Badal Nanda

Children Stories

3  

Badal Nanda

Children Stories

ହରିଶଙ୍କର ରୁ ନୃସିଂହନାଥ

ହରିଶଙ୍କର ରୁ ନୃସିଂହନାଥ

4 mins
206


ମୋ ପଦଯାତ୍ରା......

ଭାଗ (୨)

ଆମେ ବାହାରିପଡିଲୁ ହରିଶଙ୍କର ଅଭିମୁଖେ...........

ମାମୁଁ ଘରୁ ପାଖ ଷ୍ଟେସନ ୧୮ କି.ମି. ଦୂରରେ l ସମସ୍ତଙ୍କୁ ଆଗରୁ ଖବର ଦିଆ ସରିଥାଏ ରାତି ୧୦ ଟା ସୁଦ୍ଧା ଷ୍ଟେସନରେ ପହଞ୍ଚିବା ପାଇଁ l ତିନିଟି ଗାଡି ଭଡା ହୋଇଥାଏ ଘରୁ ଷ୍ଟେସନ ଯିବାପାଇଁ l ମାମୁଁ ଆମକୁ ଷ୍ଟେସନ ଯାଏଁ ଛାଡିବାକୁ ବାହାରିଲେ l ଟ୍ରେନ ଯାତ୍ରା ପାଇଁ ପ୍ରକାଶ ବହୁତ ଖୁସି ଥାଏ l ଘର ପାଖରେ ଷ୍ଟେସନ ଥିବାରୁ ମୁଁ ବାପା ମାଁ ଙ୍କ ସହ ବହୁବାର ଟ୍ରେନରେ

ଯାତ୍ରା କରିଥିଲେବି ପ୍ରକାଶ ଆଉ ମୁଁ ପ୍ରଥମ ଥର ଏକାସାଙ୍ଗରେ ଯାଉଥିଲୁ ତେଣୁ ମୁଁ ବି ଖୁସିଥିଲି l ଦୁଇ ଜଣ ସାଙ୍ଗରେ ଥିବାରୁ ମନ ଅଧିକ ପ୍ରଫୁଲ୍ଲିତ ଥିଲା ଏକ ଦୀର୍ଘ ଯାତ୍ରାକୁ ନେଇ l ଘରୁ ବାହାରିବା ପୂର୍ବରୁ ଅନେକ ନିୟମାବଳୀରେ ଆମକୁ ପ୍ରତିବନ୍ଧିତ କରାଗଲା l

ଅଜାଙ୍କ ପ୍ରଥମ ନିୟମ ଏଇଟା ଯେ ଯୋଉ ମୁହୂର୍ତ୍ତ ରେ ବେଶୀ ଅମାନିଆ ହେବ ସେଠି ଛାଡ଼ିଦେବି ଦି ଜଣଙ୍କୁ l

ଅଜାଙ୍କ ଦ୍ୱିତୀୟ ନିୟମ ଖାଇବା ପାଇଁ ସଠିକ୍ ସ୍ଥାନ ନଥିବ ବସି ନହେଲେ ଠିଆ ହୋଇକି ଖାଇଦେବ l ଯାହା ରୋଷେଇ ହଉ ଖାଇଦେବ ବିନା କିଛି କଥାରେ l

ହାତ ଜମା ଛାଡିବନି, ଆମ ଲୋକଙ୍କୁ ଭଲକି ମନେ ରଖିବ ଜଦି ହଜିଗଲ ଶୀଘ୍ର ଭେଟ ପାଇପାରିବ ଏମିତି ବହୁତ କଥା ବୁଝାଉଥିଲେ ଅଜା ହେଲେ ଆମର ଏତେ କଥା ଶୁଣେ କିଏ ଆମେ ବସି ଆମ ଅନ୍ୟ ତିନି ଭାଇଙ୍କ ମୁଖମଣ୍ଡଳରେ ଥିବା ଅସୀମ ଦୁଃଖ ର ଗଭୀରତା ମାପୁଥିଲୁ l

