Badal Nanda

Children Stories

3  

Badal Nanda

Children Stories

ମୋ ପଦଯାତ୍ରା

ମୋ ପଦଯାତ୍ରା

4 mins
208


ମୋ ପଦଯାତ୍ରା ....

ହରିଶଙ୍କର ରୁ......ନୃସିଂହନାଥ.... 

ମାମୁଁ ଘର ଖିରି ପୁରୀ ,

ମାମୁଁ ଘର ପଦ୍ମ ପୋଖରୀ,

ମାଇଁଙ୍କର ଶାଗ ପଖାଳ,

ମାମୁଁଙ୍କର ସ୍ନେହଭରା ଅଳ୍ପ ଟିକେ ଗାଳି ।

ସବୁ ଭାରି ମନେପଡେ ଯେତେବେଳେ ଖରାଛୁଟି ଆଗତ ପ୍ରାୟ ହୁଏ lମାମୁଁ ମାଇଁଙ୍କ ସେଇ ସ୍ନେହଭରା ଡାକ "ଭଣଜା ଆର ଛୁଟିକୁ ଶୀଘ୍ର ଆସିବ " କେବଳ ଏଇ ପଦଟେ ଡାକ ପାଇଁ ମୁଁ ମାମୁଁ ଘରକୁ ଯିବାକୁ ବ୍ୟଗ୍ର ହୋଇପଡେ ବୋଲି ଯଦି ଆପଣ ଭାବୁଥାନ୍ତି ତାହା ନୁହେଁ, ତା ସହ ଆହୁରି ଅନେକ କାରଣ ଅଛି, ଅଜା ଆଈଙ୍କ ସ୍ନେହ ସହ ମୋ ମାମୁଁ ଙ୍କ ପୁଅମାନଙ୍କ ସହ ମୋର ନିବିଡ ବନ୍ଧୁତା ମୋତେ ପ୍ରତି ଖରା ଛୁଟିରେ ବ୍ୟଗ୍ର କରିତୋଳେ ମାମୁଁ ଘରକୁ ଆସିବା ପାଇଁ l

ମୋର ଦୁଇ ମାମୁଁଙ୍କ ଚାରି ଜଣ ପୁଅ ସେମାନେ ମୋ ଠୁଁ ଅଳ୍ପ ବଡ ସାନ ହେଲେବି ଆମେ ସମବୟସ୍କ ପରି ମିଳାମିଶା କରୁ l ବଡ ପୁଅ ପ୍ରକାଶ ମୋର ଏକାନ୍ତ ଆତ୍ମୀୟ lପ୍ରକାଶ ସହ ମୁଁ ବହୁତ ସମୟ ବିତାଏ l

ମାମୁଁଙ୍କ ଘରକୁ ଯିବାକୁ ମୋ ପାଇଁ ସେତେବେଳେ ବସ୍ ହିଁ ଏକମାତ୍ର ମାଧ୍ୟମ l ସନ୍ଧ୍ୟା ୭ଟା ରେ ବସ୍ ଆସି ସବୁଦିନ ଲାଗିଯାଏ ଆମ ଗାଁ ଛକରେ l ସେଇ ବସଟା ସତେ ଯେମିତି ଗୋଟାଏ କ୍ରୁରତା ର ଚି଼ହ୍ନ ମୋ ପାଇଁ l ପ୍ରତ୍ୟେକ ଥର ମୋତେ ହିଁ ହଇରାଣ କରାଏ l ମୋ ଯିବା ଦିନ ଘଣ୍ଟାଏ ଦେଢ଼ ଘଣ୍ଟା ବିଳମ୍ବରେ ପହଞ୍ଚେ l

ଚିଡିଯାଇ ମୁଁ ଭାବେ କିଏ କଣ ଯାଇ ଡ୍ରାଇଭରକୁ କହିଦେଲା କି ? ମୁଁ ଅପେକ୍ଷା କରିଚି ବୋଲି କାଇଁ ଏଯାଏଁ ତ ଆସିନି, ସବୁବେଳେ ତ ଏଇ ସମୟରେ ଯାଏ l ପ୍ରତ୍ୟେକ ଥର ଏମିତି ବହୁତ ସମୟ ଅପେକ୍ଷା କରିବାକୁ ପଡେ ମୋତେ l

