Laxman Mahanty

Children Stories Drama Inspirational

2.5  

Laxman Mahanty

Children Stories Drama Inspirational

ବିଦ୍ୟାର୍ଥୀ ଜୀବନେ ପିତୃଦୀକ୍ଷା

ବିଦ୍ୟାର୍ଥୀ ଜୀବନେ ପିତୃଦୀକ୍ଷା

18 mins
386



ଖଦଡା ଖାଲ-ଢୀପ ମାଟିରାସ୍ତାରେ ଧଇଁସଇଁ ହୋଇ ସାଇକେଲରେ ଯାଉଥାଏ ମାନସ । ଦେହଝାଳରେ ତା’ ପୋଷାକ ଓଦା ସରସରା ହୋଇଗଲାଣି । କିନ୍ତୁ ତା’ ନିଜ ଉପରେ ଧ୍ୟାନ ନଥାଏ । ମସ୍ତିଷ୍କରେ କେବଳ ଗୋଟିଏ ଚିନ୍ତା, ଶିଘ୍ର ନଗଲେ ବସ୍ ଚାଲିଯିବ । ଦହୁତ କଷ୍ଟକରି କିଛି ସମୟ ପରେ ପହଞ୍ଚିଲା ବସଷ୍ଟପ୍ ରେ । ଜାଗାର ନାଁ ହେଉଛି ସରେଈହାଣ୍ଡି ଛକ । ବସଷ୍ଟପ୍ ରେ ଗୋଟିଏ ଛୋଟ ହୋଟେଲ ଥିଲା । କଲେଜରୁ ଫେରିବା ପରେ ମାନସ ଏହି ହୋଟେଲରେ ଖାଇ ଘରକୁ ଯାଏ । ହୋଟେଲ ପାଖରେ ସାଇକେଲ ରଖି ବସକୁ ଅପେକ୍ଷା କରିଛି ମାନସ । କିଛି ସମୟ ପରେ ତା’ ଅନ୍ୟ ଜଣେ ସାଙ୍ଗ ସାରଙ୍ଗ ଆସି ପହଞ୍ଚିଲା । ସମସ୍ତେ ତାକୁ ଥଟାରେ ଡାକନ୍ତି ଶାଗୁଣା ।

ମାନସ କହିଲା – କିରେ ଶାଗୁଣା, ଏତେ ଲେଟ୍ ହେଲା କେମିତି ? ତୁ ଆମ କଲେଜର ସୁପରମ୍ୟାନ୍ ପରା । ସାରଙ୍ଗ ତା’ ପଛ ପକେଟରୁ ରୁମାଲ କାଢି ମୁହଁ ପୋଛିପୋଛି ଆସିଲା ମାନସ ପାଖକୁ । ହାତଘଣ୍ଟା ଦେଖି ଷ୍ଟାଇଲ୍ ରେ କହିଲା – ନା’ରେ, ମୋ ମାଣ୍ଡୁସହ କାଲି ଟିକେ ଝଗଡା ହୋଇଥିଲା ସେଥିପାଇଁ ରାସ୍ତାସାରା ମାଣ୍ଡୁକୁ ମନେଇ ମନେଇ ଆସିବାକୁ ପଡିଲା । ସେଇ ଦେଖୁନୁ ହୋଟେଲ ପାଖ ବରଗଛ ତଳେ ଛିଡାହୋଇଛି ମୋ ମାଣ୍ଡୁ । ମାନସ ତା’ ମୁଣ୍ଡରେ ହାତ ବାଡେଇ କହିଲା – ତୁ ଆଉ ତୋ ମାଣ୍ଡୁ….ସବୁବେଳେ ଝଗଡା । ଗୋଟିଏ ଥିଲେ ସିନା, ଦଶ ଦଶଟା ମାଣ୍ଡୁ ରଖିଲେ ଏମିତି ଦସା ହେବ । ସାରଙ୍ଗ ମୁଣ୍ଡ ଟୁଙ୍ଗାରୀ କହିଲା – କ’ଣ କରିବି କହ, ମନ ବୁଝୁନି । କିନ୍ତୁ ତୋର କ’ଣ ହୋଇଛି ବେ, ଓଦା ସରସରା ହୋଇ ଠିଆ ହୋଇଛୁ । ଆଜି ପର୍ଯ୍ୟନ୍ତ ଗୋଟିଏ ହେଲେ ଝିଅ ତୁ ପଟେଇ ପାରିଲୁନି । ନେ, ରୁମାଲ ନେ…ମୁହଁକୁ ଟିକିଏ ପୋଛିପକା । ମୋ ମାଣ୍ଡୁର ସାନ ଭଉଣୀ ଆଜି ଆମସହ ବସ୍ ରେ ଯିବବୋଲି ମାଣ୍ଡୁ କହୁଥିଲା, ତା’ ସହ ତୋର ସେଟିଂ କରିଦେବି । ମାନସ ମୁହଁପୋଛି କହିଲା – ନା, ମୁଁ କୋଉ ଝିଅ ଚକ୍କରରେ ପଡିବାକୁ ଚାହୁଁନି । ବସ୍ ଆସିଲା ଚାଲ ଯିବା ।

ମାନସ ଓଦା ସରସରା ହୋଇ ବସ୍ ଭିତରକୁ ପଶିଲା । ସାରଙ୍ଗ ତା’ ପ୍ରେମିକା ସହ ବସ୍ ଭିତରକୁ ଗଲା । ଦୁହେଁ ଗୋଟିଏ ସିଟ୍ ରେ ବସି କ’ଣ କ’ଣ କଥା ହେଉଥାନ୍ତି ଏବଂ ହସୁଥାନ୍ତି । ମାନସ ସିଟ୍ ନପାଇ ବସ୍ ରେ ଛିଡାହୋଇଥାଏ । ବସ୍ ଦୁଇ କିଲୋମିଟର ଆଗକୁ ଗଲାପରେ ଅଟକିଗଲା ହାଣ୍ଡିଆପଦା ଛକଠାରେ । କଲେଜ ପଢୁଆ ସୂନ୍ଦର ଝିଅଟିଏ ବସ ଭିତରକୁ ଚଢିଲା । ଝିଅକୁ ଦେଖି ମାନସ ତା’ ପକେଟରୁ ରୁମାଲ କାଢି ମୁହଁକୁ ଭଲଭାବରେ ପୋଛି, ସାର୍ଟ ସାଇଜ କରି ହାତଘଣ୍ଟାକୁ ସଳଖାଇ ବସ୍ ଭିତରେ ସ୍ମାର୍ଟ ପିଲାପରି ଷ୍ଟାଇଲରେ ଛିଡାହେଲା । ଭାଗ୍ୟକୁ ଝିଅଟି ଆସି ମାନସ ପାଖରେ ଛିଡାହେଲା । ମାନସକୁ ଟିକିଏ ଦେଖି ତା’ ବ୍ୟାଗରୁ ମୋବାଇଲ କାଢି ସାଙ୍ଗକୁ କଲ୍ କରି କଥାହେଲା । ମାନସ କେବଳ ସେଇ ଝିଅକୁ ଦେଖୁଥାଏ । ଝିଅଟି ଏତେ ସୂନ୍ଦର ଥିଲା ଯେ ବସ୍ ର ସମସ୍ତେ ଗୋଟିଏ ନଜରରେ ଝିଅକୁ ଦେଖୁଥାନ୍ତି । ଏମିତି ଦେଖିବା ଭିତରେ ବସ୍ କଲେଜ ପାଖରେ ଅଟକିଲା ।

ଝିଅଟି ବସ୍ ରୁ ଓହ୍ଲେଇ କଲେଜ ଭିତରକୁ ଗଲା । ସାରଙ୍ଗର ଖୁସି କହିଲେ ନସରେ । ଭାବିଲା ଏଇ ଝିଅଟି ତା’ ମାଣ୍ଡୁଠାରୁ ଅଧିକ ସୂନ୍ଦର ଅଛି, ଝିଅଟି ପଟିଗଲେ ତା’ ଲାଇଫ୍ ବନିଯିବ । କିନ୍ତୁ ମାନସର କଥା ଶୁଣି ଶାଗୁଣାର ମୁହଁ ସୁଖିଗଲା । ମାନସ କହିଲା – ଝିଅଟି କ’ଣ ହେଇଚି ବେ ! ମୁଁ ଆଜି ପର୍ଯ୍ୟନ୍ତ ଏପରି ସୂନ୍ଦରୀ ଝିଅଟିଏ ଦେଖିନଥିଲି । ତା’ ଆଖିରେ ପ୍ରେମର ନିସା, ତା’ ଓଠ ଗୋଲାପର କୋମଳ ପାଖୁଡା, ତା’ ଠାଣି ବନହଂସୀ, ପଦ୍ମ ପାଖୁଡା ପରି ଦେହ, ହରୀଣ ପରି ତା’ ସରୂ ଅଣ୍ଟା । ମୁଁ ତା’ ପ୍ରେମରେ ପଡିଗଲି । ବେ ଶାଗୁଣା, ତୁ ସବୁବେଳେ କହୁଥିଲୁ ପରା ସେଟିଙ୍ଗ୍ କରିଦବୁ ବୋଲି, ମୋତେ ସେଇ ଝିଅ ବହୁତ ପସନ୍ଦ । ଆଉ ସିଏ ଆମ କଲେଜରେ ପଢୁଛି ବେ, ମୋ ପାଇଁ ସେଟିଙ୍ଗ୍ କରିବୁ ଚାଲ ।

