ମୁଁ ନେଇଯାଉଛି ମୋ ଧନକୁ
ମୁଁ ନେଇଯାଉଛି ମୋ ଧନକୁ
ହଠାତ୍ ସରଗପରୀଟା କେଉଁଠିଥିଲା କେଜାଣି ମୋହିନୀକୁ ନେଇଯିବା ପାଇଁ ହାତ ବଢ଼ାଉଥିବା ବେଳେ ଅମ୍ଳାନ ଚିତ୍କାର କରି କହୁଥିଲା, ମୋ ପ୍ରିୟକୁ ନେ ନାଲୋ ରାକ୍ଷସୀ,ସେ ପରା ମୋ ସ୍ପନ୍ଦନ।ତା ବିନା ମୁଁ ବଞ୍ଚିପାରିବି ନାହିଁ।ହେଲେ ପରୀ ତା ପ୍ରୟାସ ଜାରି ରଖିଥାଏ,ସେ କାହିଁକି ଛାଡ଼ିବ ଯେ?ଅମ୍ଳାନ ର ଆଖରୁ ବହି ଯାଉଥାଏ ଧାର ଧାର ଲୁହ।କ୍ଳାନ୍ତ ଶ୍ରାନ୍ତ ଅବଶ ଦେହ ତା ନିଶ୍ଚଳ ହୋଇ କେବଳ ଅପେକ୍ଷା କରିଥାଏ ଭଗବାନଙ୍କର ଆଶିଷ ଓ ଶକ୍ତି।ଥୁଣ୍ଟା ଗଛ ମୂଳ ଟାରେ ବସି ଅଂଶୁଘାତର ଅଟ୍ଟହାସ୍ୟକୁ କେଵଳ ନିର୍ଦ୍ବନ୍ଦ୍ୱରେ ସହି ଯାଉଥାଏ।ଏପଟେ ପ୍ରଚଣ୍ଡ ଅଂଶୁଘାତରୁ ସେ ବଞ୍ଚିବ ନା ମୋହିନୀକୁ ରାକ୍ଷସୀଠୁ ବଞ୍ଚାଇବ? କିଂକର୍ତ୍ତବ୍ୟବିମୁଢର ସାଗର ମଝିରେ ଦେଖୁଥାଏ ଦୁଈକୂଳରୁ, କେଉଁ କୂଳକୁ ଆଦରିବ ତାର ସୁନେଲି ସ୍ବପ୍ନ।
ହା ହତାଶାର କଳ୍ପନା ରାଜ୍ୟରେ ସେ ଖୋଜିଲା ତା ପରି ମଣିଷ ଜାତିର ମୂର୍ଖାମୀ।କେଡେ ସୁନ୍ଦର ଥିଲା ସେ ସବୁଜ ବନାନୀର ସଜ ପରିବେଶ।ଝଙ୍କାଳିଆ ଗଛ ମୂଳରେ ମୋହିନୀ ସାଥିରେ ସେ ଖେଳିଛି କେତେ ଲୁଚକାଳି ଖେଳ।ଅନତି ଦୂରର ନିଘଞ୍ଚ ଜଙ୍ଗଲରୁ ସାଥିହୋଇ ତୋଳିଛନ୍ତି କେତେ ଯେ କୋଳି,ଗୁନ୍ଥି ବେକରେ ପକାଇ ସାଜିଛନ୍ତି କେତେବେଳେ ରାଜା ରାଣୀ ତ ପୁଣି କେବେ ସୁଲତାନ ବେଗମ।ପାଖ ଝରଣାର ମଧୁର ଜଳ ପାନ କରି ତା କୁଳୁକୁଳୁ ଶବ୍ଦ ଶୁଣି ସେମାନେ ହେଉଥିଲେ ମତୁଆଲା।