Pradeep Kumar Panda

Children Stories Classics Inspirational

4  

Pradeep Kumar Panda

Children Stories Classics Inspirational

ଘରଚଟିଆ

ଘରଚଟିଆ

2 mins
5


ପୂର୍ବାଚାର୍ଯ୍ୟମାନେ କହିଛନ୍ତି, ‘କ୍ଷୁଦ୍ରୋପି ନିହିତା ଶକ୍ତି ସମ୍ଭାବନା ଗରୀୟସୀ।’ ଆମ ପୃଥିବୀରେ ଏପରି ଅନେକ କ୍ଷୁଦ୍ର ବସ୍ତୁ ରହିଛି, ଯାହା ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ମନୁଷ୍ୟର କଲ୍ୟାଣ ସାଧନ କରେ। ତନ୍ମଧ୍ୟରୁ ଘରଚଟିଆ ଅନ୍ୟତମ। ଆଠରୁ ଦଶ ସେଣ୍ଟିମିଟର ଲମ୍ୱର ଏହି ପକ୍ଷୀ ମାନବର ଅଶେଷ କଲ୍ୟାଣ ସାଧନ କରିଆସୁଛି। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ବର୍ତ୍ତମାନ ପ୍ରାକୃତିକ ଅସନ୍ତୁଳନ ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି କ୍ଷୁଦ୍ର ପକ୍ଷୀ ବିଲୁପ୍ତପ୍ରାୟ ତାଲିକା ଅନ୍ତର୍ଭୁକ୍ତ ହୋଇଛି।

ସକାଳ ହେବା ମାତ୍ରେ କିଚିରି ମିଚିରି ଶବ୍ଦ କାକଳିରେ ପରିବେଶକୁ ମୁଖରିତ କରୁଥିବା ଏହି ପକ୍ଷୀ ଆଜିକାଲି ଦେଖିବାକୁ ମିଲୁନାହାନ୍ତି। ଘରଚଟିଆର ଦୁଇଟି ଜାତି। ଗୋଟିଏ ପୁରୁଷ ଓ ଅନ୍ୟଟି ମହିଳା। ପୁରୁଷ ଚଟିଆର ବେକ ପାଖ ସାମାନ୍ୟ କଳା ଓ ନିମ୍ନାଂଶ ଧଳା ହୋଇଥିବା ବେଳେ ମାଈ ଚଟିଆ ମାଟିଆ ରଙ୍ଗର ହୋଇଥାଏ। ଗୋଟିଏ ପ୍ରାପ୍ତବୟସ୍କ ଚଟିଆର ଓଜନ ପାଖାପାଖି ତିରିଶି ଗ୍ରାମ। ମାଈ ଚଟିଆ ଥରକେ ଆଠରୁ ଦଶଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବାର ଦଶଦିନ ପରେ ଛୁଆ ଫୁଟିଥା’ନ୍ତି। ଘରଚଟିଆର ଖାଦ୍ୟ ହେଉଛି ବିଭିନ୍ନ କୀଟ ଓ ଖାଦ୍ୟଶସ୍ୟ। ତା’ର ଛୋଟ ଥଣ୍ଟରେ ସେ ଶସ୍ୟର କଠିନ ଚୋପାର ଆସ୍ତରଣକୁ ଛଡ଼ାଇ ଖାଇଥାଏ। ବାଡ଼ିବୁଦାରୁ କାଠି କୁଟା ସଂଗ୍ରହ କରି ସେ ନିଜର ବସା ତିଆରି କରେ। ତା’ ଛଡ଼ା ମଣିଷ ରହୁଥିବା ଚାଳ ଘର, କେବୁଲ୍‌‌ ବାକ୍ସ, ବିଦ୍ୟୁତ୍‌‌ ତାର, ସ୍କାଏଲାଇଟ୍‌‌ ଆଦି ମଧ୍ୟ ଘରଚଟିଆର ପ୍ରିୟ ବାସସ୍ଥାନ।

ଘରଚଟିଆ ଏକ ଚଳଚଞ୍ଚଳ ଓ ପରିଶ୍ରମୀ ପ୍ରାଣୀ। ସକାଳୁ କେବଳ ଯେ ଏହା ମନୁଷ୍ୟକୁ ନିଦରୁ ଉଠାଇ ଥାଏ ତା’ ନୁହେଁ, ବରଂ ଘରଚଟିଆ ଧୂଳିରେ ଗଡ଼ିଲେ ବର୍ଷା ଆସିଥାଏ ବୋଲି ବିଶ୍ୱାସ ରହିଛି। ଅନ୍ୟପକ୍ଷରେ ଦେଖିବାକୁ ଗଲେ କୃଷକର ଏକ ଉତ୍ତମ ବନ୍ଧୁ ଭାବେ ଘରଚଟିଆ ପରିଚିତ। ବିଲରେ ଶସ୍ୟକୁ ନଷ୍ଟ କରୁଥିବା କୀଟମାନଙ୍କୁ ଚଟିଆ ଖାଇ ଫସଲକୁ ସୁରକ୍ଷା ଦେଇଥାଏ। କିନ୍ତୁ ବର୍ତ୍ତମାନ ଚାଷ ଜମିରେ ଅତ୍ୟଧିକ କୀଟନାଶକ ବ୍ୟବହାର ଫଳରେ ଘରଚଟିଆ ପ୍ରତି ବିପଦ ସୃଷ୍ଟି କରିଛି। ଯାନବାହନର ମାତ୍ରାଧିକ ଚଳାଚଳ, ଚାରିଆଡ଼େ କଂକ୍ରିଟ ଜଙ୍ଗଲ, ଚାଳଘର ବିଲୁପ୍ତ, ମାଳ ମାଳ ଟାୱାରରୁ ନିର୍ଗତ ବିକିରଣ ଏହି ସୁନ୍ଦର ପକ୍ଷୀର ଜୀବନକୁ ବିପଦ ଆଡ଼କୁ ଠେଲି ଦେଇଛି।