ମାନସ ପାଟିରୁ ସେଇ ଝିଅର ଅପୂର୍ବ ରୂପ ବର୍ଣ୍ଣନା ଶୁଣି ସାରଙ୍ଗବାବୁଙ୍କ ରଙ୍ଗ ଫିକା ପଡିଗଲା । ସାରଙ୍ଗ ପୁଣି ସେଇ ଝିଅର କଦର୍ଯ୍ୟ ରୂପ ବର୍ଣ୍ଣନା କରିବାକୁ ଆରମ୍ଭ କଲା । ସାରଙ୍ଗ ତା’ ଷ୍ଟାଇଲରେ କହିଲା – ଝିଅର ଆଖିରେ ପ୍ରେମର ନିସା ନାହିଁ ବେ, ଵିସ୍କି ଓ ଭୋଡକା ର ନିସା ଅଛି । ତା’ ଓଠ ଗୋଲାପର ପାଖୁଡା ପରି ନୁହଁ, ପଚାସଢା ଟମାଟୋ ପରି । ତା’ ଠାଣି ବନହଂସୀ ପରି ନୁହେଁ, ଅରଣା ମଈଷୀ ପରି । ତା’ ଦେହ ପଦ୍ମର ପାଖୁଡା ନୁହଁ , ମରୁଭୂମିର କଣ୍ଟାଗଛ ପରି । ତା’ ଅଣ୍ଟା ହରୀଣ ପରି ନୁହେଁ, ଖାଇବାକୁ ନପାଇ ଅପପୃଷ୍ଟୀ ଯୋଗୁଁ ତା’ ଅଣ୍ଟା ସରୂ ଦିସୁଛି । ମାନସ କିନ୍ତୁ ସାରଙ୍ଗକୁ ଧ୍ୟାନ ନଦେଖି ସେଇ ଝିଅକୁ ଦେଖୁଥାଏ । ସାରଙ୍ଗ ତା’ କଥା କହୁଥାଏ ଏବଂ ମାନସ ସେଇଠୁ ଚାଲିଗଲା କଲେଜକୁ ଝିଅର ପଛେ ପଛେ ।

କିଛି ସମୟ ପରେ କ୍ଲାସ ଆରମ୍ଭ ହେଲା । ଇଂରାଜୀ ସାର୍ କଳା ଚସମା ଲଗେଇ ହୀରୋ ଭଳି ସାହିତ୍ୟ ମ୍ୟାଡାମଙ୍କ ପଛେପଛେ ଆସିଲେ କ୍ଲାସରୁମ୍ କୁ । ମ୍ୟାଡାମ କହିଲେ – What happened Sir ? ସାହିତ୍ୟ ମ୍ୟାଡାମଙ୍କ କଥାଶୁଣି ଇଂରାଜୀ ସାର୍ ମୁଣ୍ଡ ହଲେଇ କହିଲେ – Actually madam, I like you. So that…….ଏତିକି କହି ହସି ହସି ସେଇଠୁ ଚାଲିଗଲେ । ମାନସ ସେଇ ଝିଅର ପଛ ସିଟ୍ ରେ ବସି ଝିଅକୁ ଅନେଇଥାଏ । ଝିଅଟି ତା’ ସାଙ୍ଗକୁ ପଚାରିଲା – ରିନା ଶୁଣିଲୁ, ଇଂରାଜୀ ସାର୍ ଲୋଫରଙ୍କ ପରି କ’ଣ ପାଇଁ ବ୍ୟବହାର କରୁଛନ୍ତି କହିଲୁ ? ରିନା ଉତ୍ତର ଦେବା ଆଗରୁ ମାନସ କହିଲା – ସାହିତ୍ୟ ମ୍ୟାଡାମ ଓ ଇଂରାଜୀ ସାର୍ ଦୁହେଁ ସ୍ୱାମୀ-ସ୍ତ୍ରୀ । ଦୁହେଁ ପ୍ରେମ ବିବାହ କରିଛନ୍ତି । ତାଙ୍କ ବାହାଘରକୁ ଦଶବର୍ଷ ହେଲାଣି, କିନ୍ତୁ ଆଜି ମଧ୍ୟ ସେମାନେ ପ୍ରେମି ଯୂଗଳ ପରି ବ୍ୟବହାର କରନ୍ତି । ଝିଅଟି କିନ୍ତୁ ମାନସକୁ ଅଣଦେଖା କଲା ।

ଏମିତି କଲେଜ ଛୁଟି ପର୍ଯ୍ୟନ୍ତ ମାନସ ସେ ଝିଅକୁ ଦେଖୁଥାଏ । କଲେଜ ଆଗରେ ସମସ୍ତେ ବସ୍ କୁ ଅପେକ୍ଷା କରିଥାନ୍ତି । ମାନସ କିନ୍ତୁ ଝିଅକୁ ଦେଖିବାରେ ବ୍ୟସ୍ତ । ବସ୍ ଆସିଲା, ସମସ୍ତେ ବସ୍ ରେ ଯାଇ ବସିଲେ । ମାନସ ସମସ୍ତଙ୍କ ପରେ ବସ୍ ଭିତରକୁ ଗଲା । ଦେଖିଲା ସବୁ ସିଟ୍ ରେ ଲୋକେ ବସିଛନ୍ତି । ଗୋଟିଏ ହେଲେ ଖାଲିନାହିଁ । ଟିକିଏ ଭିତରକୁ ଯାଇ ଦେଖେ ତ ସେଇ ଝିଅ ଏକୁଟିଆ ବସିଛି । ମାନସ ଖୁସିହୋଇ ଝିଅ ପାଖକୁ ଗଲା, କିନ୍ତୁ ତା’ ପାଖରେ ବସିବାକୁ ମାନସର ସାହସ ହେଲା ନାହିଁ । ମାନସ ମନଦୁଃଖରେ ସେଠୁ ପଳେଇ ଆସିଲା ବେଳେ ଝିଅଟି ତା’ ମଧୂର ସ୍ୱରରେ ଡାକିଲା ମାନସକୁ । କହିଲା – (ମଧୂର କଣ୍ଠରେ ଧିରେ ଧିରେ) ମାନସ, ଏ ମାନସ… । ମାନସର ପାଦ ଅଟକିଗଲା । ପଛକୁ ଫେରି ଚାହିଁଲା ଝିଅକୁ, ଝିଅଟି ଅଳପ ମୁରୁକି ହସି କହିଲା – କ’ଣ ହେଲା, ବସିଲନି ଯେ….ଆଉ ସିଟ୍ ଖାଲି ନାହିଁ । ଆସ ଏଇଠି ବସ । ମାନସ ଡରିଡରି ବସିଲା ଝିଅ ପାଖରେ । ଟିକିଏ ହସି ଝିଅକୁ ଅନେଇଥାଏ, ଝିଅଟି ମଧ୍ୟ ଚାହିଁ ରହିଥାଏ ମାନସକୁ । ଦୁହେଁ ଦୁହିଁଙ୍କ ଆଖିରେ ହଜିଯାଇଥାନ୍ତି ।

ହଠାତ୍ କଣ୍ଡକ୍ଟର୍ ର ସ୍ୱର ଶୁଭିଲା । ସେ କହୁଥିଲା – ହାଣ୍ଡିଆପଦା ଛକ….ହାଣ୍ଡିଆପଦା ଛକ, ମୋ ଛାତି ହେଲାଣି ଧଅକ ଧଅକ….ଶିଘ୍ର ଓହ୍ଲେଇପଡ ନହେଲେ ବସ୍ ଚାଲିଯିବ ସଅକ ସଅକ…..। ଝିଅଟି କହିଲା – ମୋ ବସଷ୍ଟପ୍ ଆସିଲା, ଏବେ ମୋତେ ଯିବାକୁ ହେବ । ମାନସ ମନଦୁଃଖରେ ସେଇ ଝିଅକୁ ଦେଖି କହିଲା- ତୁମେ କିଏ ମୁ ଜାଣିନି, କିନ୍ତୁ ଆଶା କରୁଛି କାଲି ଆଉଥରେ ଆମ ଦେଖାହବ ଏଇ ଛକରେ, ସେହି ସମୟରେ । ଝିଅଟି ଅଳ୍ପହସି ବସରୁ ଓହ୍ଲେଇ ଚାଲିଗଲା । ମାନସ ଯେତେ ଖୁସିଥିଲା, ସେତିକି ଦୁଃଖିତ ମଧ୍ୟ ଥିଲା । ଗୋଟେ କିଲୋମିଟର ପରେ ବସ୍ ଅଟକିଲା ସରେଈହାଣ୍ଡି ଛକ ନିକଟରେ । ମାନସ ବସ୍ ରୁ ଓହ୍ଲେଇପଡି ଛକରେ ଥିବା ହୋଟେଲରେ ଯାଇ ବସିଲା ।