ମୋର ଗାଁ ରେ ସେମିତି କେହି ଖେଳ ସାଙ୍ଗ ନାହାନ୍ତି l ସେଥିପାଇଁ ମୁଁ ମୋ ଚାରି ଭାଇଙ୍କୁ ସବୁବେଳେ ମନେ ପକାଏ l ଆସିବା ଦିନ ପ୍ରକାଶ ମୋତେ ବସ୍ ରେ ବସାଇ ଦେଇ ଯାଏ ବାକି ତିନି ଜଣ ମୁହଁ ଶୁଖେଇ ଶୁଅନ୍ତି ନିଜ କୋହକୁ ଲୁଚାଇ l ବୋଧେ ପ୍ରକାଶ ମୋଠୁ ଟିକେ ବଡ ବୋଲି ଚାଲି ଆସେ କର୍ତ୍ତବ୍ୟ ତୁଲେଇବାକୁ l ବସ୍ ରେ ବସେଇ ଦେଇ ମୁହଁ ଶୁଖେଇ ଚାଲିଯାଏ l

ଗାଡି ମାଡିଚାଲେ ସତେ ଯେମିତି ବନ୍ଧୁକର ଗୁଳି l ଯିବା ସମୟରେ ବସ୍ ର ଧୀରତା ଓ ଆସିବା ସମୟର ତୀବ୍ରତା ମୋତେ ବିଚଳିତ କରି ତୋଳେ ।

ମୋର ସମ୍ପୂର୍ଣ୍ଣ ଖରାଛୁଟିଟା ମାମୁଁ ଘରେ ବିତେ l ଆସିଲା ବେଳେ ମନରେ ବୋଝେଇ ହୋଇଯାଏ ବୋଝେ କୋହ l ଆସିବା ପରେ ଦି ତିନି ଦିନ ଜ୍ୱରରେ ପଡେ l ମନ ଧୀରେ ଧୀରେ ପୁଣି ବୁଝିଯାଏ l ବିଦ୍ୟାଳୟ ପାଠ୍ୟକ୍ରମର ନିବିଡ ବନ୍ଧନରେ ରହି ପୁଣି ମୁଁ ଅପେକ୍ଷା କରେ ଆଉ ଗୋଟାଏ ଖରାଛୁଟିକୁ...

ଛୋଟବେଳର କଥା, ମୋତେ ମାତ୍ର ୧୦ ବର୍ଷ ମୁଁ ଚତୁର୍ଥ ଶ୍ରେଣୀରେ ପଢୁଥାଏ l ସବୁବର୍ଷ ଭଳି ସେ ବର୍ଷ ଖରା ଛୁଟି ଆସି ପହଞ୍ଚିଲା ମୁଁ ଘରେ ଅନୁମତି ନେଇ ବାହାରିଲି ମାମୁଁ ଘରକୁ l ସେ ଥରର ଖରା ଛୁଟିର ଅନୁଭୂତି ଯେ ଏତେ ନିଆରା ହେବାକୁ ଯାଉଛି ଏକଥା ମୋତେ ଜଣା ନଥିଲା l ଗାଁ ଛକରେ ଅଳ୍ପ ଅପେକ୍ଷା ପରେ ବସ୍ ଆସି ପହଞ୍ଚିଲା ମୁଁ ଖୁସିରେ ବସ୍ ରେ ଚଢ଼ିଗଲି l ଘୁଁ ଘୁଁ ଗର୍ଜନ କରି ବସ୍ ମାଡି ଚାଲିଲା ମୋ ଲକ୍ଷ୍ୟସ୍ଥଳ ଆଡକୁ l ସନ୍ଧ୍ୟାର ଅଳ୍ପ ଶୀତଳ ଗରମ ମିଶା ପବନ ବସ୍ ଝରକା ଦେଇ ମୋ ଦେହରେ ବାଜିବା କ୍ଷଣେ ମନଟା ଆନ୍ଦୋଳିତ ହୋଇ ଉଠୁଥାଏ କେତେବେଳେ ଯେ ମୁଁ ଯାଇ ପହଞ୍ଚିବି l ଗାଡି ଆଗକୁ ଆଗକୁ ମାଡି ଚାଲିଲା l ଘଣ୍ଟା ପ୍ରତି ୯ କି.ମି. ର ପ୍ରବଳ ବେଗରେ ଥାଏ ଗାଡିର ଗତି l ଦି ଘଣ୍ଟାର ଅପେକ୍ଷା ପରେ ମୁଁ ଯାଇ ପହଞ୍ଚିଲି ମାମୁଁ ଘରେ l

ମୁଁ ଯିବା ଖବର ଆଗରୁ ମିଳିଯାଇଥିଲା ସେମାନଙ୍କୁ, ବସ୍ ଯାଇ ମାମୁଁ ଘର ଗାଁ ରେ ପହଞ୍ଚିଲା, ବସ୍ ରୁ ଓହ୍ଲାଉ ଓହ୍ଲାଉ ସେମାନେ କୋଳେଇ ନେଲେ ମୋତେ ସାଙ୍ଗରେ ନେଇ ଗଲେ ଘରକୁ l ସମସ୍ତଙ୍କୁ ଏକାଠି ପାଇ ମନ ପ୍ରଫୁଲ୍ଲିତ ହୋଇଉଠିଲା l ପୁଣି ସମସ୍ତେ ମିଶି ମାତିଗଲୁ ଖେଳରେ l

ଏମିତିରେ ୩ କି ୪ ଦିନ ବିତିଗଲା......