ଆମେ ଦି ଜଣ ବାହାରିବା ଦେଖି ସେମାନେ ମଧ୍ୟ ଯିବାପାଇଁ ଜିଦ ଧରିବସିଲେ l ଆର ଥରକୁ ତମ ତିନି ଜଣଙ୍କୁ ନେଇ ଯିବି କହି ଅଜାଙ୍କ ଦେଇଥିବା ପ୍ରତିଶୃତି ବୃଥା ସାବ୍ୟସ୍ତ ହେଲା, ସେମାନେ ଏକା ଜିଦ୍ ରେ ବସିଲେ l ଏ ସମୟରେ ମାମୁଁ ଆମେ ସମସ୍ତେ କାଲି ବାହାରିବା କହି ତାଙ୍କ ପ୍ରଚଣ୍ଡ ଇଚ୍ଛାକୁ ଚାପି ଦେଲେ l ସେମାନେ ମାମୁଁଙ୍କ କଥାରେ ହଁ ମାରି ରହିଗଲେ l ଆମେ ସମସ୍ତେ ଖାଇପିଇ ଯିବା ପାଇଁ ବାହାରିଲୁ l ଜିପ୍ ଆସି ଘର ସାମ୍ନାରେ ଲାଗିଲା ସମସ୍ତଙ୍କଠୁ ବିଦାୟ ନେଇ ଆମେ ଯାତ୍ରା ଆରମ୍ଭ କଲୁ l

ଆମେ ସର୍ବମୋଟ ୨୮ ଜଣ ବାହାରିଥାଉ l ଆମ ସାଙ୍ଗରେ ସବୁ ବୟସର ମାନେ ୬ ବର୍ଷର ଛୋଟ ଛୁଆ ଠୁ ଆରମ୍ଭ କରି ବୟସ୍କ ଲୋକ ଯାଏଁ ଥାଆନ୍ତି, ସମସ୍ତେ ବାହାରିଥାନ୍ତି ହର ଓ ହରିଙ୍କୁ ଏକତ୍ର ଦର୍ଶନ କରିବା ପାଇଁ l ଆମେ ଜିପ୍ ର ପଛପଟରେ ବସିପଡ଼ିଲୁ ଆଈଙ୍କ ସହ l ପେଟପୁରା ଭୋଜନ ସାରି ଆସିଥିଲୁ ଏବେ ସମୟଟା ଥିଲା ଶୋଇବାର l ମନରେ ଆନନ୍ଦର ଜୁଆର ଶୋଇବାର ଇଚ୍ଛା ନଥିଲେ ବି ଦିନ ସାରାର ଖେଳ ଦୌଡ କ୍ଲାନ୍ତ ଆଣିଦେଇଥିଲା ଶରୀରରେ l ଜିପ୍ ର ଚାରିଆଡେ ଖୋଲା l ଖିଲି ଖିଲି ପବନର ସମ୍ଭାର ଆମ ଆଖିରେ ଖୋଲିଦେଲା ନିଦର ମେଞ୍ଚାଏ ପୃଷ୍ଠା l ଜିପ୍ ପଛପଟେ ପ୍ରକାଶ ଆଉ ମୁଁ ଶୋଇପଡ଼ିଲୁ ଆଇ ଙ୍କ କୋଳରେ l

ହଠାତ୍ ଜିପ୍ ହର୍ଣ୍ଣର ତୀବ୍ର ଶବ୍ଦ ଆମ ନିଦର ସ୍ୱଚ୍ଛ ପୃଷ୍ଠାକୁ ଚିରିଦେଇ ଆମ ନିଦ ଭାଙ୍ଗିଦେଲା l ରାସ୍ତାରେ ଶୋଇଥିବା ଗାଈମାନଙ୍କୁ ହର୍ଣ୍ଣ ବଜାଇ ଉଠାଉ ଥିଲେ ଆମ ଜିପ୍ ଡ୍ରାଇଭର୍ l ଧୀରେ ଧୀରେ ସେ ଆଗକୁ ବଢ଼ାଇ ନେଲେ ଗାଡିକୁ l ଅଳ୍ପ ସମୟ ପରେ ଆମେ ଷ୍ଟେସନରେ ପହଞ୍ଚିଗଲୁ l