ସ୍କୁଲ ସାର୍ ଙ୍କ କହିବା ଅନୁଯାୟୀ ଏ ଜଙ୍ଗଲର ଗଛଲତା ଆମକୁ ଖାଦ୍ୟ,ବସ୍ତ୍ର, ଘର ତିଆରି ପାଇଁ କାଠ,ଅମ୍ଳଜାନ,ଜାଳେଣୀ,ଔଷଧ ଏମିତି କେତେ ଯେ ଉପକାର ଦିଅନ୍ତି ଆମେ ପରା ପରୀକ୍ଷା କରୁଥିଲୁ,ଗାନ୍ଧୀ ମୂର୍ତ୍ତି ଚାନ୍ଦିନୀରେ ବସି।ଆଉ ଜଙ୍ଗଲ ବିଭାଗୀୟ କର୍ମଚାରୀ କହୁଥିଲେ ଆରେ ପିଲେ,ଗଛ କାଟିବ ନାହିଁ, ଜଙ୍ଗଲ ନଷ୍ଟ କରିବ ନାହିଁ କାରଣ ସେ ନଥିଲେ ବିନା ଉତ୍ସେଦନରେ ବର୍ଷା କେମିତି ହେବ ଯେ?ପୁଣି ସେ ଅଛିବୋଲି ମୃତ୍ତିକା ସଂରକ୍ଷଣ ହେଉଛି,ପ୍ରକୃତି ସୁଷମା ମଣ୍ଡିତ,ପରିଷ୍କାର,ନିର୍ମଳ ଓ ଶୀତଳ ହୋଇପାରିଛି।ବିଚରା ଉଦ୍ଭିଦ ପରା ବିଷାକ୍ତ ଅଙ୍ଗାରକାମ୍ଳ ଶୋଷି ଆମକୁ ଅମ୍ଳଜାନ ଦେଉଛି।ଏ ବୃକ୍ଷଲତା ନ ଥିଲେ କେତେ ରୋଗ,କେତେ ପ୍ରାକୃତିକ ବିପର୍ଯ୍ୟୟ ଆମକୁ କଲବଲ କରି ମାରିପକାନ୍ତ।
ହେଲେ ମାଟି ଛଣ ଛପର ହଟାଇ ଆମେ କଲୁ କଂକ୍ରିଟର ଘର,ଡାକିଲୁ ଉତ୍ତାପକୁ ନିମନ୍ତ୍ରଣ ପତ୍ର ଦେଇ।ନିଜ ସ୍ୱାର୍ଥପାଇଁ, ଟଙ୍କା ପାଇଁ ଲୋଭରେ କାଟିଲୁ ଗଛ,ପୋଡି କାଟି ଧ୍ବଂସ କଲୁ ଜଙ୍ଗଲ ଅଂଶୁଘାତକୁ ଦେଲୁ ଘରଭଡା।ଗଢ଼ିଲୁ କଳ କାରଖାନା ନାମ ଲେଖାଇଲୁ ଡାକ୍ତରଖାନାର ରୋଗୀ ୱାର୍ଡରେ,ତିଆରିଲୁ ରାସ୍ତା ସଡକ !ଦୁର୍ଘଟଣା ଯୋଗେ ଜମା କଲୁ ଦୁର୍ଲଭ ରକ୍ତ,ଆଉ ନିର୍ମାଣ କଲୁ ନଭଶ୍ଚୁମ୍ଵୀ ପ୍ରାସାଦ! ସାଜିଲୁ କୃତ୍ରିମ ଅମଣିଷ।ଏ ସମସ୍ତଙ୍କୁ ନେଇ ବିଶ୍ୱତାପନ ଗଣିଲା, କେବେ ଆସିବ ଆମ ମରଣ ତାରିଖ।
