ପଦ୍ମକୁମାରୀ
ପଦ୍ମକୁମାରୀ
କଥାବାଚକ ପଦ୍ମକୁମାରୀ ସେ ଅଞ୍ଚଳରେ ଖୁବ ନାମ କମେଇଥିଲେ. ପଦ୍ମଫୁଲ ପରି ମୁହଁକୁ ସୁନ୍ଦର ପୌରାଣିକ ପୃଷ୍ଠଭୂମି ଆଧାରିତ ପ୍ରଶ୍ନର ଉତ୍ତରରେ ସମସ୍ତଙ୍କୁ ଯେମିତି ସମ୍ମୋହିତ କରି ରଖିବା କଳା ନେଇ ଜନ୍ମ ହୋଇଛନ୍ତି ସେ ବୋଲି ବାଟେ ଘାଟେ ପ୍ରଚାର, ପ୍ରସାର, ଆଲୋଚନା ଚାଲୁଥିଲା. ବ୍ୟକ୍ତିତ୍ୱ ମଧ୍ୟ ପଦ୍ମକୁମାରୀଙ୍କ ସ୍ୱତନ୍ତ୍ର ଥିଲା. ଗାଈ ପାଳନ ଓ ଗୋମାତା ସେବା ସହିତ ଅସହାୟ ବୃଦ୍ଧ ବୃଦ୍ଧାଙ୍କ ଆଶ୍ରୟଦାତ୍ରୀ ଥିଲେ ପଦ୍ମକୁମାରୀ. ଖାଲି କଣ ସେତିକି!ଅସହାୟ ଶିଶୁମାନଙ୍କ ଯତ୍ନ ସହିତ ତାଙ୍କ ଚରିତ୍ର ଗଠନ ପାଇଁ ସବୁପ୍ରକାର ସୁବିଧା କାରିଥିଲେ ସେ ଖୋଲିଥିବା ଆଶ୍ରମରେ. ତା ଭିତରେ ଦିବ୍ୟାଙ୍ଗ ଶିଶୁ ମାନଙ୍କୁ ସେ ଦିବ୍ୟ ସନ୍ତାନ ବୋଲି କହି ସେମାନଙ୍କ ଭିତରେ ଥିବା ଶକ୍ତି, ସାମର୍ଥ୍ୟ, ଯୋଗ୍ୟତା ତଥା ସୃଜନୀକୁ ଲୋକଲୋଚନକୁ ଆଣିବାର ପ୍ରୟାସ କରୁଥିଲେ.
ପଦ୍ମକୁମାରୀ ବୁଝିଥିଲେ ଶିଶୁ ମନ ଫୁଲ ପରି କୋମଳ. ଶାସ୍ତି ପରିବର୍ତ୍ତେ ଶିଶୁ ମନ ବୁଝି କାମ କଲେ ଭବିଷ୍ୟତରେ ସେ ଗୋଟେ ଭଲ ନାଗରିକ ହୋଇ ସୁସ୍ଥ ସମାଜ ଗଠନରେ ସହାୟକ ହୋଇପାରିବ. ସେମିତି ଗୋଟିଏ ବାଳକ ଥିଲା କୁନା, ଯାହାକୁ କିଛି ଶୁଣା ଯାଉନଥିଲା. ସମସ୍ତଙ୍କୁ କିଛି କିଛି କାମ ମିଳିବା ପରି ତାକୁ ମଧ୍ୟ ଗାଈ ଗୋରୁଙ୍କୁ ସନ୍ଧ୍ୟାରୁ ରାତି ସାତଟା ପର୍ଯ୍ୟନ୍ତ ଜଗିବାକୁ କୁହାଯାଇଥିଲା. ସମାଜରେ ଖାଲି ଯେ ଭଲଲୋକ ରହିବେ କିଛି ମାନେ ନାହିଁ. ବହି ଧରି ପଢୁଥାଏ କୁନା.