ନିଜ ନିଜ ଜିନିଷ ନେଇ ଆମେ ଓହ୍ଲେଇ ପଡ଼ିଲୁ lଏବେ ସମସ୍ତେ ଏକାଠି ହେବାକୁ ଅପେକ୍ଷା କରାଗଲା l ପ୍ଲାଟଫର୍ମରେ ଗୋଟାଏ ମସିଣା ପକାଇ ଆମକୁ ବସିବାକୁ କୁହାଗଲା ହେଲେ ଟ୍ରେନଲାଇନ ପାଖକୁ ଯାଇ ବାରମ୍ବାର ଉଣ୍ଡିବାର ଦେଖି ମାମୁଁ କହିଲେ ତମେମାନେ ଚୁପଚାପ ବସ ନହେଲେ ଘରକୁ ଫେରାଇ ନେଇଯିବି l ବାଧ୍ୟ ହୋଇ ଆସି ମସିଣା ଉପରେ ବସିପଡ଼ିଲୁ ହେଲେ ଆମର ଅଳ୍ପ ଅଳ୍ପ ଦୁଷ୍ଟାମୀ ଚାଲିଥାଏ l ୟାକୁ ଲକ୍ଷ୍ଯ କରି ମାମୁଁ ଆସି କହିଲେ ଟ୍ରେନ ଏବେ ଆଉ ନାହିଁ ସକାଳୁ ଆସିବ ତମେ ଦୁହେଁ ଶୋଇପଡ l ଆମେ ଶୋଇପଡିଲୁ l

ସମୟ ରାତି ସାଢେ ଗୋଟାଏ ହବ ସମସ୍ତେ ସଜଡା ସଜାଡି ହେବା ଆରମ୍ଭ କଲେ l ଆମ ନିଦ ଭାଙ୍ଗିଲା ବେଳେ ମାମୁଁ ଆଉ ସେଠି ନାହାନ୍ତି ସେ ଘରକୁ ଫେରି ସାରିଥିଲେ l ପ୍ରକୃତରେ ଟ୍ରେନ ରାତି ୨ଟା ରେ ଥାଏ , ଆମ ଦୁଷ୍ଟାମୀ ଦେଖି ମାମୁଁ ଆମକୁ ବୁଝାଇ ଶୁଆଇ ଦେଇଥାନ୍ତି l ଷ୍ଟେସନରେ ଟ୍ରେନର ଅଳ୍ପ ସମୟ ରହଣି ଅଜାଙ୍କୁ ଚିନ୍ତିତ କରୁଥାଏ l ଅଳ୍ପ ସମୟରେ କେମିତି ଗୁଡ଼ାଏ ଲୋକ ଓ ମେଞ୍ଚାଏ ବ୍ୟାଗ ନେଇ ଟ୍ରେନରେ ଚଢି ହେବ ତାର ବିକଳ୍ପ ଚିନ୍ତାରେ ଅଜା ଲାଗି ପଡ଼ିଥାନ୍ତି l ଅଜା ଏବେ ଲୋକ ଆଉ ବ୍ୟାଗ ଗଣତିରେ ଲାଗିପଡ଼ିଲେ lଏବେ ଦୁଇ ତିନି ଗ୍ରୁପ ହୋଇ ସମସ୍ତେ ଜିନିଷ ସହ ବାଣ୍ଟି ହୋଇଗଲେ l ଏକା ସ୍ଥାନରେ ଚଢିବାକୁ ଚେଷ୍ଟା ନକରି ଅଲଗା ଅଲଗା ଡବାରେ ଚଢିବାକୁ ସେ ପରାମର୍ଶ ଦେଲେ l ଅଲଗା ଅଲଗା ଗ୍ରୁପ ହୋଇ ସମସ୍ତେ ଟିକେ ଟିକେ ଛାଡି ହୋଇ ରହିଲେ l ହାତ ନ ଛାଡିବାକୁ ଆମକୁ କଡା ପରାମର୍ଶ ଥିଲା l

