ମୁଁ ଗୋଟିଏ ଦୁଷ୍ଟ ପିଲା
ମୁଁ ଗୋଟିଏ ଦୁଷ୍ଟ ପିଲା
ଦୁଷ୍ଟ ପିଲାର ସଂଜ୍ଞା ନିରୂପଣ କରିବା ମୋ ଦେଇ ହବନି।ଆମେ ତିନି ଭାଇ ଚାରି ଭଉଣୀ।ବାପା ମୋର ସରକାରୀ ଚାକିରି କରିଥିଲେ।ବୋଉ ମୋର ସୁଗୃହିଣୀ।ସଂସାରକୁ ଏକତାର ରଜୁରେ ବାନ୍ଧିବା ତାକୁ ଜଣା।ପିଲାଟି ଦିନରୁ ସବୁ ଭାଇ ଭଉଣୀଙ୍କ ଠୁ ମୁଁ ନିଆରା।ନିଆରା ମାନେ କଣ କହିଲେ, ମୋ ବାପା ଗାଆଁ ଠାକୁରାଣୀଙ୍କୁ ସବୁ ଦିନ ପୂଜା କରୁଥିଲେ।ତାଙ୍କ ମନର କାମନା ଥାଏ ଗୋଟିଏ ସୁନ୍ଦର୍ ପୁଅ ହେଉ,କହିରଖେ ମୋ ଉପରେ ଦୁଇ ଭାଇ ଗୋଟେ ଭଉଣୀ ଥିଲେ।ତଥାପି ବାପାଙ୍କ ଭାବନା।ସତରେ
ବୋଉ କହୁଥିଲା ମୁଁ ଯେଉଁ ଦିନ ଜନ୍ମ ହେଲି ସେଦିନ ବାପା ପୂଜା କରିବାକୁ ଯାଇଥିଲେ।ତାଙ୍କୁ ପଛରୁ ଜଣେ ସ୍ତ୍ରୀ ଲୋକ ଡାକି କହିଲେ ତୋର ପୁଅ ହେଲାଣି ତୁ ଅଶୌଚ ହୋଇଗଲୁ ,ଆଉ ପୂଜା କରେନି,ଘରକୁ ଯା।ଘରକୁ ଆସି ମୋତେ ଦେଖି ବାପାଙ୍କ ପାଦ ତଳେ ଲାଗୁ ନ ଥାଏ,ମୁଁ କୁଆଡ଼େ ଗୋରା ତକ ତକ ଡଉଲ ଡାଉଲ ଛୁଆ ଟେ ହୋଇଥିଲି। ମୋ ଏକୋଇଶା ଦିନ ନିଜ ହାତରେ ଖଜା କରି ସାଇ ସାରା ଛୋଟ ପିଲାଙ୍କୁ ବାଣ୍ଟି ଥିଲେ।ହେଲେ କଣ ହେବ।
ମୁଁ ଯହୁଁ ବଡ଼ ହେଲି, ଏତେ ଦୁଷ୍ଟ ହେଲିଯେ ଘରେ ସମ୍ଭାଳିବା କଷ୍ଟ କର ହୋଇ ପଡ଼ିଲା ସ ବୁ ଦିନ ବାପା ଅଫିସରୁ ଆସିଲା ବେଳକୁ ମୋ ନାମରେ ଲକ୍ଷେ ଛପନ ଅଭିଯୋଗ ଆସିଥାଏ।କା ବାଡିରୁ ପିଜୁଳି ,କାର ନାଡି ଆ ଗଛରୁ ନଡିଆ,ଆମ୍ବ ତୋଟାରୁ ଆମ୍ବ ତୋଲି ଆଣିଲିନି,କା ପିଲାକୁ ପିଟିଲିନି। ଯହୁ ବଡ଼ ହେଲି ମୋ କାରନାମା ବଢିଲା।ବୋଉର ଚିନ୍ତା ବଢେଇଦେଲି।