ଏହି ଦୁର୍ଲଭ ପକ୍ଷୀର ସୁରକ୍ଷା ପାଇଁ ‘ଇଣ୍ଟରନ୍ୟାସନାଲ ୟୁନିୟନ ଫର୍‌‌ କଞ୍ଜରଭେସନ ଅଫ ନେଚର୍‌‌ ଆଣ୍ଡ ନେଚୁରାଲ ରିସୋର୍ସ’ ପକ୍ଷରୁ ୨୦୧୦ ମସିହାଠାରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖକୁ ‘ବିଶ୍ୱ ଘରଚଟିଆ ଦିବସ’ ଭାବେ ପାଳନ କରାଯାଇ ଆସୁଛି। ଘରଚଟିଆର ସୁରକ୍ଷା ପାଇଁ ଲୋକଙ୍କ ମନରେ ସଚେତନ ସୃଷ୍ଟି କରିବା ଏହି ଦିବସର ଲକ୍ଷ୍ୟ। ଖୁସିର ବିଷୟ ଗତ କିଛିବର୍ଷ ହେଲା ଏହି ଦିବସ ପାଳନର ସୁଫଳ ମିଳିଛି। କିଛି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଏହାର ସୁରକ୍ଷା ପାଇଁ ଅଗ୍ରସର ହୋଇ ଜନସାଧାରଣଙ୍କୁ ସଚେତନ କରାଇବା ସହ କୃତ୍ରିମ ବସା ନିର୍ମାଣ, ଖାଦ୍ୟ ଓ ଜଳ ଯୋଗାଣ ବ୍ୟବସ୍ଥା କରୁଛନ୍ତି।

ଏବେଠାରୁ ଯଦି ଆମେ ଏହାର ବଂଶ ରକ୍ଷା ପାଇଁ ଚେଷ୍ଟା ନ କରିବା ତେବେ ଏହି ସୁନ୍ଦର ପକ୍ଷୀ ବିଷୟରେ ଆଗାମୀ ବଂଶଧରମାନେ କେବଳ ଇତିହାସରେ ପଢ଼଼ିବେ। ଏଠାରେ କବି ମହେଶ୍ୱର ମହାନ୍ତିଙ୍କ ଏକ ପଂକ୍ତି ମନେପଡ଼େ –

ମାନବେ ମହାବଳି ପ୍ରକୃତି ପାଦେ ଦଳି / ନ ମାନି ବିଧାତା ନିୟମ କରୁଛି ଆଜି ଯାହା ନାହିଁ ତା’ ପାଇଁ ରାହା ଲଭିବ ଦିନେ ଫଳ ଚରମ।

ହି ପକ୍ଷୀର ବଂଶବିସ୍ତାର ପାଇଁ ଆମେ କୃତ୍ରିମ ଚାଳଘର ନିର୍ମାଣ କରିବା, କୀଟନାଶକର ବ୍ୟବହାର କମାଇବା, ଉଚ୍ଚସ୍ଥାନରେ ମାଟିହାଣ୍ଡି କଣା କରି ଲଗାଇବା, କାର୍ଡ ବୋର୍ଡ ବ୍ୟବହାର କରି କୃତ୍ରିମ ବସା ନିର୍ମାଣ କରି ଟାଙ୍ଗିବା, ଛାତ ଉପରେ ମାଟି ପାତ୍ରରେ ପାଣି ତଥା ଖାଦ୍ୟ ଶସ୍ୟର ବ୍ୟବସ୍ଥା କରିବା ବିଧେୟ। ଆମମାନଙ୍କ ସ୍ଥିତି ଓ ସମୃଦ୍ଧି ପାଇଁ ଘରଚଟିଆମାନଙ୍କ ବଞ୍ଚିବା ଜରୁରୀ। ମନୁଷ୍ୟ ଓ ପଶୁପକ୍ଷୀ ଏକତ୍ର ସହାବସ୍ଥାନ କରିବା ଆମ ପରିବେଶ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଆସନ୍ତୁ ଏହି ଟିକି ପକ୍ଷୀର ସୁରକ୍ଷା କରିବା ଏବଂ ଆମ ପରିବେଶକୁ ସୁନ୍ଦର କରିବା।


Rate this content
Log in