STORYMIRROR

Dr.Tanmayee Mohanty

Others

3  

Dr.Tanmayee Mohanty

Others

ଦିଗନ୍ତର ଯାତ୍ରା ପଥେ

ଦିଗନ୍ତର ଯାତ୍ରା ପଥେ

3 mins
231


ଆସ ଦେଖ ଅଲିଭା , ଆଜିର ସମାଜରେ କ'ଣ ବାହାରିଛି । ଝିଅ ବୋହୁ କଥା ଅଲଗା ଏତ ଆଶ୍ଚର୍ଯ୍ୟ ପଞ୍ଚାବନ ବର୍ଷର ମହିଳା ସହ ନାବାଳକର ।କି ପ୍ରକାର କମ୍ଵିନେସନ କୁହତ ।ଏ ସାମ୍ବାଦିକ ଗୁଡା କେଉଁଠୁ ଖବର ଗୋଟାନ୍ତି କେଜାଣି ।ଦେଖ-ହୋ ହେଡଲାଇନ "ବୟସ୍କା ମହିଳାଙ୍କୁ ଧରି ନାବାଳକ ଚା ବାଲା ଫେରାର"। ଓଃ କେତେ ବେଳେ କ'ଣ ଯେ ଘଟୁଛି ।ଏ ସଂସାରରେ ଆଉ ରହିହେବନି ।ଚା ପିଆ ସହିତ ସମାଜରେ ଆଖି ବୁଲାଇ ମତବ୍ୟକ୍ତ କରୁଥାନ୍ତି ବାନାମ୍ବର ବାବୁ ।


ଏଇଟା ବାନାମ୍ବର ବାବୁଙ୍କ ସବୁ ଦିନିଆ ଅଭ୍ୟାସ । ପିଲା ଦିନେ ତାଂକ ଅଜାଙ୍କୁ ଶୁଣାଇଥିଲେ ।ପରେ ପରେ ପିଲାଙ୍କୁ ଏବେ ପତ୍ନୀକୁ । ଅଲିଭା ସବୁଦିନ ସକାଳୁ ସ୍ଵାମୀଙ୍କ ଠାରୁ ସମ୍ବାଦ ସବୁ ଶୁଣିଥାନ୍ତି ଯେ ଆଉ କେବେ ସମାଜକୁ ଓଲଟାଇବା ତାଙ୍କ ଆବଶ୍ୟକ ପଡେନାହିଁ । ତେଣୁ ସେ ଘରର କାମରେ ବ୍ୟସ୍ତରହନ୍ତି ।ବାନାମ୍ବର ବାବୁ ଅଭ୍ୟାସ ମୁତାବକ ଚା ପିଆ ସାରି ପନିପରିବା ପାଇଁ ବଜାର କୁ ଗଲେ, ପ୍ରତ୍ୟେକଦିନ ସେ ସଜ ପରିବା ଶାଗ ଇତ୍ୟାଦି ଆଣନ୍ତି । ସେ ବଜାରରୁ ଆସି ପରିବା ବ୍ୟାଗ୍ ଥୋଇଦେଇ ପୁଣି ଡକା ପକାଇଲେ ଅଲିଭାଙ୍କୁ । ବିରକ୍ତି ପ୍ରକାଶ କରି କାମକୁ ଅଧାରଖି ଦଉଡ଼ି ଆସି ଲେ ଅଲିଭା ।


ବୁଝିଲନା ଆଜି ସକାଳେ ଆମେ ଯେଉଁ କଥା ହେଉଥିଲେ

ମ , ସେ ଚା ବାଲା କାହାକୁ ନେଇଛି ଜାଣିଲଣି ! ଆମ ପଡିଶା ଘରର କାମବାଲୀ କମଳି । ଓଃ ଆସ୍ତେ ପାଟିକର , କାନ୍ଥକୁ କାନ୍ଥ ଲାଗିଛି ପରା ତୁମକୁ ଜଣାପଡ଼ୁନି ଅଯଥା ଝାମେଲା ସାଉଁଟି ଆଣୁଛି। ଯିଏ ଯୁଆଡେ ଯାଉଛି ଯାଉ ଆମର କ'ଣ ଅସୁବିଧା ହେଇଯାଉଛି କହି ନିଜ କାମରେ ମନଦେଲେ ଅଲିଭା । 