ବାପା ମୁଣ୍ଡ ଉପରକୁ କରି ଚାଲିବା କଷ୍ଟ କର ହୋଇଗଲା କିନ୍ତୁ କହିବାକୁ ଗଲେ ମୁଁ ଯହୁ ବଡ଼ ହେଲି ଗାଆଁ ରଗୁଣ୍ଡା ,ବଦମାସ୍ ,ସରକାରୀ ଅଫିସର ମାନଙ୍କ ଭାଲେ ଣି ପଡ଼ିଲା।କାରଣ ସେମାନେ ଅଶିକ୍ଷିତ,ଲୋକଙ୍କୁ ହଇରାଣ କରି ସରକାରଙ୍କ ଧନ ଆତ୍ମସାତ କରୁଥିଲେ।ମୁଁ ମୋର କିଛି ସାଙ୍ଗକୁ ଧରି ପ୍ରତିରୋଧ କଲି।କିନ୍ତୁ ମୋତେ ୧୫ ବର୍ଷ ହେଲା ବେଳକୁ ଦୁଷ୍ଟ ପିଲାର ମାନ୍ୟତା ପାଇ ସାରିଥିଲି।ଯଦିଓ ଭଲ ପାଠ ପଢେ।କିନ୍ତୁ ଯେଣୁ ଏସବୁରେ ମନ ଦେଲି ପଢା ରେ ମନ ଦେଲିନି। ସାଙ୍ଗମାନଙ୍କ ବାପା ମା ପସନ୍ଦ କଲେନି।ସାଙ୍ଗମାନଙ୍କୁ ତାଗିଦ୍ ହେଲା ମୋ ସଙ୍ଗେ ନ ମିଶିବାକୁ।ମୁଁ କିନ୍ତୁ କିଛି ନ ଶୁଣି ଏକା ଏକା ସ୍କୁଲ୍ ଛୁଟି ଦିନରେ ଦିନସାରା ବୁଲୁଥାଏ।
ହଠାତ୍ ଦିନେ ବାହାରେ ବୁଲି ସାଇ ଭିତରକୁ ପଶିଗଲା ବେଳକୁ ସାଇ ରେ ହୋ ହାଲ୍ଲା,ଖାଲି ମୋ କାନକୁ ଶୁଭୁ ଥାଏ ଯେ ପଣ୍ଡିତଙ୍କ ବାଛୁରୀଟି କୂଅ ଭିତରେ ପଡି ଯାଇଛି।ମୁଁ ଧାଇ ଧାଇ ଗଲି ସାଇଟା ଯାକର ଲୋକ ଗଦା ହୋଇଥାନ୍ତି।କିଏ କହୁଥାଏ,ବାଛୁରୀଟି କେମିତି ବାହାରିବ,ଏ ତେ ବଡ଼ କୂଅ ଖରାଦିନ କୋଉ ତଳକୁ ପାଣି ଗଲାଣି। ଏ ବାଛୁରୀଟି ଆଜି ଗଲା,କିଏ କହୁଥାଏ ଦମକଳ ଡାକ ,କୂଅ ଭିତରେ ପଶିବାକୁ ଲୋକ ଡାକ।ଏମିତି ନାନା କଥା।ପଣ୍ଡିତଙ୍କ ସହଧର୍ମିଣୀ ବାହୁନି ବାହୁନି କାନ୍ଦୁଥାଆନ୍ତି।ଗୋ ହତ୍ୟା ପାପ ଲାଗିବ,କଣ କରିବିଲୋ ମାଆ।ମୁଁ ସବୁ ଲୋକଙ୍କୁ ଆଡେଇ