ମାନସ ଆସିବା ଦେଖି ହୋଟେଲ ମାଲିକ ସନିଆଁ ସାହୁ ମାନସ ପାଖକୁ ପଠାଇଲେ ଦି’ଟା ସିଙ୍ଗଡା ଓ ପକୁଡି ଗୋଟେପ୍ଲେଟ୍ ଏବଂ ତା’ ସାଥିରେ ତେଲରେ ଛଣାହୋଇ ବିଟ୍ ଲୁଣରେ ପଡିଥିବା ଗୋଟିଏ ନାଲି ଲଙ୍କା ଏବଂ ଗୋଟେ ଛୋଟ ସ୍ପ୍ରାଇଟ୍ ବୋତଲ । ମାନସ କଲେଜରୁ ଫେରି ଏହିସବୁ ଖାଦ୍ୟ ଖାଇଥାଏ । ସାରଙ୍ଗ ତା’ ପ୍ରେମିକାକୁ ବିଦାୟ ଦେଇ ରାଗରେ ମାନସ ପାଖକୁ ଯାଇ ଛିଡାହେଲା । ମାନସ ସିଙ୍ଗଡା ଖାଇ ଖାଇ କହିଲା – କି’ରେ ଶାଗୁଣା, ନାଲି ଲଙ୍କା ପରି ଦିସୁଛୁ ଯେ ! କଥା କ’ଣ, ତୋ ମାଣ୍ଡୁସହ ପୁଣି ଝଗଡା କଲୁ କି ? ସାରଙ୍ଗ ରାଗରେ ମାନସର ସାମ୍ନା ଚୌକିରେ ବସିପଡି ହୋଟେଲ ମାଲିକକୁ କହିଲା – ସାହୁକାରେ…ମୋ’ ପାଇଁ ଦି’ପ୍ଲଟ୍ ପଠାଅ । ଆଉ ହଁ, ତା’ସହ ଗୋଟେ କୋକାକୋଲା ଓ ଦି’ଟା ନାଲି ଲଙ୍କା ଦେଇ ପଠେଇବ ।

ସାରଙ୍ଗ କହିବା ଅନୁଯାୟୀ ହୋଟେଲ ମାଲିକ ଦି’ପ୍ଲେଟ୍ ସିଙ୍ଗଡା ଓ ପକୁଡି ଆଉ ତା’ ସାଥିରେ ଦି’ଟା ନାଲି ଲଙ୍କା ଓ ଗୋଟେ କୋକାକୋଲା ପଠେଇଲେ । ସାରଙ୍ଗ ରାଗରେ ଖାଇବା ଆରମ୍ଭ କଲା । ମାନସ କହିଲା – ବେ ଶାଗୁଣା, ଏମିତି କ’ଣ ହେଉଛୁ ? ତୋ ମାଣ୍ଡୁ ତତେ ଝାଡୁରେ ଛେଚିଛି ନା….ସତ କହ । ସାରଙ୍ଗ ମାନସକୁ ରାଗରେ ଦେଖି କହିଲା – ମୁଁ ଯଦି ସତରେ ଶାଗୁଣା ହୋଇଥାନ୍ତି ନା, ତତେ ଏଇଠି ଖେଳେଇ-ଖେଳେଇ, ଗୋଡେଇ-ଗୋଡେଇ, ଚୋବେଇ-ଚୋବେଇ କଞ୍ଚା ଖାଇଦେଇଥାନ୍ତି । ହଉ ଛାଡ୍, ସେ ଝିଅର ନାଁ କ’ଣ କହିଲୁ…ଶିଘ୍ର କହ । ମାନସ ସ୍ପ୍ରାଇଡ ବୋତଲ ଖୋଲି ଢୋକେ ପିଇ କହିଲା – କୋଉଝିଅ ବେ, ତୁ କାହା କଥା କହୁଛୁ ? ସାରଙ୍ଗ ରାଗରେ ଲଙ୍କା ଚୋବେଇ ପକେଇଲା ଓ କହିଲା – ହଁ, ତୁ ଯାହା ଅଜଣା ବେସନ୍ ର ପକୁଡି ଖାଉଛୁ, କିଛି ଜାଣି ପାରୁନୁ । ତୁ ବସ୍ ରେ ଯାହା ପାଖରେ ବସି ଆସିଲୁ ମୁଁ ସେଇ ଝିଅ କଥା କହୁଛି । ମାନସ କହିଲା – ଓଃ, ସେଇ ଝିଅ…ମୁଁ ଭାବଲି ତୋ ମାଣ୍ଡୁର ସାନ ଭଉଣୀ କଥା କହୁଛୁ ।

ସାରଙ୍ଗର ପାଟି ଚୁପ୍ । ସିଏ କିଛି କହିବା ପରିସ୍ଥିତିରେ ନଥିଲା । ଟିକିଏ ଚୁପ୍ ରହି ପୁଣି ପଚାରିଲା । ମାନସ କିନ୍ତୁ କହିଲା କାଲି କହିବ । କାରଣ ସିଏ ଝିଅକୁ ଦେଖିବା ପରେ ତା’ ନାଁ ପଚାରିବାକୁ ଭୁଲିଗଲା । ଦୁହେଁ ଖାଇସାରି ଯିଏ ଯା’ ଘରକୁ ଗଲେ । ଘରକୁ ଫେରିବା ବାଟରେ ସେଇ ଝିଅକଥା ଭାବୁଥାଏ ମାନସ । ତା’ ସୂନ୍ଦର ଆଖି, କୋମଳ ଓଠ ଇତ୍ୟାଦି ମାନସକୁ ପାଗଳ କରି ଦେଇଥିଲା । ଏମିତି ଅନ୍ୟମନସ୍କରେ ଯାଉଯାଉ ରାସ୍ତାର ଗୋଟେ ଖାଲରେ ସାଇକେଲ ଚକ ଫସିଗଲା ଓ ମାନସ ତଳେ ପଡିଗଲା । ଶିଘ୍ର ଉଠି ଝାଡିଝୁଡି ହୋଇ ସାଇକେଲକୁ ଖାଲରୁ ବାହାର କରି ଛିଡା ହେଲା । ଏତିକିବେଳେ ଆସିଲେ ସରପଞ୍ଚ ମହାସୟ । ମାନସକୁ ସରପଞ୍ଚ କହିଲେ- ବାବୁରେ…କ’ଣ ପଡିଗଲୁ କି! ରାସ୍ତାରେ ଖାଲ ଅଛି ବୋଲି ଭୁଲିଗଲୁ ବୋଧେ । ନା, କାହାକଥା ଭାବି ଅନ୍ୟମନସ୍କ ଥିଲୁ ବା….? ମାନସ ରାଗରେ କହିଲା – ନା, ରାସ୍ତାର ଖାଲ ମୁଁ ଭୁଲିନାହିଁ । ନିର୍ବାଚନ ସମୟରେ ଆପଣ ଦେଇଥିବା ପ୍ରତିଶୃତି ମଧ୍ୟ ମୁଁ ଭୁଲିନାହିଁ । ଏତିକି ରେ ସରପଞ୍ଚ ବାବୁଙ୍କ ମୁଣ୍ଡ ତଳକୁ ହୋଇଗଲା । ନିର୍ବାଚନ ସମୟରେ ସିଏ ଦେଇଥିବା ବଡବଡ ପ୍ରତିଶୃତି ଆଜି ତାଙ୍କ ମନେ ପଡିଗଲା ଓ ସିଏ ପୁଣିଥରେ ପ୍ରତିଶୃତି ଦେଲେ ଯେ ଖୁବ୍ କମ ଦିନରେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ।

ସନ୍ଧ୍ୟା ସମୟ । ଛାତ ଉପରେ ବସିଥାନ୍ତି ମାନସ, ତା’ ବାପା ଶ୍ୟାମସୂନ୍ଦର ବାବୁ, ଜେଜେ ବୀରପ୍ରତାପ ଓ ଜେଜେମା ସମ୍ପୁର୍ଣା ଦେବୀ । ମାନସର ଅନ୍ୟମନସ୍କ ଦେଖି ଜେଜେମା ପଚାରିଲେ – କି’ରେ ନାତି ଟୋକା, କାହା ଭାବନାରେ ହଜିଯାଇଛୁ କି, ଆମେ ସମସ୍ତେ ଡାକୁଛୁ କିନ୍ତୁ ତୁ ଶୁଣୁନୁ । ମାନସ ବୋଉ କୁଆଡେ ଗଲେ କହି ଛାତରୁ ତଳକୁ ଚାଲିଗଲା । ମାନସ ସେଦିନ ଠିକ ଭାବରେ ପଢିନଥିଲା କି ଖାଇ ନଥିଲା । କେବଳ ସେ ଝିଅ କଥା ଭାବି ଭାବି ଅନ୍ୟମନସ୍କ ରହିଲା । ସେଇ ଝିଅ ଭାବନାରେ ରାତି ମଧ୍ୟ ପାହିଗଲା । ଭୋର ସକାଳୁ ଉଠି ମାନସ ନିତ୍ୟକର୍ମ ସାରି ସକାଳ ଜଳଖିଆ ଖାଇ ପଢିବାକୁ ଗଲା । କିନ୍ତୁ ସିଏ ପଢିବ କ’ଣ, ସେ ଝିଅର ନାଁ କେମିତି ପଚାରିବ ସେହି ଚିନ୍ତାରେ ବ୍ୟସ୍ତ ରହିଲା । କଲେଜକୁ ଯିବାପାଇଁ ବାହାରିବା ବେଳକୁ ଭଲ ଭାବରେ ଦେହରେ ପର୍ଫ୍ୟୁମ୍ ଲଗେଇ ପୁଣି ମୁଣ୍ଡରେ ସେଟୱେଟ୍ ଜେଲ୍ ଲଗେଇ ସାହାରୂଖ ଷ୍ଟାଇଲରେ ବାହାରିଲା ବସଷ୍ଟପ୍ କୁ ।

