STORYMIRROR

Dr.Tanmayee Mohanty

Others

4  

Dr.Tanmayee Mohanty

Others

ଅଭୁଲା ସେ ସ୍ମୁତି ରୁ କିଛି

ଅଭୁଲା ସେ ସ୍ମୁତି ରୁ କିଛି

3 mins
331



      ‌ଠିକ୍ ଆଜିର ଦିନ ଜାନୁଆରୀ ୨ ତାରିଖ ସେଦିନ ସୋମବାର ଥିଲା। ବାଣୀବିହାର ପରିସରରେ ମୁଁ ଆଉ ୫ ଜଣ ମୋ ପରି ପରୀକ୍ଷାର୍ଥୀ ଅପେକ୍ଷା କରି ଥାଉ, ପରସ୍ପର ମଧ୍ୟରେ ବନ୍ଧୁତା ଗଢିବାରେ ଏହି ସମୟ ହିଁ ସାହାଯ୍ୟ କରିଥାଏ । ଆମ ଭିତରୁ ଦୁଇ ଜଣ ପଶ୍ଚିମ ଓଡ଼ିଶାର, ଜଣେ ଉତ୍ତର ପ୍ରଦେଶର ଆଉ ଦୁଇଜଣ ଭୂବନେଶ୍ଵର ର ଥାଉ । ବାଣୀବିହାର ପରିସରରେ ଏ ଭୂବନେଶ୍ଵରିଆ ମାନଙ୍କ ଭାଉ ଅଧିକା । ମୋ ମନ ଭିତରେ ଅନେକ ଗୁଡ଼ିଏ ଚିନ୍ତା ଲଢେ଼ଇ କରୁଥାନ୍ତି ତେଣୁ ମୁଁ ମନମାରି ବସିଥାଏ । ପାଖାପାଖି ଅଧଘଣ୍ଟା । ପ୍ରଥମେ ଡକା ହେଲା ସମ୍ବଲପୁର ର ସମୀର ସେନାପତିଙ୍କୁ । ଭିତରେ କେତେ ଜଣ ଅଛନ୍ତି, କେଉଁ ଧରଣର ପ୍ରଶ୍ନ ପଚାରୁଛନ୍ତି ଇତ୍ୟାଦି ଇତ୍ୟାଦି ଭାବନା ର ଅନ୍ତ ଘଟାଇ ସମୀର ଆସୁ ଆସୁ ଆମେ ଘେରି ପଚାରି ବସିଲୁ । ସେ ହସିଦେଇ କହିଲା ମୋତେ ମୋର ନାମ ଓ ତା'ର ଅର୍ଥ ବୁଝାଇବାକୁ ପଡ଼ିଲା । "ମୁଁ ସମସ୍ତ ପ୍ରଶ୍ନର ଉତ୍ତର ଦେଲି, ହେଲେ ଏଭଳି ନାମ କରଣ ପଛରେ କ'ଣ ଉଦ୍ଦେଶ୍ୟ ଥିଲା କହି ପାରିଲି ନାହିଁ । ମୁଁ ଏକଥା ଜାଣିବା ତ ଦୂର ଏ କଥାକେବେ ଭାବି ନଥିଲି । ଯାହା ହେଉ ସରିଗଲା ।"

       ମୋର ନାମ ଡକା ହେଲା, ମୁଁ ଭିତରକୁ ପଶି ସମସ୍ତ ସାର୍ ମାନଙ୍କୁ ନମସ୍କାର ଜଣାଇଲି । ମୋ ପାଇଁ ଉଦ୍ଦିଷ୍ଟ ଚୌକିରେ ବସିବାକୁ ମୋତେ କହିଲେ । ପ୍ରଥମ ପ୍ରଶ୍ନ କରିଥିଲେ ପ୍ରଫେସର ବାଉରୀବନ୍ଧୁ କର । ଆଗରୁ ତାଙ୍କ ବିଷୟରେ ଶୁଣିଥିଲି, ତାଙ୍କ ଲେଖା ବହି ଗୁଡିକ ମୋତେ ବହୁତ ସାହାଯ୍ୟ କରିଛି । ଆଗରୁ କେବେ ଦେଖି ନ ଥିଲି । ଭାରି ଭଲ ମଣିଷ ପରି ଲାଗିଲେ । 

 ସତରେ ସେ ଭଲ ମଣିଷଟିଏ ଥିଲେ । ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରୁଥାନ୍ତି ଅନ୍ୟ ସାର୍ ମାନେ । ହଠାତ୍ ସେ ମୋତେ ମୋର ଘରର ଡ଼ାକ ନାଁ ଜାଣିବା କୁ ଚାହିଁଲେ । ମୁଁ ସ୍ୱତଃ ପ୍ରବୃତ ଭାବେ କହିଦେଲି ଅପନ୍ତରା ହସରେ ସମସ୍ତେ ସାମିଲ ହେଲେ ଶୁଣୁ ଶୁଣୁ । 