ବାନାମ୍ବର ବାବୁ ଖାଇ ସାରି ଅଫିସ ବାହାରି ଗଲେ ।ଫେରୁ ଫେରୁ ରାତି । ଅଲିଭା ଶାଶୁଙ୍କୁ ଖାଇବାକୁ ଡାକିଲେ । ଶାଶୁ ଆଉ ସେ ଖାଇଦେଲେ କାମ ସରିଲା ପୁଣି ଯାଇ ଦିନ ତିନିଟା । ପିଲା ମାନେ ଥିଲେ ଦିନଟା ଯାକ ବ୍ୟସ୍ତରହନ୍ତି । ସେମାନେ ଏବେ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି । ଠିକ୍ ଏତିକିବେଳେ କବାଟ ଠକ୍ ଠକ୍ ଶୁଭିଲା । ଖୋଲି ଦେଖିଲା ବେଳକୁ ପଡୋଶୀ ସୁମିତ୍ରା ଦେବୀ । ଅଲିଭା ଆଶ୍ଚର୍ଯ୍ୟ ହୋଇଗଲେ ।ସେ କେବେହେଲେ ଘରକୁ ଆସନ୍ତି ନାହିଁ । ପ୍ରାୟ ସବୁ ସୁଖ ଦୁଃଖ , ଭଲମନ୍ଦ ସେ ଗେଟ ପାଖରେ ବୁଝା ବୁଝି ହୁଅନ୍ତି । ଭିତରକୁ ଡ଼ାକି ଆଣି ବସିଲୁ ଦୁହେଁ ।କମଳି ବିଷୟରେ ଶୁଣିବାକୁ ମନ ଭିତରେ ଥିବା ଆଗ୍ରହ କୁ ଅସ୍ବୀକାର ତ କରିହେବନି । ତଥାପି କିଛି ପଚାରିବାକୁ ସଙ୍କୋଚ ଲାଗୁଥାଏ । ପାଖାପାଖି ଅଧଘଣ୍ଟା ଇଆଡୁ ସିଆଡୁ କଥା ହେଲା ପରେ କମଳି କଥା ପଡୋଶୀଙ୍କ ଠାରୁ ଆରମ୍ଭ ହେଲା ।


କମଳି ତିନି ଦିନ ଧରି କାମ କରିବାକୁ ଆସୁନି । କ'ଣ ହୋଇଛି କେଜାଣି । ସତରେ ସେ କିଛି ଜାଣି ନାହାନ୍ତି ନା ନଜାଣିବାର ଅଭିନୟ କରୁଛନ୍ତି ମ? ମନେ ମନେ ଭାବୁଥିଲି । ପଡୋଶୀ ତାଙ୍କ ସଫେଇ ଦେଇଥିଲେ ମଧ୍ୟ ଆଉଟି ପାଉଟି ହୋଇ ସମାଜ ପ୍ରସଂଗ କୁ ଆସି କହିଲେ "ଆର ଏତେ ଗୁଣ ଅଛି ଜାଣି ଥିଲେ ମୁଁ ୟାକୁ ଘରେ ପଶିବାକୁ ଦେଇ ନଥାନ୍ତି । ଦେଖନ୍ତୁ ଏ ସାହି ସାରା ଲୋକ ମୋତେ କେମିତି ଦୃଷ୍ଟିରେ ଚାହୁଁଛନ୍ତି ଯେମିତି ମୁଁ କମଳିକୁ ଶିଖେଇ ମତେଇ ତା ସାଙ୍ଗରେ ପଠାଇ ଦେଇଛି । ଭାରି ଖରାପ ଲାଗୁଚି ।" 