ଫୋନି,ଫାଇଲିନ,ସୁନାମୀ...ଏସବୁ ଗଛ ନ ଥିବାରୁ ନିର୍ଭୟରେ ମାଡ଼ିଆସି ଉଡେଇ,ବୁଡ଼େଇ ଓ ଗଡେଇ ଆମକୁ ସଜାଇଲେ ମୁମୂର୍ଷୁ।ଶେଷରେ ମୋ ଠୁ ଚାଲିଯାଉଛି ଆଜି ମୋ ମୋହିନୀ ଅଂଶୁଘାତରେ ଶୋଷି ହୋଇ।ଏଇ କେଇଦିନ ହେବ,ଫୋନିରେ ଅଣନିଃଶ୍ବାସୀ ହୋଇ ବିଚାରୀଟା ଟିକେ ନିଃଶ୍ୱାସ ମାରୁଥିଲା,ହେଲେ ଏ ଦାରୁଣ ଅଂଶୁଘାତ ଉଡେଇନେଉଛି ତା(ମୋହିନୀର)ପ୍ରାଣ।ତା ଭଲପାଇବାର ଇତିହାସରେ କେମିତି ଲେଖିବ ତା ସ୍ୱାର୍ଥପର ଭାବକୁ।ଆଜି ସେ ଝରଣା କୂଳ ତାକୁ ପରିହାସ କରି କହିବ ତୁ ଏଡ଼େ ବେଜବାଵ ଟା।ତାକୁ କହିଥିଲୁ ପରା ବାହାଘର ଦିନ ମୋ ଜଳରେ ଗାଧୋଇବ ବୋଲି।ଆଉ ସେ ମନ୍ଦିର ପାହାଚ ବି କହିବ ତୁ ଏଡ଼େ ଧୋକାବାଜ ଟା, ତୁ ପରା କହିଥିଲୁ ନୂଆ ବାହାଘର ହେଲେ ଆସିବ ମନ୍ଦିରକୁ ! ମୋ ଉପରେ ବସି କଥାହୋଇ ମୋତେ ଖୁସି କରିବ।ଆଉ ସେ ଜଙ୍ଗଲର ପଳାଶ ଗଛ ଟା ଆମ ବର ବୋହୁ ବେଶର ଫଟୋ ଉଠାଇବ କେମିତି।ତୁ ଚାଲିଯା ରେ ସୈତାନ, ମୋ ମୋହିନୀକୁ ମୋ ପାଖରେ ଛାଡ଼ିଦେଇ ଯା।
ସରଗପରୀ ଟା ଆଖିରୁ ବି ଦୁଇଧାର ଲୁହ ଝରିଗଲା !ସେ କହିଲା-ଆରେ ନିର୍ବୋଧ,ତୁମେ ଓ ତୁମ ଜାତିଭାଇ ସ୍ୱାର୍ଥପର, ଅବିବେକୀ।ନିଜର ସ୍ୱାର୍ଥ ଓ ସାମୟିକ ଆରାମ ପାଇଁ ତୁମେ ସମୂହ ଜୀବନ ଧ୍ବଂସ କରିବାକୁ ବି ପଛଉ ନାହଁ। କାହିଁକି ରହିବ ସେ?କିଏ ତା ମୁହଁରେ ହସ ଭରିବ?ତୁମେ ଅମଣିଷ ଗୁଡାକ ପରା ତା ମୁହଁରୁ ହସ ଛଡେଇ ନେଲ।ମୋ ନିରୀମାଖୀ ଭଉଣୀକୁ ମୁଁ ନେଇ ଯାଉଛି ଆମ ପୁରକୁ,ସେଇଠି ସିଏ ମହାରାଣୀ ପରି ସ୍ୱର୍ଗସୁଖ ଲାଭ କରିବ।ଯା... ବୁଝୁ ତୁ,ବୁଝା ତୋ ଜାତିଭାଇଙ୍କୁ।ତଥାପି ସମୟ ଅଛି,ଏଇମିତି କୋଟି କୋଟି ମୋହିନୀଙ୍କୁ ତୁମେ ବଞ୍ଚାଇ ଶିଖ,ମୁଁ ନେଇଯାଉଛି ମୋ ଧନକୁ।
