shiva shankar patra

Children Stories Romance Inspirational

4  

shiva shankar patra

Children Stories Romance Inspirational

ପ୍ରଥମ ଚିଠି

ପ୍ରଥମ ଚିଠି

5 mins
187



ମୋର ଶୁଭେଚ୍ଛା ନେବ | ଆଜି ତୁମ ପାଖକୁ ମୋର ପ୍ରଥମ ଚିଠି, ଜାଣେନା ଚିଠିର କଳେବର କେତେ ହେବ | ବହୁତ କଥା କହିବାକୁ ଇଚ୍ଛା ହୁଏ ହେଲେ କହି ହୁଏନା |କାରଣ ମନର ଭାବ ବ୍ୟକ୍ତ କରିବାକୁ ମଣିଷ ପ୍ରାକ କାଳରୁ ଅଦ୍ୟାବଧି ଯେତେ ମାଧ୍ୟମ ସୃଷ୍ଟି କରିଛି ସବୁ ଅସମର୍ଥ ମଣିଷର ଭାବକୁ ବ୍ୟକ୍ତ କରିବାକୁ | ତେଣୁ ଆମରି ଭିତରେ ହିଁ, ପ୍ରତି ମୁହୁର୍ତ୍ତରେ ଶବ୍ଦ ଶବ୍ଦ ଭିତରେ ବ୍ୟତିକ୍ରମ ସୃଷ୍ଟି ହୁଏ |ପାନରୁ ଚୂନ ଖସିଲେ ଆମେ ଦୂରେଇ ଯାଉ | ଠିକ ସେମିତି ତମ ଘର ଠାରୁ ସେ ଦିନ ଆସିବା ପରେ ଦୀର୍ଘ ଦୁଇ ଘଣ୍ଟା ବସକୁ ଅପେକ୍ଷା କରିବାକୁ ପଡ଼ିଲା | ଘଡଘଡି ସହ ବିଜୁଳି ରାତିରେ ସମ୍ପୂର୍ଣ୍ଣ ଓଦା ହୋଇଯାଇଥିଲି ବର୍ଷାରେ | ଥଣ୍ଡା ଯୋଗୁଁ ଦେହରେ ଜ୍ୱର ଆସିଯାଇଥିଲା | ଷ୍ଟେସନ ପହଞ୍ଚୁ ପହଞ୍ଚୁ ଜ୍ୱର ବଢ଼ିବାରେ ଲାଗିଲା | ବ୍ୟତିବ୍ୟସ୍ତ ହୋଇ ପଡ଼ି ଥିଲି ମୁଁ କେମିତି ଅସୁସ୍ଥ ଦେହରେ ଘରେ ପହଂଚିବି |ଠିକ ସମୟରେ ମୁଁ ସେ ଦିନ ପହଞ୍ଚିଲି | ଏବେ ଟିକେ ସୁସ୍ଥ ଲାଗୁଛି ତଥାପି ମନର ଯନ୍ତ୍ରଣା କାହିଁକି ଏ ଯାଏଁ ଯାଇନି | ତୁମ ସହ କଥା ହେଇଥିବା କିଛି ମୁହୂର୍ତ୍ତ ମନେ ପକାଇ ବଞ୍ଚି ରହିଛି | କିଏ ଅଛି ମୋ କଥା ବୁଝିବ ! ମୋ ମନର ନିରବ ଭାଷାକୁ କିଏ ଅତି ସହଜରେ ପଢ଼ି ପାରିବ ! ପାଖରେ କିଏ ଅଛି ଯେ ସେବା କରିବ !


    ଏବେ ତୁମ ମୋ ଭିତରେ ଦୂରତ୍ବର ବ୍ୟବଧାନ ବହୁତ | ଜାଣେନା ତମେ କଣ କରୁଥିବ? ତମେ ଏବେ ବାନ୍ଧବୀମାନଙ୍କ ଗହଳି ଭିତରେ ଆଉ ମୁଁ ମୋ ବନ୍ଧୁ ମାନଙ୍କ ଭିତରେ ତଥାପି ତୁମେ ମୋ କଥା ଓ ମୁଁ ତୁମ କଥା ଭାବୁଥିବା | ଏଇ କେତେ ଦିନ ହେଲା କାହିଁକି ତୁମ କଥା ମୋର ବେଶୀ ମନେ ପଡ଼େ | ଖାଇବା ବେଳେ, ଏକୁଟିଆ ଚିନ୍ତା କରିବା ବେଳେ, ରାସ୍ତାରେ ଝିଅ ଟିଏ ଦେଖିଲେ, ଅଫିସରେ ପଢ଼ିଲା ବେଳେ ଏବଂ ସର୍ବୋପରି ବିଛଣାରେ 