ସମୟଠୁ ଟିକିଏ ଆଗରୁ ମାନସ ପହଞ୍ଚି ଯାଇଥାଏ ବସଷ୍ଟପ୍ ରେ । କିଛି ସମୟ ପରେ ସାରଙ୍ଗ ତା’ ପ୍ରେମିକା ସହ ଆସିଲା । ମାନସକୁ ଦେଖି ସାରଙ୍ଗ ଆଶ୍ଚର୍ଯ୍ୟ ହୋଇ ମାନସ ପାଖକୁ ଦୌଡି ଦୌଡି ଆସିଲା ଓ କହିଲା – କ’ଣ କଲୁ ବେ ନାରାଣ…ଆଜି ସୂର୍ଯ୍ୟ କେଉଁ ଦିଗରୁ ଉଦୟ ହେଲେ କି ! ଯେଉଁ ପିଲା ଝାଳରେ ଓଦା ହୋଇ ବସକୁ ଅପେକ୍ଷା କରିଥାଏ, ଆଜି ଗୋଟେ ଝିଅ ପାଇଁ ସେ ସାହାରୂଖ ଷ୍ଟାଇଲରେ ଛିଡା ହୋଇଛି । ବାଃ ବାଃ ରେ ନାରୀ, ମୁଁ ରହି ପାରୁନି ତତେ ପ୍ରଣାମ ନକରି…। କିଛି ସମୟ ପରେ ବସ୍ ଆସିଲା । ଦୁଇ କିଲୋମିଟର ଗଲାପରେ ବସ୍ ଅଟକିଲା ହାଣ୍ଡିଆପଦା ଛକଠାରେ । ଝିଅଟି ଆସି ମାନସ ପାଖରେ ଛିଡାହୋଇ ମୋବାଇଲ ବାହାର କଲାବେଳେ ମାନସ ପଚାରିଲା- ତୁମେ ମୋ ନାଁ କେମିତି ଜାଣିଲ ? ଝିଅଟି ଟିକିଏ ହସି କହିଲା - ଗତକାଲି ଇଂରାଜୀ ସାରଙ୍କ ବିସୟରେ ଯାହାକୁ ପଚାରୁଥିଲି ସିଏ ତୁମ ନାଁ କହିଲା । ମାନସ ଟିକିଏ ଖୁସିହୋଇ କହିଲା – ତୁମ ନାଁ କହିଲନି ଯେ…। ଝିଅଟି ଟିକିଏ ଲାଜେଇ ଯାଇ କହିଲା – ମୁଁ ମିନାକ୍ଷୀ । ମାନସ ଖୁସିହୋଇ ମିନାକ୍ଷୀକୁ ତା’ ମନକଥା କହିବ ଭାବିଲା । କିନ୍ତୁ ସେହି ସମୟରେ ବସ୍ କଲେଜ ନିକଟକୁ ପହଞ୍ଚିଗଲା ।

ମାନସ ଓ ମିନାକ୍ଷୀ ସାଙ୍ଗହୋଇ କ୍ଲାସକୁ ଗଲେ । କ୍ଲାସରେ ପାଖାପାଖି ବସି ପରସ୍ପରକୁ ଚାହିଁବାରେ ବ୍ୟସ୍ତ ରହିଲେ । ଏମିତି କେତେବେଳେ ସମୟ ଚାଲିଗଲା ଜଣାପଡିଲା ନାହିଁ । ମାନସ ଓ ମିନାକ୍ଷୀ ପରସ୍ପରକୁ ଭଲପାଇ ବସିଥିଲେ । ମାନସ ମିନାକ୍ଷୀକୁ ମନକଥା କହିବ କହିବ ଭାବି କହିପାରୁ ନଥାଏ । ବସ୍ ରେ ଘରକୁ ଫେରିବା ବାଟରେ ମାନସ ବହୁତ କଷ୍ଟରେ ସାହସ ଜୁଟେଇ ମିନାକ୍ଷୀକୁ ତା’ ମନକଥା କହିବାକୁ ଗଲାବେଳେ ମିନାକ୍ଷୀ ର ବସଷ୍ଟପ ଆସିଗଲା । ମିନାକ୍ଷୀ ଧିରସ୍ୱରରେ କହିଲା – ମାନସ, କାଲି ମୁଁ ତୁମକୁ କିଛି କହିବି । ଯେମିତି ହେଲେ ଆସିବ…। କିଛି ସମୟ ପରେ ଆସିଲା ସରେଈହାଣ୍ଡି ବସଷ୍ଟପ୍ । ମାନସ ସେଦିନ ଆଉ ହୋଟେଲରେ ନଖାଇ ସିଧା ଚାଲିଲା ଘରକୁ । ଘରକୁ ଫେରିବା ବାଟରେ ମାନସ ଦେଖିଲା ସରପଞ୍ଚ ବାବୁ ଦୁଇଜଣ ଇଂଜିନିୟରଙ୍କ ସହ ମିଶି ଯୋଜନା ପ୍ରସ୍ତୁତ କରୁଥାନ୍ତି ରାସ୍ତା ନିର୍ମାଣ ପାଇଁ । ଟିକିଏ ଖୁସିହୋଇ ତରତର ହୋଇ ଘରକୁ ଚାଲିଗଲା । ଘରକୁ ଫେରି ଖୁସିରେ ପାଗଳ ଭଳି ନାଚି ଉଠିଲା ମାନସ ।

ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଦେଖୁଥାନ୍ତି ମାନସକୁ । ଜେଜେମା କହିଲେ – ମୋ ନାତିଟୋକା ନିଶ୍ଚୟ କେଉଁ ଟୋକି ର ପ୍ରେମରେ ପଡିଛି । ଦେଖ, କେମିତି କାଠବେଙ୍ଗ ପରି ଡେଇଁଡେଇଁ ନାଚୁଛି । ଶ୍ୟାମବାବୁ ଏକଥା ଜାଣି ମାନସକୁ ନେଇ ତାଙ୍କ ବୀଲକୁ ଗଲେ ବୁଲିବା ପାଇଁ । ବାଟରେ ଦେଖିଲେ ସରପଞ୍ଚକୁ । ମାନସକୁ କହିଲେ – ଏ ଦୃଷ୍ୟ ଦୁଖୁଛୁ, ଦି’ଥର ସରପଞ୍ଚ ହେବାପରେ ଆଜି ତାଙ୍କ ପ୍ରତିଶୃତି ମନେ ପଡିଛି । ମାନସ ଚୁପ୍ ହୋଇ ଦେଖୁଥାଏ । ବାପାଙ୍କ ସହ ମାନସ ଅନେକଥର ବୀଲ ବୁଲିବାକୁ ଯାଇଛି । କିନ୍ତୁ ଆଜି ଟିକିଏ ଭିନ୍ନ ଉଦ୍ଦେଶ୍ୟରେ ବୀଲକୁ ଯାଉଛନ୍ତି ମାନସ ଓ ତା’ ଶ୍ୟାମବାବୁ । ବୀଲରେ ପହଞ୍ଚି ଗୋଟେ ଅଷ୍ୱତଥ ବୃକ୍ଷତଳେ ବସି ଶ୍ୟାମବାବୁ ମାନସକୁ ପଚାରିଲେ – ଗୋଟେ କଥା ପଚାରିବି ସତ କହିବୁ ? ମାନସ ସମସ୍ତଙ୍କୁ ସବୁକଥା ଲୁଚେଇପାରେ କିନ୍ତୁ ତା’ ବାପାଙ୍କ ସମ୍ମୁଖରେ କେବେ ଲୁଚେଇ ପାରେନାହିଁ । ମାନସ କହିଲା – ହଁ ବାପା, ପଚାରନ୍ତୁ । ବାପା କହିଲେ – କଥା କ’ଣ ବାବା, ତୁ ଆଜିକାଲି ଟିକିଏ ଅନ୍ୟମନସ୍କ ରହୁଛୁ । ନା’ ଠିକରେ ଖାଉଛୁ, ନା' ଠିକରେ ପାଠ ପଢୁଛୁ । ଏମିତି ହେଲେ ତୋ ଦେହ ଖରାପ ହେବା ସଙ୍ଗେ ସଙ୍ଗେ ଭବିଷ୍ୟତ ମଧ୍ୟ ନଷ୍ଟ ହୋଇଯିବ । କଥା କ’ଣ ? କାହିଁକି ଅନ୍ୟମନସ୍କ ଅଛୁ ? ମାନସ ଚୁପ ରହିଲା । କ’ଣ କହିବ କିଛି ଭାବିପାରିଲା ନାହିଁ ।