      ଅଲିଭା କ'ଣ କହିବେ ଜାଣି ପାରୁ ନଥାନ୍ତି ।କାଳେ ପାଟିରୁ କିଛି ବାହାରି ଯିବ ସେ ଭୟରେ ଖାଲି ହଁ ହଁ ମାରୁଥାନ୍ତି । ପଡୋଶୀ ତାଙ୍କ ମନର କ୍ଷୋଭ ସବୁ ଉଦ୍ଗାରି ଦେଇ ଚାଲିଗଲେ । ଧିରେ ଧିରେ ଏ କଥା ସମସ୍ତେ ଭୂଲି ଯିବାକୁ ବସିଲେ । ଦିନ କେତେଟା ଯାଇଛି ହଠାତ୍ କମଳି ଆସି ସକାଳୁ ସକାଳୁ ଆମଘରେ ପହଞ୍ଚିଲା । ତା'ର ଚିରାଚରିତ ଢଙ୍ଗରେ ମୋ ଶାଶୁଙ୍କୁ ଡ଼ାକିଲା ।ଆମେ ଦିଜଣ କେବଳ ତାକୁ ଦେଖିବାରେ ଲାଗିଥାଏ । କମଳି ମଥାରେ ସିନ୍ଦୂର ଟୋପା ଆଜି କାହିଁକି ବେଶୀ ସୁନ୍ଦର ଦେଖା ଯାଉଥିଲା । ମୋ ଶାଶୁ ତାଙ୍କ ବିଛଣା ଛାଡ଼ି ଆସି କାହିଁକିରଡି ପକାଉଛୁବା କମଳି? କମଳି ଗୋଟିଏ ପଲିଥିନ ଧରାଇ କହୁଥାଏ ନେ ମାଉସୀ ତୋରି ପାଇଁ ଏ ନିର୍ମାଲ୍ୟ ପୁଡ଼ିଆଟା ଆଉ ମହାପ୍ରଭୁଙ୍କ ପ୍ରସାଦ ଆଣି ଥିଲି । ଆଜି କାଲି ଏପିଲା ମାନଙ୍କ ଏସବୁରେ ଶ୍ରଦ୍ଧା ନାହିଁ । ପନ୍ଦର ଦିନ ପଡ଼ି ପଡ଼ି ଶେଷରେ ପାଣିରେ ପକାଯିବ ସିନା ଏମାନେ ଛୁଇଁବେ ନାହିଁ ।ମଉକା ଦେଖି ପଚାରିଲି ହଇଲ କମଳି ସେ ଚା ବାଲା ପିଲା ସାଂଗରେ କୁଆଡେ 

ଯାଇଥିଲୁ ? 


କମଳି ହସି ହସି କହିଲା ନାନୀ ସେ ପିଲା ସୁନାମୁଣ୍ଡା ଟାଏ । ସେ ଦିନ ବର୍ଷାରେ ଭିଜି ଭିଜି ତା ଚା ଦୋକାନ ପାଖଦେଇ ଯାଉଥାଏ । ମୋତେ ଡାକି ଚା ଦେଲା ପିଇବାକୁ । ଯେତେ ଯାଚିଲି ପଇସା ନେଲାନି , ମୋତେ ସାହାଯ୍ୟ କରିପାରିବୁ ବୋଲି ପଚାରିଲା । ମନରେ ସନ୍ଦେହ ହେଉଥାଏ ତଥାପି ପଚାରିଲି , କହୁନୁ । ସେ ସାହାସ କରି କହିଲା ।ମୋ ନାନୀ ମନାକରି ଦେଲା ।ମୋ କନିଆଁର ଇଛା ସେ ପୁରୀ ଜଗନ୍ନାଥଙ୍କ ଦର୍ଶନ କରିବା । ହେଲେ ତାର ଗଲା ବର୍ଷ ଗାଡି ଦୁର୍ଘଟଣାରେ ଗୋଡ଼ ଦୁଇଟା ଅଚଳ ହେଇଯାଇଛି ।ତୁ ତାକୁ ଧରି ଧରି ନେଇପାରିଲେ ମୁଁ ତୋରୁଣୀ ହୋଇରହିବି , ଏତିକି କଥା ନାନୀ । ମୁଁ ମୋ ଗେରସ୍ତ କୁ ପଚାରିଲି ଯେ ସେ'ବି ହଁ ମାରିଲା ସାଂଗେ ସାଂଗେ ସେ ଆମକୁ ସାଥିରେ ଧରି ପୁରୀ ଜଗନ୍ନାଥଙ୍କ ଦର୍ଶନ କରାଇ ଆଣିଲା । ମୁଁ କ'ଣ କେବେ ଯାଇ ପାରି ଥାନ୍ତି । ସବୁ ସେ କଳା ଠାକୁରର ଇଛା ।ଆର ଜନ୍ମକୁ ମୋରି କୋଳରେ ତାକୁ ଦେବୁରେ କାଳିଆ କହି ସେ ଚଟାଣ ଉପରେ ଢୋ ଢୋ ମୁଣ୍ଡିଆ ମାରୁଥାଏ କମଳି । ମୋ ଦୃଷ୍ଟି କମଳିଠୁ ଲମ୍ବିଯାଉଥାଏ ଦିଗନ୍ତର ଆର ପାଖକୁ । ଅନ୍ତରାତ୍ମା ଏକାକାର ହେଉଥାଏ କମଳିର ଅମୃତ ପ୍ରେମରେ ।


Rate this content
Log in