ଏକୁଟିଆ କରମୋଡ଼ିଲା ବେଳେ |ତମର କଣ ଏମିତି ମନେ ପଡ଼ୁ ନ ଥିବ ! ତମେ କଣ ସଫଳ ସ୍ବପ୍ନ ଦେଖିଛ ! ଯେଉଁ ସ୍ୱପ୍ନ ଦେଖନ୍ତି ତାର ଭାଙ୍ଗି ଭାଙ୍ଗି ଏବଂ ରାତି ପାହିଲେ ସବୁ ଉଡ଼ି ଯାନ୍ତି | ଦୁଃଖ ଯନ୍ତ୍ରଣାରେ ସମୟ ଚାଲିଯାଏ | ମୋର ଆତ୍ମ ପୁରୁଷ ତୁମକୁ ନେଇ ମୁଁ ବି ସ୍ବପ୍ନ ଦେଖିଥିଲି | ଏକ ବିରାଟ ସ୍ବପ୍ନ | ତୁମେ ସବୁବେଳେ ମୋର ପାଖେ ପାଖେ ଥାନ୍ତ | ସକାଳ ଠାରୁ ରାତି ପର୍ଯ୍ୟନ୍ତ | ସକାଳ ନିଦରୁ ମତେ ଡାକି ଟିକେ ହାଲୁକା ହସି ମତେ ଚାହା କପ ଟିକୁ ମୋ ହାତକୁ ବଢ଼େଇ ଦିଅନ୍ତ |ଅଫିସକୁ ଯିବା ବେଳେ ମତେ ଖୁଆଇ ପିଆଇ ମୋ ବେଶ ପୋଷାକ କରି ସଜେଇ ଦିଅନ୍ତ | ବାଇକ ନେଇ ବାହାରିଲା ବେଳେ ମତେ ହଲେଇ ହସି ଦିଅନ୍ତ | ଚାରିଟା ବାଜିଲେ ଦୁଆର ମୁହଁକୁ ଅନେଇ ବସନ୍ତ, ମୁଁ ଆସନ୍ତି | ତୁମେ ମୋ ବୁଟ ଓ ସାର୍ଟ ଖୋଲି ଗରମ ଚାହା ଆଣି ଦିଅନ୍ତ | ତାପରେ ଆମେ କପ ଭିତରେ ଆମେ ପୃଥିବୀର ରୂପ ଦେଖନ୍ତେ ! ସଞ୍ଜ ନଇ ଆସନ୍ତା ରାତି ସମସ୍ତଙ୍କ ଆଖିରେ ସ୍ବପ୍ନ ବୁଣି ଦିଅନ୍ତା | ଆମେ ପରସ୍ପର ଭିତରେ ହଜି ଯାନ୍ତେ ! ସୁନ୍ଦର ଭାବରେ ମୁହୂର୍ତ୍ତମାନ ଧାଡ଼ି ବାନ୍ଧି ନିଅନ୍ତେ, ସାରା ସଂସାରର ସୁଖ ସକାଳର ତୋଫା ଆଲୁଅ ଓ କାଉର କାକା ଶବ୍ଦରେ ଆମେ ଯୁଗ ଯୁଗ ପାଇଁ ପଥର ହୋଇ ଯାନ୍ତେ | ହୋଇ ଯାନ୍ତେ ଇତିହାସର ଦୁଇଟି ଚରିତ୍ର, ଅନ୍ୟମାନେ ଆମକୁ ପଢ଼ନ୍ତେ, ବିଶ୍ଳେଷଣ କରନ୍ତେ, ହସନ୍ତେ, କାନ୍ଦନ୍ତେ, ବିଚିତ୍ର ସ୍ବପ୍ନ ନୁହେଁ -