ଏହି ସମୟରେ ଚୋରଟିଏ ଗାଈ ଫିଟାଇ କୁନା ଅଲକ୍ଷରେ ଗାଈଟିକୁ ଚୋରାଇ ନେବାକୁ ସ୍ଥିର କରି ଯୋଜନା ଅନୁସାରେ ସେ କାମଟି କରିବାରେ ଲାଗିପଡିଥାଏ. କୁନା ବୁଲିକି ଅନେଇଲେ ସିନା ଦେଖିବ ନଚେତ ତାକୁ କିଛି ଶୁଣାଯାଏନା ତ ଚୋରକୁ ସୁବିଧା ମିଳିଗଲା କିନ୍ତୁ ଗାଈର ହମା ହମା ଡାକରେ କି ଯାଦୁ ଥିଲା କେଜାଣି କୁନାକୁ ଲାଗିଲା କେହି ତାର ନାମ ଧରି ଯେମିତି କୁନା କୁନା ଡାକୁଛି ତ ସେ ଧାଇଁ ଯାଇ ମାଆ ବୋଲି ଡାକୁଥିବା ପଦ୍ମକୁମାରୀଙ୍କ ଆଗରେ କହିଲା ମତେ କେହି କୁନା କୁନା ବୋଲି ଡାକୁଥିବାର ମୁଁ ଶୁଣିପାରିଲେ ମଧ୍ୟ କାହାକୁ ଆଲୁଅ ଅନ୍ଧାର ଖେଳ ଭିତରେ ଦେଖିପାରୁନି. ପଦ୍ମକୁମାରୀ କିଛି ଭାବି କୁନା ସାଙ୍ଗରେ ଗୋମାତା ରହୁଥିବା ସ୍ଥାନକୁ ଆସି ଦେଖିଲେ ଗାଈଟି ଜୋରରେ ହମା ହମା ବୋଲି ରଡି ଛାଡ଼ୁଛି ତ ସଙ୍ଗେ ସଙ୍ଗେ ସତର୍କ ଘଣ୍ଟି ବାଜିଉଠିଲା. ପରିଚାରକ ମାନେ ଘେଦି ଯାଇ ଚୋରକୁ ଧରିଲେ ଓ ଗୋମାତାଙ୍କୁ ଉଦ୍ଧାର କଲେ. ତା ପରଠୁ ପଦ୍ମକୁମାରୀ ଜାଣିସାରିଥିଲେ କୁନା ନିଶ୍ଚୟ ଶୁଣି ପାରିବ. ସତକୁ ସତ ଡାକ୍ତର କୁନା କାନ ପରୀକ୍ଷା କରି ଅସ୍ତ୍ରୋପଚାର କରିବା ପରେ କୁନାକୁ ଏବେ ଶୁଭୁଥିଲା ତ ସେ ଆଜି ହୋଲିରେ ସବୁପିଲାଙ୍କୁ ଏକତ୍ରିତ କରି ସମସ୍ତଙ୍କୁ ସତର୍କ କରିଦେଇଥିଲା କି କେମିକାଲ ରଙ୍ଗ ଖେଳିବା ଉଚିତ ନୁହେଁ. ଆଖି କାନ, ନାକ, ଚର୍ମ ଓ ପାଟିର ଯତ୍ନ ନେବା ପାଇଁ ବାଜରରେ ମିଳୁଥିବା ରଙ୍ଗ ନକିଣି ଗଛ ପତ୍ରରୁ ତିଆରି ହର୍ବାଲ ରଙ୍ଗ କିଣି ଖେଳିଲେ ସ୍ୱାସ୍ଥ୍ୟପ୍ରଦ ଓ ବିପଦ ନାହିଁ. ସିଆଡେ ପଦ୍ମକୁମାରୀ ମଧ୍ୟ କର୍ମଚାରୀମାନଙ୍କୁ ଲଗାଇ ହାତତିଆରି ଗୁଳ୍ମ ଠାରୁ ଦ୍ରୁମ ପର୍ଯ୍ୟନ୍ତ ଗଛର ପତ୍ରର ରସରେ ବିଶୁଦ୍ଧ ଫଗୁ ଯଥା ହଳଦୀ, ଅଁଳା, ବାହାଡା, ସାହାଡା ଇତ୍ୟାଦିରୁ ତିଆରି ଫଗୁ ମିଶାଇ ପିଲାଙ୍କ ହୋଲି ଖେଳ ପାଇଁ ପ୍ରସ୍ତୁତ କରି ରଖିଥିଲେ.ପଦ୍ମକୁମାରୀଙ୍କ ନିର୍ଦ୍ଦେଶରେ ପିଲାମାନେ ବଡ଼ମାନଙ୍କ ପାଦରେ ସେହି ରଙ୍ଗ ଦେଇ, ପ୍ରଣାମ କରି ହୋଲି ଖେଳିଥିଲେ ଏବର୍ଷ