କିଛି ସମୟ ପରେ ମାନସ କହିଲା – ବାପା, ଦି’ଦିନ ତଳେ ମୁଁ କଲେଜକୁ ଗଲାବେଳେ ମୋର ଦେଖାହେଲା ଗୋଟେ ଝିଅ ସହିତ । ଝିଅଟି ଏତେ ସୂନ୍ଦର ଯେ, ପ୍ରଥମ ଦେଖାରେ ତାକୁ ଭଲପାଇବସିଲି । କିନ୍ତୁ, ମୋ ମନକଥା ତାକୁ କହିପାରୁନି । ତା’ ବ୍ୟବହାର ଦେଖି ବୋଧହୁଏ ସିଏ ମଧ୍ୟ ମୋତେ ଭଲପାଉଛି । ଖାଇଲାବେଳେ, ଶୋଇଲାବେଳେ, ପାଠ ପଢିବା ବେଳେ ସବୁ ସମୟରେ ସିଏ ମୋର ମନେପଡୁଛି । ବାପା, ମୁଁ ଆପଣଙ୍କୁ କିଛି ଲୁଚେଇ ପାରେନି, ମୋ ମନକଥା ମୁଁ ଆପଣଙ୍କୁ କହିଲି । ଏବେ ଆପଣ କୁହନ୍ତୁ ମୁଁ କ’ଣ କରିବି ? ବାପା ଟିକିଏ ଚିନ୍ତାକରି କହିଲେ – ଦେଖ୍ ବାବା, ତତେ ମୁଁ ଛୋଟବେଳୁ କହି ଆସୁଛି ଯେ, ସମୟ ବଡ ମୂଲ୍ୟବାନ । ସମୟର ସଦୁପଯୋଗ କରିବା ଉଚିତ । କାରଣ ଵୟସ ଓ ସମୟ ଥରେ ଚାଲିଗଲେ ଆଉ ଫେରି ଆସେନାହିଁ । ଏହି ସମୟଟି ତୋ’ପାଇଁ ଏବଂ ତୋ’ ଭବିଷ୍ୟତ ପାଇଁ ଅତ୍ୟନ୍ତ ମୂଲ୍ୟବାନ । କାରଣ ତୋର ଆଜିର ପରିଶ୍ରମ ହିଁ ନିର୍ଣ୍ଣୟ କରିବ ତୋର ଭବିଷ୍ୟତ ଅନ୍ଧକାରମୟ ହେବ ନା ଆଲୋକିତ ।

ବିଦ୍ୟାର୍ଥୀର କର୍ମ ହେଉଛି ସମୟର ମୂଲ୍ୟ ବୁଝି ସଦୁପଯୋଗ କରିବା । ମୋର ଗୋଟିଏ କଥା ସବୁବେଳେ ମନେରଖିଥା, ସଫଳତା ହାସଲ କରିବା ପାଇଁ ଏବଂ ଶାନ୍ତିପୂର୍ଣ୍ଣ ଜୀବନଯାପନ ପାଇଁ ସମୟର ତିନୋଟି ସ୍ତରକୁ ଭଲ ଭାବରେ ଉପଯୋଗ କରିବା ଉଚିତ । ସମୟର ସେହି ତିନୋଟି ସ୍ତର ହେଉଛି :

୧) ପାଠ ପଢିବା ସମୟ ।

୨) ସ୍ୱପ୍ନକୁ ସାକାର କରିବା ସମୟ । (ଚାକିରି)

୩) ଗାର୍ଲଫ୍ରେଣ୍ଡ (ପ୍ରେମ ବିବାହ ପାଇଁ) / ବିବାହ କରିବା ସମୟ ।

ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନରେ ସମୟର ଏହି ତିନୋଟି ସ୍ତର ସହାୟକ ହୋଇଥାଏ ।

ଆଜିର ଆଧୁନିକ ଯୁଗର ବିକଶିତ ଦେଶରେ ଅନେକ ବିଦ୍ୟାର୍ଥୀ ବେକାର ବୁଲୁଛନ୍ତି । କାରଣ ସେମାନେ ସମୟର ଏହି ତିନୋଟି ସ୍ତରକୁ ସଠିକ ଭାବରେ ଉପଯୋଗ କରିନାହାନ୍ତି । ଅନେକ ବିଦ୍ୟାର୍ଥୀ ସମୟର ପ୍ରଥମ ସ୍ତର ଅର୍ଥାତ ପାଠପଢିବା ସମୟରେ ଅନ୍ତିମ ସ୍ତରକୁ ବିଦ୍ୟାର୍ଥୀ ଜୀବନର ଏକ ଅଙ୍ଗ ଭାବରେ ଗ୍ରହଣ କରି ପାଠପଢା ଠାରୁ ଅଧିକ ଗୁରୁତ୍ତ୍ୱ ତାଙ୍କ ପ୍ରେମକୁ ଦେଇଥାନ୍ତି । ଯାହା ଫଳରେ ସେମାନେ ପ୍ରଥମ ସ୍ତରକୁ ସଠିକ ଭାବରେ ଉପଯୋଗ କରନ୍ତି ନାହିଁ । ତେଣୁ ଦ୍ବିତୀୟ ସ୍ତର ଅର୍ଥାତ ସ୍ୱପ୍ନକୁ ସାକାର କରିବା ସମୟ ଆପେଆପେ ନଷ୍ଟ ହୋଇଯାଏ । ଜୀବନ ଅନ୍ଧକାରରେ ଭରିଯାଏ । ତେଣୁ ବିଦ୍ୟାର୍ଥୀ ବେକାର ବସିରହେ ।

ସବୁଦିନ ଭଳି ସେଦିନ ମଧ୍ୟ ବାପାଙ୍କ ଉପଦେଶକୁ ମାନସ ମନଦେଇ ଶୁଣୁଥାଏ । ମାନସ କହିଲା – ବାପା, ଆପଣ ଯାହା କହିଲେ ମୁଁ ବୁଝିପାରିଛି । କିନ୍ତୁ ମୋତେ ଟିକିଏ ସମୟ ଦରକାର । ଶ୍ୟାମବାବୁ ବୁଝିଗଲେ ଯେ, ମାନସ ତା’ ଜୀବନର ପଥ ନିଜେ ନିର୍ଣ୍ଣୟ କରିପାରିବ । ସିଏ ହସିହସି ମାନସର ପିଠି ଥାପୁଡେଇ କହିଲେ – ଚାଲ୍ ବାବା, ଭୋକ କଲାଣି.. କିଛିଗୋଟେ ଖାଇବା । ମାନସ ବାପାଙ୍କ ସହ ମିଶି ମନଖୁସିରେ ଗଲା ଖାଇବାପାଇଁ । ସେମାନେ ପ୍ରଥମେ ଆଖୁ ପଣା ପିଇଲେ । ପୁଣି ଗଲେ ସରେଈହାଣ୍ଡି ଛକରେ ଥିବା ସେହି ହୋଟେଲକୁ ଯେଉଁଠି ମାନସ କଲେଜରୁ ଘରକୁ ଫେରିବା ବାଟରେ ଜଳଖିଆ ଖାଏ । ବାପପୁଅ ଦୁହେଁ ବସିପଡିଲେ ହୋଟେଲରେ । ହୋଟେଲ ମାଲିକ ମାନସ ଓ ତା’ ବାପାଙ୍କୁ ଦେଖି ଚାରୋଟି ସିଙ୍ଗଡା ଏବଂ ଦୁଇପ୍ଲେଟ ପକୁଡି ସହିତ ଦୁଇଟି ନାଲି ଲଙ୍କା ଓ ଦୁଇଟି ସ୍ପ୍ରାଇଟ ବୋତଲ ପଠେଇଲେ । ବାପପୁଅ ଦୁହେଁ ଖୁସିରେ ଖାଇପିଇ ଘରକୁ ଫେରି ଆସିଲେ ।

ମିନାକ୍ଷୀକୁ ମନକଥା କହି ନପାରିବାରୁ ମାନସର ହୃଦୟରେ ଯେଉଁ କଷ୍ଟଥିଲା ବାପାଙ୍କ ଉପଦେଶ ଶୁଣିବା ପରେ ତାହା ଧିରେଧିରେ କମିବାକୁ ଲାଗିଲା । ଟିକିଏ ହସି ଭାବିଲା ମିନାକ୍ଷୀ ସହିତ କଥା ହେବାକୁ ପଡ଼ିବ । ରାତି ପାହି ସକାଳ ହେଲା । ସେଦିନ ଥିଲା ଅଗଷ୍ଟ ୧ ତାରିଖ ଗୁରୁବାର । ସବୁଦିନ ଭଳି ମାନସ ବାହାରିଲା କଲେଜକୁ । ଯିବା ବାଟରେ ସରପଞ୍ଚଙ୍କ ସହିତ ଦେଖାହେଲା । ମାନସକୁ ଅଟକେଇ କହିଲେ – ମାନସ ବାବା, କିଛିଦିନ ପରେ ଏହି ରାସ୍ତାରେ ଆଉ ଖାଲଢିପ ନଥିବ, ଆଜିଠୁ ରାସ୍ତାକାମ ଆରମ୍ଭ କରୁଛି । ମାନସ ଟିକିଏ ହସି ଧନ୍ୟବାଦ ଜଣେଇ ଚାଲିଲା ବସଷ୍ଟପକୁ । ସାରଙ୍ଗ ତା’ ପ୍ରେମିକାସହ ଆସିଲା ମାନସ ପାଖକୁ । ସାରଙ୍ଗ ସମସ୍ତ ଭାଷାକୁ ବହୁତ ଭଲପାଏ କିନ୍ତୁ ସମ୍ବଲପୁରୀ ଭାଷାରେ ତା’ ଟିକିଏ ଅଧିକ ରୁଚି ଥିଲା । ସାରଙ୍ଗ କହିଲା – ଆଜି ହେଉଚେ ଅଗଷ୍ଟ୍ ୧ ତାରିଖ୍, ସମ୍ବଲପୁରୀ ଦିବସ୍ । ମୁଇଁ ଆଝି ସମ୍ବଲପୁରୀ ଭାଷା ଥି କଥାହେମି । ବୁଝିବ ବଇଲେ ଭଲ୍, ଆର୍ ନାଇଁ ବୁଝିଲେ ବି ଭଲ୍ । ମାନସକୁ ଦେଖି କହିଳା - ଆର୍ ମାନସ୍ ବାବୁ, ସେ ଟୁକେଲ୍ କେ କେବେ ପ୍ରପୋଜ୍ ମାରବୁ ରେ ବେଡା ? ଜଲଦି ଜଲଦି କହିଦେ, ନାହାଲେ ଅଲଗା କିଏଗୁଟେ ଧରିକରି ପଲାବା ଯେ । ମାନସ କହିଲା – ଆଜି ନିଶ୍ଚୟ କହିବି । ବସ୍ ଆସିଲା, ମାନସ ବସ୍ ରେ ବସି ଅପେକ୍ଷା କରିଛି ମିନାକ୍ଷୀକୁ । କିଛି ସମୟ ପରେ ହାଣ୍ଡିଆପଦା ଛକଠାରେ ବସ୍ ଅଟକିଲା ।