ଦିନେ ଅଜା ଆଈ ଜିନିଷ ସଜାଡୁଥାନ୍ତି କୁଆଡେ ଗୋଟେ ଯିବେ ବୋଲି l ମୁଁ ଏତେ ଧ୍ୟାନ ଦେଲିନି, ହେଲେ ସାଙ୍ଗରେ ପ୍ରକାଶ ଯିବା କଥାଟା ଶୁଣି ମନଟା କାଇଁ ହଠାତ୍ ମଉଳି ଗଲା l ପ୍ରକାଶ ସହ ମୁଁ ପ୍ରାୟ ବୁଲାବୁଲି କରେ ସେ ପଳାଇଲେ ମୁଁ ଏକା ହୋଇଯିବି ଭାବି ମୋ ମୁହଁ ଶୁଖିଗଲା l ଏବେ ମୋର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆରମ୍ଭ ହେଲା lକାର୍ଯ୍ୟକ୍ରମର ପ୍ରାରମ୍ଭ ହେଲା, ଦୌଡ଼ି ଯାଇ ପହଞ୍ଚିଲି ମାଇଁଙ୍କ ପାଖରେ ପଚାରିଲି -"ସେ ଏକା କାଇଁ ଯିବ" କଥାର ମର୍ମଟା ବୋଧେ ବୁଝାପଡିଗଲା ମାଇଁଙ୍କୁ ମୋର ଶୁଖିଲା ମୁହଁ ଦେଖି, ହେଲେ ମାଇଁ ମୋତେ ପାଲଟା ପ୍ରଶ୍ନକଲେ "କାଇଁ ତମେ ବି ଯିବକି "?

ୟାର ଉତ୍ତର ମୋ ପାଖେ ନଥିଲା କାରଣ ପ୍ରକାଶ ସହ ଯିବାର ପ୍ରବଳ ଇଚ୍ଛା ଥିଲେବି ଘରେ ତ ପଚାରିନି କେମିତି ନିଜର ସମ୍ମତି ଦେବି ଭାବି ରହିଗଲି,କିଛି ନକହି ଚାଲି ଆସିଲି l ମୁହଁ ଶୁଖେଇ ଯାଇ ବସିପଡ଼ିଲି ଖଟ ଉପରେ l ମନ କାଇଁ ଆଉ ଭଲ ଲାଗିଲାନି l ବାହାରକୁ ଖେଳିବାକୁ ବି ବାହାରିଲିନି l ସନ୍ଧ୍ୟା ହେଲା, ମାମୁଁ ଘରକୁ ଆସି ଦେଖନ୍ତି ତ ମୁଁ ମୁହଁ ଶୁଖେଇ ବସିଚି l ମାଇଁଙ୍କ ଠୁ ସବୁ କଥା ଶୁଣି ଆସି ମୋତେ କହିଲେ "ବାପୁନ୍ ତମେ ବି କଣ ଯିବ ? ଯିବ ଜଦି ଯାଅ, ମୁଁ ତମ ମା ବାପାଙ୍କୁ ଜଣାଇଦେବି l" ଏତିକିରେ ମୋର ଖୁସିର ସୀମା ରହିଲାନି, ମୁଁ ବି ବାହାରି ପଡିଲି ପ୍ରକାଶ ସହ ଯିବା ପାଇଁ l ହେଲେ ମୋତେ ଏଯାଏଁ ଜଣା ନଥିଲା ଆମେ ଯାଉଛୁ କୁଆଡେ ?

ଦୌଡ଼ି ଯାଇ ପ୍ରକାଶକୁ ପଚାରିଲି, ତା ଠାରୁ ଜାଣିବାକୁ ପାଇଲି " ମୋ ଅଜା ସେ ଅଞ୍ଚଳର ଜଣେ ଜଣାଶୁଣା ଟୁରିଷ୍ଟ ଗାଇଡ଼୍ ବର୍ଷରେ ଅନେକ ଥର  ବାହାରି ଯାଆନ୍ତି ୪୦ ନା ୫୦ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଭାରତ ଓ ଓଡିଶା ମଧ୍ୟସ୍ଥ ଅନେକ ତୀର୍ଥସ୍ଥାନକୁ l" ଏଥର କିନ୍ତୁ ଆମ ଯାତ୍ରା ଥିଲା "ହରିଶଙ୍କର " ଅଭିମୁଖେ l

ଏବେ ଆମେ ବାହାରିଲୁ

"ହରିଶଙ୍କର"................।


Rate this content
Log in