   ମୋ ଛାତି ଭିତରର ଏବେ କପୋଟିଏ ଫଡ ଫଡ ହୁଏ, ଡେଣା ବାନ୍ଧେ | କାହାକୁ ଜଣକୁ ଖୋଜେ? ସମୁଦ୍ରର ଝଡ଼ ଉଠେ, ଖୋଜେ, ଆକାଶରେ ଅନ୍ଧାର ମାଡ଼ି ଆସେ ସାମ୍ନାରେ କବାନ୍ଧ ନାଚେ | ରକ୍ତାକ୍ତ ହୋଇଯାଏ ତମାମ ପୃଥିବୀ ନଈ ମୁହାଣରେ ଦୁଆର କରମଡ଼େ | ଫେଣେଇ ଯାଏ ମାଟିର ବନ୍ଧ,, କିଛି କ୍ଷଣ ପରେ ଅସହାୟ ଭାବରେ ପୁଣି ଶାନ୍ତ ହୋଇଯାଏ | ମନ, ଦେହ, ଆତ୍ମା ତମେ ଖାଇ ମୋ ଅଶାନ୍ତ ସମୁଦ୍ରରେ ବତୀ ଘରଟିଏ ହୋଇ ହଜି ଯାଅ | ଦିନର ଛାଇ ହୋଇ ରହିଯାଅ |ତୁମର ଦୃଶ୍ୟାନ୍ତର ଘଟେ | ତୁମେ ସ୍ମୃତି ହୋଇଯାଅ | ମୁଁ ସ୍ୱାଭାବିକ ହୋଇଯାଏ, ଫେରିଆସେ ମୋର କର୍ମ ବ୍ୟସ୍ତ ପୃଥିବୀକୁ ଏବେ ମୋ ଘର ସାମ୍ନାରେ ଦୁଇଟି ସାଧାରଣ ନାରୀ ପୁରୁଷ | ସେମାନେ ବୋଧ ହୁଏ ସ୍ବପ୍ନ ଦେଖୁଥିବେ | ହେଲେ ମୁଁ ସ୍ବପ୍ନ ବି ଦେଖି ପାରୁନାହିଁ ! ଜଣକ ଅନୁପସ୍ଥିତିରେ ମୁଁ ଚିଠି ଲେଖିଛି, ତାକୁ ମନେ ପକାଇଛି | ତା ପାଇଁ ଶବ୍ଦ ପରେ ଶବ୍ଦ ଖଞ୍ଜିଛି | କେଡ଼େ ଅସହାୟ ଆମେ ! ଏ ସଭ୍ୟତା ଆମକୁ ସୁନ୍ଦର ସ୍ବପ୍ନ ଟିଏ ଦେଇ ପାରିଲାନି, ସୁନ୍ଦର ଚିଠିଟିଏ ଲେଖି ହେଲା ନିକି ସୁନ୍ଦର ମୁହୂର୍ତ୍ତଟିଏ ଖଞ୍ଜି ହେଲାନି | ଆମ କପାଳରେ ଯାହାକୁ ଦ୍ୱିତୀୟ ପୃଥିବୀର ସ୍ବପ୍ନ ଦେଖିଥାନ୍ତେ | ସେଠି ନ ଥାନ୍ତା ଅନ୍ଧାର ଚାରିଆଡ଼େ ଆଲୋକର ମହତ୍ସବ ନ ଥାନ୍ତା | ନିତି ନିୟମ ନ ଥାନ୍ତା | ଯୁଗ ଯୁଗ ପାଇଁ ଆମେ ସେଠି ବସା ବାନ୍ଧନ୍ତେ, ଦୋଳି ଖେଳନ୍ତେ | ଟୁଆଁ ଟୁଇଁ ଗପ କହନ୍ତେ, ଲୁଚକାଳି ଖେଳନ୍ତେ | ପୃଥିବୀର ଜନ୍ମରୁ ମୃତ୍ୟୁ ଯାଏ ଗୋଟିଏ ପ୍ରଳୟ ପରେ ଅନ୍ୟ ଗୋଟିଏ ପ୍ରଳୟ ଓ ପ୍ରଵାୟନ୍ତ ଭିତରେ ବି ଆମେ ଶୋଇ ଯାନ୍ତେ ସୃଷ୍ଟିର ପ୍ରଥମ ପୁରୁଷ ଓ ସ୍ତ୍ରୀ |