ଜଣେ ବୟସ୍କ ବ୍ୟକ୍ତି ଏବଂ ଜଣେ ଯୁବକ ବସ୍ ଭିତରକୁ ଗଲେ । କିନ୍ତୁ, ମିନାକ୍ଷୀ ଆସି ନ ଥିଲା । ମାନସ ଭାବିଲା ହୁଏତ କୌଣସି ଅସୁବିଧା ଯୋଗୁଁ ମିନାକ୍ଷୀ ଆସିଲା ନାହିଁ । ଏହାପରେ ବସଟି ଯାଇ କଲେଜ ଛକରେ ପହଞ୍ଚିଲା । ବସ୍ ରୁ ଓହ୍ଲେଇ ଦେଖିଲା ମିନାକ୍ଷୀ ସ୍କୁଟିରେ କଲେଜ ଭିତରକୁ ଯାଉଛି । ସାରଙ୍କ କହିଲା – ଚାଲ୍ ତୋର୍ ମାଣ୍ଡୁକେ ସଵୁ କହିଦେମା । କଲେଜ ଲାଇବ୍ରେରୀରେ ମାନସ ଓ ସାରଙ୍ଗର ଭେଟହୁଏ ମିନାକ୍ଷୀ ସହିତ । ସେଇଠି ପଡିଥିବା ଚେୟାରରେ ବସି ତିନିଜଣଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଲା ।

ମାନସ – ମିନାକ୍ଷୀ, ତୁମେ କିଛି କହିବ କହୁଥିଲ । ଏବେ କହିବ କି ?

ସାରଙ୍ଗ – ହବୋ ବେଡା, ପିଲାଟେ ହେଇକରି ଟୁକେଲ୍ କେ ଆଘ କହିବାର୍ କେ କହୁଚୁ, ତୁଇ କହ ନାହାଲେ ମୁଇଁ କହିଦେମି ।

ମିନାକ୍ଷୀ – ସାରଙ୍ଗ, ତୁମେ ସମ୍ବଲପୁରୀ ଭାଷା କେଉଁଠୁ ସିଖିଲ ? ମୋତେ ଟିକିଏ ସିଖାଇଦେବ ପ୍ଲିଜ୍ ।

ସାରଙ୍ଗ – କାଣା କହିଳୁ ରେ ନାରାଣ….। ଗେରେଣ୍ଟି ସିଖାମି । ସମ୍ବଲପୁରୀ ମୋର୍ ବୁନ୍ଦା ବୁନ୍ଦା ରକତ୍ ଥି ଅଛେ ହୋ ।

ମିନାକ୍ଷୀ – ଥାଙ୍କ୍ ୟୁ । ଆଉ ହଁ ମାନସ, ମୁଁ ଏହା କହିବାକୁ ଚାହୁଁଥିଲି କି, ମୁଁ…..ସାରଙ୍ଗ କୁ….

(ମାନସ ସାରଙ୍ଗକୁ ଅନେଇ ଟିକିଏ ହସିଲା)

ସାରଙ୍ଗ – ଜଲଦି କହ ହୋ… ଆର୍ ଟାକି ନାଇଁ ହେବାର୍ ।

ମାନସ – ହଁ ମିନାକ୍ଷୀ କୁହ । ତୁମେ ସାରଙ୍ଗକୁ…କ’ଣ ?

ମିନାକ୍ଷୀ – ମୁଁ… ସାରଙ୍ଗକୁ (ମାନସକୁ ଦେଖି ଟିକିଏ ଅଟକି ଯାଇ)…ମୁଁ ସାରଙ୍ଗକୁ ବହୁତ ଭଲପାଏ ।

ମିନାକ୍ଷୀ ପାଟିରୁ ଏସବୁ ଶୁଣି ସାରଙ୍ଗ ବେହୋସ ହୋଇଗଲା । ମିନାକ୍ଷୀ ଓ ମାନସ ପାଣିଛିଞ୍ଚି ସାରଙ୍ଗକୁ ହୋସକୁ ଆଣିଲେ । ସାରଙ୍ଗ ଆଶ୍ଚର୍ଯ୍ୟ ହୋଇ ଦେଖିଲା ମାନସକୁ ଓ ହସି ହସି କହିଲା – ହା…ହା… ଶାଗୁଣା ବସିଚେ ଡେନା ମେଲେଇ, ଚାଲ୍ ରେ ମିନାକ୍ଷୀ ଆମେ ଇନୁ ଯିମା ପଲେଇ…। ମିନାକ୍ଷୀ ର କଥା ଶୁଣି ମାନସ ଆଉ କିଛି ନକହି ଘରକୁ ଯାଇ ବାପାଙ୍କୁ କହିଲା – ବାପା, ମୁଁ ଏବେ ବୟସର ମାୟାଜାଲରେ ଛନ୍ଦିହୋଇ ଅବାଟକୁ ଯାଉଥିଲି । କିନ୍ତୁ ଆପଣ ମୋତେ ସମୟର ମୂଲ୍ୟ ବୁଝାଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ । ମୁଁ କଥାଦେଉଛି ଆପଣ ମୋ ପାଇଁ ଦେଖିଥିବା ସ୍ୱପ୍ନକୁ ମୁଁ ନିଶ୍ଚୟ ସାକାର କରିବି । ଏତିକି କହି ପଢିବାକୁ ଚାଲିଗଲା ମାନସ ।ଯୁକ୍ତ ୩ ସରିବା ପରେ ମାନସ ବାହାରକୁ ଗଲା ପାଠ ପଢିବା ପାଇଁ । ଆଠବର୍ଷ ଧରି ମନଲଗେଇ ପାଠପଢିଲା ।

(ଆଠବର୍ଷ ପରେ) ସକାଳର ପହିଲି କିରଣ ଧରାବତରଣ କଲା । ପକ୍ଷୀମାନେ ଖାଦ୍ୟ ସଂଗ୍ରହ ପାଇଁ ବସାରୁ ବାହାରି ଆକାଶରେ ଉଡି ବୁଲିଲେ । ଘରଚଟିଆ ଗାଁର ଛପରଘରେ କିଚିରି-ମିଚିରି ଶବ୍ଦ କରୁଥାନ୍ତି । କୁକୁଡା ଡାକୁଥାଏ । କାଉର କା କା ସ୍ୱରରେ ଗାଁ ଲୋକେ ନିଦରୁ ଉଠି ଯିଏ ଯାହା କାମରେ ବାହାରିଗଲେ । ଏତିକିବେଳେ ଶ୍ୟାମସୂନ୍ଦର ବାବୁଙ୍କ ସ୍ୱର ଶୁଭିଲା । ସେ କହୁଥିଲେ – କିଏ କୁଆଡେ ଗଲ ? ଗୋଟେ ଖୁସିଖବର ଆସିଛି । ଆମ ମାନସ ଆଜି ଘରକୁ ଫେରୁଛି । ତାହା ପୁଣି ଆମ ଜିଲ୍ଲାର କଲେକ୍ଟର ହୋଇ । ଆରେ କିଏ କୁଆଡେ ଅଛ ? ମୋ କଥା ଶୁଣିଲ ନା ନାଇଁ ? ମଧୁସୂଦନ ବାବୁଙ୍କ କଥାଶୁଣି ଘରର ସମସ୍ତେ ଖୁସିରେ ନାଚି ଉଠିଲେ । ଗାଆଁଟା ସାରା ମିଠା ବଣ୍ଟାହେଲା ।ଗାଁ ଲୋକେ କହିଲେ – ଶ୍ୟାମବାବୁ, ମାନସ ଆପଣଙ୍କ ନାଁ ରଖିଲା । ଏବେ ଆମ ମାନସ ଆମ ଗାଁ କଥା ବୁଝିବ, ଆମ ଜିଲ୍ଲା କଥା ବୁଝିବ ।

ନାଲିବତି କାର୍ ଗାଡିରେ ବସି ଘରକୁ ଆସୁଥାଏ ମାନସ । ବାଟରେ ତା’ କଲେଜ ପଡିଲା । କଲେଜକୁ ଯାଇ ଅଧ୍ୟାପକ/ଏଧ୍ୟାପିକା ମାନଙ୍କ ଠାରୁ ଆଶିର୍ବାଦ ନେଇ ଘରକୁ ଫେରୁଥାଏ । ବାଟରେ ପଡିଲା ହାଣ୍ଡିଆପଦା ଛକ । ଗାଡିରୁ ଓହ୍ଲାଇ ରାସ୍ତାକଡରେ ଟିକିଏ ଛିଡାହେଲା ମାନସ । ତା’ ଇଚ୍ଛାହେଲା ମିନାକ୍ଷୀର ଗାଆଁକୁ ଯାଇ ତାକୁ ଧନ୍ୟବାଦ ଜଣେଇବ, କିନ୍ତୁ ତା’ ପାଦ ପଛକୁ ଫେରି ଆସିଲା । ପୁଣି ଘରକୁ ଫେରିବା ବାଟରେ ପଡିଲା ସରେଈହାଣ୍ଡି ଛକ, ଯେଉଁ ଛକରେ ମାନସ କଲେଜ ଯିବା ପାଈଁ ବସ୍ କୁ ଅପେକ୍ଷା କରୁଥିଲା । ମାନସ କାର୍ ରୁ ଓହ୍ଲେଇ ଦେଖିଲା ଆଜିମଧ୍ୟ ସେଇଠି ଛୋଟ ହୋଟେଲ ଟିଏ ଅଛି । ହୋଟେଲ ପାଖରେ ସେହି ବରଗଛ । କିନ୍ତୁ ବରଗଛଟି ଏବେ ଟିକିଏ ବୁଢା ହୋଇଯାଇଛି ।