ପେଁ ପେଁ ହର୍ଣ୍ଣ ବଜାଇ ଛୁକୁ ଛୁକୁ ଶବ୍ଦରେ ପ୍ରକମ୍ପିତ କରି ମାଡିଆସିଲା ସେ ଲୌହଦାନବ l ସତେ ଯେମିତି କହୁଥାଏ ମୋତେ ବ୍ରହ୍ମା କହିଲେ ବି ମୁଁ ଏଠି ସେକେଣ୍ଡଟେ ଅଧିକା ରହିବିନି ଯିଏ ଯିବ ଶୀଘ୍ର ଚଢ l ପ୍ଲାଟଫର୍ମରେ ଟ୍ରେନ ଲାଗିଲା ସମସ୍ତେ ସାଙ୍ଗେ ସାଙ୍ଗେ ଚଢ଼ିଗଲେ ନିଜ ନିଜ ବ୍ୟାଗ ନେଇ l ସିଟ୍ ଖୋଜି ବସିପଡ଼ିଲୁ ଆମେ l ଟ୍ରେନ୍ ସିଟ୍ ରେ ବସି ଶୋଇବାର ଚେଷ୍ଟା ଚଲାଇଲୁ l ଶେଷରେ ଗାଢ଼ ନିଦର ଆବରଣ ଆମ ଉପରେ ଘୋଡାଇ ହୋଇଗଲା l

ସକାଳ ପ୍ରାୟ ସାଢେ ପାଞ୍ଚଟା କି ଛଅଟା ରେ ଆମେ ପହଞ୍ଚିଲୁ ହରିଶଙ୍କର ଷ୍ଟେସନରେ l ସମସ୍ତେ ଭଲରେ ଭଲରେ ଓହ୍ଲେଇ ପଡିଲେ l ସକାଳର ସୁନେଲି କିରଣ ଆମର ସ୍ୱାଗତ କରୁଥାଏ l

ବୋଧେ ଷ୍ଟେସନରେ ଓଭରବ୍ରିଜ କାମ ଚାଲିଥାଏ l ଛାତ ନଥିବା ଓଭରବ୍ରିଜ ଦେଖି ମୁଁ ବିସ୍ମିତ ହେଲି l ମନରେ ଅନେକ ପ୍ରଶ୍ନ ଉଙ୍କି ମାରୁଥିଲା l ହରିଶଙ୍କର ଷ୍ଟେସନ ରୁ ମନ୍ଦିରର ଦୂରତା ୩୩ କି.ମି . l ସେଠାକୁ ଯିବାପାଇଁ ବସ୍ ସୁବିଧା ଥାଏ, ହେଲେ ୟେ କଣ ? ଆଜି ବସଷ୍ଟାଣ୍ଡରେ ଗୋଟାଏ ବି ବସ୍ କି ଗାଡିମୋଟର ର ଦେଖା ନାହିଁ l ହଠାତ୍ ହୋଇଥିବା ଧର୍ମଘଟର କୌଣସି ଧାରଣା ନଥାଏ ଆମ ପାଖେ l ବସଷ୍ଟାଣ୍ଡ ରେ ତିନି ଘଣ୍ଟାର ଅପେକ୍ଷା ପରେ ଦୁଇଟି ଗାଡି ମିଳିଲା ଯିବା ପାଇଁ l ସେଠି ଗେଞ୍ଜା ଗେଞ୍ଜି ହୋଇ ବସି ପଡିଲେ ସମସ୍ତେ l ଦିନ ପାଖାପାଖି ପ୍ରାୟ ୧୧ ଟା ଆମେ ଯାଇ ପହଞ୍ଚିଲୁ ହରିଶଙ୍କର ମନ୍ଦିରରେ.....

ଅନିଦ୍ରା ଯୋଗୁଁ ଅଳ୍ପ ଘୁମାଉଥିଲି ମୁଁ l ଆଖି ଖୋଲିଲା ବେଳକୁ ସାମ୍ନାରେ ଗୋଟାଏ ବିଶାଳ ପ୍ରତିମା ଆମକୁ ସ୍ୱାଗତ କରୁଥାଏ.....।

କ୍ରମଶଃ......



Rate this content
Log in