   ଏ ପ୍ରାଚୀନ ସଂସାର ଯଦି ରହନ୍ତା | ଏଠି ସ୍ୱାର୍ଥପର ସମ୍ପର୍କ ମାନେ ରହନ୍ତେ | ଆମେ ଚାଲନ୍ତେ ଆଗକୁ ଆଗକୁ ବହୁତ ଆଗକୁ ହାତ ଧରା ଧରି ହୋଇ ଆଲୋକ ସାମ୍ରାଜ୍ୟ କୁ | ବେଳେବେଳେ ଛାତିର ରକା ପଶେ, ତଣ୍ଟିରେ ଭାତ ଅଟକେ | ତମେ ମନେ ପଡ଼ | ସମୟ ହେଇଯାଏ, ବିଷମୟ ସବୁ ପିତା ପିତା ଲାଗେ | ଭାବୁ ଆମେ ପାଠ ପଢ଼ୁ ନ ଥିଲେ ଭଲ ହୋଇ ଥାନ୍ତା |


     ମୁଁ ହୋଇଥାନ୍ତି ସାଧା ସିଧା କୃଷକ ଏବଂ ତମେ ଜଣେ ସାଧାରଣ ଗୃହିଣୀ | ମୁଁ ସକାଳୁ ସକାଳୁ ଚାଉଳ ନେଇ ଆସନ୍ତି | ତୁମେ ମଦରଙ୍ଗା ଶାଗ ତୋଳନ୍ତ | ତୁମେ ସୋରିଷର ତୁଣ ରାନ୍ଧନ୍ତ | ଦୁଆ ଭାତ ବି ମାଣ୍ଡିଆ ଜାଉ ରାନ୍ଧନ୍ତ |ବିଲକୁ ଗଲେ ମୁଗ ମାରି ଗୀତ ଗାଇ ଗାଇ ଫେରନ୍ତି | ତୁମେ ପରଶି ଦିଅନ୍ତ | ପାଖରେ ବସି ଗପ କରନ୍ତ | ସଞ୍ଜ ନଇ ଆସନ୍ତା ଚଉରା ମୂଳରେ ତୁମେ ସଞ୍ଜ ଦେଇ ଶୁଭ ମନାସନ୍ତ | ଆମେ ସେହି କୁଡ଼ିଆ ଭିତରେ ରାବଣ କୁ ବି ଭୁଲି ଯାନ୍ତେ | ମାଟିର ଠାଣିରେ ଆତ୍ମହରା ହୋଇ ଏ ପୃଥିବୀକୁ କୋଳ କରନ୍ତେ, ସୁଖ ଓ ଦୁଃଖର ଗୀତ ଶୁଣେଇ ! ସେ ଜୀବନ ମାତ୍ର ହେଲେ ଖାଲି ଅବଶୋଷ ! ଦୁଃଖ ଦହନର ଲଙ୍କା ଧୂଆଁରେ ଆକ୍ରା ମାକ୍ରା ହେବା ଛଡ଼ା ଏବେ ଆମର ଆଉ କଣ ଚାରା ଅଛି?  


