ ବି ମାଆ ହେବି.. ତେଣୁ ମୁଁ ଚାହୁଁଛି ଝିପି ଝିପି ବର୍ଷା ବିନ୍ଦୁ ହୋଇ ତୁ ପ୍ରଥମ ଦୁବ ଚାଉଳ ତୋ ହାତରେ ମୋ ମଥା ଉପରେ ପକାଇ ବିଜୁଳିର ଆଲୁଅରେ ବନ୍ଦାଣ କରି ମୋତେ ଆଶୀର୍ବାଦ କରିବୁ ଯେମିତି ମୋ ସନ୍ତାନ କେବେ ତା ମାଆ କୁ ଏମିତି ଚିଠି ନ ଲେଖିବ ।


ବୋଉ ତୁ ଏ ଚିଠିର ଉତ୍ତର ନିଶ୍ଚୟ ଦେବୁ... ଆହୁରି କେତେ କଥା ଅଛି ତୋତେ ଜଣାଇବାକୁ, ହେଲେ ମନର କୋହ ବୋଲ ମାନୁନି ଲୁହ ହୋଇ କାଗଜଟି ଭିଜାଇ ଦେଲାଣି ଆଉ ସେଇ ଲୁହ ବିନ୍ଦୁରେ ବି ଆଖିଟା ଝାପସା ଦେଖାଯାଉଛି, ତେଣୁ ବୋଉ ମୁଁ ମୋ ଚିଠିର ଉତ୍ତରକୁ ଅପେକ୍ଷା କରି ଏତିକିରେ ରହୁଛି ।

ଇତି,

              ତୋର ଅତି ଆପଣାର ଝିଅ ସୋନି



Rate this content
Log in