ମାନସ ତା’ ଡ୍ରାଇଭର ସହିତ ହୋଟେଲରେ ଯାଇ ବସିଲା । ହୋଟେଲ ଚାରିପଟକୁ ଅନେଇ ଦେଖିଲା କିଛି ପରିବର୍ତ୍ତନ ହୋଇନାହିଁ । ପରିବର୍ତ୍ତନ ହୋଇଛି କେବଳ (ହୋଟେଲ ମାଲିକ) ସନିଆଁ ସାହୁର ଦାଢିର ରଙ୍ଗ । ସନିଆଁ ସାହୁ ମାନସ ପାଖକୁ ଆସି କହିଲେ – ଆଜ୍ଞା କ’ଣ ଖାଇବେ ? ସବୁ ଗରମ ଅଛି । ମାନସ ସନିଆଁ କୁ ଦେଖି ଭାବିଲା ଇଏ ବୋଧେ ଜାଣି ପାରିଲେ ନାହିଁ ସିଏ ମାନସ ବୋଲି । ମାନସ କହିଲା – ଦି’ଟା ସିଙ୍ଗଡା ଓ ଗୋଟେ ପ୍ଲେଟ୍ ପକୁଡି ସହିତ ତେଲରେ ଛଣାହୋଇ ବିଟ୍ ଲୁଣରେ ପଡିଥିବା ଗୋଟିଏ ନାଲି ଲଙ୍କା ଏବଂ ଗୋଟିଏ ସ୍ପ୍ରାଇଟ୍ ବୋତଲ ପଠାନ୍ତୁ । ସନିଆଁ ଆଖିରେ ଲୁହ ଭରିଆସିଲା । ସିଏ କହିଲା – ଆରେ, ତୁ କ’ଣ ଆମ ମାନସ ? ସେଇ ମାନସ, ଯିଏ କଲେଜରୁ ଫେରିବା ପରେ ଏଇଠି ଜଳଖିଆ ଖାଇ ଘରକୁ ଯାଉଥିଲା । ବାବା ତୁ କ’ଣ ସେଇ ? ମାନସ କହିଲା - ହଁ ଦାଦା, ଆଜି ମୁଁ ଆମ ଜିଲ୍ଲାର କଲେକ୍ଟର ହୋଇ ଫେରିଛି । ଏବେ ଆମ ଜିଲ୍ଲାର ସବୁଦୁଃଖକୁ ମୁଁ ଦୂରକିବି । କେବଳ ଆପଣଙ୍କ ଆଶିର୍ବାଦ ଦରକାର । ସନିଆଁ କାନ୍ଦି ପକେଇଲା । ଏବଂ ଖୁସିରି ସବୁ ଜଳଖିଆ ନିଜେ ଆଣି ମାନସ ପାଖରେ ରଖିଲା ଏବଂ କହିଲା – ମୋ ଆଶିର୍ବାଦ ସର୍ବଦା ତୋ ଉପରେ ଅଛି ବାବା ।

ଖାଇସାରି ହୋଟେଲରୁ ବାହାରିବା ବେଳେ ମାନସର ଦେଖାହୁଏ ସାରଙ୍ଗ ସହିତ । ଗୋଟିଏ ଠେଲାରେ ଗୁପଚୁପ୍ ରଖି ବିକ୍ରି କରୁଛି ସିଏ । କିନ୍ତୁ ଦୁଃଖିତ ଥିଲାପରି ଜଣା ପଡୁଥିଲା ସାରଙ୍ଗ । ମାନସ ତା’ ପାଖକୁ ଯାଇ କହିଲା – କି’ରେ ଶାଗୁଣା, ମୁହଁ କ’ଣ ପାଇଁ ସୁଖିଛି ବେ ? ମାଣ୍ଡୁ ସହିତ ପୁଣି ଝଗଡା କରିଛୁ ନା…ଲାଗୁଛି ତୁ ଆଉ ସୁଧୁରିବୁନି । ହଉ ଚାଲ୍ ଗୁପଚୁପ୍ ଦେ ଖାଇବି । ବହୁତ ଜୋର୍ ରେ ଭୋକ କଲାଣି । ସାରଙ୍ଗ କାନ୍ଦି ପକେଇଲା ଓ ମାନସକୁ ଜାବୁଡି ଧରିଲା । ସିଏ କହିଲା – ସାଙ୍ଗ, ବହୁତ ଦିନ ପରେ ଆଜି ତତେ ଦେଖୁଛି, ବହୁତ ଖୁସି ଲାଗିଲା । ତୁ ତୋ ବାପାଙ୍କ କଥା ମାନି ସମୟର ମୂଲ୍ୟକୁ ବୁଝିଲୁ ଓ ଏବେ ତୋ ସ୍ୱପ୍ନକୁ ସାକାର କରି ପାରିଛୁ । କିନ୍ତୁ ଏଇ ଶାଗୁଣା ବୟସର ମାୟା ଜାଲରେ ଛନ୍ଦି ହୋଇ ଆଜି ଡେଣା ମେଲେଇ ବସିଛି ଓ ଗୁପଚୁପ୍ ବିକୁଛି । ମୋ ଭୁଲ ପାଇଁ ସମୟ ଆଜି ମୋତେ ଉଚିତ ଦଣ୍ଡ ଦେଇଛି, ଆଜି ମୁଁ ଅନୂତପ୍ତ ।

ମାନସ ଆଖିରେ ଲୁହ ଭରି ଆସିଲା । କିଛି ନକହି କାର୍ ରେ ବସି ଘରକୁ ଚାଲିଗଲା । ଯିବା ବାଟରେ ଦେଖିଲା ରାସ୍ତାରେ ଆଉ ଖାଲ ନାହିଁ । କଂକ୍ରୀଟ୍ ରାସ୍ତା ହୋଇଛି । ଗାଁ ମଧ୍ୟ ଟିକିଏ ଉନ୍ନତି କରିଛି । ଗ୍ରାମର ଲୋକମାନେ ମାନସ ଆସିବା ଖୁସିରେ ମାନସର ଘର ଏବଂ ଗାଁକୁ ଭଲଭାବରେ ଫୁଲରେ ସଜେଇଥାନ୍ତି । ମାନସକୁ ସ୍ବାଗତ କରିବା ପାଇଁ ଶ୍ୟାମସୂନ୍ଦର ବାବୁଙ୍କ ପରିବାର ସହିତ ସରପଞ୍ଚ ଏବଂ ଗାଁ ଲୋକେ ଛିଡା ହୋଇଥାନ୍ତି । ମାନସକୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଗଲା । ଘରକୁ ଯିବାପରେ ମାନସ ଶ୍ୟାମ ବାବୁଙ୍କୁ କହିଲା – ବାପା, ଆଶା କରୁଛି ଆପଣ କହିଥିବା ସମୟର ତିନୋଟି ସ୍ତରକୁ ମୁଁ ସଠିକ ଭାବରେ ଉପଯୋଗ କରି ପାରିଛି । ଏବଂ ଆଜି ମୁଁ ବୁଝିଛି ସମୟ ବହୁତ ମୂଲ୍ୟବାନ । ସଫଳତା ପାଇବା ପାଇଁ ସମୟର ସଦୁପଯୋଗ କରିବା ଏକାନ୍ତ ଆବଶ୍ୟକ । ଶ୍ୟାମ ବାବୁ କହିଲେ – ନା ବାବା, ତୁ କେବଳ ଦୁଇଟି ସ୍ତରକୁ ଅତିକ୍ରମ କରିଛୁ । ଏବେ ସମୟର ଅନ୍ତିମ ସ୍ତର ତୋର ଅପେକ୍ଷା କରି ରହିଛି, ଚାଲ୍ ମୋ ସହ ।

ଶ୍ୟାମବାବୁ ମାନସକୁ ନେଇ ତାଙ୍କ ଛାତ ଉପରକୁ ଗଲେ । ମାନସ ଦେଖିଲା ମିନାକ୍ଷୀ ସରପଞ୍ଚବାବୁଙ୍କ ସହିତ ବସିଛି । ମାନସ ଧିରେଧିରେ ମିନାକ୍ଷୀ ପାଖକୁ ଯାଇ କେବଳ ଚାହିଁ ରହିଲା । ଶ୍ୟାମବାବୁ ଏବଂ ସରପଞ୍ଚବାବୁ ସେଇଠୁ ଚାଲିଗଲେ ତଳକୁ । ମାନସ ଯାଇ ବସିଲା ମିନାକ୍ଷୀ ପାଖରେ । ଦେଖିଲା ହାତରେ ଶଙ୍ଖା ନାହଁ, ମଥାରେ ସିନ୍ଦୂର ନାହିଁ । ଏହାର ଅର୍ଥ ମିନାକ୍ଷୀ ଏପର୍ଯ୍ୟନ୍ତ ବିବାହ କରିନାହିଁ । ମାନସ କଥାହେବାକୁ ଚେଷ୍ଟାକଲା ମିନାକ୍ଷୀ ସହିତ ।

ମାନସ – ହାଏ…କେମିତି ଅଛ ମିନାକ୍ଷୀ ?