   ଆଜି ଶନିବାର ତୁମେ ମୋ ପାଖରେ ଥିଲେ କେଡ଼େ ଭଲ ହୋଇ ନ ଥାନ୍ତା | ସକାଳୁ ଉଠି କାଉକୁ ବାତିନୀ ପଚାରି ଥାନ୍ତି | ତୁମେ ଦାଣ୍ଡ ସାମ୍ନା ପୋଖରୀରେ ବାସନ ମାଜୁ ମାଜୁ ମୋ ଛବି ଦେଖି ପଚାରି ଥାନ୍ତ | ଟଗର ଗଛରେ ଲଦି ହେଇଥିବା ଫୁଲର ଉଦ୍ଧତ ଯୌବନକୁ ଇଚ୍ଛା କରି ଗୋଡ଼ କଚାଡ଼ୁ ଥାନ୍ତ | ଆଜି ସକାଳରୁ ସଞ୍ଜ ଯାଏ କେତେ ଥର ତୁମ ହାତରୁ ଜିନିଷ ଖସି ଥାନ୍ତା | ତୁମେ ଚଞ୍ଚଳ ହୋଇ ଉଠି ଥାନ୍ତ | ତୁମ ମୁହଁ ଫୁଲି ଉଠନ୍ତା | ପୁଣି ସଞ୍ଜବତୀ ଜାଳିଲେ ତୁମେ ନିଜକୁ ସଜେଇ ନିଅନ୍ତ | ବାରମ୍ବାର ଦର୍ପଣରେ ତୁମ ଛାଇକୁ ତୁମେ ଦେଖନ୍ତ | ରାତି ପାହିଲେ ତୁମେ ମୋ ପାଦ ଶବ୍ଦ କୁ କନେଇ ବସି ଥାନ୍ତ | ମୋ ପହଂଚିବା ଶବ୍ଦ ଶୁଣି ତୁମ ଛାତି କୁଣ୍ଢେ ମୋଟ ହୋଇ ଯାଆନ୍ତା | ତା ପରେ ରାତିରେ ତୁମେ ଆସନ୍ତ, ବସନ୍ତ, ହସନ୍ତ, ଚୁପି ଚୁପି କଥା କହନ୍ତ | ରାତ୍ରିର ବୟସ ବଢ଼ି ଚାଲି ଥାନ୍ତା |ତୁମେ ଆଦାୟ କରି ନିଅନ୍ତ ତୁମର ସାତ ଦିନର ପ୍ରାପ୍ୟ |ହେଲେ ସବୁ ଖାଲି ସ୍ବପ୍ନ ଓ ସ୍ବପ୍ନ | ତୁମକୁ କ୍ଷୀରଚୋରା ଗୋପୀନାଥ ବି ଗୋପୀ ବନେଇ ତାଙ୍କ ପାଖକୁ ନେଇ ଗଲେ ମୁଁ ବିଚରା ବୈତରଣୀ କୂଳରେ ସବୁ ପାଇବାର ଆଶା ରଖି ଆକାଶର ତାରା ଗଣିଲି ସିନା ହେଲେ ସବୁ ହିସାବ ସକାଳକୁ ଭୁଲି ବସିଲି | ନ ଦେଖିଲେ ସ୍ବପ୍ନ, ନ ପାଇଲେ ତୁମକୁ, ନ ପାଇଲେ ହିସାବ, ନ ପାଇଲେ କେବଳ ଦିନ ଗଲା କେବଳ ଚିହ୍ନ ରହିଲା ଯେ ଛାତି ଭିତରର ରକ୍ତ ଝରିବା କମିବ | କାହିଁକି ମୁଁ ସୁସ୍ଥ ହେବି ! ଏମିତି ଚାଲିଥିବ ଦିନ, ରାତି, ମାସ, ବର୍ଷ, ଯୁଗ |ତମେ କେବେ ଆସୁଛ | କାହିଁକି କେଜାଣି ମୁଁ କେବଳ ପ୍ରାୟଶ୍ଚିତର ଲୁହ ଝରାଉଛି | କେବଳ ବଞ୍ଚି ରହିଛି କେବେ ତୁମେ ବୁଝିବ ମୋର ନୀରବତାର ଶବ୍ଦ | ତୁମେ କଣ ହୃଦୟଙ୍ଗମ କରିନ | କେବେ ବିଚାର କରିନ ! ଅତୀତର କିଛି ସତ୍ୟ କୁ ପ୍ରତିଜ୍ଞା ଭିତରେ ମୁଁ ବନ୍ଦୀ ରଖିଛି |କିନ୍ତୁ ସେଗୁଡିକ ଖୋଲି ଚାବି ବି ହଜେଇ ଦେଇଛି |କିନ୍ତୁ ଏତିକି ଆଶା ରଖିଛି ସବୁ ଜାଣି ସାରିଲା ପରେ ତୁମେ ଫେରିବ କିନ୍ତୁ ମୁଁ ଜାଣେନା ସେତେ ବେଳକୁ ମୁଁ ଥିବି କି ନ ଥିବି ଏ ଧରା ପୃଥିବୀ ରେ........................................... 



Rate this content
Log in