 ଯଦିଓ ଆଗରୁ ଭାବୁଥିଲି ଏବିଷୟରେ ତଦନ୍ତ ଆରମ୍ଭ ହେଲେ ନାଁ ଟା ମିତା, ଗୀତ

ା, ସୀତା। ଯାହା ହେଲେ କହିଦେବି । ଦେଖିଲା ବେଳକୁ ଠିକ୍ ସମୟରେ ମାଦଳ ଫାଟି ସତ ବାହାରି ଆସିଲା ।

ବାଉରୀବନ୍ଧୁ ସାର୍ ଏ ଶବ୍ଦଟି ପଛରେ ପଡ଼ିଯାଆନ୍ତି । ଏପରି ନାଁ କାହିଁକି ଦିଆଯାଇଛି ତମେ କ'ଣ କୋଉଠି ଅପନ୍ତରା ରେ ଜନ୍ମ ନେଇଥିଲ କି ? ଅଗତ୍ୟା ମୋତେ ସତ କହିବାକୁ ପଡିଲା । ହଁ ମୋ ଜେଜେବାପା ମୋତେ ଡ଼ାକ ଦେଲେ ଆଲୋ ଏ ଟୋକି ତୋ ନାଁ କଣବା ? ଅଇଲୁ ଏଠିକି ମୁଁ ସେତେବେଳେ ଛୋଟ ଝିଅ। ତାଙ୍କ ପାଖକୁ ଗଲି, କହିଲି ଜେଜେ ମୋ'ର ନା ବହୁତ ନାଁ ତୁମକୁ କଉଟା କହିବି ? ଜେଜେ ହସି ହସି କହିଲେ ଆରେ କ'ଣ ସବୁ ନାଁ ତୋର କହିଲୁ । ମୁଁ ଖୁସି ହୋଇ କହିବାକୁ ଲାଗିଲି ବୋଉ ମୋତେ ଡାକେ କୋଟି, ବାପା ଡାକନ୍ତି କଣ୍ଢେଇ, ମା ଡାକେ ଖଣ୍ଡୀ । ପଡିଶା ଘର ମଉସା ଡାକନ୍ତି ଖଟମଲ୍ ସିଂ । ଜେଜେ ତୁମେ ଗୋଟେ ନାଁ ଦିଅନା । ଜେଜେ କହିଲେ ହଁ ମାନେ ମୁଁ ଆଉ ମୋ ସାନଭାଇ ତୁମମାନଙ୍କ ରୂପ ରେ ପୁରା ମୁଗ୍ଧ ହୋଇ ଯାଇଛୁ । ବସ୍ତୁତଃ ଆମେ ଦୁହେଁ ବହୁତ କଳା ଥିଲୁ । ଆମ ଜେଜେବାପା ଆଉ ବାପା ଏକଦମ୍ ପିନ୍ ପିନ୍ ଗୋରା। ଖାଲି କଳା ନୁହଁ ବରଂ ଅସୁନ୍ଦର ହିଁ ଥିଲୁ । ସେତେବେଳେ ଆମେ ବୁଝି ପାରୁନଥିଲୁ। । ଜେଜେ କହିଲେ ହଉ ତୋ ନାଁ ହେଲା ଅପ୍ସରା ଭାଇ ନାଁ କନ୍ଦର୍ପ ।ସେହି ନାଁ ରେ ସେ ଆମକୁ ଡାକୁଥିଲେ । 

ଗୋଟେ ଦିନ ଆମେ ଭାଇ ଭଉଣୀ ଦୁହେଁ ସାଙ୍ଗହୋଇ ସଞ୍ଜବେଳେ ଘରକୁ ପଶିବାକୁ ଉଦ୍ୟମ କରୁଛୁ, ଜେଜେ କହିଲେ କିଏ ସେ ଅନ୍ଧାରରେ ଆସୁଛ ? ମୁଁ ଜୋର୍ ପାଟିରେ କହିଲି କ'ଣ ମ ଜେଜେ ତୁମେ ଜାଣି ପାରୁନ ମୁଁ ପରା ଅପନ୍ତରା ସେ କନ୍ଦମୂଳ । ଓଃ ବେଶୀ ଦେଖାଇ ହେଉଛନ୍ତି । ସେହି ଦିନ ଠାରୁ ମୋ ନାଁ ଅପନ୍ତରା । ସାର୍ ମାନେ ହସି ଉଠିଲେ । ବାଉରୀବନ୍ଧୁ ସାର୍ କହିଲେ ଆରେ ଅପ୍ସରା ତୁମେ ଆଜି ଡକ୍ଟରେଟ ଡିଗ୍ରୀ ହାସଲ କଲ । ମୋର ଗୋଟେ କଥା ମନେ ରଖିବ । କାମ ସରିଗଲା ବୋଲି କେବେହେଲେ ଭାବିବ ନାହିଁ ଲେଖା ଲେଖି ଜାରି ରଖିବ । ଆଜି ସାର୍ ପ୍ରଫେସର ବାଉରୀବନ୍ଧୁ କର ନାହାଁନ୍ତି କିନ୍ତୁ ତାଙ୍କର ସେ କଥା ମୋର ଏକ ଅଭୁଲା ସ୍ମୃତି ହୋଇ ରହିଯାଇଛି । 

 


Rate this content
Log in