ଫଗୁଦଶମୀ
ଫଗୁଦଶମୀ
ଆମ ଗଉଡ଼ ସାହିର ଝିଅଟିଏ, ଅତି ଆଦରରେ ତା' ଆଈ ତା ନାଁ ଦେଇଥିଲେ ରାଧା , ଛୁଆଟି ବେଳରୁ ସେ ନିଜକୁ ପୁରାଣ ପ୍ରସିଦ୍ଧ ରାଧିକା ରାଣୀ ପରି ସଜେଇ ହୁଏ। କୃଷ୍ଣ ଭକ୍ତିରେ ନିଜକୁ ସଦାସର୍ବଦା ନିୟୋଜିତ କରିଥାଏ। ଆଈ ମାଆ ଠାରୁ ରାଧା କୃଷ୍ଣ କାହାଣୀ ଶୁଣିଛି, ତା' ମନରେ ଗୋଟିଏ ପ୍ରଗାଢ଼ ବିଶ୍ଵାସ ଯେ, ଗୋପପୁର ର କହ୍ନେଇ ଦିନେ ନା ଦିନେ ତାକୁ ଭେଟିବେ ଆଉ ତାର ପୂଜା ଭକ୍ତିକୁ ସ୍ବୀକାର କରିବେ, ପିଲାଟି ବେଳରୁ ଆଜି ଯାଏଁ ୧୫ ବର୍ଷ ହେଲାଣି ଫଗୁଦଶମୀରେ ଫଗୁ ସଜାଡ଼ି ଅପେକ୍ଷା କରିଛି କଳାକାହ୍ନୁ କୃଷ୍ଣଙ୍କୁ, ସେ ଆସିବେ ଆଉ ସେ ତାଙ୍କରି ସହିତ ରଙ୍ଗ ଅବିର ଖେଳିବ, କହ୍ନେଇ ବିନା ସେ କାହାକୁ ରଙ୍ଗ ବୋଳିବନି କି ନିଜେ ଲଗେଇବନି। ତା'ର ଏହି ଅପେକ୍ଷାକୁ ସମ୍ମାନ କରି ଆଜି ପର୍ଯ୍ୟନ୍ତ କେହି ତାକୁ ରଙ୍ଗ ବୋଳି ନାହାନ୍ତି ।
ପ୍ରତିବର୍ଷ ଫଗୁଣ ମାସ ଦଶମୀ ଦିନ ନିଜକୁ ସଜେଇ ସକାଳୁ ସଞ୍ଜ ପର୍ଯ୍ୟନ୍ତ ଅପେକ୍ଷା କରିଥାଏ କହ୍ନେଇକୁ।
କିନ୍ତୁ ପ୍ରତିବର୍ଷ ପରି ଏବର୍ଷ ବି କହ୍ନେଇ ଆସିଲାନି, ମନରେ ମନେ ଦୁଃଖ ଆଉ ନିରାଶକୁ ନେ଼ଇ ସେଇ ରଙ୍ଗ ଅବିର ଭରା ପିତଳ ଥାଳି ଆଗରେ କାନ୍ଦି କାନ୍ଦି ଶୋଇପଡିଛି। ଠିକ୍ ଅର୍ଦ୍ଧରାତିରେ ହଠାତ୍ ତା' ନିଦ ଭାଙ୍ଗିଗଲା। ଚାହିଁ ଦେଖିଲା ନ
ିଜକୁ, ଅବିରରେ ତା'ର ପୁରା ଶରୀର ଭିଜି ଯାଇଛି। ଅବିର ସବୁ ଏଣେତେଣେ ବିଛେଇ ହୋଇ ପଡ଼ିଛି।ସତେ ଯେମିତି କିଏ ତା' ସହ ଅବିର ଖେଳିଛି ଆଉ ସେ ବି କାହାକୁ ରଙ୍ଗ ବୋଳିଛି, କିଛି ସମୟ ପାଇଁ ସେ କିଛି ଭାବିପାରିଲାନି, ହଠାତ୍ ତା ଆଖି ପଡ଼ିଲା ଗୋଟିଏ ହଳଦିଆ ଉତ୍ତରୀୟ ଆଉ କାନବାଲି ଉପରେ,ଯୋଉ ଉତ୍ତରୀୟ ଆଉ କାନବାଲି ସେ ଦୋଳ ବିମାନରେ ବିରାଜିତ କୃଷ୍ଣ ମହାପ୍ରଭୁଙ୍କୁ ପିନ୍ଧେଇ ଦେଇଥିଲା, ହେଲେ ଏ ସବୁ ଏଠିକି ଆସିଲା କେମିତି? ସେ ବୁଝିପାରୁନଥାଏ ଏସବୁକୁ, ଏତିକି ବେଳେ ତା ଆଈ ମାଆ କବାଟ ପିଟିଲେ କାରଣ ଦିନ ଆସି ଦ୍ବିପ୍ରହର ହେଲାଣି ଝିଅଟା ଏବେ ପର୍ଯ୍ୟନ୍ତ କ'ଣ ନିଦରୁ ଉଠିନି, ଆଈ ମାଆର କବାଟ ବାଡାରେ ରାଧା ଚମକି ପଡି କବାଟ ଖୋଲିଲା, ତାକୁ ଦେଖି ତା ଆଈ ମାଆ ଆଶ୍ଚର୍ଯ୍ୟ,। ଗୋଡ଼ଠାରୁ ମୁଣ୍ଡ ସେ ରଙ୍ଗରେ ଭିଜିଛି। ଆଈକୁ ଦେଖି ରାଧା କହିଲା ତା' ସହିତ ଘଟିଥିବା ରାତିର କାହାଣୀକୁ। ତା' ଆଈ ମାଆ ରାଧା କଥା ଶୁଣିବେ କ'ଣ ଆନନ୍ଦରେ କାନ୍ଦି କାନ୍ଦି ରାଧାକୁ କୋଳେଇ ଧରିଲେ। କହିଲେ ତୁ ସତରେ ଭାଗ୍ୟବାନ ତତେ ଭଗବାନ ସାକ୍ଷାତ ଆବିର୍ଭାବ ହୋଇ ତୋ ସହିତ ରଙ୍ଗ ଖେଳିଛନ୍ତି। ଆଖି ପିଛୁଳାକେ ଏ କଥା ପ୍ରଚାର ହୋଇଗଲା, ଆଉ ଭଗବାନଙ୍କର ଏହି ଲୀଳାକୁ ଶୁଣି ନିଜକୁ ଧନ୍ୟ ମଣିଲେ। ଭକ୍ତି ଆଉ ଆସ୍ଥାରେ ହିଁ ଭଗବାନ ପ୍ରାପ୍ତି।