କୂଅ ଚାହିଁ ଦେଲା ବେଳକୁ୧୪ଦିନର ବାଛୁରୀ ଟି ପାଣି ପିଏ ଉବୁଟୁବୁ ହେଉଥାଏ।।ମୁଁ କିଛି ନଭାବି କୂଅ ଭିତରେ ଥିବା ପଥରକୁ ଧରି ଧରି ଭିତରକୁ ପଶି ଯାଇ ବାଛୁରୀକୁ କୁଣ୍ଢାଇ ଧରିଲି। ଦୋଳା ସହାୟରେ ତାକୁ ଉପରକୁ ଉଠାଗଲା।ତାପରେ ମୁଁ ୩୫ହାତର କୂଅ ଭିତରୁ ଆସିଲା ବେଳକୁ ମୋର କିଛି ଯାଗା ପଥର ବାଜି ଖଣ୍ଡିଆ ହୋଇ ଯାଇଥିଲା।ପଣ୍ଡିତେ ଜଣେ ବହୁ ଜ୍ଞାନୀ ଗୁଣୀ ବ୍ୟକ୍ତି।ସେ ମୋତେ କୋଲେଇ ପକାଇ କହିଲେ।କିଏ କହିଲା
ତୁମେ ଦୁଷ୍ଟ।ତୁମଭଳି ସାହାସୀ ,ସ୍ୱଚ୍ଛ ମନୋବୃତ୍ତିର ପିଲା ଦିନେ ବହୁ ଉପରକୁ ଯିବ।ଆଜି ଗୋଟିଏ ବାଛୁରୀକୁ ତା ମାଆ ପାଖକୁ ଫେରାଇ ଆଣି ଯାହା ଉପକାର କରିଛ ତା ମାଆକୁ ଓ ମତେ ମଧ୍ୟ ଗୋହତ୍ୟା ପାପରୁ ରକ୍ଷା କରିଦେଲ।ଏହା ଠାରୁ ଆଉ କଣ ବଡ଼ ଧର୍ମ ଅଛି। ମୋ ବୋଉ ସେଠି ଠିଆ ହୋଇ ବିକଳ ହୋଇ ଚାହିଁ ଥାଏ,ତାର ଭୟ ମୋର କିଛି ହୋଇ ଯାଇ ଥିବ ଭାବି?ପଣ୍ଡିତ ମହାଶୟ କହିଲେ ମାଆ ତୁମେ ତୁମ ପୁଅର ନାମ ରତ୍ନାକର ରଖିଛ।ସେ ଗୋଟେ ରତ୍ନର ଖଣି।ସେ ଆଜି ଦସ୍ୟୁରତ୍ନାକର ରୁ ବାଲ୍ମୀକି ରେ ପରିଣତ ହୋଇଗଲା।ସେଦିନ ପରେ ମୋର କଣ ହେଲା ମୁଁ ନିଜେ ଜାଣିନି।ସେବେଠୁ ପଣ୍ଡିତ ମହାଶୟ ସେ ସକାଳୁ ସକାଳୁ ଦାନ୍ତ ଘଷିଲାବେଲେ ସଂସ୍କୃତ ପାଠ ପଢେଇଲେ।ମୁଁ ମାଟ୍ରିକ ରେ ଭଲ ନମ୍ବର ରଖି ଉତ୍ତୀର୍ଣ୍ଣ ହେଲି।ବାହାରେ ଯାଇ ପାଠ ପଢିଲି। ବାପାଙ୍କ ଦେହାନ୍ତ ପରେ ଘରର ଦାୟିତ୍ଵ ନେବା ସଙ୍ଗେ ଘର ସଂସାର କଲି।ତଥାପି ଏବେ ବି ମୋ ବୋଉ ହସି ହସି ମୋ ପିଲାଙ୍କୁ କହେ ମୋ ପୁଅ ଭଳି ତୁମେ ହେଇପାରିବ।ଗଛ କଟାରୁ ଘୋଡ଼ା ଚଢ଼ା ସବୁ ମୋ ପୁଅକୁ ଜଣା।ତଥାପି ତା ଆଖିରେ ମୁଁ ଗୋଟିଏ ଦୁଷ୍ଟ ପିଲା।