ମିନାକ୍ଷୀ – ହାଏ, ମୁଁ ଭଲ ଅଛି…ଆଉ ତୁମେ ?

ମାନସ – ହଁ ମୁଁ ମଧ୍ୟ ଭଲଅଛି । If you don’t mind, can I say something ?

ମିନାକ୍ଷୀ – Why not Manas, କୁହ କ’ଣ କହିବ ।

ମାନସ – ତୁମେ ଏଯାଏଁ ବାହା ହେଇନ କ’ଣ ପାଇଁ ? sorry this is your personal matter, but I think, You are Unmarried….କାରଣ, ତୁମ ହାତରେ ଶଙ୍ଖା ନାହିଁ, ମଥାରେ ସିନ୍ଦୂର ନାହିଁ, ଏହି ଦୃଷ୍ୟରୁ ମୁଁ କ’ଣ ବୁଝିବି ?

ମିନାକ୍ଷୀ – ତୁମେ ତ ନଥିଲ, ମୁଁ କାହାକୁ ବାହା ହୋଇଥାନ୍ତି ?

ମାନସ – Sorry, ମୁଁ କିଛି ବୁଝି ପାରିଲିନି….।

ମିନାକ୍ଷୀ – ବାସ୍ତବରେ… ମୁଁ, ତୁମକୁ…. ତୁମକୁ ବହୁତ ଭଲପାଏ ।

ମାନସ – ହା, ହା….ଥଟା କରୁଛ ମୋ ସହ ? ଯଦି ଭଲପାଉଛ ସେଦିନ କଲେଜ ଲାଇବ୍ରେରୀ ରେ କ’ଣପାଇଁ ସାରଙ୍ଗ ସହ ଚାଲିଗଲ ?

ମିନାକ୍ଷୀ – କେବଳ ତୁମ ବାପାଙ୍କ ପାଇଁ । (ମାନସ ଆଶ୍ଚର୍ଯ୍ୟ ହୋଇ ଦେଖିଲା ମିନାକ୍ଷୀକୁ) ହଁ ମାନସ ତୁମେ ଠିକ ଶୁଣିଛ, କେବଳ ତୁମ ବାପଙ୍କ ଅନୂରୋଧ ରକ୍ଷାକରି ମୁଁ ସେଦିନ ସାରଙ୍ଗକୁ ଭଲପାଏ କହିଲି ଏବଂ ତା’ ସହିତ ଆସିବା ପରେ ସବୁ ସତକଥା କହି ସାରଙ୍ଗଠୁ ଦୂରେଇଗଲି ।

ମାନସ – ବାପାଙ୍କ ଅନୂରୋଧ ! କ’ଣ କହୁଛ ତୁମେ ?

ମିନାକ୍ଷୀ – ହଁ ମାନସ । ହାଣ୍ଡିଆପଦା ଛକଠୁ ଦୁଇ କିଲୋମିଟର ଭିତରକୁ ଗଲେ ସାମନ୍ତପୁର ଗାଁ ଅଛି । ସେଇଠି ମୋ ମାମୁଘର । ମୁଁ କେବଳ ସେହି ଦୁଇଦିନ ବସ୍ ରେ କଲେଜ ଯାଇଥିଲି ଓ ତୁମକୁ ଭଲପାଇ ବସିଲି । ଦ୍ଵିତୀୟ ଦିନ କଲେଜରୁ ଫେରି ମାମୁଘରକୁ ଗଲି ଓ ମାମୁଙ୍କ ସହ ମୁଁ ପୁଣି ଗାଁକୁ ଆସିଲି । ଘରକୁ ଫେରିବା ପରେ ବାପାଙ୍କୁ ସବୁକଥା କହିଲି । ମୋ ବାପା ଏ ଗାଁର ସରପଞ୍ଚ । ସେଦିନ ତୁମେ ଶ୍ୟାମ ମଉଶାଙ୍କ ସହିତ ବୀଲକୁ ଯାଇଥିଲ । ସେଇଠୁ ଫେରିବା ପରେ ମୋ ବାପାଙ୍କ ସହିତ ଶ୍ୟାମ ମଉଶା ଆମ ଘରକୁ ଆସି ମୋତେ ବୁଝେଇ କହିଲେ ଯେ, ଆଗକୁ ତୁମ ଭବିଷ୍ୟତ ଅଛି, ଏବେ ତୁମ ପଢିବା ସମୟ । ସମୟ ଆଗରୁ କୌଣସି କାର୍ଯ୍ୟ ସିଦ୍ଧ ହୋଇନଥାଏ । ତୁମଠୁ ସେତେବେଳେ ଦୂରେଇ ରହିବା ପାଇଁ କହିଲେ ଏବଂ ମୋତେ କଥାଦେଲେ ଯେ ସମୟ ଆସିବା ପରେ ମୋତେ ତୁମସହ ବାହାକରି ତାଙ୍କ ଘରର ବୋହୂ କରିବେ । ତେଣୁ ମୁଁ…

ମାନସ – ତୁମେ ଯାହା କହିଲ ତାହା ସତ ନା ମିଛ ମୁଁ ଜାଣିନାହିଁ, କିନ୍ତୁ ମୋ ବାପା ଆଜି ପର୍ଯ୍ୟନ୍ତ ଏମିତିକିଛି କରି ନାହାନ୍ତି ଯେଉଁଥିରେ ମୋର ଅମଙ୍ଗଳ ହେବ । ଆଜି ମୋ ସ୍ୱପ୍ନକୁ ମୁଁ ସାକାର କରିପାରିଛି କେବଳ ମୋ ବାପା ଏବଂ ମୋ ମିନାକ୍ଷୀ ପାଇଁ, I Love You…..

ଏହାଶୁଣି ମିନାକ୍ଷୀ କୁଣ୍ଢେଇ ପକାଇଲା ମାନସକୁ ଏବଂ କହିଲା – Love You too Manas… । ଦୁହେଁ ଖୁସିରେ ବାପାଙ୍କୁ ଧନ୍ୟବାଦ ଜଣେଇ ଗୋଟିଏ ବର୍ଷ ପରେ ବିବାହ ବନ୍ଧନରେ ବାନ୍ଧିହୋଇ ଖୁସିରେ ଅଛନ୍ତି ।

ଆଜିର ଉନ୍ନତ ଆଧୁନିକ ଯୁଗରେ ଅନେକ ଯୁବକ ବେକାର ବୁଲୁଛନ୍ତି । କାରଣ ସେମାନେ ସମୟର ମୂଲ୍ୟ ବୁଝିନାହାନ୍ତି, ବୟସର ମାୟାଜାଲରେ ଛନ୍ଦିହୋଇ ଯୁବଗୋଷ୍ଠି ପଥଭ୍ରଷ୍ଟ ହୋଇ ତାଙ୍କ ଭବିଷ୍ୟତକୁ ନଷ୍ଟ କରୁଛନ୍ତି । ଏହି କାହାଣୀ ରେ ମୁଁ ଯୁବଗୋଷ୍ଠିଙ୍କୁ ଦୋଷ ଦେଇନାହିଁ, ମୁଁ କେବଳ ସମୟର ବିଷେଷତ୍ୱ କୁ ବଖାଣିବା ପାଇଁ ଚେଷ୍ଟା କରିଛି । ଆଶା କରୁଛି ଏହି କାହାଣିଟି ଯୁବଗୋଷ୍ଠିଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ମାର୍ଗଦର୍ଶକ ହୋଇପାରିବ ।

(ବିଦ୍ୟାର୍ଥୀ ଜୀବନେ ପିତୃଦୀକ୍ଷା ନାମକରଣର ଅର୍ଥ :- (ବିଦ୍ୟାର୍ଥୀମାନଙ୍କ ଜିବନରେ ପିତାଙ୍କ ଉପଦେଶ) ବିଦ୍ୟାର୍ଥୀମାନେ ତାଙ୍କ ଭବିଷ୍ୟତ ପଥରେ ଅଗ୍ରସର ନହୋଇ ପଥଭ୍ରଷ୍ଟ ହୋଇ ଅବାଟକୁ ଚାଲି ଯାଉଥିବା ସମୟରେ ପିତାଙ୍କ ଉପଦେଶ ହିଁ ବିଦ୍ୟାର୍ଥୀଙ୍କୁ ଉଚିତ ମାର୍ଗ ଦର୍ଶନରେ ସହାୟକ ହୋଇଥାଏ ଏବଂ ନିଜ କର୍ତ୍ତବ୍ୟ ପାଇଁ ଦୃଢ଼ ସଂକଳ୍ପ ନେବାରେ ସାହାଯ୍ୟ କରିଥାଏ । କରଣ ପିତା ଦେଖାଇଥିବା ପଥରେ କଣ୍ଟା ନଥାଏ, ଥାଏ କେବଳ ସୁବାସିତ ପୁଷ୍ପ ଏବଂ ଲକ୍ଷ୍ୟସ୍ଥଳରେ ଅପେକ୍ଷା କରିଥାଏ ଉଜ୍ଜ୍ୱଳ ଭବିଷ୍ୟତ ।)

ଜୟ ଜଗନ୍ନାଥ



Rate this content
Log in